Unknown

 

 

 

 

 

 

 

 

 

 

ଦରିଆ ପାରିର ଦସ୍ୟୁ

(ଡିଟେକ୍ଟିଭ ଉପନ୍ୟାସ)

ଶ୍ରୀବତ୍ସ ବିଦ୍ୟାଳଙ୍କାର

 

ଏକ

 

କାର୍ତ୍ତିକ ମାସ ଦିପହର । କଟକର ସୁପରିଚିତ ଡିଟେକ୍ଟିଭ ହେମବାବୁ ପରୀକ୍ଷାଗାରରେ ବସି ଗଭୀର ଗବେଷଣାରେ ବ୍ୟସ୍ତ । ସହକାରୀ ରବୀନ୍ଦ୍ର ଗୋଟିକପରେ ଗୋଟିଏ ଫଟୋ, ମ୍ୟାପ, ସମ୍ବାଦପତ୍ରର ସୁରକ୍ଷିତ ଅଂଶଗୁଡ଼ିକ ଦେଖାଉଅଛନ୍ତି । ହେମବାବୁ ଗୋଟିକ ପରେ ଗୋଟିଏ ଅତିଶୟ ମନୋଯୋଗ ସହକାରେ ଦେଖି ପୁଣି ପାର୍ଶ୍ୱସ୍ଥ ଟେବୁଲ ଉପରେ ରଖୁଛନ୍ତି । ମୁଖ ଗମ୍ଭୀର, କୌଣସି ବିଶେଷ ସମସ୍ୟା ନେଇ ମୁଣ୍ଡ ଭାରାକ୍ରାନ୍ତ । ଏ ହେମନ୍ତକାଳରେ ମଧ୍ୟ ବିନ୍ଦୁ ବିନ୍ଦୁ ଘର୍ମ ତାଙ୍କ କପାଳରେ ଲାଗି ରହିଛି । ନୀରବତା ଭଙ୍ଗ କରି ହଠାତ୍ ରବୀନ୍ଦ୍ର କହିଲା, ‘‘ଆଜ୍ଞା, ଆମ ଓଡ଼ିଶାର ଓ ବାହାରର ବିଖ୍ୟାତ ଚୋର ଡକାୟତଙ୍କ ହାତ ପାଦ ଚିହ୍ନ ନେଇ ଯେଉଁ ଫଟୋ ସବୁ ଅଛି, ସେଗୁଡ଼ିକ କିଛି ଦରକାରରେ ଆସନ୍ତା ନାହଁ ?”

 

ହେମବାବୁ ସେହିପରି ଗମ୍ଭୀରରେ ରହି କହିଲେ, “ନା, ରବୀନ୍ଦ୍ର ସେ ସବୁ କିଛି ଦରକାରରେ ଆସିବ ନାହିଁ । ମୁଁ ମିଳାଇ ଦେଖି ସାରିଛି । କାଲି ଯେ ଲାସ୍‍ଟା ଦଉଡ଼ିରେ ଟଙ୍ଗା ହୋଇଥିବାର ଦେଖାଗଲା, ସେଥିରେ ହାତ ବା ଅଙ୍ଗୁଳିର ଚିହ୍ନ ଏତେ ଅସ୍ପଷ୍ଟ ଯେ ସେଥିରୁ ଚିହ୍ନୋଟ ପାଇବାର କିଛି ଉପାୟ ନାହିଁ । ତହିଁ ପୂର୍ବରୁ ନୀଳୁରାମ ମାଢ଼ୁଆଳି ଘରେ ଯେ ଘଟଣା ଘଟିଛି ଏଥିରେ ହାତ ମୋଜା (Gloves) ପିନ୍ଧି କାରବାର କରାଯାଇଛି । ଅତଏବ ଏ ଯେ କୌଣସି ବାଜେ ଦସ୍ୟୁଦଳର କାର୍ଯ୍ୟ ନୁହେଁ । ଏହା ଏକ ସୁସଂଗଠିତ ଧୃର୍ତ୍ତ ଦସୁ ଦଳର ସୁଚିନ୍ତିତ କାର୍ଯ୍ୟ କୌଶଳ । ସୁତରାଂ ଆମେ ସତର୍କ ଅନୁସନ୍ଧାନ ନ କଲେ, ଏଥିରେ କୌଣସି ପତ୍ତା ପାଇବା ନାହିଁ-?’’

 

ରବୀନ୍ଦ୍ର ସଙ୍ଗେ ସଙ୍ଗେ କହିଲା, ‘‘ବାସ୍ତବିକ ଏ ସାମାନ୍ୟ କଥା ନୁହେଁ; ଏକାବେଳକେ ଲକ୍ଷେଟଙ୍କା ଚୋରି ! ନୀଳୁରାମର ସର୍ବନାଶ ହୋଇଛି । ବିଚରା ବର୍ତ୍ତମାନ ଶଯ୍ୟାଶାୟୀ, ତା ମୁହଁରୁ ଆଉ କଥା ବାହାରୁ ନାହିଁ । ତେବେ ଆଶ୍ଚର୍ଯ୍ୟ କଥା ଆଜ୍ଞା, ଦି ଦି’ଟା ଚାକର ଥାଇ ଘରେ ପରିବାର ରହି ଚୋର ଦୋହରି ତାଲା ଖୋଲି ଲୁହା କବାଟ ଫିଟାଇ ଲୁହା ସିନ୍ଦୁକରୁ ଟଙ୍କା ନେଲା, କେହି ଜାଣିଲେ ନାହିଁ, ପୁଣି ତାଲା ଯେପରି ପଡ଼ିଥିଲା ସେପରି ପଡ଼ିଛି, ଅଥଚ କବାଟ ସିନ୍ଦୁକ କିଛି ଭଙ୍ଗା ହୋଇନାହିଁ ।’’

 

‘‘ଆହୁରି ଆଶ୍ଚର୍ଯ୍ୟ ରବୀନ୍ଦ୍ର, ରାତି ନଅଟା ସମୟରେ ବିଜୁଳି ଆଲୁଅରେ ରେଡ଼ିଓ ବଜାଇ ଟଙ୍କାନେବା ।’’ ହେମବାବୁ ହସି ହସି କହିଲେ ।

 

ରବିନ୍ଦ୍ର ଭ୍ରୂକୁଞ୍ଚିତ କରି କହିଲା, ‘‘ତେବେ ଆପଣ କ’ଣ କହୁଛନ୍ତି ନୀଳୁରାମର ଟଙ୍କା ଚୋରି ଯାଇ ନାହିଁ, ତା’ର ଏ ସବୁ ଛଳନା ? କାଲି ରାତି ନଅଟାବେଳେ ସେ ରେଡ଼ିଓରେ ଗୀତ ଶୁଣୁଥିବାର ତା ଜମାନବନ୍ଦୀରୁ ମିଳୁଛି । ତା' ପରେ ତା’ର ବନ୍ଧୁଜଣେ ଆସି ପହଞ୍ଚିବାରୁ ଦୁହେଁଯାକ ମଟରରେ ବସି ସିନେମା ଦେଖିବାକୁ ଗଲେ । ସିନେମାରୁ ରାତି ବାରଟାବେଳେ ଫେରି ଆଲୁଅ ଲିଭାଇ ଶୋଇଲା । ସକାଳୁ ଉଠି କଲିକତା ଟଙ୍କା ପଠାଇବା ପାଇଁ ସିନ୍ଦୁକ ଖୋଲିଲାବେଳକୁ ସିନ୍ଦୁକ ଶୂନ୍ୟ । ଦିନକ ପୂର୍ବରୁ ସେ ସେହି ସିନ୍ଦୁକରେ ଆଉ ପଚାଶ ହଜାର ଟଙ୍କା ଜମା ଦେଇ ମୋଟରେ ଲକ୍ଷେ ଟଙ୍କା ହିସାବ କରି ରଖିଥିଲା । ସୁତରାଂ ତା ପୁର୍ବରୁ ଯେ ଟଙ୍କା ଚୋରି ଯାଇ ନାହିଁ, ଏହା ନିଶ୍ଚିତ ।’’

 

ହେମବାବୁ କହିଲେ, “ହଁ, ପୂର୍ବରୁ ଯେ ଟଙ୍କା ଚୋରି ଯାଇ ନାହିଁ, କାଲିରାତିରେ ଯେ ଚୋର ରେଡ଼ିଓ ବଜାଇ ବିଜୁଳି ଆଲୁଅରେ ଟଙ୍କା ନେଇଛି, ଏକଥା ମିଥ୍ୟା ବା ଅତିରଞ୍ଜିତ ନୁହେଁ । ଅଭ୍ରାନ୍ତ ସତ୍ୟ ।’’

 

‘‘ସତ୍ୟ” ଏକଥା କହି ରବୀନ୍ଦ୍ର କୌତୁହଳପୂର୍ଣ୍ଣ ଦୃଷ୍ଟିରେ ହେମବାବୁଙ୍କ ମୁହଁକୁ ଚାହିଁରହିଲା ।

 

‘‘ବିସ୍ମିତ ହେବାର ଏଥିରେ କିଛି ନାହିଁ ରବୀନ୍ଦ୍ର, ତେବେ ଶୁଣ ।” ହେମବାବୁ, କହିବାକୁ ଆରମ୍ଭ କଲେ, ଅନୁସନ୍ଧାନରୁ ଯାହା ଜଣାଯାଏ, ନୀଳୁରାମ ରେଡ଼ିଓ ବଜାଉଥିଲା ଏହି ସମୟରେ ନୀଳୁରାମର ବନ୍ଧୁ ମଟର ଧରି ପହଞ୍ଚିଲେ । ସେ ନୀଳୁରାମକୁ ଡାକି ଡାକି ଦୋମହଲା ଉପରକୁ ଉଠିଲେ । ନୀଳୁରାମ ସଙ୍ଗେ ବନ୍ଧୁଙ୍କର ଭେଟ ହେଲା । ରେଡ଼ିଓ ବନ୍ଦକରି ଉଭୟେ ତଳକୁ ଆସି ଗୃହିଣୀଙ୍କୁ ଉଦ୍ଦେଶ୍ୟ କରି ଡାକି ଦେଇ ଗଲେ । ସେଲ୍‍ଫ ଉପରେ ଚାବି ଗୋଛାଟା ଅଛି । ଏକମାତ୍ର ଜଣେ ଭଦ୍ରମହିଳା ଅସିଥିବାରୁ ତାଙ୍କ ସଙ୍ଗେ ନୀଳୁରାମର ସ୍ତ୍ରୀ ଗପସପରେ ଏତେ ମାତିଥିଲେ ଯେ ସେ ହଠାତ୍ ଉଠିଆସି ପାରିଲେ ନାହିଁ । ପରେ ପୁଣି ରେଡ଼ିଓ ବାଜିବାରୁ ନୀଳୁରାମଙ୍କ ସ୍ତ୍ରୀ ଭାବିଲେ, ସ୍ୱୀୟ ସ୍ଵାମୀ ଫେରିଆସି ପୁଣି ରେଡ଼ିଓ ବଜାଉଅଛନ୍ତି । ଅପରଲୋକ କିଏ ବା ଆସି ସାହସ କରି ତାଙ୍କ ଦୋମହଲାକୁ ଯାଇ ରେଡ଼ିଓ ବଜାଇବ ? ଅଧଘଣ୍ଟାକ ପରେ ଭଦ୍ରମହିଳା ବିଦାୟ ନେଲେ । ନୀଳୁରାମଙ୍କ ସ୍ତ୍ରୀ ଉପର ହେଲାକୁ ଯାଇ ଦେଖନ୍ତି ତ ରେଡ଼ିଓ ବନ୍ଦ କରାଯାଇନାହିଁ । ଯଦିଓ ତାଙ୍କ ମନରେ ସନ୍ଦେହର କ୍ଷୀଣ ଛାୟାପାତ ହେଲା, କିନ୍ତୁ ସେ ତାକୁ ପରମୁହୂର୍ତ୍ତରେ ଭୁଲି ଗଲେ । ସେ ଖାଇ ପିଇ ଶୋଇ ପଡ଼ିଲେ । ସ୍ଵାମୀ ଫେରିବା ପରେ ସେ କଥା ଆଲୋଚନାର ଆଉ ଅବକାଶ ନଥିଲା । ପରଦିନ ଟଙ୍କା ଆଣିବାକୁ ଯାଇ ନୀଳୁରାମ ଯେତେବେଳେ ସିନ୍ଦୁକ ଦେଖିଲା ସେ ନିଜ ଆଖିକୁ ବିଶ୍ୱାସ କରିପାରିଲା ନାହିଁ । ମୂର୍ଚ୍ଛିତ ହୋଇ ପଡ଼ିଗଲା । ଏଇ’ତ କଥା । ଆଚ୍ଛା, ଯେତେବେଳେ ନୀଳୁରାମ ବନ୍ଧୁଙ୍କ ସଙ୍ଗେ ଚାଲିଗଲା, ସେ ନିଜେ କହୁଛି, ସେ ରେଡ଼ିଓ ବନ୍ଦ କରି ଦେଇ ଚାଲିଗଲା, ତା’ପରେ ବାଜିଲା କିପରି-?’’

 

ରବୀନ୍ଦ୍ର କହିଲା, “ତେବେ ଆପଣ କ’ଣ କହୁଛନ୍ତି, ନୀଳୁରାମ ଚାଲିଯିବା ସଙ୍ଗେ ସଙ୍ଗେ ଚୋର ଆସି ରେଡ଼ିଓ ବଜାଇବା ଆରମ୍ଭ କରିଛି ? ତା’ର କ’ଣ ଉଦ୍ଦେଶ୍ୟ ଥିଲା, ରେଡ଼ିଓ ବଜାଇଲେ ନୀଳୁରାମଙ୍କ ସ୍ତ୍ରୀ ଜାଣିବେ ଯେ ନୀଳୁରାମ ପୁଣି ଫେରିଆସି ରେଡ଼ିଓ ବଜାଉଛି ?’’

 

‘‘ନିଶ୍ଚୟ, ଚୋର ସେଲ୍‍ଫ ଉପରେ ଚାବି ଅଛି ଶୁଣି ସୁବିଧା ନେଇ ଏତେ କାଣ୍ଡ କରିଛି-। ତେବେ ଏ ଯେ ଭଦ୍ରମହିଳା କାହିଁକି ଆସିଥିଲେ ? ତାଙ୍କ ସଙ୍ଗରେ କୌଣସି ଦାସ ଦାସୀ ଆସିଥିଲେ କି ନା, ଏହା ଭିତରେ ସେ ବାହାରକୁ ଯାଇଥିଲା କି ନା- ଏବିଷୟରେ ଆଉ ଟିକିଏ ସନ୍ଧାନ ନେଇଥିଲେ ଘଟନା ଆହୁରି ପରିଷ୍କାର ହୋଇଥାନ୍ତା । ମୋର ଅନୁମାନ, ଭଦ୍ରମହିଳା ବା ତାଙ୍କ ଦାସୀର ଏ ଘଟନା ସଙ୍ଗରେ କିଛି ସମ୍ପର୍କ ଅଛି ।’’ ହେମବାବୁ ବଡ଼ ସନ୍ଦିଗ୍ଧ ଚିତ୍ତରେ ଶେଷ କଥାତକ କହିଲେ ।

 

ରବୀନ୍ଦ୍ର କହିଲେ, “ଆଜ୍ଞା, ରେଙ୍ଗୁନର ଜଣେ ବଡ଼ ଜମିଦାର ଏବେ କେତେଦିନ ହେଲା ଆସି କଟକରେ ଅଛନ୍ତି । ନୀଳୁରାମଙ୍କ ପରିବାର ତାଙ୍କ ଘରକୁ ଯାଆନ୍ତି, ତାଙ୍କ ପରିବାର ଖୁସିବାସିରେ ୟା’ଙ୍କ ଘରକୁ ମଧ୍ୟ ଆସନ୍ତି । ଏଥିରେ ଆଉ ଉଦ୍ଦେଶ୍ୟ କ’ଣ ଅଛି ? କାଲି ତ ସେ ଭଦ୍ରଲୋକଙ୍କ ସ୍ତ୍ରୀ ବୁଲି ଆସିଥିଲେ ।’’

 

ହେମବାବୁ କହିଲେ, ‘‘ସେ ସବୁ ପରେ ଜଣା ପଡ଼ିବ ।” ରବୀନ୍ଦ୍ର ପୁଣି କହିଲା, “ଆଜ୍ଞା ସେ ଯେ ଛତରାବଜାର ପାଖ ଗଛରେ ଯୁବକଟି ଦଉଡ଼ି ଦେଇ ଆତ୍ମହତ୍ୟା କରିଛି, ସେ ବିଷୟରେ ମୋର ଯେତେଦୂର ମନେ ହୁଏ, କେହି ହତ୍ୟା କରି ତାକୁ ଲଟକାଇ ଦେଇଛି । ସେ ବିଷୟ ସଙ୍ଗେ ଏ ଟଙ୍କା ଚୋରିର କ’ଣ କିଛି ସମ୍ବନ୍ଧ ଅଛି ?’’

 

‘‘ସତ୍ୟ ରବୀନ୍ଦ୍ର, ମୁଁ ଭାବୁଛି, କିଛି ସମ୍ବନ୍ଧ ଅଛି ବୋଲି । ବାହୁରେ ତା’ର ଇଞ୍ଜେକ୍‍ସନ ଦିଆଯାଇଛି । ଅନୁମାନ, ବିଷାକ୍ତ ଇଞ୍ଜେକ୍‍ସନ ।’’ ହେମବାବୁ ଗମ୍ଭୀର ଭାବରେ କହିଲେ ।

 

ରବୀନ୍ଦ୍ର ଆଶ୍ଚର୍ଯ୍ୟ ହୋଇ କହିଲେ, ବିଷାକ୍ତ ଇଞ୍ଜେକ୍ ସନ୍ ! ନିରୀହ ଡ୍ରାଇଭରକୁ ବିଷାକ୍ତ ଇଞ୍ଜେକସନ୍ ଦେଇ ମାରି ରସିରେ ଲଟକାଇ ଦେବାର ଉଦ୍ଦେଶ୍ୟ କ’ଣ ଜାଣୁଛନ୍ତି ?”

 

“ବୋଧହୁଏ କୌଣସି ଗୁପ୍ତ ଘଟନା ବା ଗମନାଗମନ ସ୍ଥାନ ଏ ଡ୍ରାଇଭରକୁ ଜଣା; ସେଥିପାଇଁ ଏ ହତ୍ୟାକାଣ୍ଡ ଘଟିଛି ।” ହେମବାବୁ ସରଳ ଭାବରେ ଉତ୍ତର ଦେଲେ ।

 

ହେମବାବୁ କହିଲେ, “ହଉ, ଡାକି ଆଣ ।”

 

ଭୃତ୍ୟ ଯାଇ ପ୍ରୋକ୍ତ ଲୋକଟିକୁ ସଙ୍ଗରେ ଧରି ହେମବାବୁଙ୍କ ସମ୍ମୁଖରେ ଉପସ୍ଥିତ ହେଲା । ଆଗନ୍ତୁକ ଜଣକ ହେମବାବୁ ଓ ରବୀନ୍ଦ୍ରଙ୍କୁ ପ୍ରଣାମ କରି ହେମବାବୁଙ୍କ ହାତକୁ ଚିଠି ଖଣ୍ଡିକ ବଢ଼ାଇ ଦେଲା ।

 

ହେମବାବୁ ମନୋନିବେଶ କରି ଚିଠିଟି ପଢ଼ି ରବୀନ୍ଦ୍ର ହାତକୁ ବଢ଼ାଇ ଦେଲେ। ରବୀନ୍ଦ୍ର ପଢ଼ିସାରି ହେମବାବୁଙ୍କୁ କହିଲେ, “ସ୍ତ୍ରୀଟି ବୋଧହୁଏ କୌଣସି ଭଦ୍ର ପରିବାରର । ବିପନ୍ନା ହୋଇ ଆମର ସାହାଯ୍ୟ ଚାହିଛି । ସାହାଯ୍ୟ କରିବା ଆମର ନିହାତି କର୍ତ୍ତବ୍ୟ ।’’

 

ହେମବାବୁ କହିଲେ, “ତା’ତ ନିଶ୍ଚୟ । ତେବେ ଘଟନା କ’ଣ ଏଥୁରୁ କିଛି ବୁଝା ପଡ଼ୁନାହିଁ । ଚାଲ ତେବେ, ଥାନାରୁ ସୁରେଶବାବୁଙ୍କୁ ନେଇ ଯିବା ।” ଏହା କହି ଗାନ୍ତ୍ରୋତ୍ଥାନ କଲେ; ଗାରେଜରୁ ମଟର ନେଇ ରବୀନ୍ଦ୍ର ଓ ପତ୍ରବାହକ ସଙ୍ଗେ ଥାନା ଅଭିମୁଖରେ ଚାଲିଲେ ।

 

ଦୁଇ

 

ହେମବାବୁ ବାସଭବନରୁ ବାହାରି ସଦର ଥାନାରେ ପହଞ୍ଚିଲାବେଳକୁ ବେଳ ତିନିଟା ସମୟ । ସେ ମଟରରୁ ଓହ୍ଲାଇ ଥାନାକୁ ଗଲେ । ପୋଲିସ ମାଲିକ ସୁରେଶବାବୁ ଆସି ହସି ହସି ହେମବାବୁଙ୍କୁ ସମ୍ବର୍ଦ୍ଧନା କରି ନେଇଗଲେ । ହେମବାବୁ ସୁରେଶବାବୁଙ୍କଠାରୁ ବୟସରେ ଛୋଟ ହେଲେ ମଧ୍ୟ ହେମବାବୁଙ୍କ ଗାମ୍ଭୀର୍ଯ୍ୟ, ଚରିତ୍ର, ବିଚାରଶକ୍ତି, କାର୍ଯ୍ୟଦକ୍ଷତା, ସର୍ବୋପରି ବିଚକ୍ଷଣ ବୁଦ୍ଧି କୌଶଳ ଦେଶ ମଧ୍ୟରେ ତାଙ୍କୁ ମହାନ ବ୍ୟକ୍ତି ରୂପେ ପରିଚୟ କରାଇଅଛି । ସମାଜରେ ତାଙ୍କ ସମ୍ମାନ ଅତ୍ୟଧିକ ବଢ଼ାଇ ପୋଲିସ ଓ ତାଙ୍କ ବିଭାଗୀୟ କର୍ମଚାରୀମାନେ କେବଳ କାହିଁକି, ଦେଶର ଦୀନହୀନ ସ୍ତରର ଲୋକଠାରୁ ବଡ଼ ଲୋକ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଖାତିର କରନ୍ତି । ତାଙ୍କ କଥାର ମୂଲ୍ୟ ବୁଝନ୍ତି । ହେମବାବୁ ଏ ବିଭାଗରେ ମଧ୍ୟ ନୂଆ ଲୋକ ନୁହନ୍ତି । ସେ ଏ ବିଭାଗରେ ପନ୍ଦର କୋଡ଼ିଏ ବର୍ଷ ଚାକିରି କରି ଇଂଲଣ୍ଡ, ଆମେରିକା, ଆଫ୍ରିକା, ଅଷ୍ଟେଲିଆ ପ୍ରଭୃତି ବହୁ ଦେଶବିଦେଶ କାର୍ଯ୍ୟ ସଂକ୍ରାନ୍ତରେ ଯାଇଛନ୍ତି । ବ୍ରହ୍ମଦେଶ ଓ ଆଫ୍ରିକାର ଦୁର୍ଭେଦ୍ୟ ବନପର୍ବତ, ଜଳ, ଜମି ଭିତରେ ଅଶେଷ ଯନ୍ତ୍ରଣା ସହି କେତେ ଅମାନୁଷିକ ଅତ୍ୟାଚାର ମୁଖରୁ କେତେ ପ୍ରାଣୀଙ୍କୁ ଯେ ରକ୍ଷା କରିଛନ୍ତି, ତା’ର ଇୟତ୍ତା ନାହିଁ । ସେ କେବେ ଚାକିରି କରି ପେଟ ପୋଷିବା ନୀତିରେ ନିଜକୁ ଗଢ଼ି ନାହାନ୍ତି । ସେ ନିଜକୁ ଗଢ଼ିଛନ୍ତି ନିଃସ୍ଵାର୍ଥପର ଦେଶସେବା ଭାବରେ, ଦୀନଦୁଃସ୍ଥ ବିପନ୍ନର ବନ୍ଧୁରୂପେ । ବର୍ତ୍ତମାନ ସୁରେଶବାବୁ ହେମବାବୁଙ୍କୁ ଆସନରେ ବସାଇ ହସି ହସି କହିଲେ, ‘‘ଇଲେ ଆପଣଙ୍କୁ ଆମେ ସମସ୍ତେ ମନେ ପକାଉଥିଲୁଁ । ବୋଧହୁଏ କୌଣସି ନୂତନ ଅଭିଯାନରେ ବାହାରିଥିବାର ଆଶା କରାଯାଏ । ଉଦ୍ଦେଶ୍ୟ ନଥାଇ ହେମବାବୁ କେବେ ନିରର୍ଥକ ବାହାରକୁ ବାହାରନ୍ତି ନାହିଁ ଯେ !’’

ହେମବାବୁ ଟିକିଏ ହସି ସଦ୍ୟପ୍ରାପ୍ତ ପତ୍ର ଖଣ୍ଡ ସୁରେଶବାବୁଙ୍କ ହାତକୁ ବଢ଼ାଇ ଦେଲେ-। ସୁରେଶବାବୁ ପତ୍ରର ପ୍ରତ୍ୟେକ ପଂକ୍ତି ମନଯୋଗ ଦେଇ ପଢ଼ିବାକୁ ଲାଗିଲେ । ତାଙ୍କ ନୟନ ବିସ୍ମୟରେ ବିସ୍ଫାରିତ ହେବାକୁ ଲାଗିଲା । ସେ ପଡ଼ିସାରି ଭ୍ରୂଯୁଗଳ ସଂକୁଚିତ କରି କହିଲେ, “ଆଜ୍ଞା, ଏ ପୁଣି କି ଏକ ନୂତନ ସମସ୍ୟା ? ଦିନୁଁଦିନ ଏ କଟକ ସହରରେ ନୂତନ ନୂତନ ଜଟିଳ ବ୍ୟାପାର ଯେପରି ସଂଘଟିତ ହେଉଛି, ସେଥିରେ କର୍ତ୍ତୃପକ୍ଷଙ୍କ ଘନ ଘନ ତାଗିଦା, ଖବରକାଗଜରେ ପୋଲିସ କାର୍ଯ୍ୟକଳାପର କଟୁ ସମାଲୋଚନା, ଜନସାଧାରଣଙ୍କର ଉଦାସୀନତା ଦ୍ୱାହିଦେଇ ଆକ୍ଷେପ ବାସ୍ତବରେ ଯେପରି ଦୁଃସହ ହେଲାଣି, ସେଥିରେ ଇସ୍ତଫା ଦେଇ ଘରକୁ ପଳାଇବାକୁ ଇଚ୍ଛା ହୁଏ-।’’

ରବୀନ୍ଦ୍ର ଗମ୍ଭୀର ହୋଇ କହିଲା, ‘‘ଏ ବିଷମ ପରିସ୍ଥିତି ଭିତରେ ମଣିଷ ଅତିଷ୍ଠ ହୋଇ ଉଠିଲାଣି । ତଥାପି......ହେମବାବୁ ମଝିରେ ବାଧା ଦେଇ କଥାର ଗତି ଫେରାଇ କହିଲେ, ‘‘ଆଚ୍ଛା, ନୀଳୁରାମ ଘରର କିଛି ସନ୍ଧାନ ନେଇଥିଲେ-?’’

ସୁରେଶବାବୁ କହିଲେ, ‘‘ଦିନରାତି ତା’ ଘର ଉପରେ ସତର୍କ ଦୃଷ୍ଟି ରଖିବାକୁ ରୀତିମତ ପ୍ରହରୀର ବନ୍ଦୋବସ୍ତ କରିଛି । ମାତ୍ର ସେ ବିଷୟରେ କିଛି ନୂତନ ସଂବାଦ ଏ ପର୍ଯ୍ୟନ୍ତ ପାଇନାହିଁ । ଆପଣ ସେ ଦଉଡ଼ିରେ ଲଟକିଥିବା ଲୋକଟି ସମ୍ୱନ୍ଧେ ଆଉ କିଛି ନୂତନ ତଥ୍ୟ ଆବିଷ୍କାର କଲେକି-?"

ରବୀନ୍ଦ୍ର କହିଲା, ‘‘ନୂତନ ତଥ୍ୟ କ’ଣ ଆଉ ଆଜ୍ଞା, ପ୍ରତ୍ୟେକ ଘଟନା ଯେପରି ଅଭୁତ ସେପରି ଲୋମହର୍ଷଣକାରୀ । ତେବେ ଏ ଜଣେ ଲୋକ ବା ଗୋଟିଏ ଦଳର ଯେ କାଣ୍ଡ ଏପରି ଅନୁମାନ କରିବାର କିଛି କାରଣ ନାହିଁ ।’’

‘‘ଯଥେଷ୍ଟ କାରଣ ଅଛି ।” ହେମବାବୁ ଚମକି ଉଠିଲାପରି କହିଲେ, “ତୁମେ ବୁଝିନାହଁ ରବୀନ୍ଦ୍ର, ଏ ଭୀଷଣ ଘଟନାଗୁଡ଼ିକ ଯେପରି ପରେ ପରେ ଲାଗ୍ ଲାଗ୍ ଏ କଟକ ସହରରେ ଘଟୁଛି ଏଗୁଡ଼ିକ ଯେ ଗୋଟିଏ ଦଳର ଅଭିସନ୍ଧିମୂଳକ କାର୍ଯ୍ୟ ଏଥିରେ କିଛି ସନ୍ଦେହ ଅଛି ? ତେବେ ବେଶୀ ଆଶ୍ଚର୍ଯ୍ୟର କଥା ଏହି ଯେ ଏ ସୁଚତୁର ଦସ୍ୟୁଦଳ ଏପରି ଭୀଷଣ ବ୍ୟାପାରମାନ ଘଟାଉଥିଲେ ମଧ୍ୟ ଗୋଇନ୍ଦା ବା ପୁଲିସ ବିଭାଗ ଏଥିର କୌଣସି ସୂତ୍ର ଏପର୍ଯ୍ୟନ୍ତ ବାହାର କରି ପାରି ନାହାନ୍ତି ।’’

ସୁରେଶବାବୁ କହି ଉଠିଲେ, “ନିରୀହ ଡ୍ରାଇଭରକୁ ମାରିବା ସଙ୍ଗରେ ନୀଳୁରାମ ଚୋରିର କି ସମ୍ପର୍କ ଅଛି ?’’

‘‘ସେହିତ ବାହାଦୁରି । ପୁଲିସ ଚକ୍ଷୁରେ କୌଣସି ସନ୍ଦେହର ରେଖାପାତ ନ ହେବ, ତାକୁ ଏଡ଼ିବା ବୁଦ୍ଧିମାନ ଲୋକର କର୍ତ୍ତବ୍ୟ ନୁହେଁ କି ?’’ ହେମବାବୁ ହସି ହସି କହିଲେ ।

ସୁରେଶବାବୁ କହିଲେ, ‘‘ନିହତ ଡ୍ରାଇଭରଟି ଯେ ବିଷ ଇଞ୍ଜେକ୍‍ସନ ପ୍ରୟୋଗରେ ସାବାଡ଼ ହୋଇଛି, ଏଥିରେ ସନ୍ଦେହ ନାହିଁ । ତେବେ ଗଛରେ ଲଟକାଇବାର ମତଲବ୍ କ’ଣ ?’’

ହେମବାବୁ କହିଲେ, “ମତଲବ ! ମତଲବ ପୋଲିସକୁ ଗୋଲକଧନ୍ଦାରେ ପକାଇବ। । ହେଉ, ଉଠନ୍ତୁ ଏ ନୂଆ କେସ୍‍ଟା ଦେଖିବା” କହି ହେମବାବୁ ଉଠିବାମାତ୍ରେ ସୁରେଶବାବୁ ଓ ରବୀନ୍ଦ୍ର ମଧ୍ୟ ଉଠିଲେ; ଦୁଇଜଣ ପୋଲିସ୍ କନ୍‍ଷ୍ଟେବଳ ସଙ୍ଗରେ ନେଇ ମଟରରେ ଚଢ଼ି ତେଲେଙ୍ଗାବଜାର ଅଭିମୁଖରେ ଚାଲିଲେ ।

 

ତିନି

 

ବାଟରେ ପୁଣି ଥରେ ନୀଳୁରାମ ମାଢ଼ୁଆଳ ଓ ଡ୍ରାଇଭରର ହତ୍ୟାସମ୍ବନ୍ଧେ ମଟର ଭିତରେ ହେମବାବୁ, ସୁରେଶବାବୁ ଓ ରବୀନ୍ଦ୍ର ମଧ୍ୟରେ ନାନା ଆଲୋଚନା ଚାଲିଲା । ଶେଷରେ ମଟର ନାନା ଗଳି ମୋଡ଼ ବୁଲିବୁଲି ପତ୍ରବାହକର ନିର୍ଦ୍ଦେଶମତେ ତେଲେଙ୍ଗାବଜାରର ଗୋଟିଏ କୋଠା ସମ୍ମୁଖରେ ଠିଆ ହେଲା । ହେମବାବୁ ପ୍ରମୁଖ ସମସ୍ତେ ଲୋକଟିର ଇଙ୍ଗିତମତେ କୋଠାଭିତରେ ପ୍ରବେଶ କଲେ । ହେମବାବୁ ଆଖି ବୁଲାଇ କୋଠାଟିକୁ ଥରେ ଚାହିଁ ଦେଲେ । ଦୋମହଲା କୋଠାଟି ସଂପୂର୍ଣ୍ଣ ଆଧୁନିକ ଧରଣର । ଗୋଟିଏ ପରିବାରର ବାସ ପାଇଁ ସଂପୂର୍ଣ୍ଣ ଉପଯୁକ୍ତ । ସିଡ଼ି ଦେଇ ସମସ୍ତେ ତଳ ମହଲାରୁ ଉପର ମହଲାକୁ ଉଠିଲେ । ହେମବାବୁ ସମସ୍ତଙ୍କ ଆଗେ ଆଗେ ଯାଉଥାନ୍ତି । ଆମ ଦେଶର ପ୍ରଥା ଅନୁସାରେ ସମ୍ମାନାସ୍ପଦ ହେମବାବୁଙ୍କୁ ଆଗମନ ପାଇଁ ସମସ୍ତେ ଆଗ୍ରହରେ ବାଟ ଛାଡ଼ି ଦେଇଥିଲେ ।

 

ହେମବାବୁ ଉପର ମହଲାରେ ପହଞ୍ଚିବା ମାତ୍ରେ ଆଧୁନିକ ବେଶଭୂଷାରେ ସଜ୍ଜିତା ଜଣେ ସୁନ୍ଦରୀ ଯୁବତୀ ଯୋତା ଶବ୍ଦ ଶୁଣି ଘର ଭିତରୁ ବାହାରି ମୁଖରେ ମୃଦୁହାସ୍ୟ ଫୁଟାଇ ସମସ୍ତଙ୍କୁ ପ୍ରଣାମ କଲା । ହେମବାବୁ ପ୍ରମୁଖ ଭଦ୍ରତା ଖାତିରରେ ପ୍ରତିନମସ୍କାର ଜଣାଇଲେ । ଯୁବତିଙ୍କର କମନୀୟ ଅଙ୍ଗସୌଷ୍ଠବ, ବେଶଭୂଷା ଓ ଚାଲିଚଳଣିରୁ ହେମବାବୁ ପରିଷ୍କାର ବୁଝି ପାରିଲେ, ଯୁବତୀ ନିଶ୍ଚୟ ଭଦ୍ର ପରିବାରର କୁଳବଧୂ । ତଥାପି ତାଙ୍କର ସୁଦୃଶ୍ୟ ମୁଖମଣ୍ଡଳରେ ଯେ ଦୁଃଖକ୍ଳିଷ୍ଟ ମ୍ଳାନ ରେଖା ଅଙ୍କିତ ଥିଲା, ସେଥିରୁ ସ୍ପଷ୍ଟ ଧାରଣା ହେଉଥିଲା, ଯୁବତୀ ଯେତେ ଗୋପନ କଲେ ମଧ୍ୟ ତାଙ୍କ ଅନ୍ତର ଯେ କୌଣସି ଏକ ଘୋର ଦୁଃଖରେ ଜର୍ଜରିତ । ପ୍ରଥମେ ହେମବାବୁ ପାଟି ଫିଟାଇ କହିଲେ, ‘‘ଆପଣଙ୍କ ବିପଦ ଆହ୍ୱାନର ପତ୍ର ପାଇ ଆମେ ସମସ୍ତେ ଏଠାରେ ଉପସ୍ଥିତ । ଆପଣ ନିଃଶଙ୍କ ଭାବରେ ସମସ୍ତ ପ୍ରକାଶ କରନ୍ତୁ ।’’

 

ଭଦ୍ରମହିଳା ଟିକିଏ ରହି କହିଲେ, “ଏ ଭୟଙ୍କର ବିପଦବେଳରେ ଆପଣମାନେ ଏକମାତ୍ର ସାହା ଭରସା । ମୁଁ ସ୍ତ୍ରୀଲୋକ, ପୁଣି ଅସହାୟା । ସେହି ଦାୟରେ ପଡ଼ି ଆଜି ନିର୍ଲଜ୍ଜା ଭାବରେ ଆପଣମାନଙ୍କୁ ସାହାଯ୍ୟର ହାତ ପାତିଛି । ଏହି ଘରେ ମୋର ରୁଗ୍‍ଣ ସ୍ଵାମୀ ପଡ଼ିଛନ୍ତି । ଆସନ୍ତୁ, ଦେଖିଯାନ୍ତୁ ।’’

 

ସମସ୍ତେ ସେହି ଘର ଆଡ଼କୁ ଅଗ୍ରସର ହେଲେ । ସେଠାରେ ଯାହା ଦେଖିଲେ ସେଥିରେ ସମସ୍ତେ ଚମକି ପଡ଼ିଲେ । ଏକ ସୁଶ୍ରୀ ବଳିଷ୍ଠ ଯୁବକ ମୋହନିଦ୍ରାରେ ଅଜ୍ଞାନ । କୌଣସି ରୋଗ ଥିବାର ଜଣା ପଡ଼ୁନାହିଁ । କେବଳ ଚିନ୍ତାର ମଳିନ ଛାୟା ମୁଖ କାନ୍ତିକୁ ସାମାନ୍ୟ ଘୋଡ଼ାଇ ରଖିଛି । ଯେତେ ଡକାଡକି କଲେ ମଧ୍ୟ ସେ ଆଖି ମେଲାଇ ଚାହୁଁଛନ୍ତି ମାତ୍ର, ଉତ୍ତର ଦେବାର ଶକ୍ତି ନାହିଁ ।

 

ହେମବାବୁ ମନେ ମନେ ଭାବିଲେ, ‘‘ମୁଁ ତ ଏପରି ରୋଗୀ ଜୀବନରେ ଦେଖିନାହିଁ । ସେ ଭଦ୍ରମହିଳାଙ୍କୁ ପଚାରିଲେ, ‘‘ଆପଣଙ୍କ ସ୍ୱାମୀ କିଛି ନିଶା ଜିନିଷ ବା ମାଦକଦ୍ରବ୍ୟ ଖାଆନ୍ତି କି-?”

 

ଭଦ୍ରମହିଳା କହିଲେ, “ନା ମହାଶୟ, ମାଦକଦ୍ରବ୍ୟ ତ ଦୂରର କଥା, ସେ ଧୂଆଁପତ୍ର ବା ଗୁଣ୍ଡି ସୁଦ୍ଧା ଛୁଅଁନ୍ତି ନାହିଁ ।’’

 

ଟିକିଏ କ'ଣ ଭାବି ପୁନର୍ବାର ହେମବାବୁ କହିଲେ, “ଆଚ୍ଛା, ଆପଣଙ୍କର ସ୍ଵାମୀ କେତେ ଦିନ ହେଲା ଏପରି ଅବସ୍ଥାରେ ପଡ଼ିଲେଣି ?’’

 

ଗୃହିଣୀ ଉତ୍ତର କଲେ, ‘‘ଆମେ ଆଜିକୁ ଏକମାସ ହେଲା ଏଠାକୁ ଆସିଲୁଣି । ଆମେ ଏଠାକୁ ଆସିବାର ଆଠଦିନ ପରେ ଅକସ୍ମାତ୍ ଦିନେ ମୋର ସେହି ପୂର୍ବ.....ଏତିକି କହି ରମଣୀ ହଠାତ୍ ଅଟକି ଗଲେ । ଲଜ୍ଜା ସଂକୋଚରେ ତାଙ୍କ ମୁଣ୍ଡ ନୋଇଁଗଲାପରି ବୋଧ ହେଉଥିଲା ।

 

ଇନ୍‍ସପେକ୍ଟର ସୁରେଶବାବୁ କହିଲେ, “ଆପଣଙ୍କର ସଂକୋଚ ବୋଧ କରିବାର କିଛି ନାହିଁ, ବିଶେଷତଃ.....

 

ଭଦ୍ରମହିଳା କହିଲେ, ‘‘ନା, ନା, କହୁଛି, ଶୁଣନ୍ତୁ’’–ସେ ଢୋକ ଗିଳି ଅନିଚ୍ଛାସତ୍ତ୍ୱେ କହିବାକୁ ଆରମ୍ଭ କଲେ, “ମୋର ମନେ ପଡ଼ୁଛି ଦିନେ ସେ ସନ୍ଧ୍ୟାବେଳେ ଅବଶ ହୋଇ ଶୋଇବାକୁ ଆରମ୍ଭ କଲେ । ତା ପରଦିନ ସକାଳବେଳା ଭଲ ଥିଲେ । ସେହିଦିନଠାରୁ ପ୍ରତିଦିନ ଏପରି ଅବସ୍ଥା ।

 

ସୁରେଶବାବୁ ପଚାରିଲେ, ‘‘ଆପଣ ଡାକ୍ତର ଦେଖାଉଅଛନ୍ତିତ ?’’ ‘‘ହଁ ଆଜ୍ଞା, ଡାକ୍ତର ପ୍ରତିଦିନ ଆସି ଔଷଧ ଦେଇ ଯାଉଛନ୍ତି । ପଚାରିଲେ କହୁଛନ୍ତି, ରୋଗ ଭଲ ହୋଇଯିବ ଯେ, ଆଶଙ୍କାର କାରଣ ନାହିଁ ।’’ ଅଶ୍ରୁ ଦି’ ଟୋପା ଝରାଇ ଦେଇ ରମଣୀ ବ୍ୟଥିତ ହୃଦୟରେ ଏତକ କହିଗଲେ । ତାଙ୍କର ମୁଖମଣ୍ଡଳ ଦୁଃଖ ନୈରାଶ୍ୟ ଛାୟାରେ ଆଚ୍ଛନ୍ନ ହୋଇପଡ଼ିଲା ।

 

ହେମବାବୁ ପ୍ରଶ୍ନ କଲେ, ‘‘ଇଏ କ’ଣ ସଦାବେଳେ ଏପରି ଅବସ୍ଥାରେ ଥାନ୍ତି ?’’

 

ମହିଳା କହିଲେ, ‘‘ନା, ସକାଳ ଆଠଟା ଯାଏଁ ଭଲଥାନ୍ତି । ସେତିକିବେଳ ଭିତରେ ଆମେ ଯାହା ଖାଇବାକୁ ଦେଉଁ ତା'ପରେ ସେ ବାଚାଳ ପରି ନାନାଆଡ଼ୁ ନାନା କଥା ଗପି ଗପି ଅଜ୍ଞାନ ହୋଇ ପଡ଼ନ୍ତି ।’’

 

ସୁରେଶବାବୁ ପ୍ରଶ୍ନ କଲେ, ‘‘ସୁସ୍ଥ ସମୟରେ ଆପଣଙ୍କ ସ୍ଵାମୀ କିପରି ବୋଧ କରୁଛନ୍ତି, କେବେ ପ୍ରକାଶ କରିଛନ୍ତି କି ?’’

 

ରମଣୀ କହିଲେ, ‘‘ହଁ, ମୁଁ ପଚାରିବାରୁ ସେ କହନ୍ତି, ‘ନିଶାଖୋର ପରି ମୋର ଦେହକୁ ମୁଁ ନିଜ ଆୟତ୍ତରେ ରଖି ପାରୁନାହିଁ । ହତଜ୍ଞାନ ହୋଇଯାଉଛି, ଏହା କହି କାନ୍ଦି ପକାଉଛନ୍ତି ।’ ଆଜ୍ଞା ସେ ନିରାଶ କାନ୍ଦଣା ଦେଖିଲେ କିଏ ଧୈର୍ଯ୍ୟ....କହୁ କହୁ ରମଣୀଙ୍କର ଦୁଇଗଣ୍ଡ ଦେଇ ଅଶ୍ରୁ ଧାରା ପ୍ରବାହିତ ହେଲା । ଯେପରି ଟିକିଏ ଆଶାସନା ପାଇ ଜମାଟ ବନ୍ଧା ରୁଦ୍ଧ ବେଦନାଗୁଡ଼ିକ ତରଳି ଯାଇ ଟପ୍ ଟପ୍ ଗଳିପଡ଼ିଲା ।

 

ହେମବାବୁ ତାଙ୍କୁ ଉତ୍ସାହିତ କଲାପରି କହିଲେ, ‘‘ଆପଣ ଧୈର୍ଯ୍ୟ ଧରି ସାହାସ ବାନ୍ଧି ଆମକୁ ସାହାଯ୍ୟ ନ କଲେ ଓ ସବୁ କଥା ଖୋଲି ନ କହିଲେ ଆମ୍ଭେମାନେ କିଛି କରି ପାରିବୁଁ ନାହିଁ-। ଶୁଣନ୍ତୁ, ଆଉ ଗୋଟିଏ କଥା ଆପଣଙ୍କୁ ପଚାରୁଛି, ଔଷଧ ଆପଣଙ୍କ ସ୍ୱାମୀଙ୍କୁ କିଏ ଖୁଆଉଛି, କେତେବେଳେ ସେ ଔଷଧ ଖାଆନ୍ତି ?’’

 

‘‘ସକାଳ ଆଠଟାବେଳେ । କେବେ ମୁଁ ବା କେବେ ଏ ଦାସୀ ଉଆଁସୀ ଔଷଧ ନେଇ ଦିଏ ।’’ ଭଦ୍ରମହିଳା ଉତ୍ତର କଲେ ।

 

ହେମବାବୁ କହିଲେ, ‘‘ଆଚ୍ଛା ସେ ଔଷଧ ଯଦି ଥାଏ ଆଣିଲ ଦେଖିବା ।”

 

ଏଠାରେ ହଠାତ୍ ଦାସୀ ଉଆଁସୀ ବାହାରି ପଡ଼ି କହିଲା, “ବାବୁ, କେତେ ଔଷଧ ପାଣି ଫଟକ ଗଲାଣି । କୋଉ ରୋଗ ବାବୁଙ୍କୁ ଧରିଲା କୋଉଁ ଦୁରୁଯୋଗରେ ଆମେ ଏଠିକୁ ଆସିଥିଲୁଁ, ବାବୁଙ୍କ ଦିହ ଦିନେ ହେଲେ ସୁସ୍ଥ ହେଲା ନାହିଁ ।’’

 

ହେମବାବୁ ଦେଖିଲେ, ତାଙ୍କ ମତଲବ୍‍ଟା ବାଦ ପଡ଼ି ଯାଉଛି । ସେ ଆଉ ଥରେ କହିଲେ, ‘‘ଔଷଧଟା ଆଣ ଦେଖିବା ।”

 

ଉଆଁସୀ କହିଲା, ‘‘ସେ ଔଷଧ କ’ଣ ଆଉ ଅଛି ? ଡାକ୍ତରବାବୁ ଆସିଲେ ସେ ପୁଣି ନୂଆ ଔଷଧ ଦେବେ ।’’

 

ଉଆଁସୀର କଥାରେ ହେମବାବୁଙ୍କର ଭ୍ରୂକୁଞ୍ଚିତ ହୋଇ ଆସିଲା । ସେ ସୁରେଶବାବୁଙ୍କୁ ବସାଇ ଦେଇ ଭଦ୍ରମହିଳାଙ୍କୁ ସମୁଦାୟ କୋଠାବାଡ଼ି ବୁଲି ଦେଖି ଆସିବାକୁ ଅନୁମତି ଚାହିଲେ । ଭଦ୍ରମହିଳା ଆନନ୍ଦରେ ସମ୍ମତି ଦେଲେ । ହେମବାବୁ ରବୀନ୍ଦ୍ରଙ୍କୁ ସଙ୍ଗରେ ଧରି ଚାରିଆଡ଼ ବୁଲି ଦେଖିଲେ ।

 

ଚାରି

 

ରବୀନ୍ଦ୍ର ସଙ୍ଗରେ ହେମବାବୁ ଘରଗୁଡ଼ିକ ତନ୍ନ ତନ୍ନ କରି ବୁଲି ଦେଖି ପୁଣି ଆସି ଉପର ମହଲାରେ ସୁରେଶବାବୁଙ୍କ ପାଖରେ ପହଞ୍ଚିଲେ । ସେତେବେଳକୁ ସୁରେଶବାବୁ ଭଦ୍ରମହିଳାଙ୍କୁ କେତୋଟି ପ୍ରଶ୍ନ ପଚାରୁଥିଲେ ଓ ଭଦ୍ରମହିଳା ସେଗୁଡ଼ିକର ଯଥାଯଥ ଭାବେ ଉତ୍ତର ପ୍ରଦାନ କରୁଥିଲେ । ରବୀନ୍ଦ୍ର ଓ ହେମବାବୁ ଆସନ ଗ୍ରହଣ କଲାପରେ ଭଦ୍ରମହିଳା ହେମବାବୁଙ୍କ ହାତକୁ ଗୋଟିଏ ପତ୍ର ବଢ଼ାଇ ଦେଲେ । ହେମବାବୁ ପତ୍ରଟି ମନୋଯୋଗ ସହକାରେ ଥରେ, ଦି’ଥର, ତିନିଥର ପାଠ କଲେ । ତା' ପରେ ସେ ଖଣ୍ଡି ସୁରେଶବାବୁଙ୍କ ହାତକୁ ବଢ଼ାଇ ଦେଲେ । ସୁରେଶବାବୁ ଓ ରବୀନ୍ଦ୍ର ଦୁହେଁ ପତ୍ରଟି ପଢ଼ ଚମକି ପଡ଼ିଲେ । କିଛିକ୍ଷଣ ପରେ ସୁରେଶବାବୁ କହିଲେ, ‘‘ଏ ପତ୍ରଟିରେ ଭୀଷଣ ଧମକ୍ ଦିଆ ଯାଇଛି । ମାତ୍ର କିଏ ଲେଖିଛି, ତଳେ ବା ଏପରି ତୀର ଚିହ୍ନ କିଆଁ ଦିଆଯାଇଛି, ଆମେ କିଛି ବୁଝି ପାରୁନାହୁଁ । ସେ ମୃତ ଡ୍ରାଇଭର୍ ବାହୁରେ ଏପରି ତୀର ଚିହ୍ନ ଥିଲା । ନୀଳୁରାମର କାନ୍ଥରେ ଏହି ତୀରଛବି ମଧ୍ୟ ଥିଲା–ଉଦ୍ଦେଶ୍ୟ’ ତ କିଛି ବୁଝା ପଡ଼ୁନି !’’

 

ହେମବାବୁ କହିଲେ, ‘‘ସେ ସବୁ ଆଲୋଚନା କଲେ ବଳେ ଜଣା ପଡ଼ିବ ।’’ ଭଦ୍ରମହିଳାଙ୍କୁ ଉଦ୍ଦେଶ୍ୟ କରି ସେ କହିଲେ, ‘‘ଆପଣ ପଢ଼ି କ’ଣ ବୁଝୁଛନ୍ତି, ଆମକୁ ସବୁ କଥା ବୁଝାଇ କହନ୍ତୁ ତା’ ପରେ ଆମ୍ଭେମାନେ ଯାହା କିଛି କରିବୁ ।” ଏହା କହି ଚିଠିଖଣ୍ଡି ତାଙ୍କ ଆଡ଼କୁ ବଢ଼ାଇ ଦେଲେ ।

 

ଭଦ୍ରମହିଳା ପତ୍ରଟି ଧରି କହିଲେ, ‘‘ଏହିପରି ବହୁ ପତ୍ର ପାଇଛି ଆଜ୍ଞା । ଏଗୁଡ଼ିକ ସଙ୍ଗରେ ମୋର ଜୀବନଚରିତର ଘନିଷ୍ଠ ସମ୍ପର୍କ ଅଛି । ଆଜି ମୋର ଜୀବନ-ନାଟକର ଶେଷ ଅଙ୍କର ଅଭିନୟ-ସୂଚନା ଏହି ପତ୍ର ନେଇ ଆସିଛି । ସେଥିପାଇଁ ମୁଁ ଆପଣଙ୍କର ଶରଣାର୍ଥିନୀ । ଆପଣମାନେ ଯଦି ରକ୍ଷା କରିବେ, ତେବେ ଏହି ଯାତ୍ରାରୁ ରକ୍ଷା ପାଇବୁଁ, ନଚେତ୍ ଧ୍ୱଂସ ଅନିବାର୍ଯ୍ୟ-। ସାହାସ ଧରି ସେଥିପାଇଁ ମୁଁ ଆପଣମାନଙ୍କୁ ମୋର ଶେଷ ଥରପାଇଁ ଭାଗ୍ୟ ପରୀକ୍ଷା କରିବାକୁ ଡାକିଛି । ମୋର ଜୀବନ ଯେପରି ଦୁଃଖମୟ, ସେହିପରି ପ୍ରହେଳିକାପୂର୍ଣ୍ଣ । ତେବେ ସଂକ୍ଷେପରେ ବର୍ଣ୍ଣନା କରି ଏହି ପତ୍ର ସଙ୍ଗରେ ତା’ର ସମ୍ବନ୍ଧ କ’ଣ ତାହା ଆପଣମାନଙ୍କୁ ବୁଝାଇ ଦେବି-। ଆପଣମାନଙ୍କର ଅମୂଲ୍ୟ ସମୟ ଯେ କେତେ ନଷ୍ଟ କରୁଛି । ସେଥିପାଇଁ ଧୃଷ୍ଟତା ମାର୍ଜନା କରିବେ-।’’ ତତ୍ପରେ ରମଣୀ ଗୋଟିଏ ଦୀର୍ଘ ନିଶ୍ୱାସ ପକାଇ କହିବାକୁ ଆରମ୍ଭ କଲେ । ହେମବାବୁ ମଧ୍ୟ ପ୍ରୋକ୍ତ ମହିଳାଙ୍କର ବଚନ ଭଙ୍ଗ, ଶିକ୍ଷା, ସଭ୍ୟତା, ମାର୍ଜିତ ରୁଚିର ପ୍ରମାଣ ପାଇ ବିସ୍ମିତ ହେଲେ । କାନ୍ଥରେ ଭରା ଦେଇ ରମଣୀ କହିବାକୁ ଆରମ୍ଭ କଲେ !

 

‘‘ଏହି କଟକ ଜିଲ୍ଲାର ‘‘ଗୋଟିଏ ଗାଁରେ ଆମ ଘର । ଅବସ୍ଥା ଖରାପ ଥିବାରୁ ମୋର ମାମୁଁ ରେଙ୍ଗୁନ୍ ଯାଇ ମିଲରେ କାମ କରି ଘରକୁ ଟଙ୍କା ପଠାଉଥିଲେ । ତାଙ୍କ ଅବସ୍ଥା କ୍ରମେ ସ୍ୱଚ୍ଛଳ ହେଲା । ମୋ ବାପ ମା ମରିଯିବାରୁ ସେ ମୋତେ ଓ ମା ମାଈଁକୁ ସେଠାକୁ ନେଇଗଲେ । ରେଙ୍ଗୁନରେ ପହଞ୍ଚିବା ଦିନ କଥା ଏବେ ମଧ୍ୟ ମୋର ମନେ ଅଛି । ଯେଉଁଦିନ ରେଙ୍ଗୁନର ବିଖ୍ୟାତ ସ୍ୱର୍ଣ୍ଣଚୂଡ଼ ସିଉଡ଼ାଗୋନ ପାଗୋଡ଼ା (ବୌଦ୍ଧ ମଠ) ମୁଁ ଦେଖିଲି ସେ ଦିନର ଆନନ୍ଦ ଅନୁଭୂତି ମୁଁ ଅଦ୍ୟାପି ଭୁଲି ପାରୁନାହିଁ । କାଳକ୍ରମେ ମାମୁଁ ଚାକିରି ଛାଡ଼ି ନିଜେ ଗୋଟିଏ ମିଲ କିଣି ସ୍ଵାଧୀନ ବ୍ୟବସାୟ ଧରିଲେ । ରେଙ୍ଗୁନରୁ ୟାକୁୟାବ ପର୍ଯ୍ୟନ୍ତ ବ୍ୟବସାୟ କ୍ଷେତ୍ର ବଢ଼ି ଚାଲିଲା । ଇତିମଧ୍ୟରେ ମୁଁ ହାଇସ୍କୁଲରୁ ଉତ୍ତୀର୍ଣ୍ଣ ହୋଇ କଲେଜରେ ନା ଲେଖାଇଲି । ସେତିକିବେଳକୁ ମୋର ମାଈଁ ମରିଗଲେ । ମାଇଁ ବଞ୍ଚି ଥାଉଁ ଥାଉଁ ରେଙ୍ଗୁନରେ ଗୋଟିଏ ଅନାଥ ଓଡ଼ିଆ ଯୁବକକୁ ପୁଅପରି ପାଳିଥିଲେ । ତା ବୟସ ମୋ ବୟସ ସଙ୍ଗେ ପ୍ରାୟ ସମାନ ଥିଲା । ମାଈଁ ଓ ମାମୁଁଙ୍କର ତା’ଠାରେ ଅତ୍ୟଧିକ ସ୍ନେହଥିଲା । ସେହି ସ୍ନେହର ସୁଯୋଗ ନେଇ ସେ ମୋତେ ବିବାହ କରିବାର ଆଶା ବାନ୍ଧିଲା । ବିଶେଷତଃ ମାମୁଁ ଅପୁତ୍ରିକ ଥିଲେ । ମାଈଁ ମରିଯିବା ପରେ ହିନୁ ଉପରେ ସମ୍ପତ୍ତି ବାଡ଼ି ରକ୍ଷାର ତଥା ଗୃହ ଚଳାଚଳର ସମସ୍ତ ଦାୟିତ୍ୱ ପଡ଼ି ଯାଇଥିଲା । ମାଈଁଙ୍କ ମୃତ୍ୟୁ ପରେ ମାମୁଁଙ୍କର ସଂସାର ପ୍ରତି ଉଦାସୀନତା ଯେତିକି ବଢ଼ିଥିଲା, ହିନୁର ମୁରବୀତ୍ୱର ମୁଠା ସେତିକି ଦୃଢ଼ ହେଉଥିଲା-। ମୋର ହିନୁପ୍ରତି ଆର୍କଷଣ ନ ଥିଲା ବା ବିରକ୍ତି ନଥିଲା; ବରଂ ତା’ ସହ ମିଳାମିଶା ଯୋଗୁଁ ଗୋଟାଏ ଅକୃତ୍ରିମ ବନ୍ଧୁତା ଓ ସମ୍ପତ୍ତି ରକ୍ଷଣାବେକ୍ଷଣ ଯୋଗୁଁ ପ୍ରଚ୍ଛନ୍ନ କୃତଜ୍ଞତାର ଢେଉ ମୋର ହୃଦୟକୁ ଚହଲାଇ ଦେଉଥିଲା । ହୀନୁ ସଙ୍ଗେ ମୋର ବିବାହ ହେଲା ନାହିଁ । ମାମୁଁ ଚାହୁଥିଲେ ଜଣେ ଉଚ୍ଚ ଶିକ୍ଷିତ ପାତ୍ର ସଙ୍ଗରେ ମୋତେ ବିବାହ ଦେଇ ତାଙ୍କୁ ଘରଜୋଇଁଆ କରି ରଖିବେ; ହୀନୁକୁ ମଧ୍ୟ ପ୍ରଚୁର ବିଷୟ ସମ୍ପତ୍ତି ଦେଇ ସୁଖୀ କରାଇବେ । ଫଳରେ ଜିତେନ୍ଦ୍ର ବାବୁଙ୍କ ମଧ୍ୟମ ପୁତ୍ର ଏହି ଭଦ୍ରବ୍ୟକ୍ତିଙ୍କ ସଙ୍ଗେ ମୋର ବିବାହ ହେଲା ।”

 

ହେମବାବୁ ପଚାରିଲେ, ‘‘ଏହି ଭଦ୍ରବ୍ୟକ୍ତିଙ୍କ ନାମ ତାହାହେଲେ ହିରଣ୍ମୟ ଚୌଧୁରୀ ? ଆପଣଙ୍କର ସ୍ୱାମୀ ?’’

 

ଭଦ୍ର ମହିଳା ମୁଣ୍ଡ ହଲାଇ ସମ୍ମତି ଜଣାଇଲେ । ସୁରେଶବାବୁ କହିଲେ, ‘‘ଆପଣଙ୍କ ଉପନ୍ୟାସ ତୁଲ୍ୟଜୀବନ କାହାଣୀ ଶିଘ୍ର ସାରନ୍ତୁ । ତାହା ଯେପରି ଚିତ୍ତାକର୍ଷକ, ସେହିପରି ରୋମାଞ୍ଚକର ।”

 

ଭଦ୍ରମହିଳା କହିଲେ, ‘‘ପ୍ରକୃତରେ ବିଭୀଷିକାମୟ ଜୀବନ ଆରମ୍ଭ ହେଲା ମୋର ବିବାହ ପରେ । ହୀନୁର ଆମ ଘର ପ୍ରତି, ମୋ ପ୍ରତି, ମାମୁଁଙ୍କ ପ୍ରତି ଯେତିକି ସ୍ନେହ, ଶ୍ରଦ୍ଧା, ଆସକ୍ତି ଥିଲା, ତା'ର ଶତଗୁଣିତ ହୋଇ କ୍ରୋଧ, ଦ୍ୱେଷ, ହିଂସା ତା’ ହୃଦୟରେ ଜଳି ଉଠିଲା । ସେ କରଛଡ଼ା ଭାବ ଦେଖାଇ ଆମ ଘରୁ ବାହାରିଗଲା । ଲୋକର ପାଶବିକ ପ୍ରବୃତ୍ତି ଚରିତାର୍ଥ ହେବାରେ ବାଧା ଘଟିଲେ ତା’ର ସ୍ନେହ, ଦୟା, ପ୍ରୀତି ପ୍ରଭୃତି କୋମଳ ଗୁଣଗୁଡ଼ିକ କିପରି ପ୍ରତିହିଂସା ବହ୍ନିରେ ଜଳିଯାଇ ଉଗ୍ର ପୈଶାଚିକତା ମୁଣ୍ଡ ଟେକେ ତା’ର ପ୍ରମାଣ ମୁଁ ପାଇଲି ହୀନୁଠାରେ । ସେ ପ୍ରକାଶ୍ୟରେ ଯାଇ ଚୋରି, ଲୁଣ୍ଠନ, ହତ୍ୟା, ଗୁଣ୍ଡାଗିରିରେ ଯୋଗ ଦେଲା । ତାର ସଙ୍ଗୀ ହେଲେ ୟାଂସୁ ଓ ରଫୁ ନାମକ ଜେରବାଦୀ, ଅର୍ଥାତ୍ ବାପ ବର୍ମୀ ଓ ମା ଭାରତୀୟ ଦୁଇଜଣ ସହକର୍ମୀ ଓ ମଣି ନାୟକ ନାମକ ଜଣେ ଓଡ଼ିଆ ଦସ୍ୟୁ । ଏହି ସମୟରେ ଭାରତୀୟଙ୍କ ବିରୁଦ୍ଧରେ ବର୍ମୀମାନେ ଥାରାବାନିର ପୂର୍ବପଟେ ବିପ୍ଳବ ସୃଷ୍ଟି କଲେ । ଉତ୍ତର ପାଖରୁ ଓଡ଼ିଆମାନେ ଭୟରେ ଧନରତ୍ନ, ଘରଦ୍ୱାର, ଜମିବାଡ଼ି ଛାଡ଼ି ପଳାଇ ଆସିଲେ ଭାରତକୁ । ଫୁଙ୍ଗିବା ମଠ ମହନ୍ତମାନେ ନିହାତି ଗରିବ ଥିଲେ । ସେମାନେ ବିପ୍ଳବକୁ ସାହାଯ୍ୟ କଲେ । ସୟସାନ୍‍ର ନେତୃତ୍ୱରେ ଯେତେବେଳେ ବିଦ୍ରୋହ କ୍ରମେ ଘନେଇ ଆସି ରେଙ୍ଗୁନ୍‍ରେ ବିଶେଷ ଭାବରେ ଲାଗିଲା, ସେହି ସମୟରେ ମୋର ମାମୁଁ ନିହତ ହେଲେ । ମୁଁ ଯେତେଦୂର ଜାଣେ, ହୀନୁ ମାମୁଙ୍କୁ ହତ୍ୟା କରିଛି । ଓ ନରଘାତକ ପ୍ରତି ମୋ ମନରେ ବିଶେଷ ଘୃଣା ଜାତ ହେଲା । ମୁଁ ଓ ମୋର ସ୍ଵାମୀ ୟାକୁୟାବ୍‍କୁ ନିରାପଦ ସ୍ଥାନ ମନେକରି ଛଦ୍ମବେଶରେ ଚାଲି ଅସିଲୁଁ ଓ ଆମର ସମସ୍ତ ସମ୍ପତ୍ତିବାଡ଼ି, କଳକାରଖାନା ଲାସିଉ ନାମକ ଜଣେ ବିଶ୍ୱସ୍ତ ଦକ୍ଷ କର୍ମଚାରୀ ଜିମା ଛାଡ଼ି ଦେଇ ଆସିଲୁ । ୟାକୁୟାବ୍‍ରେ ମଧ୍ୟ ହୀନୁ ଦେଖାଦେଲା । ସେଠାରୁ କଟକ ଚାଲି ଆସିଲୁଁ । ୟାକୁୟାବରେ ଥିଲାବେଳେ ଏ ଉଆଁସୀ କୁଆଡ଼ୁ ଆସି ଆମ ପାଖରେ ଜୁଟିଲା । ସେ ରେଙ୍ଗୁନ୍ ଫେରିଯିବାକୁ ମୋତେ କହୁଥିଲା; ମାତ୍ର ମୋର ସାହସ କୁଳାଇଲା ନାହିଁ । ମୁଁ କଟକ ନିରାପଦ ମଣିଲି । ସ୍ୱାମୀଙ୍କ ସହ କଟକ ଆସିବାର ପ୍ରାୟ ମାସେ ହେଲା । ଖୁବ୍ ଗୋପନରେ ସତର୍କତାସହ କଟକ ଆସିଲୁଁ ସତ, ମାତ୍ର ହୀନୁର ଦୃଷ୍ଟି ଏଡ଼ାଇ ପାରିଲୁ ନାହିଁ । ସେ ଖୋଜି ଖୋଜି ସଦଳବଳରେ କଟକରେ ଆସି ପହଞ୍ଚିଛି ।

 

ସୁରେଶବାବୁ ପଚାରିଲେ, ‘‘ଯଦି ହୀନୁର ଲକ୍ଷ୍ୟ ଆପଣ, ତେବେ ନୀଳୁରାମର ଚୋରି ଓ ଡ୍ରାଇଭରର ହତ୍ୟା ସଙ୍ଗରେ ତା’ ଦଳର କିଛି ସମ୍ପର୍କ ନାହିଁ ?’’

 

‘‘ସମ୍ପର୍କ ନିଶ୍ଚୟ ଅଛି; ଶରଚିହ୍ନ ତା’ର ପ୍ରମାଣ । ଡ୍ରାଇଭରର ହତ୍ୟା, ନୀଳୁରାମର ଚୋରିରେ ଶରଚିହ୍ନର ସଙ୍କେତ ଅଛି । ବୋଧହୁଏ ହୀନୁ ଦଳ ଆସ୍ଥାନ ଜମାଇବା ପାଇଁ ଏ ଚୋରି କରିଛି ।’’ ହେମବାବୁ ଟିକିଏ ଚିନ୍ତା କରି କହିଲେ ।

 

ଭଦ୍ରମହିଳା କହିଲେ, ‘‘ଶରଚିହ୍ନ ଏହି ଦଳରହିଁ କାର୍ଯ୍ୟ । କାହିଁକି ଶରଚିହ୍ନ ଦିଆଯାଏ, ମୁଁ ଅବଶ୍ୟ ତା’ର କାରଣ ଜାଣେ ନାହିଁ । ତେବେ ନିଜ ଦଳର ଖର୍ଚ୍ଚ ବାର୍ଚ୍ଚ ଚଳାଇବା ଓ ଆମକୁ ଭୟଭୀତ କରାଇବା ପାଇଁ ସେ ଏ କାଣ୍ଡ ସବୁ କରୁଛି । ସାମାନ୍ୟ ସ୍ଵାର୍ଥ ସିଦ୍ଧି ପାଇଁ ହୀନୁ ଦଳ କ’ଣ କରି ନପାରେ ।”

 

ତା’ ପରେ ମହିଳା କହିବାକୁ ଆରମ୍ଭ କଲେ, ‘‘ହଁ, ମୁଁ ଆଉ ଗୋଟିଏ କଥା କହିବାକୁ ଭୁଲି ଯାଇଛି । ମୋର ବିଭାଘର ସମୟରେ ମାମୁଁ ମୋତେ ଗୋଟିଏ ହୀରାବସା ହାର ଉପହାର ଦେଇଥିଲେ । ଏହି ହାର ସାଧାରଣ ହାର ନୁହେଁ । ଏହା ସେ, ...ହଁ...କେଉଁଠାରୁ ଆଣିଥିଲେ ମୁଁ ଜାଣେନି । ତେବେ ଏହି ବହୁମୂଲ୍ୟ ହାର ସାଧାରଣ ରାଜରାଜୁଡ଼ାଙ୍କ ଘରେ ମଧ୍ୟ ଦେଖା ଯାଏ ନାହଁ-। ଆମେ ରେଙ୍ଗୁନ୍‍ରେ ଥିଲାବେଳେ ହୀନୁ ଏହି ହାରଟି ପାଇବା ପାଇଁ ବହୁବାର ଚେଷ୍ଟା କରି ବିଫଳ ହୋଇଥିଲା । ମାମୁଁ ଏହି ହାରଟିକୁ ନିଜ ଜୀବନ ପରି ପ୍ରିୟ ମଣୁଥିଲେ । ହୀନୁ ଆମ କାର୍ଯ୍ୟ ବୁଝାସୁଝା କରୁଥିଲାବେଳେ ମଧ୍ୟ ଏହି ହାରର ସନ୍ଧାନ ପାଇ ନଥିଲା । ଆମେ ୟାକୁୟାବ୍‍କୁ ଚାଲିଆସିଲାବେଳେ ଏହି ହାରଟି ତାକୁ ଦେଇ ଦେବାପାଇଁ ଡରାଇ ଚିଠି ଲେଖିଥିଲା-।’’ ଭଦ୍ରମହିଳା ଚିଠିଟି ଦେଖାଇ ପୁଣି କହିଲେ, “ସେ ମୋତେ ‘ସର’ ବୋଲି ସମ୍ବୋଧନ କରି ଲେଖିଛି-। ମୋର ନାମ ସରଯୂ, ସେ ମୋତେ ପିଲାଦିନୁ ସର, ସର ବୋଲି ଡାକେ । ସେ ଲେଖିଛି, ‘ମୁଁ ବହୁବାର ବିଫଳ ହୋଇଛି; ଏଥର ତୁମେ ଆତ୍ମସମର୍ପଣ କର ଓ ହାରଟି ଦେଇଦିଅ । ନିଜ ଜୀବନକୁ ଏତେ ବିପନ୍ନ ଅବସ୍ଥାରେ ରଖ ନାହିଁ । ହାର ଉଦ୍ଧାର ମୋର ପ୍ରଥମ କାର୍ଯ୍ୟ । ଆଜି ରାତି ବାରଟାବେଳେ ପହଞ୍ଚିବି । ଯେ କୌଣସିମତେ ହାରଟି ମୋତେ ଆଣିବାକୁ ହେବ । ତୁମ କଥା ଇତିମଧ୍ୟରେ ଭାବି ଦେଖ । ତୁମକୁ ମୋର ଆଶ୍ରୟ ନେବାକୁ ପଡ଼ିବ । ପୁଲିସର ଆଶ୍ରୟ ନେଲେ ସମ୍ପତ୍ତି ତ ହରାଇବ, ଓ ଜୀବନସାରା ଡହଳବିକଳ ହେବ, ସେ ଆମକୁ ମାରି ଦେବନାହିଁ । ବାସ୍ତବରେ ଆମ ଜୀବନକୁ ତିଳେତିଳେ ଅଶାନ୍ତିମୟ, ଯାତନାପୂର୍ଣ୍ଣ କରି ରଖିବ, ଏହି ତାର ଉଦ୍ଦେଶ୍ୟ । ଏ ହାର ସହିତ ଆମର ପୂର୍ବ ସ୍ମୃତି ଯଦି ଓ ଜଡ଼ିତ ଅଛି, ତେବେ ଜୀବନ ତୁଳନାରେ ଏହାର ମୂଲ୍ୟ ଅତି ତୁଚ୍ଛ । କିନ୍ତୁ ହୀନୁ ଏ ହାର ପାଇଲା ପରେ କ'ଣ ସନ୍ତୁଷ୍ଟ ରହିବ ? ତାର ପାଶବିକ ଲାଳସା ଆହୁରି ଦପ୍ ଦପ୍ ହୋଇ ଜଳି ଉଠିବ । ଭଗବାନ ଆପଣମାନଙ୍କର ମଙ୍ଗଳ କରିବେ । ଆପଣମାନଙ୍କର ସୁଖ୍ୟାତି ଶୁଣି ଉଦ୍ଧାର ପାଇବାପାଇଁ ଆଶ୍ରୟ ନେଉଛି । ନିହାତି ନିର୍ଲ୍ଲଜ୍ଜଭାବେ ଆତ୍ମ ବୃତ୍ତାନ୍ତ ବର୍ଣ୍ଣନା କରୁଛି, ଯାହା...’’ ରମଣୀ ଆଉ କହିପାରିଲେ ନାହିଁ । ଦୁଃଖ, କ୍ଷୋଭ, ଉତ୍ତେଜନାରେ ତାଙ୍କ କଣ୍ଠ ରୁଦ୍ଧ ହୋଇ ଆସିଲା । ନେନ୍ତ୍ର ପ୍ରାନ୍ତରେ ଅଶ୍ରୁ ବିନ୍ଦୁ ଦେଖାଦେଲା ।

 

ହେମବାବୁ ପ୍ରମୁଖ କଥା ଶୁଣି ଏତେଦୂର ଅଭିଭୂତ ହୋଇ ପଡ଼ିଥିଲେ ଯେ ସରଯୂ କହିସାରିବା ପରେ ମଧ୍ୟ ମିନିଟିକଯାଏଁ କାହା ମୁହଁରୁ ଆଉ କଥା ବାହାରିଲା ନାହିଁ । ସ୍ୱପ୍ନପୂରୀର କାହାଣୀ ପରି ଏହା ଅଭୁତ ରହସ୍ୟମୟ ବୋଧ ହେଲା ।

 

ହେମବାବୁ ଲକ୍ଷ୍ୟ କଲେ, ସରଯୂ କହିଲାବେଳେ ହାର କଥା ନେଇ ସଙ୍କୋଚ ବୋଧ କରୁଛନ୍ତି । ସେ ଟିକିଏ ଚିନ୍ତାକରି କହିଲେ, ‘ଆଚ୍ଛା, ନୀଳୁରାମ ଘରେ ଚୋରି ହେବା ଦିନ ରାତିରେ ତାଙ୍କ ଘରକୁ ଯାଇଥିଲେ କି ? ସଙ୍ଗରେ ଅଉ କିଏ ଯାଇଥିଲା?'’

 

ସରଯୂ ଉତ୍ତର କଲେ, ‘‘ମୁଁ ଆଉ ଉଆଁସୀ ଦୁହେଁ ଯାକ ଯାଇଥିଲୁଁ ।”

 

ହେମ ବାବୁ ପୁଣି ପଚାରିଲେ, ‘‘କଥାବାର୍ତ୍ତା ବେଳେ ଉଆଁସୀକୁ କେବେ ବାହାରକୁ ପଠାଇଥିଲେ କି ?”

 

ସରଯୂ ଉତ୍ତର କରିବା ପୂର୍ବରୁ ଉଆଁସୀ କହିଲା, ‘‘ନାଇଁ ବାବୁ, ମୁଁ ଆଦୌ ବାହାରକୁ ଯାଇନାହିଁ ।’’ ସରଯୂ କହିଲେ, ‘‘କେଜାଣି, ସେ ଥରେ ଉଠିଥିବାର ମନେ ପଡ଼ୁଛି । ବାହାରକୁ ଗଲା କି କୁଆଡ଼େ ଗଲା, ମୋର ଖିଆଲ ନାହିଁ ।”

 

ଉଆଁସୀ କଥାର ସୁଯୋଗ ନେଇ ତରତରରେ ପୁଣି କହି ପକାଇଲା, ‘‘ଚିଟା ଲାଗିବାରୁ ମୁଁ ସେ ଅଗଣାରେ ବୁଲୁଥିଲି। କୁଆଡ଼େ ଯାଇନାହିଁ ।’’

 

ହେମ ବାବୁ ଟିକିଏ ହସି ଦେଲେ । କହିଲେ, ‘‘ଆପଣମାନେ ନିଶ୍ଚିନ୍ତ ରହନ୍ତୁ । ଆମ୍ଭେମାନେ ଯାଉଛୁ । ଏ ପ୍ରକାରର ଡକାୟତମାନେ ଳିଜକଥା ଭାଙ୍ଗନ୍ତି ନାହିଁ । ସେମାନେ ଠିକ୍ ବାରଟାବେଳେ ଆସିବେ; ଆମ୍ଭେମାନେ ଅଧଘଣ୍ଟାକ ପୂର୍ବରୁ ପହଞ୍ଚିବୁଁ ।"

 

ସରଯୂ ଭଦ୍ରତା ଖାତିରିରେ ହେମ ବାବୁ ପ୍ରଭୃତିଙ୍କ ପଛେ ପଛେ ଅଳ୍ପ ଦୂର ଚାଲିଗଲେ ଏବଂ କହିଲେ, ‘‘ଆପଣମାନେ ହିଁ ଏକମାତ୍ର ଭରସା ।”

 

ହେମ ବାବୁ ପଛକୁ ଚାହିଁ ପଚାରିଲେ, “ଆପଣ କ’ଣ ହୀନୁର ସଙ୍ଗୀଗୁଡ଼ିଙ୍କୁ ଚିହ୍ନନ୍ତି ?’’

 

‘‘ନାଁ, ହୀନୁ ଛଡ଼ା ଆଉ କାହାକୁ ଚିହ୍ନେ ନାହଁ’’–ସରଯୂ ଉତ୍ତର କଲେ ।

 

ସୁରେଶବାବୁ ଯାଉଁ ଯାଉଁ କହିଲେ,–‘‘ଆପଣ ନିଶ୍ଚିନ୍ତ ରହନ୍ତୁ । ଏଥର ବଦମାସ୍‍ଗୁଡ଼ାଙ୍କୁ ଶ୍ରୀ ମନ୍ଦିରକୁ ପଠାଇ ଦେଉଛୁଁ ।’’

 

କାନ୍ଥରେ ମରା ଯାଇଥିବା ଫଟୋ ଦେହର କାଚରେ ପ୍ରତିଫଳିତ ଗୋଟିଏ ସ୍ତ୍ରୀ ଲୋକର ଛବିରେ ମୁଡ଼ୁକି ହସ ଫୁଟିଉଠିଲା । ହେମବାବୁ ପଛକୁ ଫେରି ଚାହାନ୍ତିତ, ଦେଖିଲେ–ଉଆଁସୀ ମୁହଁରେ ସେ ପର୍ଯ୍ୟନ୍ତ ବିଦ୍ରୁପାତ୍ମକ ହସର ଅଂଶ ଲାଗି ରହିଛି । ଗୃହତ୍ୟାଗ କରି ସେ ମଟରରେ ବସିବାମାତ୍ରେ ସରଯୂଙ୍କ ଘରଆଡ଼କୁ ଦୃଷ୍ଟି ଫେରାଇଲାବେଳେ ଦେଖିଲେ, ଜଣେ ସାଧୁ ଭିକ୍ଷାଥାଳୀ ଧରି ଦ୍ୱାରକୁ ଉଠିଲେ ଓ “ଭିକ୍ଷା ଗଣ୍ତେ ମିଳିଯାଉ ବାବା'’ ବୋଲି ଚିତ୍କାର ଛାଡ଼ିଲେ ।

 

ହେମବାବୁ ମଟର ଚଳାଉଥିଲେ । ସେ ଆସ୍ତେ ଆସ୍ତେ ମଟର ଚଳାଇ ସରଯୂଙ୍କ କୋଠାଦ୍ୱାରରେ ଥିବା ସାଧୁଙ୍କୁ ଲକ୍ଷ୍ୟ ରଖିଥିଲେ । ମଟର ଚଳାଉ ଚଳାଉ ସେ ଦେଖିବାକୁ ପାଇଲେ, ଉଆଁସୀ ଭିକ୍ଷା ଧରି ଆସି ସାଧୁଙ୍କ ପାଖରେ ଉପସ୍ଥିତ ହେଲା । ହେମବାବୁଙ୍କ ଭ୍ରୂକୁଞ୍ଚନରୁ ସ୍ପଷ୍ଟ ଜଣା ପଡ଼ିଲା, ଗୋଟାଏ ଅଭୂତପୂର୍ବ ସନ୍ଦେହ ତାଙ୍କ ଅନ୍ତରରେ ଖେଳୁଛି ।

 

ପାଞ୍ଚ

 

ହେମବାବୁ ସୁରେଶବାବୁଙ୍କୁ ମଟରରେ ନେଇ ଥାନାରେ ଛାଡ଼ିଲାବେଳକୁ ସନ୍ଧ୍ୟା । ପ୍ରସ୍ତାବ ହେଲା, ରାତି ସାଢ଼େ ଏଗାରଟା ସମୟରେ ହେମବାବୁ ରବୀନ୍ଦ୍ରକୁ ଧରି ଥାନାକୁ ଆସିବେ । ଥାନାଠାରୁ ଚାରିଜଣ ସିପାହୀ ଆଗରୁ ଯାଇ ସରଯୂଙ୍କ ଘର ସାମନାରେ ଗୋପନରେ ରହି ଘରକୁ ଯିବା ଆସିବା ଲୋକଙ୍କର ଗତିବିଧି ପ୍ରତି ସତର୍କ ଦୃଷ୍ଟି ରଖିବେ ।

 

ନିରୂପିତ ସମୟରେ ଖଣ୍ଡିଏ ମଟରରେ ବସି ହେମବାବୁ ପ୍ରଭୃତି ସରଯୂଙ୍କ କୋଠା ଆଗରେ ଓହ୍ଲାଇଲେ । ଡ୍ରାଇଭର ମଟର ଧରି ଫେରିଗଲା । ସୁରେଶବାବୁ ଘଡ଼ିକୁ ଚାହିଁ କହିଲେ, ବର୍ତ୍ତମାନ ସମୟ ୧୧ଟା ୪୦ ମିନିଟ- ଆଉ କୋଡ଼ିଏ ମିନିଟ ମାତ୍ର ବାକି ଶୀଘ୍ର କାର୍ଯ୍ୟାରମ୍ଭ କରାଯାଉ ।

 

ହେମବାବୁ ପ୍ରସ୍ତାବ କଲେ, “ମୁଁ ଦୁଇଜଣ ପୁଲିସ ଧରି ବାହାରେ ଗୁପ୍ତଭାବେ ଅବସ୍ଥାନ କରିବି, ସୁରେଶବାବୁ ଓ ରବୀନ୍ଦ୍ର ଅନ୍ୟ ଦୁଇଜଣ ପୁଲିସ ଧରି ଗୃହ ମଧ୍ୟରେ ରହନ୍ତୁ । ଯଥା-ସମୟରେ ସଙ୍କେତ ପାଇଲେ ଆମ୍ଭେମାନେ ଉପସ୍ଥିତ ହେବୁଁ । ଯେତେବେଳେ ଯାହା କରିବାକୁ ହେବ, ମୋର ନିର୍ଦ୍ଦେଶମତେ ଏ ପୁଲିସ ଦୁହେଁ କରିବେ ।’’

 

ସୁରେଶବାବୁ ଓ ରବୀନ୍ଦ୍ର ପୁଲିସ ସହିତ ଗୃହାଭ୍ୟନ୍ତରରେ ପ୍ରବେଶ କରି ସରଯୂଙ୍କ ସହିତ ପଦେ ଦି’ପଦ ଆଳାପ ନକରୁଣୁଁ ଖଣ୍ଡିଏ ମଟର ଆସି ସରଯୂଙ୍କ ଘରସାମନା ରାସ୍ତାରେ ଠିଆ ହେଲା । ମଟରରୁ ଜଣେ ସାହେରୀ ପୋଷାକଧାରୀ ପୁରୁଷ ବାହାରି ଭୃତ୍ୟର ନାମ ଧରି ଡାକିଡାକି ଘର ଭିତରେ ପ୍ରବେଶ କଲେ । ସରଯୂ ନିଜେ ଓହ୍ଲାଇ ଆସି ଉକ୍ତ ଭଦ୍ରବ୍ୟକ୍ତିଙ୍କୁ ପାଛୋଟି ନେଲେ । ଭଦ୍ରବ୍ୟକ୍ତି କହିଲେ, “ଆଜି ବହୁତଗୁଡ଼ାଏ କାମ ଥିଲା, ସେ ସବୁ ସାରି ଆସୁ ଆସୁ ବହୁତ ରାତି ହୋଇଗଲା । ଆଚ୍ଛା, ଆପଣଙ୍କ ଘରେ ଆଜି ଏ ପୁଲିସର ସାଜସଜ୍ଜା କାହିଁକି ? କ’ଣ ଘଟିଛି ?’’ ସରଯୂ କହିଲେ, “ଡାକ୍ତମ ବାବୁ, ଦେଖୁଛନ୍ତି, ସହରରେ କି ପ୍ରକାର ଚୋର ଡକାଏତଙ୍କର ଉପଦ୍ରବ ଚାଲିଛି । ଆଜି ଆମ ଘରେ ପାଳି ପଡ଼ିଛି । ସେଥିପାଇଁ ଆଗରୁ ନୋଟିସ୍ ଜାରି ହୋଇଛି । ଆପଣ ଜାଣନ୍ତି’ ତ ମୁଁ ଏକାକିନୀ । ସ୍ଵାମୀ ମୋର ରୋଗଗ୍ରସ୍ତ । ତେଣୁ ଅଗତ୍ୟା ମୋତେ ପୁଲିସର ଆଶ୍ରୟ ନେବାକୁ ପଡ଼ିଛି । ଏହା କହି ସରଯୂ ଏକ ଦୀର୍ଘ ନିଶ୍ବାସ ପରିତ୍ୟାଗ କଲେ । କଥାବାର୍ତ୍ତା ହେଉଁ ହେଉଁ ଉପରମହଲାକୁ ଉଠିଲେ । ସେଠାରେ ସରଯୂ ରବୀନ୍ଦ୍ର ଓ ସୁରେଶ ବାବୁଙ୍କୁ ଦେଖାଇ କହିଲେ, ଏ ଦୁହେଁ ପୁଲିସ ଅଫିସର, ଏମାନେ ମୋତେ ସାହାଯ୍ୟ କରିବାକୁ ଅସିଛନ୍ତି ।’’ ଡାକ୍ତରଙ୍କୁ ଦେଖାଇ କହିଲେ, ‘ଏ ମୋ ସ୍ୱାମୀଙ୍କର ଚିକିତ୍ସକ ।"

 

ସୁରେଶ ବାବୁ, ରବୀନ୍ଦ୍ର ଓ ଡାକ୍ତରଙ୍କ ମଧ୍ୟରେ ପରସ୍ପର କରମଦ୍ଦନ ହୋଇଗଲା । ତତ୍ପରେ ଡାକ୍ତର ରୋଗୀକୁ ଦେଖିବା ଉଦ୍ଦେଶ୍ୟରେ କକ୍ଷମଧ୍ୟରେ ପ୍ରବେଶ କଲେ । ରୋଗୀର ନାଡ଼ୀ ପରୀକ୍ଷା କରି ହୃଦ୍‍ଯନ୍ତ୍ର ଦେଖି ‘‘ହିରଣ୍ ବାବୁ, ହିରଣ୍ ବାବୁ’ ବୋଲି ଡାକ ଛାଡ଼ିଲେ; ମାତ୍ର ରୋଗୀ କୌଣସି ଜବାବ ନଦେଇ ଆଖି ଖୋଲି ଥରେ ଦି'ଥର ଚାହିଁଲେ ମାତ୍ର । ଡାକ୍ତର ସରଯୁଙ୍କୁ ଆଶ୍ୱାସନାଦେଇ କହିଲେ, ‘‘ନାହଁ, ଉଦ୍ଦ୍‍ବିଗ୍ନ ହେବାର କୌଣସି କାରଣ ନାହିଁ । ଆପଣ ନିଶ୍ଚିନ୍ତ ରହନ୍ତୁ । ଆଉ ହିରଣ ବାବୁଙ୍କୁ ଔଷଧ ଦେବା ଦରକାର ନାହିଁ । ସେ ଏଣିକି ମନକୁ ଆସ୍ତେ ଆସ୍ତେ ସୁସ୍ଥ ହୋଇଯିବେ” । ଏହା କହି ବାରଣ୍ଡାକୁ ଆସିଲାବେଳକୁ ଉଆଁସୀ ଆସି କହିଲା, “ବାବୁ, ଚାତିଆରି ସରିଲାଣି, ତଳକୋଠା ବୈଠକଖାନାକୁ ଚାଲନ୍ତୁ, ମୁଁ ସେଇଠି ସବୁ ବ୍ୟବସ୍ଥା କରି ଦେଇଛି-।”

 

ଡାକ୍ତର ବାବୁ କହିଲେ, “ନା ଦରକାର ନାହିଁ । ରାତି ବହୁତ ହେଲାଣି, ମୁଁ ଯାଉଛି ।’’

 

ସରଯୂଙ୍କର ନିର୍ବନ୍ଧାତିଶଯ୍ୟରେ ସୁରେଶ ବାବୁ, ରବିନ୍ଦ୍ର ଓ ଡାକ୍ତର ବାବୁ ତଳ ମହଲାକୁ ଗଲେ । ଆଗରେ ଭୃତ୍ୟ ମଧ୍ୟ ପଥ କଡ଼ାଇ ନେଲା । ଟ୍ରଏରେ ଚା’ ଥାଳୀରେ ଜଳଖିଆ ସଜଡ଼ା ହୋଇଥିଲା । ବୈଠକଖାନାରେ ବସି ସମସ୍ତେ ଖାଉଛନ୍ତି, ଉଆଁସୀ ଆସି ଡାକ୍ତରଙ୍କୁ କହିଲା, ‘‘ଆପଣଙ୍କୁ ମା ଡାକୁଛନ୍ତି’’ । ଡାକ୍ତର ସୁରେଶବାବୁ ଓ ରବୀନ୍ଦ୍ରଙ୍କୁ କହିଲେ, ‘‘ଆପଣମାନେ ଚା ଖାଇ ଦିଅନ୍ତୁ, ମୋର ଟିକିଏ ଡେରି ହେବ’’। ଏହା କହି ଉପର ମହଲାକୁ ଗଲେ । ଉଆଁସୀ ମଧ୍ୟ ସଙ୍ଗେ ସଙ୍ଗେ ଗଲା । ଉପର ମହଲା ବାରଣ୍ଡାରେ ଡାକ୍ତର ପହଞ୍ଚି ଦେଖିଲେ; ସରଯୂ ହାତରେ ଚା ଧରି ପିଉ ପିଉ ଚୌକିରେ ବେକ ଭାଙ୍ଗି ଅଚେତନ ହୋଇ ପଡ଼ିଛନ୍ତି; କାଚର କପ୍‍ଟି ତଳେ ପଡ଼ି ଚୂନାଚୂନା ହୋଇ ଯାଇଛି । ଡାକ୍ତର ଉଆଁସୀ ଆଡ଼କୁ ପ୍ରସନ୍ନ ଦୃଷ୍ଟିରେ ଚାହିଁ କହିଲେ, “ସାବାସ୍ ଉଆଁସୀ, ସାବାସ୍’’ । ଏହା କହି ତା' ପିଠିକୁ ଟିକିଏ ଚାପୁଡ଼ାଇ ଦେଲେ । ଉଆଁସୀର ଉଆଁସ ଅନ୍ଧାର ପରି ବିକୃତ ମୁଖରୁ ବିକଟ ହାସ୍ୟରୋଳ ଉଛୁଳି ପଡ଼ିଲା । ତା'ପରେ ଡାକ୍ତର ବାବୁ କହିଲେ, ‘‘ଚାଲ୍ ତଳକୁ ଯିବା ।”

 

ଉଆଁସୀ କହିଲା, ‘‘ତଳ କାମ ଆଉ କ’ଣ କିଛି ବାକି ଅଛି ?’’ ତଳକୁ ଯାଇ ଡାକ୍ତରବାବୁ ଦେଖିଲେ, ଭୃତ୍ୟଟି ବାରଣ୍ଡାରେ ଢୁଳାଇ ପଡ଼ିଛି, ହାତରୁ ଚା କପ୍‍ଟି ଗଡ଼ିଯାଇ ଖଣ୍ଡେଦୂରରେ ପଡ଼ିଛି-। ଦାଣ୍ଡ ବଖରାରେ ପୁଲିସ ଦୁଇଟି ମଧ୍ୟରୁ ଜଣେ ଚା କପ୍ ହାତରେ ଧରି ତଳେ ଲମ୍ବ ହୋଇ ପଡ଼ିଯାଇଛି, ଆଉ ଜଣେ ଢୁଳାଇ ପଡ଼ିଛି, ଚା କପ୍‍ରୁ ଚା ଗୁଡ଼ାକ ତା ଆଣ୍ଠୁ ଉପରେ ଢଳିଯାଇଛି-। ସେ ଘରର ଗୋଟିଏ କଣକୁ ଆଉଜି ପଡ଼ିଛି । ତା'ପରେ ବୈଠକଖାନାକୁ ଗଲେ-। ସେଠାରେ ଦେଖିଲେ, ସୁରେଶବାବୁ ଚୌକିରେ ବସି ଟେବୁଲରେ ଦୁଇ ହାତ ଭିତରେ ମୁଣ୍ଡ ରଖି ଅଜ୍ଞାନ; ଚା କପ୍‍ଟି ପାଖରେ ଢଳିଯାଇଛି, ଆଉ ରବୀନ୍ଦ୍ର ଚୌକିର ଏକପାଖକୁ ଢଳି ପଡ଼ିଛି, ଚା କପ୍‍ ତଳେ ପଡ଼ିଯାଇଛି । ଡାକ୍ତର ବାବୁ ଉଆଁସୀକୁ ଚାହିଁ ଈଷତ୍ ହସି କହିଲେ, ‘‘ଉଆଁସୀ, ଏକଦମ୍ ତାରିଫ-। ତୁ ଯା’, ପୋଷାକ ପାଲଟି ଆ ।’’ ଏହା କହି ସେ ହୁଇସିଲ୍‍ଟିଏ ବାହାର କରି କ୍ଷୀଣ ଧ୍ୱନି କଲେ-। ଶବ୍ଦ ଶୁଣିବାମାତ୍ରେ ଜଣେ ସାହେବ ପୋଷାକଧାରୀ ପୁରୁଷ ଘର ମଧ୍ୟରେ ପ୍ରବେଶ କଲେ-। ତାଙ୍କୁ ଦେଖି ଡାକ୍ତର କହିଲେ, ‘‘ହୀନୁ, ଏକଦମ୍ ଖତମ୍’’। ଭଦ୍ରବ୍ୟକ୍ତି ହସି କହିଲେ, “କଣ କାମ ଫତେ-?''

 

ଡାକ୍ତର ଟିକିଏ ହସି କହିଲେ, “ଆରେ ! ରଫୁର ଅସାଧ୍ୟ କ’ଣ ଅଛି ? ଆଉ ବିଳମ୍ବରେ ପ୍ରୟୋଜନ ନାହିଁ ।’’

 

ଭଦ୍ରବ୍ୟକ୍ତି ଘଡ଼ି ଦେଖି କହିଲେ, ‘‘ଆଉ ପାଞ୍ଚ ମିନିଟ୍ ବାକି । ହୀରା ହାରଟା ଆଗ ହସ୍ତଗତ କରାଯାଉ, ଚାଲ ଉପରକୁ ।’’

 

ଦୁହେଁ ଯାଇ ହିରଣବାବୁଙ୍କ କୋଠରୀ ପାଖରେ ପହଞ୍ଚିଲା । ବେଳକୁ ଉଆଁସୀ ପୁରୁଷ ବେଶରେ ସଜ୍ଜିତ ହୋଇ ସେଠାରେ ପହଞ୍ଚିଯାଇଥିଲା । ହୀନୁ ନାମଧାରୀ ଭଦ୍ରବ୍ୟକ୍ତି ତାକୁ ଦେଖି ଟିକିଏ ହସି କହିଲେ, “ଏକଦମ୍ ତାରିଫ୍’’ । ଡାକ୍ତର ବେଶଧାରୀ ରଫୁ କହିଲା, ‘‘ଉଆଁସୀ ଯୋଗୁଁ ଏ ସମ୍ଭବ ହୋଇଛି ।''

 

ତାପରେ ହୀନୁ ଉଆଁସୀର ଇଙ୍ଗିତମତେ ହାତବାକ୍ସ ଖୋଲି ଚାବି ବାହାର କଲା । ଲୁହାର ଟ୍ରଙ୍କ ଖୋଲି ହୀରଣଙ୍କ ହାର ଥିବା ବାକ୍ସଟି ବାହାର କଲା । କେସ୍‍ଟି ଫିଟାଇ ଯେତେବେଳେ ଉଜ୍ଜ୍ୱଳ ହୀରକ ହାରଟି ବାହାର କଲା, ସେତେବେଳେ ତା’ର ଆଖି ଝଲସି ଉଠିଲା । କକ୍ଷର ଅର୍ଦ୍ଧେକ ତା’ର ଜ୍ୟୋତିରେ ଆହୁରି ଆଲୋକିତ ହୋଇଗଲା । ହୀନୁର ଏତେଦିନର ଆଶା ଉଦ୍ୟମ ଆକାଙ୍‍କ୍ଷା ଆଜି ସଫଳ ହୋଇଛି । ସେଥିପାଇଁ ସେ ହାରଟିକୁ ଥରକୁ ଥର ମୁଣ୍ଡରେ ଲଗାଇ ଆନନ୍ଦରେ ନୃତ୍ୟ କରିବାକୁ ଲାଗିଲା । ସେ ହାରଟି ରଫୁକୁ ଦେଖିବାକୁ ଦେଲା । ରଫୁର ମଧ୍ୟ ଚକ୍ଷୁ ଦିଓଟି ଆନନ୍ଦରେ ଉଜ୍ଜ୍ୱଳ ହୋଇ ଉଠିଲା । ତା’ପରେ ଯତ୍ନରେ ହୀନୁ ତାକୁ ପକେଟରେ ପୂରାଇଲା । ତିନିହେଁ ମିଳି ଜ୍ଞାନଶୂନ୍ୟା ସରଯୂଙ୍କୁ ଧରି ତଳମହଲାକୁ ଆଣିଲେ । ରଫୁ କହିଲା, ‘‘ଏକା ଶରରେ ଦୁଇ ପକ୍ଷୀ ଖତମ୍’’ । ହୀନୁ ଟିକିଏ ହସିଦେଲା ।

 

ତଳମହଲାରେ ସରଯୂଙ୍କୁ ଶୁଆଇ ଦେଇ ହୀନୁ ଓ ରଫୁ ଦଉଡ଼ି ସଂଗ୍ରହକରି ରବୀନ୍ଦ୍ର, ସୁରେଶବାବୁ, ଭୃତ୍ୟ ଓ ପୁଲିସଙ୍କର ହାତଗୋଡ଼ ବାନ୍ଧି ପକାଇଲେ । ଏହି ସମୟରେ ଘଣ୍ଟା ତଂ ତଂ କରି ବାର’ଟା ବାଜିଲା । ରଫୁ ଓ ହୀନୁ ଜ୍ଞାନଶୂନ୍ୟା ସରଯୂଙ୍କୁ ନେଇ ମଟରରେ ଶୁଆଇଲେ । ପୁରୁଷବେଶଧାରିଣୀ ଉଆଁସୀ ତାଙ୍କ ପାଖେ ବସି ରହିଲା । ରଫୁ ଓ ହୀନୁ ମଟର ଚଢ଼ିବାମାତ୍ରେ ଡ୍ରାଇଭର୍ ମଟର ଛାଡ଼ିଲା ।

 

ଛଅ

 

ହୀନୁ ଆଗ ସିଟ୍‍କୁ ଆସି ଡ୍ରାଇଭର୍ ପାଖେ ବସିଲା ଏବଂ ତାକୁ ଚୁପ୍ କରି ପଚାରିଲା, ‘‘ୟାଂସୁ, କି ରକମ ?” ଡ୍ରାଇଭର୍ ସଙ୍ଗେ ସଙ୍ଗେ ଉତ୍ତର ଦେଲା, ‘‘ଏକଦମ୍ ତାରିଫ୍’’ । ଡ୍ରାଇଭରର ସ୍ଵର ହୀନକୁ ଟିକିଏ ବିକୃତ ଜଣାପଡ଼ିଲା । ସେ ସନ୍ଦିଗ୍ଧ ଦୃଷ୍ଟିରେ କ୍ଷଣକାଳ ଚାହିଁ ରହିଲା । ତା’ପରେ ରଫୁ ମୁହଁକୁ ଚାହିଁଲା । ରଫୁକୁ କହିଲା, ଠିଆ ହୋଇ ରହିଲୁ ଯେ ରଫୁ ସଙ୍ଗରେ ତା’ର ଆଖିରେ ଆଖିରେ କି କଥାବାର୍ତ୍ତା ହେଲା କେଜାଣି, ରଫୁ କହିଲା, ‘‘କେତେବାଟ ଯେ, ଠିଆ ହୋଇ ଯାଇପାରିବି ନାହିଁ ? ତୁ ବସ, ମୋର ଅସୁବିଧା ହେବନାହିଁ ।’’ ଡ୍ରାଇଭରର ଯେପରି ଏମାନଙ୍କ କଥାପ୍ରତି ଭ୍ରୂକ୍ଷେପ ନାହିଁ, ସେ ମଟର ଚଳାଇବାରେ ଲାଗିଛି । ମଟରଟି ଗଳିରାସ୍ତାର ବାଙ୍କରେ ଯେତେବେଳେ ପହଞ୍ଚି ଡାହାଣକୁ ଘରିଲା, ସେତେବେଳେ ପଛପାଖରୁ ରଫୁ ନଇଁପଡ଼ି ଡ୍ରାଇଁଭର୍‍ର ଆଖିକୁ ଖଣ୍ଡିଏ ରୁମାଲରେ ଚାପି ଧରି ବାନ୍ଧି ବସିଲା । ହୀନୁ ଡ୍ରାଇଭରକୁ ଏକ ଧକ୍କା ଦେଇ ମଟର ହୁଇଲ୍ ଧରି ମଟର ଚଳାଇବାକୁ ଚେଷ୍ଟାକଲା । ମାତ୍ର ଡ୍ରାଇଭର୍ ଆଗରୁ ସତର୍କ ଥିଲା । ସେ ଶକ୍ତ କରି ଏକହାତରେ ମଟର ହୁଇଲ୍ ଧରି ଅନ୍ୟ ହାତରେ ପକେଟରୁ ପିସ୍ତଲ୍ ବାହାର କରିବାକୁ ଚେଷ୍ଟାକଲା କିନ୍ତୁ ମଟରର ବେଗ ସମ୍ଭାଳି ପାରିଲା ନାହିଁ । ହଠାତ୍ ମଟରଟା ଯାଇ ଗୋଟାଏ କୋଠାଘର କୋଣରେ ବାଡ଼େଇ ହୋଇଗଲା । ସଙ୍ଗେ ସଙ୍ଗେ ହୀନୁ, ରଫୁ, ଉଆଁସୀ ମଟରରୁ ଖପ୍ ଖାପ୍ ଡେଇଁ ଅନ୍ଧକାରମୟ ଗଳିଆଡ଼କୁ ପଳାଇବାକୁ ଲାଗିଲେ । ଇଞ୍ଜିନଟା ଧୂମଅଗ୍ନି ଉଦ୍‍ଗୀରଣ କରି ଭସ୍ ଭସ୍ ଜଳିବାକୁ ଲାଗିଲା । ଡ୍ରାଇଭର୍ ଖଣ୍ତେ ଦୂରରେ ଛିଟିକି ପଡ଼ିଥିଲା । ସେ ହୀନୁ, ରଫୁ ପ୍ରଭୃତି ପଳାଇଯିବାର ଦେଖି ସେମାନଙ୍କ ପାଦକୁ ଲକ୍ଷ୍ୟ କରି ପିସ୍ତଲ୍ ଫଏର କଲା ଏବଂ ନିଜର ଦେହ ପ୍ରତି ଲକ୍ଷ୍ୟ ନରଖି ମଟର ଆଡ଼କୁ ଅଗ୍ରସର ହୋଇ ଜ୍ଞାନଶୂନ୍ୟା ସରଯୂଙ୍କୁ ମଟରରୁ ବାହାର କରି ସମୀପବର୍ତ୍ତୀ ଜଣେ ଲୋକର ବାରଣ୍ଡାରେ ଶୁଆଇଦେଲା । ମଟର ଶବ୍ଦ ଶୁଣି କେତେଜଣ ସହର ବାସିନ୍ଦା ଆସି ସେତେବେଳକୁ ମଟର ଚାରିପାଖରେ ଘେରିଗଲେଣି । ପହରା ଦେଉଥିବା ପୁଲିସ ପ୍ରହରୀ ଜଣେ ଦି’ଜଣ ଆସି ମଧ୍ୟ ପହଞ୍ଚିଗଲେ । ସେମାନଙ୍କୁ ନିଆଁ ଲିଭାଇବାକୁ ଅନୁରୋଧକରି ଜଣେ ଦି’ଜଣଙ୍କ ସାହାଯ୍ୟରେ ଡ୍ରାଇଭର୍ ପିସ୍ତଲ ଗୁଳିରେ କିଏ ଆହତ ହୋଇଛି କି ନାହଁ ଦେଖିବାକୁ ଗଲା । ତାକୁ ବେଶି ଦୂର ଯିବାକୁ ପଡ଼ିଲା ନାହିଁ । ଜଣେ ଲୋକ ଆସି ସଂବାଦ ଦେଲା, ରାସ୍ତା ମଝିରେ କିଏ ଜଣେ ଅଚେତ ହୋଇ ପଡ଼ିଛି । ମଟରରେ ଲାଗିଥିବା ନିଆଁକୁ ଧୂଳି ପାଣି ଫିଙ୍ଗି ଲୋକମାନେ ଲିଭାଇ ଦେଇଥିଲେ । ଡ୍ରାଇଭର ଲୋକମାନଙ୍କ ସହ ଆହତ ବ୍ୟକ୍ତି ପାଖକୁ ଚାଲିଲା । ଆହତ ବ୍ୟକ୍ତିଟିର ମୁଣ୍ଡରୁ ପଗଡ଼ି ଖସି ଯାଇଥିଲା । ଡ୍ରାଇଭର୍ ତା’ର କେଶପାଶ ଓ ଅନ୍ୟାନ୍ୟ ଲକ୍ଷଣରୁ ଜାଣିନେଲାଣି ଏ ପୁରୁଷ ବେଶଧାରୀ, ଜଣେ ସ୍ତ୍ରୀ ଲୋକ । ସେ ହଠାତ୍ ବିସ୍ମିତ ହୋଇ ପଡ଼ିଲା। ତା'ପରେ ଚିହ୍ନିଲା, ଏ ସରଯୂଙ୍କ ଚାକରାଣୀ ଉଆଁସୀ । ଲୋକଙ୍କ ସାହାଯ୍ୟରେ ସେ ଉଆଁସୀକୁ ସରଯୂଙ୍କ ପାଖକୁ ନେଇ ଆସିଲା। ତା' ପାଦକୁ ଗୁଳିର ଚୋଟ ସାମାନ୍ୟ ଅଘାତ କରିଥିଲା । ତାପରେ ସେ ଜଣେ ପୁଲିସକୁ ଡାକି କହିଲା, ‘‘ଯାଅ ହେମ ବାବୁଙ୍କ ବସାକୁ, ବସା ଚିହ୍ନିଛ ନା ?’’

 

ପୁଲିସଟି କହିଲା, ମ ‘‘ହେମବାବୁଙ୍କ ବସା କିଏ ନ ଚିହ୍ନେ ?’’ ଡ୍ରାଇଭର କହିଲା, ‘‘ସେଠାରେ ଡ୍ରାଇଭର ଅପେକ୍ଷା କରିଥିବ । ତୁମେ କହିବ ହେମବାବୁ କହିଛନ୍ତି, ମଟର ଧରି ଶୀଘ୍ର ଆସ ।”

 

ପୁଲିସଟି ଆଶ୍ଚର୍ଯ୍ୟଭାବେ ଚାହିଁ କହିଲା, ‘‘ୟେଁ ହେମବାବୁ !” ଡ୍ରାଇଭର ଟିକିଏ ହସିଦେଲା । କାହାରି ସନ୍ଦେହ ରହିଲା ନାହିଁ; ଏ ଡ୍ରାଇଭର ସ୍ୱୟଂ ହେମବାବୁ ବୋଲି । ପୁଲିସ ପ୍ରହରୀ ଦୁହିଁଙ୍କର ମୁଣ୍ଡ ନେଇଗଲା । ସେ ଦୁହେଁ ଇତର ବ୍ୟବହାର କରିଥିବାରୁ କ୍ଷମା ମାଗିଲେ । କେତେ ଲୋକ ବିସ୍ମୟରେ, ଭକ୍ତିରେ ସୁବିଖ୍ୟାତ ଡିଟେକ୍ଟିଭ୍ ହେମବାବୁଙ୍କୁ ସମ୍ମାନ ଦେଖାଇବାକୁ ଲାଗିଲେ । ଜଣେ ଲୋକ ସାଇକଲଟିଏ ଦେଲା । ପୁଲିସ ଜଣେ ସେଥିରେ ଚଢ଼ି ହେମବାବୁଙ୍କ ବସାକୁ ଯିବାକୁ ଉଦ୍ୟତ ହେଲାବେଳକୁ ହେମବାବୁଙ୍କ ଡ୍ରାଇଭର ପୂର୍ବନିର୍ଦ୍ଦେଶମତେ ମଟର ଧରି ଆସି ପହଞ୍ଚିଲା । ହେମବାବୁ ପାଣି ସିଞ୍ଚା ସିଞ୍ଚି କରି ସରଯୂ ଓ ଉଆଁସୀର ଚୈତନ୍ୟ ଆଣିବାକୁ ଚେଷ୍ଟା କଲେ । ମାତ୍ର ସେମାନଙ୍କର ଚେତା ଫେରିଲା ନାହିଁ । ଉଆଁସୀର ଗୋଡ଼ରେ ପଟି ବାନ୍ଧି ଦେଇ ଦୁହିଙ୍କୁ ନେଇ ମଟରରେ ଶୁଆଇଲେ ଏବଂ ସେମାନଙ୍କୁ ଧରି ସଦର ହସ୍‍ପିଟାଲ ଅଭିମୁଖରେ ଛୁଟିଲେ । ସେଠାରେ ସରଯୂ ଓ ଉଆଁସୀକୁ ଡାକ୍ତରଙ୍କ ଜିମା ଛାଡ଼ି ଦେଇ ପୁଣି ମଟର ଧରି ସଦର ଥାନାରେ ପହଞ୍ଚିଲେ । ସେଠାରୁ ପୁଲିସ ସବ୍ଇନ୍‍ସପେକ୍ଟର ଓ ଦୁଇଜଣ କନଷ୍ଟେବଳ ସଙ୍ଗରେ ଧରି ହିରଣବାବୁଙ୍କ କୋଠାରେ ପହଞ୍ଚିଲେ । ସେହି ରାତି ଅଧରେ ସେ ସାହିଟା ଯେପରି ନିର୍ଜନ ଥିଲା, ହିରଣ ବାବୁଙ୍କ କୋଠାଟା ତତୋଧିକ ନିଛାଟିଆ ଲାଗୁଥିଲା । ଏ ବିଚିତ୍ର କାଣ୍ତକାରଖାନା ହେମବାବୁଙ୍କୁ ବଡ଼ ଅଦ୍‍ଭୂତ ବୋଧ ହେଉଥିଲା । ବାଟରେ ମଟରରେ ଗଲାବେଳେ ସେ ମନେ ମନେ ଭାବୁଥିଲେ, ରବୀନ୍ଦ୍ର, ସୁରେଶବାବୁ, ଦି’ ଦି’ଟା ପୁଲିସ-ଏ ସମସ୍ତଙ୍କୁ କ’ଣ ଦସ୍ୟୁଦଳ ହତ୍ୟା କରିଛନ୍ତି ? ତେବେ ସେମାନଙ୍କ ହାତରେ ତ ପିସ୍ତଲ ଥିଲା । ଏ ଦସୁଦଳଙ୍କ ଭିତରୁ ଯାହାକୁ ହେଲେ ସେମାନେ ଅନାୟାସରେ ତ ହତ୍ୟା କରି ପାରିଥାନ୍ତେ ? ବିଶେଷତଃ ରବୀନ୍ଦ୍ର ପ୍ରଭୃତି ସଂଖ୍ୟାରେ ପାଞ୍ଚ ଜଣ, ଏମାନେ ସଂଖ୍ୟାରେ ଦୁଇଜଣ, ଯଦିଓ ଉଆଁସୀରର ଗୁପ୍ତ ହାତ ଏଥିରେ କାମ ଦେଇଛି, ତେବେ ଏ ତିନି ଜଣଙ୍କୁ କ’ଣ ସେମାନେ ସଶସ୍ତ୍ର ପାଞ୍ଚଜଣ ମଧ୍ୟ ପାରିଲେ ନାହିଁ ? ଏ ଉଆଁସୀ ଅତି ଭୀଷଣ ସ୍ତ୍ରୀ ଲୋକ । ସେ ଛଦ୍ମବେଶରେ ପଳାଇବାର ଉଦ୍ଦେଶ୍ୟ କ’ଣ ? ସରଯୂ ବା ଅଚେତ ହେଲେ କିପରି ? ତେବେ ହୀରାହାର କ'ଣ ପ୍ରକୃତରେ ଚୋରି ହୋଇଗଲା ? ଏମାନଙ୍କ ଅବସ୍ଥା ଯେତେବେଳେ ଏପରି, ତେବେ ହାର ପ୍ରକୃତରେ ଚୋରି ଯାଇଥିବ । ହୀନୁ ତାର ପ୍ରତିଜ୍ଞା ପାଳନ କରିଛି । ରଫୁ ଡାକ୍ତରର ଛଦ୍ମ ବେଶରେ ହିରଣ୍ ବାବୁଙ୍କୁ ହତଜ୍ଞାନ କରାଇ ଏ ନାଟକର ପ୍ରଧାନ ଅଭିନେତା ପାଲଟିଛି ଓ ୟାଂସୁ ଡ୍ରାଇଭର ବନ୍ଦୀ ହୋଇଛି । ତା’ଠାରୁ ସମସ୍ତ ଘଟନା ଜଣା ପଡ଼ିବ। ତେବେ ଉଆଁସୀକୁ ମିଶାଇ ଏ ଚାରିଜଣ । ବାକି ମଣି ନାୟକ କେଉଁଠି ଅଛି ? ସମସ୍ତେ ମୋଟରେ ପାଞ୍ଚଜଣ । ହେମବାବୁ ସନ୍ଦେହ କୁହେଳୀ ଭିତରେ ସତ୍ୟ ଆଲୋକର ସନ୍ଧାନ ପାଇଲେ । ତାଙ୍କ ଚକ୍ଷୁ ଆନନ୍ଦରେ ମୁହୂର୍ତ୍ତକ ପାଇଁ ଉଜ୍ଜ୍ୱଳ ହୋଇ ଉଠିଲା ସତ; ମାତ୍ର ରବୀନ୍ଦ୍ର ପ୍ରଭୃତିଙ୍କର ଅଭାବନୀୟ ଅଲାସ୍ଥା ସ୍ମରଣ କରି ତାଙ୍କ ମନ ପର ମୁହୂର୍ତ୍ତରେ ଫିକା ପଡ଼ିଗଲା ।

 

ହେମବାବୁ ମଟରରୁ ଓହ୍ଲାଇ ହିରଣ୍ ବାବୁଙ୍କ କୋଠା ଭିତରକୁ ପଶିଗଲାବେଳେ ଦେଖିଲେ, ସାମ୍ନା ଘରେ ପୁଲିସ ଦି’ଟା ହସ୍ତପଦବଦ୍ଧ ଅବସ୍ଥାରେ ପଡ଼ିଛନ୍ତି । ଦେହରେ ଜ୍ଞାନ ନାହିଁ । ଚା’ ପାତ୍ର ଦିଓଟି ନିକଟରେ ପଡ଼ିଛି । ତା ପରେ ସଙ୍ଗରେ ଥିବା ପୁଲିସ କନ୍‍ଷ୍ଟେବଳଙ୍କୁ ବନ୍ଧନ ଫିଟାଇବାକୁ କହି ବୈଠକଖାନାକୁ ଗଲେ । ସେଠାରେ ରବୀନ୍ଦ୍ର ଓ ସୁରେଶବାବୁଙ୍କୁ ହାତପାଦ ବନ୍ଧା ଓ ଜ୍ଞାନଶୂନ୍ୟ ଅବସ୍ଥାରେ ଦେଖି ତାଙ୍କ ମୁହଁରୁ ଆଉ କଥା ବାହାରିଲା ନାହଁ । ପାଖରେ ଚା’ ପାତ୍ରମାନ ଦେଖି ତାଙ୍କର ଆଉ ସନ୍ଦେହ ରହିଲା ନାହିଁ ଯେ ଏହି ଚା’ ପାନହିଁ ସବୁ ଅନର୍ଥର ମୂଳ । ସେ ଓ ସବ୍ଇନ୍‍ସପେକ୍ଟର ଶଶୀବାବୁ ଦୁହେଁ ମିଶି ସେମାନଙ୍କୁ ବନ୍ଧନମୁକ୍ତ କଲେ । ନିଜ ମଟର ଡ୍ରାଇଭରକୁ ମଟରରେ ସଙ୍ଗେ ସଙ୍ଗେ ଗୋଟିଏ ଅମ୍ୱୁଲାନସ କାର ଆଣିବାକୁ ପଠାଇଲେ । ଏମାନଙ୍କୁ ସଚେତ କରିବାର ଯେତେ ଚେଷ୍ଟା କରାଗଲା କାହାରି ଚୈତନ୍ୟ ଫେରିଲା ନାହିଁ । ତା' ପରେ ଶଶୀବାବୁଙ୍କ ସହ ଯେ ଉପର ମହଲାକୁ ଉଠିଲେ । ସେଠାରେ ବାରଣ୍ଡାରେ ଚା’ କପ୍‍ଟିଏ ଭାଙ୍ଗି ପଡ଼ିଥିବାର ଦେଖିଲେ । ତାଙ୍କର ବିଶ୍ୱାସ ଆହୁରି ଦୃଢ଼ ହେଲା । ଘର ଭିତରକୁ ଯାଇ ଦେଖିଲେ, ହିରଣ ବାବୁ ସେହିପରି ସୁପ୍ତ ଅବସ୍ଥାରେ ଅଛନ୍ତି । ଗୋଟିଏ ବଡ଼ ଟ୍ରଙ୍କ୍ ଖୋଲା ପଡ଼ିଛି, ସେଥିର ଜିନିଷପତ୍ରଗୁଡ଼ାକ ଓଲଟ ପାଲଟ ହୋଇ ପଡ଼ିଛି । ରାସ୍ତାରେ ମଟର ଶବ୍ଦ ଶୁଭିବାରୁ ବୋଧ କଲେ, ଆମ୍ୱୁଲାନସ୍ କାର ଆସିଗଲାଣି । ସେ ହତଜ୍ଞାନ ହିରଣ ବାବୁ, ସୁରେଶ ବାବୁ, ରବୀନ୍ଦ୍ର ଓ ପୁଲିସ୍ ପ୍ରହରୀ ଦି’ ଜଣଙ୍କୁ ନେଇ ମଟରରେ ଶୁଆଇ ଦେଲେ । ସଙ୍ଗରେ ଆସିଥିବା ପୁଲିସ ପ୍ରହରୀ ଦି’ ଜଣଙ୍କୁ ଘର ଜଗାଇ ନିଜ କାରରେ ଚଢ଼ି ହସପିଟାଲ ଅଭିମୁଖରେ ଯାତ୍ରା କଲେ। ଆମ୍ବୁଲାନସ କାର୍‍ଟି ମଧ୍ୟ ସଙ୍ଗେ ସଙ୍ଗେ ଯାଉଥିଲା ।

 

ଡାକ୍ତରଖାନାରେ କିଛି ସମୟ ରହି ସୁରେଶବାବୁ ରବୀନ୍ଦ୍ର ପ୍ରଭୃତିଙ୍କର ଚିକିତ୍ସା ଭାର ସର୍ଜନଙ୍କ ଉପରେ ଦେଇ ଓ ନିଜେ ମଧ୍ୟ ଚିକିତ୍ସିତ ହୋଇ ହେମବାବୁ ସେ ଦିନ ରାତିରେ ବସାକୁ ଫେରିଗଲେ । ଆଉ ରାତି ବେଶି ନ ଥିଲା । ସେ କ୍ଲାନ୍ତ ହୋଇ ପଡ଼ିଥିଲେ । ସଙ୍ଗେ ସଙ୍ଗେ ଶୋଇ ପଡ଼ିଲେ । ତତ୍ପର ଦିନ ସକାଳୁ ପୁଣି ହସପିଟାଲରେ ପହଞ୍ଚିଲେ । ରବୀନ୍ଦ୍ର, ସୁରେଶବାବୁ, ସରଯୂ ଓ ହିରଣବାବୁ ସମସ୍ତଙ୍କର ଚେତା ଆସି ଯାଇଥିଲା । ଉଆଁସୀର ଚୈତନ୍ୟ ଆସି ସଙ୍ଗେ ସଙ୍ଗେ ଲୋପ ପାଇ ଯାଉଥିଲା। ଉଆଁସୀ ପାଖରେ ପୁଲିସ ଗାର୍ଡର ବନ୍ଦୋବସ୍ତ ହେଲା । ସୁରେଶବାବୁ, ରବୀନ୍ଦ୍ର ପ୍ରଭୃତିଙ୍କର କ୍ରମେ ଚେତା ଆସିଥିଲା ସତ, ମାତ୍ର ଦୈହିକ ଦୁର୍ବଳତା ଓ କ୍ଲାନ୍ତ ଭାଙ୍ଗି ନ ଥିଲା । ସୁସ୍ଥ ଅବସ୍ଥାରେ ସମସ୍ତଙ୍କୁ ଦେଖି ହେମବାବୁ ଈଶ୍ୱରଙ୍କୁ ଅଶେଷ ଧନ୍ୟବାଦ ମନେ ମନେ ଜ୍ଞାପନ କରିବାକୁ ଲାଗିଲେ । ସୁରେଶ ବାବୁ ପ୍ରମୁଖ ମଧ୍ୟ ହେମ ବାବୁଙ୍କୁ ପାଦରେ ନମସ୍କାର କରି ଦୃଦୟର କୃତଜ୍ଞତା ଜଣାଇଲେ । ପ୍ରଥମେ ସୁରେଶବାବୁ ହସି କହିଲେ, ‘‘ଏଥରକ ମହାଯାତ୍ରାରୁ ଆମ୍ଭମାନଙ୍କୁ ଆପଣ ରକ୍ଷା କରିଛନ୍ତି । କ୍ଷଣିକର ଅସାବଧାନତା ଓ ଟିକିଏ ବୋକାମି ଯୋଗୁଁ ଯେ କି ଭୟଙ୍କର ବିପଦର ସମ୍ମୁଖୀନ ଆମ୍ଭେମାନେ ହୋଇଥିଲୁଁ, ତା’ ବର୍ତ୍ତମାନ ବୁଝି ପାରୁଛୁଁ ।

 

ହେମବାବୁ କହିଲେ, “ଏ ନୂଆ କଥା ନୁହେଁ । ଜଣେ ଜଣେ ବ୍ୟକ୍ତିର ସାମାନ୍ୟ ପ୍ରମଦ ଯୋଗୁଁ ଗୋଟାଏ ଗୋଟାଏ ଜାତି, ସମାଜ ଓ ଦେଶ ଯେ ଧ୍ୱଂସର ସମ୍ମୁଖୀନ ହୁଏ । ତେବେ ଚା’ ଖାଇ | ଯେ ଆପଣମାନଙ୍କର ଏ ଦଶା, ତାହା ପରିଷ୍କାର ଜଣା ପଡ଼ିଛି । ଚା’ ସଙ୍ଗେ ଉତ୍କଟ ବିଷ ମିଶାଇ ଦିଆଯାଇଥିଲା । ତାହା ରାସାୟନିକ ଗବେଷଣା ଦ୍ୱାରା ବର୍ତ୍ତମାନ ଜଣାପଡ଼ିଲା ।”

 

ରବୀନ୍ଦ୍ର କହିଲା, ‘‘ଉଆଁସୀର ଗୁପ୍ତ ହାତସଫେଇ ଖୁବ୍ କାମ ଦେଖାଇଛି । ଆମ୍ଭମାନଙ୍କ ଅସାବଧାନତା ଯେ ଏ ଦୁର୍ଦ୍ଦଶାର କାରଣ, ଏଥିରେ ସନ୍ଦେହ ନାହିଁ ।''

 

ସୁରେଶ ବାବୁ କହିଲେ, “ଚା’ ପିଇବାଯାଏଁ ମୋର ଜ୍ଞାନ ଥିଲା । ତା' ପରେ କ’ଣ ହେଲା, ଆମେ ଏଠାକୁ ଆସିଲୁଁ ବା କିପରି କ’ଣ ଘଟଣା ବା ଘଟିଲା, ସେ ସବୁ ଜାଣିବାପାଇଁ ଆମର ଏକାନ୍ତ କୌତୁହଳ ଜାତ ହେଉଅଛି ।”

 

ହିରଣ ବାବୁ କହିଲେ, “କେତେ କୌତୁହଳ, ଉତ୍କଣ୍ଠା, ଆବେଗ ଯେ ମୁଁ ହୃଦୟରେ ଚାପି ରଖିଛି, ହୃଦୟରେ ଚରିଲେ ସେ ସବୁର ନଗ୍ନରୂପ ଆପଣମାନେ ଦେଖିବାକୁ ପାଆନ୍ତେ । ମୁଁ ମଧ୍ୟ ଜାଣିବାକୁ ଚାହେଁ, ମୁଁ ଏଠାକୁ ଆସିଲି କିପରି ?'’

 

ହେମବାବୁ ହସି ହସି କହିଲେ, “ଡାକ୍ତର ବେଶଧାରୀ ରଫୁ ଆପଣଙ୍କୁ ସ୍ଵପ୍ନ-ରାଜ୍ୟରେ ଘୂରାଉଥିଲା, ଏମାନଙ୍କୁ ମହାସୁଷୁପ୍ତି ରାଜ୍ୟକୁ ନେବାକୁ ଚେଷ୍ଟା କରୁଥିଲା ମାତ୍ର । ବର୍ତ୍ତମାନ ସମୟ ନାହିଁ । ଆସନ୍ତୁ ଆପଣମାନେ ସମସ୍ତେ ଘରଠାକୁ; ବାଟରେ ମୁଁ ସମସ୍ତ ବିଷୟ କହିବି ଅତି ସଂକ୍ଷେପରେ ।’’

 

ସଙ୍ଗେ ସଙ୍ଗେ ହେମବାବୁ, ସୁରେଶବାବୁ, ରବୀନ୍ଦ୍ର, ସରଯୂ, ଓ ହିରଣ୍ ବାବୁ ଯାଇଁ ମଟରରେ ବସିଲେ । ମଟର ଛାଡ଼ିବା ସଙ୍ଗେ ସଙ୍ଗେ ହେମବାବୁ କହିବାକୁ ଆରମ୍ଭ କଲେ, ‘‘ମୁଁ ସେଦିନ ହିରଣ୍ ବାବୁଙ୍କ କୋଠା ସାମନାରେ ଜଗିରହିଲି; ପୁଲିସ ଦି' ଜଣଙ୍କ ସହିତ ତୁମ୍ଭେମାନେ ତ ଭିତରକୁ ଗଲ । କିଛି ସମୟ ପରେ ଗୋଟିଏ ମଟର ଆସି ପହଞ୍ଚିଲା । ସେଥିରୁ ଡାକ୍ତର ବେଶଧାରୀ ରଫୁ ବାହାରି ଭିତରକୁ ଗଲା । ମୁଁ ସେ ଅନ୍ଧକାର ଭିତରେ ତା'ର ଚାଲିଚଳଣରୁ ତାକୁ ଜାଣିନେଲି । ଅଳ୍ପ ସମୟ ଯାଇଛି କି ନାହିଁ, ଗୋଟିଏ କ୍ଷୀଣ ଦୁଇସ୍ଳଧ୍ୱନି ଘରଭିତରୁ ଶୁଣାଗଲା । ମଟରରୁ ଆଉ ଜଣେ ଭଦ୍ରଲୋକ ବାହାରି ଡ୍ରାଇଭରକୁ ବୋଧହୁଏ କିଛି ଉପଦେଶ ଦେଇ ଘରଭିତରକୁ ଗଲେ । ଅର୍ଦ୍ଧରାତ୍ର—ଚାରିଆଡ଼ ନୀରବ, ନିସ୍ତବ୍ଧ । ଘରଭିତରୁ ମଧ୍ୟ କୌଣସି ସଙ୍କେତ ଧ୍ୱନି ଆମ ତରଫରୁ ପାଇଲି ନାହିଁ । ମୋ ମନରେ ସନ୍ଦେହ ଜାତ ହେଲା । ମୁଁ ଭାବିଲି, ନିଶ୍ଚୟ ଏ ଦସ୍ୟୁଦଳ; ଭିତରେ ଭିତରେ କିଛି କାଣ୍ଡ ଘଟାଇଛନ୍ତି । ଏହି ସମୟରେ ଗାଡ଼ିର ଡ୍ରାଇଭରଟା ଉଠି ମଟର ପାଖରେ ବୁଲିବାକୁ ଲାଗିଲା । ମୁଁ ପୁଲିସ ପ୍ରହରୀ ଦୁଇଜଣଙ୍କୁ କହିଲି, ‘ତୁମେ ଜଣେ ଯାଇ ତା ପଛପାଖରୁ ଆଖି ବୁଜି ଧର, ଆଉଜଣେ ମୁହଁରେ ରୁମାଲ ପୁରାଇ ଦିଅ ।’ ପୁଲିସ ଦି’ଜଣ ଅତି ସତର୍କତାର ସହ ଯାଇ ସେମାନଙ୍କ କାର୍ଯ୍ୟସଂପନ୍ନ କଲେ । ଡ୍ରାଇଭରଟା ପ୍ରଥମେ ଛାଟିପିଟି ହେଉଥିଲା । ତା’ପରେ ହାତରେ ହାତକଡ଼ି ପିନ୍ଧାଇ ପୁଲିସ ଦୁହିଁଙ୍କ ସହ ତାକୁ ଥାନାକୁ ପଠାଇଦେଲି-। ତା’ ପୂର୍ବରୁ ମୁଁ ତାର ପୋଷାକ ପିନ୍ଧି ସାରିଥିଲି ।’’

 

ସୁରେଶବାବୁ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ‘‘ସେ ଲୋକଟା ଏବେ କ’ଣ ଥାନା ହାଜତରେ ଅଛି ?’’

 

ହେମବାବୁ କହିଲେ, “ନିଶ୍ଚୟ ଥିବ । ତା' ନାଁ ୟାଂସୁ’ । ମୁଁ ଘରଭିତରକୁ ଯିବାକୁ ବସିଛି, ଏହି ସମୟରେ ପାଦଧ୍ଵନି ଶୁଣି ଚୁପ୍ ହୋଇ ଆସି ଡ୍ରାଇଭର ସିଟରେ ବସିଲି । କିଛି ସମୟ ପରେ ହୀନୁ ଓ ରଫୁ ଜ୍ଞାନଶୂନ୍ୟା ସରଯୂଙ୍କୁ ମଟରରେ ଆଣି ଶୁଆଇଲେ । ହୀନୁ ଆସି ମୋତେ ଚିହ୍ନି ନ ପାରି ‘ୟାଂସୁ’ ବୋଲି ସମ୍ବୋଧନ କଲା । ସେଥିରୁ ଜାଣିଲି, ହୀନୁର ଡ୍ରାଇଭର ସଙ୍ଗୀଟିର ନାଁ ୟାଂସୁ-।’’ କହିସାରିଲାବେଳକୁ ମଟର ହିରଣବାବୁଙ୍କ କୋଠା ସମ୍ମୁଖରେ ପହଞ୍ଚି ଯାଇଥିଲା-। ସମସ୍ତେ ମଟରରୁ କୋଠା ଭିତରକୁ ଯିବା ଅବସରରେ ହେମବାବୁ କହିଲେ, “ସବୁଠାରୁ ବେଶି ହାସ୍ୟଜନକ ହେଉଛି ଉଆଁସୀର ପୁରୁଷ ବେଶରେ ଆସି ମଟରରେ ଉପବେଶନ । ପ୍ରଥମେ ମୁଁ ତାକୁ ଆଦୌ ଚିହ୍ନି ପାରିଲି ନାହିଁ ।’’

 

ହିରଣବାବୁ ହସି ହସି କହିଲେ, ଏ ‘‘ନାଟକର ପ୍ରଧାନ ନାୟିକା ରୂପେ ମୁଁ ଦେଖିବାକୁ ପାଉଛି ଉଆଁସୀକୁ ।’’

 

ସୁରେଶବାବୁ ଉଆଁସୀର ବିନୟ, ସୌଜନ୍ୟର ଛଳନା, ଚା’ ପରଶିବାରେ କ୍ଷିପ୍ରତା ସମସ୍ତ ଗୋଟି ଗୋଟି ବର୍ଣ୍ଣନ କରି ନିଜର ଦୁର୍ଦ୍ଦଶା ଫାନ୍ଦରେ ପଡ଼ିବାକଥା କହିବାକୁ ଛାଡ଼ିଲେ ନାହିଁ । ତା'ପରେ ଦସ୍ୟୁମାନେ କିପରି ପଳାୟନ କଲେ, ସେ ବିଷୟ ହେମବାବୁଙ୍କୁ ପଚାରିଲେ ।

 

ହେମବାବୁ ମଧ୍ୟ ଦସ୍ୟୁମାନଙ୍କର ଚାଲାଖି, ନିଜର ଧରାପଡ଼ିବା ଓ ମଟର ଦୁର୍ଘଟଣା ଆଦି ସମସ୍ତ ବିଷୟ ବର୍ଣ୍ଣନା କରି କୋଠାର ଉପର ମହଲାକୁ ଉଠିଲେ ।

 

ଆଠ

 

ହିରଣବାବୁଙ୍କ ଶୟନ କକ୍ଷରେ ସରଯୂ ପ୍ରବେଶ କରି ଟ୍ରଙ୍କ ଓ ତହିଁ ମଧ୍ୟରେ ଥିବା ବାକ୍ସ ଖୋଲା ହୋଇ ପଡ଼ିଥିବାର ଦେଖି ହଠାତ୍ ଚିତ୍କାର କରି ଉଠିଲେ । ସେ ବ୍ୟସ୍ତ ହୋଇ ସେଗୁଡ଼ିକ ଆଡ଼େଇବାକୁ ଯାଉଥିଲେ; ମାତ୍ର ହେମବାବୁ କହିଲେ, ଆପଣ ଅଧୀରା ହୁଅନ୍ତୁ ନାହିଁ । ମୁଁ ଆଗ ଫଟୋ ନେଇଯାଏ । ତା'ପରେ ଆପଣ ଦେଖିବେ ।’’

 

କାମରା ସାହାଯ୍ୟରେ ଫଟୋ ଉଠାଗଲା । ସରଯୂ ଉତ୍କଣ୍ଠିତ ଓ ଶଙ୍କିତ ହୃଦୟରେ ଯାଇ ଦେଖିଲେ, ବାକ୍ସଟି ଖୋଲା ପଡ଼ିଛି; ତା' ଭିତରେ ତାଙ୍କର ଅତି ପ୍ରିୟ ବସ୍ତୁ ହୀରକ ହାରଟି ନାହିଁ । ହେମବାବୁଙ୍କୁ ସେ ସଜଳ ନୟନରେ କହିଲେ, ‘ଆଜି ମୁଁ ବାସ୍ତବରେ ଆତ୍ମୀୟହରା ହେଲି । ମାମୁଁଙ୍କର ମଧୁର ସ୍ମୃତିଜଡ଼ିତ ଏ ସ୍ନେହର ହାରଟି ହରାଇ ମୁଁ ସମସ୍ତ ସମ୍ପତ୍ତି ହରାଇଲାପରି ବୋଧ କରୁଛି । ହୀନୁର ଚେଷ୍ଟା...ଯୁବତୀ ଆଉ କହିପାରିଲେ ନାହିଁ । ଧାର ଧାର ଅଶ୍ରୁ ତାଙ୍କର ଗଣ୍ଡଦେଶ ଦେଇ ପ୍ରବାହିତ ହେଲା ।

 

ହିରଣ ବାବୁ ଆଶ୍ୱାସନା ଦେଇ କହିଲେ, “ସରଯୂ, ଜୀବନ ତୁଳନାରେ ଏ ଧନ ଅତି ସାମାନ୍ୟ । ଆମେ ଯେ ମୃତ୍ୟୁମୁଖରୁ ଉଦ୍ଧାର ପାଇଛେଁ, ଏହା କଣ ଭଗବାନଙ୍କର ଯଥେଷ୍ଟ ଆଶୀର୍ବାଦ ନୁହେଁ ? ହେମବାବୁଙ୍କର ଋଣ ଆମେ ଏ ଜୀବନରେ ଶୁଝି ପାରିବା ନାହିଁ । ଦେଖ, ଆମ ସକାଶେ କେତୋଟି ମହାପ୍ରାଣୀ ଅକାଳ ମୃତ୍ୟୁର ସମ୍ମୁଖୀନ ହେଉଥିଲେ ।

 

ହିରଣବାବୁଙ୍କର ରୂପ, ଶୀଳ, ବିନୟ, ଭଦ୍ରତା, ଶିକ୍ଷା ସମସ୍ତଙ୍କର ଚିତ୍ତକୁ ଆକର୍ଷଣ କରିଥିଲା । ସେ ଯେ ସରଯୂଙ୍କର ଉପଯୁକ୍ତ ସ୍ୱାମୀ, ଏଥିରେ କାହାରି ସନ୍ଦେହ ନ ଥିଲା ।

 

ହେମବାବୁ ସରଯୂଙ୍କୁ ଉଦ୍ଦେଶ୍ୟ କରି କହିଲେ, ‘‘ଆପଣ ଅଧୀର ହୁଅନ୍ତୁ ନାହିଁ । ଯଦି ହୀରକ ହାରଟି ଏଥିଭିତରେ ନଷ୍ଟ ନ ହୋଇ ଥାଏ, ମୁଁ ନିଶ୍ଚୟ ତା’ର ପୁନରୁଦ୍ଧାରର ଚେଷ୍ଟା କରିବି । ସେଥିପାଇଁ ମୁଁ ଦୃଢ଼ ପ୍ରତିଶ୍ରୁତି ଦେଉଛି । ଆପଣମାନେ ଘରେ ସାପ ପୋଷିଥିଲେ; ସେ ଚୋଟ ଆଉ କାହାକୁ ମାରିବ ?’’

 

ସରଯୂ କହିଲେ, ‘‘ଉଆଁସୀ କଥା କହୁଛନ୍ତି’ତ ? ପ୍ରକୃତରେ ସ୍ତ୍ରୀ ହୋଇ ଏତେ ଚାତୁରୀ ଲୋକ ଦେଖାଇପାରେ, ଏହା ମୁଁ ଜୀବନରେ ଅନୁଭବ କରି ନ ଥିଲି । ବର୍ତ୍ତମାନ ସିନା ମୁଁ ଜାଣିପାରୁଛି ସେ ହୀନୁର ଲୋକ ହୋଇ ତା’ର କାର୍ଯ୍ୟ ସାଧିବାକୁ ଆମ ଘରେ ରହିଥିଲା । ଦିନେ ସୁଦ୍ଧା ସେ ଏପରି କାର୍ଯ୍ୟ କରି ନାହିଁ, ଯା’ଦ୍ୱାରା ତା'ଠି ସନ୍ଦେହ ହେବ ସେ ଶତ୍ରୁପକ୍ଷର ଲୋକ ବୋଲି । ଶେଷ ମୂହୂର୍ତ୍ତରେ ଚା’ରେ ବିଷ ଦେଇ ଆମକୁ ମାରିବ ଓ ହୀନୁକୁ ହୀରକ ହାର ସନ୍ଦେଶ ଦେଇ ଏତେ କାଣ୍ଡ ଘଟାଇବ ବୋଲି ମୋର ଆଦୌ ବିଶ୍ୱାସ ନ ଥିଲା ।”

 

ହେମବାବୁ ହସି କହିଲେ, “ରଫୁ ମଧ୍ୟ ଏହି ଉଆଁସୀ ଜରିଆରେ ଆପଣମାନଙ୍କୁ ହାତ କରି ହିରଣବାବୁଙ୍କୁ ଔଷଧ ଦେଉଛି ବୋଲି କହି ବିଷ ଦେଇ ଅଚେତ ରଖୁଥିଲା ।”

 

ରବୀନ୍ଦ୍ର ହସି କହିଲା, ‘‘ଏ ଉଆଁସୀଟି କୋଉଠୁଁ ଆପଣଙ୍କ ଘରେ ଜୁଟିଲା ?’’

 

ସରଯୂ କହିଲେ, “ଆମେ ୟାକୁୟାବ୍‍ରେ ଥିବାବେଳେ ଏ ଅକସ୍ମାତ୍ ଦିନେ ଆସି ଶରଣ ପଶିଲା । କହିଲା, ‘ମୁଁ ବଡ଼ଘର ଝିଅ ଥିଲି, ବଡ଼ଘରେ ବିଭା ହୋଇ ବଡ଼ ଲୋକର ହାତ ଧରି ଥିଲି-। ମାତ୍ର ମୋ କର୍ମକୁ ଅଣ୍ଟିଲା ନାହିଁ । ଶାଶୁଘରକୁ ଯିବାର ବର୍ଷେ ନ ହେଉଣୁ ମୋ ସ୍ଵାମୀ ରେଙ୍ଗୁନରେ ମରିଗଲେ । ତା ପରେ ଶାଶୁଶଶୁରଙ୍କର ଅତ୍ୟାଚାର ମୋ ଉପରେ ଆରମ୍ଭ ହେଲା। ମୋର ଉଆଁସ ତିଥିରେ ଜନ୍ମ ବୋଲି, ମୁଁ ସ୍ଵାମୀଙ୍କୁ ଖାଇଲି ବୋଲି ମୋତେ ସଦାବେଳେ ଶାଶୁଶଶୁର ଝିଙ୍ଗାସିବାକୁ ଲାଗିଲେ । ଦାସୀପରି ଘରର ଯାବତୀୟ କାର୍ଯ୍ୟ କଲେ ମଧ୍ୟ ଦିଅରମାନଙ୍କ ଅତ୍ୟାଚାର ମୋ ଉପରେ ପ୍ରବଳ ହେଲା । ଭାବିଲି, ଆତ୍ମହତ୍ୟା କରିବି-। ମୁଁ ଭଦ୍ରଲୋକ ଘରର ସ୍ତ୍ରୀ, ଏହାଦ୍ୱାରା ନିଜର ନାଁ ପଡ଼ିବ, ବାପ ଘର ଓ ଶଶୁର ଘରର ନାଁ ପଡ଼ିବ, ବରଂ ଏହା ଅପେକ୍ଷା ଏ ଗୃହତ୍ୟାଗ ଶ୍ରେୟସ୍କର; ଏହା ଭାବି ମୁଁ ଘର ଛାଡ଼ି ରେଙ୍ଗୁନରେ ଆପଣଙ୍କ ନାଁ ଶୁଣି ଆପଣଙ୍କ ଘରର ଅନୁସନ୍ଧନ ନେଲି । ସେଠାରେ ଶୁଣିଲି, ଆପଣ ୟାକୁୟାବ୍ ଅସିଛନ୍ତି-। ମୁଁ ଏଠାକୁ ବହୁ କଷ୍ଟରେ ଆସିଛି । ମୋତେ ଆଶ୍ରୟ ଦିଅନ୍ତୁ ।’ ସରଯୂ କହିବାକୁ ଲାଗିଲେ, ମୁଁ ତା କଥାରେ ତରଳି ଯାଇ ତାକୁ ଆଶ୍ରୟ ଦେଲି । ଏହାର ନାଁ କୁଆଡ଼େ ପଙ୍କଜିନୀ ଥିଲା-। ସ୍ୱାମୀର ମୃତ୍ୟୁପରେ ଏହାର ଶାଶୁ ଏହାକୁ ଉଆଁସୀ ଉଆଁସୀ ବୋଲି ଡାକିଲେ ।”

 

ସୁରେଶ ବାବୁ କହିଲେ, ‘‘ରୋପିଲା ଗଛକୁ କୁଣ୍ଡ ପାଏ ନାହଁ । ଉଆଁସୀ ଶିକ୍ଷିତା ସ୍ତ୍ରୀ ପରି ଜଣା ପଡ଼ୁଛି ।

 

‘‘କେବଳ ଶିକ୍ଷିତା ନୁହେଁ, ବିଶେଷ ବୁଦ୍ଧିମତୀ ମଧ୍ୟ । ଦେଖୁ ନାହାନ୍ତି, ଉଦ୍ଦେଶ୍ୟସିଦ୍ଧି ପାଇଁ ସଚ୍ଚୋଟ୍ ଦାସୀପରି ସେ ସବୁ କାର୍ଯ୍ୟ ତୁଲାଇବାକୁ ଟିକିଏ ସୁଦ୍ଧା କୁଣ୍ଠିତ ତ ହୋଇ ନାହିଁ । ତା’ପରେ କାଲି ଆମେ ଏଠାକୁ ଆସି ରାତିରେ ଜଗିବା ବୋଲି ଯେତେବେଳେ ପ୍ରସ୍ତାବ କରି ମଟରରେ ଚଢ଼ିଲେ, ଠିକ୍ ସେତିକିବେଳେ ଜଣେ ସାଧୁ ଆସିଲେ ଭିକ୍ଷାମାଗିବା ଛଳନାରେ । ମୋର ଯେତେ ଦୂର ମନେ ହୁଏ, ସେ ହୀନୁ । ଉଆଁସୀ ସେତିକିବେଳେ ଭିକ୍ଷାଦେବା ଛଳରେ ଆସି ତାକୁ ସମସ୍ତ ସମ୍ବାଦ ଦେଇଥିଲା ଓ ଚା’ରେ ମିଶାଇବା ପାଇଁ ବିଷାକ୍ତ ଗୁଣ୍ତ ବୋଧହୁଏ ତାଠୁ ନେଇଥିଲା । ପୂର୍ବରୁ ମୁଁ ଉଆଁସୀର ଆମ ପ୍ରତି ବିଦ୍ରୂପ, ତାଚ୍ଛଲ୍ୟ ଲକ୍ଷ୍ୟ କରିଥିଲି ।'’ ହେମବାବୁ ନିଃସନ୍ଦେହ ଚିତ୍ତରେ ଏତକ କହିଗଲେ ।

 

ହିରଣ ବାବୁ କହିଲେ, ‘‘ଠିକ୍ ଆପଣ ଅନୁମାନ କରିଛନ୍ତି । ତେବେ ଆପଣମାନଙ୍କୁ ମାରିବା ଲକ୍ଷ୍ୟ ତା’ର ନ ଥିଲା । ତା’ଥିଲେ ଉଆଁସୀ ଯେଉଁ ବିଷାକ୍ତ ଗୁଣ୍ତଚା’ରେ ଦେଇଥିଲା, ସେଥିରେ ଆପଣମାନେ ଏକାବେଳେ ଖତମ୍ ହୋଇ ଥାଆନ୍ତେ । କିନ୍ତୁ ମୋତେ ଯେଉଁ ନିଶା ପିଆ ଯାଉଥିଲା ସେଥିରେ କୋକେନ୍ ପ୍ରଭୃତି ଧରଣର ଦୀର୍ଘକାଳସ୍ଥାୟୀ ନିଶା ଜିନିଷ ଥିଲା ।”

 

ହେମବାବୁ ମନେମନେ ସ୍ଥିର କଲେ, ଏ ଉଆଁସୀର ତଥ୍ୟ ଅନୁସନ୍ଧାନ ବର୍ମାକୁ ଗଲେ ବଳେ ହୋଇପାରିବ; ମାତ୍ର ସରଯୂ ହାର କଥା କହିଲାବେଳେ କାହିଁକି ଇତସ୍ତତଃ ହେଉଛନ୍ତି, ତାହା ତାଙ୍କ ମନରେ ସନ୍ଦେହ ଆଣିଥିଲା ବୋଧହୁଏ । ଏ କୌଣସି ପ୍ରାଚୀନ ରାଜବଂଶର ସମ୍ପତ୍ତି, ତାହା । ସରଯୂଙ୍କ ମାମୁଁ କୌଶଳକ୍ରମେ ହସ୍ତଗତ କରିଥିଲେ । ସେଥିପାଇଁ ସରଯୂଙ୍କର ଏ ଇତସ୍ତତଃ ଭାବ । ଏହାପରେ ହେମବାବୁ ବେଳ ହୋଇଗଲାଣି ବୋଲି କହି ଉଠିଲେ । ସୁରେଶ ବାବୁ ଓ ରବୀନ୍ଦ୍ର ମଧ୍ୟ ତାଙ୍କ ସଙ୍ଗରେ ମଟରରେ ସହଯାତ୍ରୀ ହେଲେ । ଥାନାରେ ପହଞ୍ଚିଲାବେଳକୁ ଘଣ୍ଟା ବାର ବାଜିଗଲାଣି । ସେଠାରେ ଶୁଣିଲେ ଚଉଦ ନମ୍ବର ପୁଲିସ୍ କାଲି ତେଲଙ୍ଗାବଜାର ଆଡ଼େ ପହରା ଦେଉଥିଲା । ତା’ର ପତ୍ତା ମିଳୁ ନାହିଁ । ତା’ର ସନ୍ଧାନ ନେବାର ବନ୍ଦୋବସ୍ତ କରାଗଲା । ୟାଂସୁ ଗତ ରାତ୍ରିରୁ ଥାନା ହାଜତରେ ଥିଲା । ତାକୁ ଡକାଇ ପ୍ରଶ୍ନ କରିବାରୁ ସେ ଉଁ ଚୁଁ କିଛି କହିଲା ନାହିଁ । ବେଳ ବେଶୀ ହୋଇଯିବାରୁ ହେମବାବୁ “ଆଚ୍ଛା, ଉପରବେଳା ଦେଖିବା, ବୋଲି କହି ୟାଂସୁକୁ ପୁଣି ହାଜତରେ ବନ୍ଦ କରି ରଖିବାରୁ ସୁରେଶ ବାବୁଙ୍କୁ ଅନୁରୋଧ କଲେ ଓ ମଟରରେ ବସି ରବୀନ୍ଦ୍ର ସହ ବସାକୁ ଗଲେ ।

 

ନଅ

 

ସେଦିନ ଉପରବେଳା ହେମବାବୁ ବୈଠକଖାନାରେ ବସି ରବୀନ୍ଦ୍ରକୁ କହିଲେ, “ରବୀନ୍ଦ୍ର, ଫଟୋଗୁଡ଼ାକ ଆଣ ତ ।’

 

ରବୀନ୍ଦ୍ର ହିରଣ୍ ବାବୁଙ୍କ ଘରଠାରେ ନିଆଯାଇଥିବା ଫଟୋଗୁଡ଼ିକ ହେମବାବୁଙ୍କୁ ଆଣିଦେଲା । ହେମବାବୁ ନିବିଷ୍ଟ ଚିତ୍ତରେ ସେଗୁଡ଼ିକ ପରୀକ୍ଷା କରିବାକୁ ଲାଗିଲେ । ତାଙ୍କ ଗମ୍ଭୀର ମୁଖମଣ୍ଡଳରେ ସନ୍ତୋଷର ଛାୟା ପ୍ରତିଫଳ ହେଲା । ସେ ରବୀନ୍ଦ୍ରକୁ କହିଲେ, “ରବୀନ୍ଦ୍ର, ଏଗୁଡ଼ିକ ରଖିଦିଅ; ଯାହା ମିଳିବାର କଥା ତା ମିଳିଗଲା ।

 

ରବୀନ୍ଦ୍ର ସେଗୁଡ଼ିକୁ ନେଇ ଯଥାସ୍ଥାନରେ ରଖିଲା । ତା’ପରେ ହେମବାବୁ ହସ୍ପିଟାଲ ଦେଇ ଥାନାକୁ ଯିବାକୁ ପ୍ରସ୍ତୁତ ହେଲେ ଏବଂ ରବୀନ୍ଦ୍ରକୁ ଡାକି କହିଲେ, “ରବୀନ୍ଦ୍ର, ତୁମକୁ ଆଜି ତେଲଙ୍ଗାବଜାରରେ ରାତିରେ ଅନୁସନ୍ଧାନ ନେବାକୁ ପଡ଼ିବ । ଚଉଦ ନମ୍ବର ପୋଲିସର ପିତ୍ତା ମିଳୁନାହିଁ । ବୋଧହୁଏ ଦସ୍ୟୁଦଳ କୌଣସି ଉଦ୍ଦେଶ୍ୟରେ ତାକୁ ହରଣଚାଳ କରିଛନ୍ତି । ତୁମକୁ ରୀତିମତ ଖଟିବାକୁ ପଡ଼ିବ । ଆଜି ରାତିରେ ସେମାନଙ୍କର ଆଡ଼୍ଡ଼ା ଜାଗା ଓ ଚଉଦ ନମ୍ବର ପୋଲିସକୁ ଖୋଜି ବାହାର କରିବାକୁ ହେବ । ଠିକ୍ ସନ୍ଧ୍ୟା ସମୟରେ ତୁମେ ବାହାରିବ । ଆଗରୁ ଖିଆପିଆ ସାରି ପ୍ରସ୍ତୁତ ହୋଇପଡ଼ ।'’

 

ରବୀନ୍ଦ୍ର କହିଲା, ‘‘ଆଜ୍ଞା ।”

 

ହେମବାବୁ ମଟର ନେଇ ପ୍ରଥମେ ସଦର ହସ୍ପିଟାଲ୍ ରେ ପହଞ୍ଚି ଉଆଁସୀକୁ ଦେଖିଲେ । ତା'ର ଚେତା ଆସି ଯାଇଥିଲା; କ୍ଷତରେ ବ୍ୟାଣ୍ଡେଜ୍ ବନ୍ଧା ହୋଇଥିଲା । ପ୍ରଶ୍ନ କଲେ, ‘କିପରି ଅଛୁ ଉଆଁସୀ ?'’

 

ଉଆଁସୀ ଭକ୍ତିରେ ମୁଣ୍ଡ ନୁଆଁଇ କହିଲା, “ଆଜ୍ଞା, ମୁଣ୍ଡଟା ସମୟେ ସମୟେ ବୁଲାଇ ଦେଉଛି । ଆଉ ତୋଟି ଶୁଖି ଶୁଖି ଯାଉଛି ।”

 

ହେମବାବୁ ତାଚ୍ଛଲ୍ୟ ପ୍ରକାଶ କରି କହିଲେ, “ସେ କିଛି ନୁହେଁ, ମନକୁ ଭଲ ହୋଇଯିବ-। ଆଚ୍ଛା, ତୁ ପୁରୁଷ ପୋଷାକ ପିନ୍ଧିବାର ଉଦ୍ଦେଶ୍ୟ କ’ଣ ?”

 

‘‘ଆଜ୍ଞା କାହିଁ, ପୁରୁଷ ପୋଷାକ ପିନ୍ଧିବାର’ତ ମୋର ମନେ ପଡ଼ୁନାହିଁ ! ମୁଁ’ ତ ଚା’ ପିଇବା ସଙ୍ଗେ ସଙ୍ଗେ ଅଚେତ ହୋଇ ପଡ଼ିଲି । ମୁଁ କିଛି ଜାଣି ନାହିଁ । ଜ୍ଞନ ଆସିଲାବେଳକୁ ଦେଖେଁ, ଏ ହସ୍ପିଟାଲ ଖଟ ଉପରେ ମୁଁ ପଡ଼ିଛି । ସବୁ ଘଟଣା ଆପଣଙ୍କଠାରୁ ଶୁଣିବାପାଇଁ ଆଶା କରି ଚାହିଁଛି ।’’

 

ହେମବାବୁ ହସି କହିଲେ, ‘‘ତୋର ଯେବେ ଜ୍ଞାନ ନ ଥିଲା, ମଟର ଆକ୍ସିଡ଼େଣ୍ଟ୍ ବେଳେ ପଳାଉଥିଲୁ କିପରି ?’’

 

‘‘କାହିଁ, ଆଜ୍ଞା, ମୁଁ ପଳାଇନାହିଁ । ମୋତେ କିଏ ଜଣେ ଟେକି ନେଉଥିଲା । ତେଣିକି ନେଇ ନପାରି ରାସ୍ତାରେ ଫିଙ୍ଗିଦେଇ ପଳାଇଲା ।” ଉଆଁସୀ ନିର୍ବିକାର ଚିତ୍ତରେ କହିଗଲା ।

 

ଧୂର୍ତ୍ତା ଉଆଁସୀର କଥା ଶୁଣି ହେମବାବୁଙ୍କ ମୁଖ ଗମ୍ଭୀର ହୋଇ ଉଠିଲା । ସେ ନିଜ ଚକ୍ଷୁକୁ ଅବିଶ୍ୱାସ କରିବେ ବା କିପରି ? ଉଆଁସୀ ଏତେ କ୍ଷୀଣ କଣ୍ଠରେ ରହି ରହି ଏପରି ଭାବରେ କଥା କହୁଥିଲା ଯେ, ବୋଧ ହେଉଥିଲା ଆଉ କିଛି ସମୟ କଥା, କହିଲେ ସେ ମୂର୍ଚ୍ଛିତା ହୋଇ ପଡ଼ିବ । ତଥାପି ଏ ମିଥ୍ୟା ପ୍ରବଞ୍ଚନାରେ ହେମବାବୁ ଉତ୍ତେଜିତ ହୋଇ ଆସିଥିଲେ । ସେ ଡାକ୍ତରର ବାରଣ ସତ୍ୱେ ପଚାରିଲେ, ‘‘ତୁ କୌଣସିଠାରେ ଚା’ ଖାଇଥିବାର’ତ ଜଣା ପଡ଼ୁନାହିଁ । ଆଉ ସମସ୍ତଙ୍କ ଚା’କପ୍ ତ ସେମାନଙ୍କ ପାଖେ ପାଖେ ପଡ଼ିଥିଲା !

ଉଆଁସୀ ଦି’ତିନି ଥର ଉଁ ଉଁ ହେଲା । ତା'ପରେ କହିଲା, ‘‘ମୁଁ ? ସାନ୍ତାଣୀ–ପିଇ...ସା...ରି...ବା...ରେ...ସେ...ଇ...ଥି...ରେ...ପିଇ...ଥି...ଲି । ସ୍ଵର କ୍ରମଶଃ କ୍ଷୀଣ ହୋଇ ଆସିଲା-। ସେ ମୂର୍ଚ୍ଛାଯାଇ ଆଖି ବୁଜିଦେଲା । ଡାକ୍ତର କମ୍ପାଉଣ୍ଡର ଦୌଡ଼ି ଆସିଲେ । ପାଣି ମୁହଁରେ ମାରି ଔଷଧ ଶୁଙ୍ଘାଇ ତାକୁ ପୁଣି ଚେତା କରାଇଲେ ।

ହେମବାବୁ ଦେଖିଲେ, ଏ ଉଆଁସୀର ଚଳନା । ସରଯୂ ନିଶ୍ଚୟ ଚା’ ପିଉ ପିଉ ଅଚେତ୍ ହୋଇ ପଡ଼ିଛନ୍ତି, କାଚ ପାତ୍ରଟି ତଳେ ପଡ଼ି ଭାଙ୍ଗି ଯାଇଛି; ଉଆଁସୀ ଆଉ ପିଇଲା କେତେବେଳେ-? ତେବେ ଘଟନାକୁ ଘୋଡ଼ାଇବା ଇଁ ଉଆଁସୀର ବୁଦ୍ଧିର ଖେଳ ଦେଖି ବିସ୍ମିତ ନ ହୋଇ ରହି ପାରିଲେ ନାହିଁ । ସେ ଥାନା ଆଡ଼କୁ ମଟର ଚଳାଇଲେ । ଥାନାଦ୍ୱାରରେ ପାଦ ଦେବା ମାତ୍ରେ ସୁରେଶ ବାବୁ ସଦଳବଳେ ହେମବାବୁଙ୍କୁ ଯଥାରୀତି ଅଭ୍ୟର୍ଥନା କରି ନେଇଗଲେ । ସୁରେଶବାବୁ କହିଲେ, ‘‘ଆଜ୍ଞା, ଥାଉ ଚାକିରି ରଖି ହେବନାହିଁ । ମଣିଷର ଜୀବନ ଯାଉଥିଲା–ସେଥିପ୍ରତି ଦୟାମୟା ନାହିଁ । ଆଜି ନିଜେ ପୁଲିସ ବଡ଼ସାହେବ ଡକାଇ ନେଇ ଯାଦୃଚ୍ଛ ତିରସ୍କାର କରିଛନ୍ତି ଓଲଟି ।''

‘‘କାହିଁକି ?’’ ହେମବାବୁ ପଚାରିଲେ ।

‘‘କାହିଁକି ଆଉ କ’ଣ ? ଏହି ହୀନୁ ଦଳର ବିଜୟ ଓ ଆମର ଲଜ୍ଜାକର ପରାଜୟ ନେଇ-। ଖବର କାଗଜରେ ଆକ୍ଷେପ, ଲୋକଙ୍କ ଭିତରେ, ରେ ରେ କା’ର ଧ୍ୱନି । ତାଙ୍କୁ ଆମର ମରଣ ସଂକଟ କଥା ଯେତେବେଳେ ନିବେଦନ କଲି, ସେତେବେଳେ ବେଖାତିର ଭାବ ଦେଖାଇ କହିଲେ, ‘ହେଃ, ପୁଲିସ ଚାକିରି’ତ ତ ଏଇୟା, ଏଥିରେ ଗୋଟାଏ ବାହାଦୁରି କ'ଣ ଅଛି ? ଯଦି ନ ପାରୁଛ, ଇସ୍ତଫା ଦେଇଦିଅ । ପୋଲିସର ଦୁର୍ନାମ ଆଉ ବରଦାସ୍ତ କରି ହେବନି, ତା’ ସଙ୍ଗେ ସଙ୍ଗେ ଆମ ମିତ୍ରପକ୍ଷର ଏ ‘ଯୁଦ୍ଧଂ ଦେହି’ ଆହ୍ୱାନ । ହେଇ ନିଅନ୍ତୁ ।” ସୁରେଶବାବୁ ଉତ୍ତେଜିତ ଭାବରେ ଏତକ କହିଦେଇ ଲେଖା ଖଣ୍ତିଏ ହେମବାବୁଙ୍କ ହାତକୁ ବଢ଼ାଇ ଦେଲେ ।

ହେମବାବୁ ଶରଚିହ୍ନ ଅଙ୍କିତ ପତ୍ରଟି ପ୍ରଥମେ ଦେଖି ଚମକି ପଡ଼ିଲେ । ପତ୍ର ପାଠ ସଙ୍ଗେ ସଙ୍ଗେ ତାଙ୍କ ମୁଖ ଭଙ୍ଗି ଦେଖି ଯେ କେହି ଅନୁମାନ କରିପାରିବ ଯେ କ୍ରୋଧ, ଘୃଣା ଓ ବିସ୍ମୟ ତାଙ୍କ ଅନ୍ତରରେ ଖେଳା କରୁଛି ।

ସୁରେଶବାବୁ ପ୍ରଥମେ କହିଲେ, ‘‘ଦେଖୁଛନ୍ତି ନା ଦସ୍ୟୁଦଳର ସାହସ ? ଧମକ ଦିଆଯାଇ ଲେଖାଯାଇଛି, ୟାଂସୁକୁ ଛାଡ଼ି ନ ଦେଲେ ଚଉଦ ନମ୍ବର ପୁଲିସର କଟା ମୁଣ୍ଡ କାଲି ସନ୍ଧ୍ୟାରେ ଯାଇ ପହଞ୍ଚିବ ।”

‘‘ତେବେ ଆମେ ନିଃସନ୍ଦେହ ହେଲେଁ ଯେ ଚଉଦ ନମ୍ବର ପୁଲିସକୁ ଏହି ଦଳ ହରଣଚାଳ କରିଛନ୍ତି ବୋଲି । ଏହା ଦସ୍ୟୁଦଳର ଦୁଃସାହସ ନୁହେଁ, ବିଜୟ ଦର୍ପ ।’’ ହେମବାବୁ ଚିଠିକୁ ଚାହିଁ ଚାହିଁ ଏତକ କହିଗଲେ ।

 

ସୁରେଶବାବୁ କହିଲେ, “କହୁଥିଲେ ପରା ୟାଂସୁକୁ ପରୀକ୍ଷା କରିବେ ବୋଲି, ଚାଲନ୍ତୁ ହାଜତ ଥାନାକୁ । ମୁଁ ତାକୁ ଦ୍ୱିପ୍ରହର ସମୟରେ ଜାରା କରିଥିଲି, କିନ୍ତୁ ସେ ଉଁ କି ଚୁଁ କିଛି ଉତ୍ତର ଦେଲା ନାହିଁ ।’’

 

‘‘ହେଉ, ‘‘ଚାଲନ୍ତୁ ବୋଲି କହି ହେମବାବୁ ଚୌକିରୁ ଉଠିଲେ । ସୁରେଶବାବୁ ଉଠିବାକୁ ଉଦ୍ୟତ ହେଉଛନ୍ତି, ଏହି ସମୟରେ ଜଣେ ପୁଲିସ ପ୍ରହରୀ ପାର୍ସଲଟିଏ ଧରି ଆସି ଠିଆ ହେଲା ଏବଂ ସୁରେଶ ବାବୁଙ୍କୁ ସଲାମ କରି କହିଲା, ‘‘ଆଜ୍ଞା, ଏ ପାର୍ସଲଟି ସାହେବ ଅନୁଗୋଳରୁ ପଠାଇଅଛନ୍ତି ।’’ ଏହା କହି ସୁରେଶବାବୁଙ୍କର ଇଙ୍ଗିତକ୍ରମେ ପାର୍ସଲଟି ଟେବୁଲ ଉପରେ ରଖିଲା । ସୁରେଶବାବୁ ପାର୍ସଲଟି ଏପାଖ ସେପାଖ ଓଲଟାଇ ଦେଇ ଗୋଟିଏ ପୁଲିସକୁ ଛୁରୀ ଆଣି ସେ’ଟା କାଟି ବାହାର କରିବାକୁ କହି ହେମବାବୁଙ୍କ ସଙ୍ଗରେ ହାଜତ ଘରକୁ ଗଲେ । ହାଜତ ଘର ଫିଟିଲା-। ହେମବାବୁ ୟାଂସୁକୁ ଡାକି ଯେତେ ଯାହା ପଚାରିଲେ, ସେ କିଛି ଉତ୍ତର ଦେଲା ନାହିଁ-। ସୁରେଶବାବୁ ତାକୁ ଧମକ ଦେଲେ, ହେମବାବୁ ବର୍ମୀ ଭାଷାରେ ପଚାରିଲେ, ତଥାପି ଉତ୍ତର ନାହିଁ । ଏହି ସମୟରେ ଯେଉଁ ପୁଲିସ ପ୍ରହରୀଟି ପାର୍ସଲ ଫିଟାଇଥିଲା, ସେ ଦୌଡ଼ି ଆସି କହିଲା, ଆଜ୍ଞା ଦୌଡ଼ି ଆସନ୍ତୁ, ପାର୍ସଲଟିରୁ ଧୂଆଁ ବାହାରୁଛି ।” ହେମବାବୁ ଚକିତ ଭାବରେ ଚାହିଁ ରହିଲେ-। ଶିଘ୍ର ସେ ସୁରେଶବାବୁଙ୍କ ସହ ସେଠାକୁ ଯାଇ ଦେଖିଲେ, ଧୂଆଁରେ ଆସ୍ତେ ଆସ୍ତେ ସମୁଦାୟ ଘରଟି ପୂର୍ଣ୍ଣ ହୋଇ ଗଲାଣି । ସେ ସୁରେଶବାବୁଙ୍କ ହାତ ଧରି ବାରଣ୍ଡା ବାହାରକୁ ପଳାଇ ଆସନ୍ତୁ ବୋଲି ଚିତ୍କାର ଛାଡ଼ି ଟାଣି ଆଣିଲେ । ସେ ଚିତ୍କାରରେ ଯେ ଯେଉଁଠି ଥିଲେ, ପ୍ରାଣ ଭୟରେ ଚାଲି ଆସିଲେ-। ବାରଣ୍ଡାରୁ ଅଳ୍ପ ବାଟ ଦୌଡ଼ି ପଳାଇଛନ୍ତିକି ନାହିଁ ପାର୍ସଲ ଭିତରୁ ଗୋଟାଏ ଭୟଙ୍କର ଗର୍ଜନ, ଧୂମ, ଅଗ୍ନି ବାହାରି ସମୁଦାୟ କୋଠାଟିକୁ ଥରାଇଦେଲା । କବାଟ ଝରକାରୁ ଖଣ୍ଡେ ଖଣ୍ତେ ଭାଙ୍ଗି କୁଆଡ଼େ ଉଡ଼ିଗଲା । ସନ୍ଧ୍ୟାର, ଅନ୍ଧକାର ଘନେଇ ଆସୁଥିଲା। କିଏ କୁଆଡ଼େ ପଳାଇଥିଲେ ତା’ର ଇୟତ୍ତା ନଥିଲା । କାନ୍ଥ ଓ ଛାତରୁ ଚୂନ ଛାଡ଼ି ଥାନା ବାରଣ୍ଡା ଓ ଘର ପୂର୍ଣ୍ଣ ହୋଇଗଲା-। ୟାଂସୁ କୁଆଡ଼େ ଗଲା ତାର ସନ୍ଧାନ ମିଳିଲା ନାହିଁ । ମାତ୍ର ଅନୁଗୁଳ ପୁଲିସଟି ପଳାଇଲାବେଳେ ହେମବାବୁଙ୍କ ଦୃଷ୍ଟି ଏଡ଼ି ପାରି ନ ଥିଲା । ସେ ରାସ୍ତାକୁ ପଳାଇ ଯାଉଥିଲାବେଳେ ତାକୁ ଧରି-। ଗୋଟିଏ ପରିଚୟ ପ୍ରହରୀ ଜିମା କରି ଦେଇଥିଲେ ।

 

ଦଶ

 

ଯେଉଁଦିନ ଥାନାରେ ଏ ବସ୍ଫୋରଣ କାଣ୍ଡ ଘଟିଲା, ସେହିଦିନ ରାତି ଅଧରେ ଉଆଁସୀ ହସପିଟାଲରୁ ପଳାୟନ କଲା । ଲୁଚି ଚୋରଙ୍କ ପରି ଲୁଚି ଲୁଚି ନୁହେଁ, ଭଦ୍ରମହିଳାଙ୍କ ପରି ଗାଡ଼ିରେ ବସି । ସେ ସେଦିନ ତମାମ୍ କେତେବେଳେ ସୁସ୍ଥ ରହୁଥାଏ, କେତେବେଳେ ବା ମୂର୍ଚ୍ଛା ଯିବାର ଛଳନା କରୁଥାଏ । ସେଦିନ ଉପର ବେଳା ତିନିଟା ସମୟରେ ଜଣେ ଭଦ୍ର ବେଶଧାରୀ ଆସି କମଳା, ଅଙ୍ଗୁର ପ୍ରଭୃତି । ବାଣ୍ଟିବାକୁ ଲାଗିଲେ ସେ ପ୍ରକାଶ କଲେ; ବନାରସରୁ ଜଣେ ଦୟାଳୁ ଭଦ୍ରବ୍ୟକ୍ତି ଆସିଛନ୍ତି, ସେ ରୋଗୀମାନଙ୍କ ଉଦ୍ଦେଶ୍ୟରେ କମଳା, ଅଙ୍ଗୁର, ନାସପାତି ପ୍ରଭୃତି ଖାଦ୍ୟ ଜିନିଷ ବିତରଣ କରିବାକୁ ଦେଇଛନ୍ତି । କକ୍ଷରୁ କକ୍ଷାନ୍ତରକୁ ଯାଇ ରୋଗୀମାନଙ୍କ ରୁଚି ମୁତାବକ ଫଳ ସେ ଭଦ୍ରବ୍ୟକ୍ତି ବାଣ୍ଟିବାକୁ ଲାଗିଲେ । ଉଁଆସୀ ଥିବା କକ୍ଷକୁ ମଧ୍ୟ ଯାଇ ସେହିପରି ଫଳ ବାଣ୍ଟିଲେ । ଫଳ ବାଣ୍ଟିବାବେଳେ ଉଆଁସୀ ପାଖରେ ଫଳ ରଖୁରଖୁ ଗୋଟିଏ ଚିଠି ଓ ଗୋଟିଏ ପୁଡ଼ିଆ କେତେବେଳେ ଉଆଁସୀ ହାତକୁ ବଢ଼ାଇଦେଲେ ସେଥିପ୍ରତି କାହାର ନଜର ନ ଥିଲା । ବାଣ୍ଟିସାରି ଭଦ୍ରଲୋକ ଚାଲିଗଲେ ।

 

ଉଆଁସୀର ଶଯ୍ୟା ଦ୍ଵାରପାଖକୁ ଥିଲା । ବାରଣ୍ଡାରେ ପ୍ରହରୀ ପ୍ରହରା ଦେଉଥିଲା । କେଉଁଟି କି ଧରଣର ପ୍ରହରୀ ଚତୁରୀ ଉଆଁସୀ ସେ ବିଷୟ ଜାଣିବାରେ ବିଶେଷ ପାରଙ୍ଗମା । ରାତି ଅଧ ପୂର୍ବରୁ ପହରା ବଦଳାଇବାକୁ ପଡ଼ିଲା । ଯେଉଁ ପ୍ରହରୀ ଜଣକ ଆସିଲା, ଉଆଁସୀ ଲକ୍ଷ୍ୟ କଲା ସେ ଟୋକା । 'ଉଆଁସୀ ଛଳନା କରି କୁହାଉଥିଲା । ସେ ଉଠି ବସିଲା । ନିଜକୁ ଟିକିଏ ସଜାଡ଼ି ନେଲା । ପ୍ରହରୀଟି ଟିକିଏ ଦ୍ୱାରପାଖକୁ ଆସି ପଚାରିଲା, ‘‘କି, ବସିଲ ଯେ ?’’

 

ଉଆଁସୀ ଭସାଣିଆ ଆଖିରେ ଚାହିଁ କହିଲା, ‘‘ହଁ ବସିଲେ ଟିକିଏ ଭଲ ଲାଗୁଚି ।”

 

ପ୍ରହରୀ କହିଲା, ‘‘ଯଦି ଭଲ ଲାଗୁଛି, ବସ । ଶେଯରେ କେତେ ପଡ଼ିରହିବ ।’’ ଉଆଁସୀ ଦେଖିଲା, ଟୋକା ସିପାହୀ ଟିର ସହାନୁଭୂତି ତା’ଆଡ଼କୁ ଢଳୁଛି । ସେ ହସିଦେଇ କହିଲା, ‘‘ଏକୁଟିଆ’ଟା ପଡ଼ି ପଡ଼ି କ’ଣ ନିଦ ହେଉଛି ?’’

 

ଯୁବକ ପ୍ରହରୀ ମଧ୍ୟ ହସିଦେଇ କହିଲା, ‘‘ତୁମେ’ତ ମୋଟେ ଦି’ଦିନ ହେଲା ହସପିଟାଲକୁ ଆସିଛ । ଏଇ ଦି’ଦିନରେ କ’ଣ...’' ଯୁବକଟି ଆଉ କିଛି ନକହି ଖାଲି ହସିଲା ।

 

ଏ ରସୁଆଳ କଥା ସେତେବେଳେ ଜମାଟ ବାନ୍ଧି ଆସୁଥିଲା ? ଉପଯୁକ୍ତ ଅବସର ବୁଝି ଉଆଁସୀ ପାନଖଣ୍ଡିଏ ବାହାରକରି ଖାଇଲା । ପ୍ରହରୀକୁ ହସି ହସି କହିଲା, “ପାନ ନେବ ?’’

 

ପ୍ରହରୀ ଏ ଅଯାଚିତ ପ୍ରୀତି ଉପହାରର ଲୋଭ ଛାଡ଼ି ପାରିଲା ନାହିଁ । ‘ଦିଅ' ବୋଲି କହି ହାତ ବଢ଼ାଇଦେଲା ।

 

ଉଆଁସୀ ସଙ୍ଗେ ସଙ୍ଗେ ଦି’ ଖଣ୍ଡ ପାନ ବାହାର କରି ଦେଲା । ପ୍ରହରୀ ଖଣ୍ଡିଏ ସଙ୍ଗେ ସଙ୍ଗେ ଖାଇ ଆଉ ଖଣ୍ଡିଏ ପକେଟ୍ ରେ ରଖିଲା ।

 

ଉଆଁସୀ ପଚାରିଲା, ‘‘ତମ ଘର ଏଠୁଁ କେତେ ବାଟ ?" ପ୍ରହରୀ କହିଲା, ‘‘ଆମ ଘର ଗଞ୍ଜାମ ଜିଲ୍ଲାରେ” । ପ୍ରହରୀର ହାଇ ଆସିଲା ତା’ ପରେ ‘ମୁଁ ଛଅ ମାସ ହେଲା...'' ଆଉ ଗୋଟାଏ ହାଇ... ‘‘ଘରକୁ ପାଇନାହିଁ ତା’ ପରେ ହାଇ...ପ୍ରହରୀର କଣ୍ଠ ରୁଦ୍ଧ ହୋଇଆସିଲା । ସେ ବସିଥିବା ସ୍ଥାନରେ କାନ୍ଥକୁ ତୁଲାଇ ପଡ଼ିଲା ।

 

ଉଆଁସୀ ଡାକିଲା, ‘‘ଶୋଇପଡ଼ିଲ କି ?’’ ଆଉ ଜବାବ ନାହିଁ । ସେ ବୁଝିଲା, ତା ଔଷଧ ଧରିଛି । ହସପିଟାଲ ଚାକର ହାତରେ ସେ ଆଗରୁ ପାନଖିଲ କିଣି ଆଣିଥିଲା । ଉପରବେଳା ଯେଉଁ ଭଦ୍ରଲୋକ ଅଙ୍ଗୁର କମଳା ପ୍ରଭୃତି ଫଳ ବାଣ୍ଟୁଥିଲେ, ତାଙ୍କଠାରୁ ଉଆଁସୀ ଯେଉଁ ପୁଡ଼ିଆଟି ପାଇଥିଲା, ତାହା ବିଷାକ୍ତ ଗୁଣ୍ତ । ସେହି ଗୁଣ୍ତ ପାନଖିଲରେ ଦେଇ ଉଆଁସୀ ପ୍ରହରୀକୁ ଖାଇବାକୁ ଦେଇଥିଲା । ସଙ୍ଗେ ସଙ୍ଗେ ସେଥିପାଇଁ ପ୍ରହରୀ ଅଚେତ ହୋଇ ପଡ଼ିଲା । ଯେ ଫଳ ବାଣ୍ଟୁଥିଲା, ସେ ମଣି ନାୟକ ।

 

ସେଦିନ ରାତି ଅଧ–କୃଷ୍ଣ ପକ୍ଷର କଳା କିଟିମିଟିଆ ଅନ୍ଧାର–ଚାରିଆଡ଼ ନୀରବ ନିସ୍ତବ୍ଧ–ମଧ୍ୟେ ମଧ୍ୟେ ରୋଗୀମାନଙ୍କର କୁନ୍ଥନ ଧ୍ୱନି ଓ କରୁଣ ବିଳାପ ଶୁଣା ଯାଉଛି । ଉଆଁସୀ ଆସ୍ତେ ଆସ୍ତେ ରୋଗୀଖାନାରୁ ବାହାରି ଅତି ସନ୍ତର୍ପଣରେ ପାଦ ଚାଳି ବାହାରର ଅନ୍ଧକାରରେ ମିଳାଇଗଲା । ଗେଟ୍ ପାଖରେ ଗୋଟିଏ ମଟର ଆସି ଠିଆ ହୋଇଗଲା । ଏଣେ ଅନ୍ଧକାରରେ ହସପିଟାଲରୁ ବାହାରି ଗୋଟିଏ ନାରୀମୂର୍ତ୍ତି ମଟର ପାଖରେ ଠିଆ ହେଲା । ମଟର ଡ୍ରାଇଭର କହିଲା, ‘‘ଉଆଁସୀ, ଚାଲିଆ’ ଶୀଘ୍ର ।’’ ଉଆଁସୀ ମଟରରେ ଚଢ଼ୁ ଚଢ଼ୁ କହିଲା, “ହୀନୁ ଯେ’’ ଡ୍ରାଇଭର ଟିକିଏ ହସିଦେଇ ମଟର ଛାଡ଼ିଦେଲା ।

 

ଏଗାର

 

ଢେଲଙ୍ଗା ବଜାରରେ ହରିସିଂର ଦୋକାନ । ସନ୍ଧ୍ୟା ଛଅଟାରୁ ଦୋକାନରେ ଭାରି ଗହଳି ହୁଏ । ଚାଉଳ, ଡାଲି, ପରିବା ନାନାପ୍ରକାର ଷ୍ଟେସନାରୀ ଜିନିଷରେ ଦୋକାନଟି ସଜ୍ଜିତ । ଗୋଟିଏ ଗଳି ମୋଡ଼ରେ ଦୋକାନ । ଦୋକାନ ପାଖକୁ ଲାଗି ହୋଟେଲ । ହୋଟେଲରେ ମଧ୍ୟ ବିକାକିଣା ମନ୍ଦ ନୁହେଁ ।

 

ସେଦିନ ରବୀନ୍ଦ୍ର ସନ୍ଧ୍ୟାରେ ଗୋଟିଏ ହିନ୍ଦୁସ୍ଥାନୀ ପୁରୁଷ ବେଶରେ ବାହାରି ତେଲଙ୍ଗାବଜାରରେ ପ୍ରବେଶ କଲା । ନାନାସ୍ଥାନ ବୁଲି ବୁଲି ରାତି ଆଠଟା ସମୟରେ ସେ ସେହି ଦୋକାନପାଖ । ରାସ୍ତାରେ ଚାଲାବୁଲା କରିବାରେ ଲାଗିଲା । ଯାଉଁ ଯାଉଁ କାଠଯୋଡ଼ି ବନ୍ଧଆଡ଼କୁ ଟିକିଏ ମାଡ଼ିଗଲା । ଅନ୍ଧାର ରାତିରେ ସେ ଆଉ ବେଶୀ ଦୂର ଯିବା ଠିକ୍ ମନେକଲା ନାହିଁ । ପୁଣି ଫେରିଲା ହିରସିଂହ ଦୋକାନ ପାଖକୁ । ଦୋକାନରେ ଥିବା ବେଞ୍ଚରେ ଯାଇ ବସିଲା । ଦୋକାନରୁ ଦିଆସିଲି ସିଗାରେଟ୍ କିଣିଲା । କ୍ରମଶଃ ଲୋକ ଭାଙ୍ଗିଲେ । ରବୀନ୍ଦ୍ର ଦୋକାନୀ ହିରିସିଂହକୁ ନିଜକୁ ବିହାରୀ ଲୋକ ବୋଲି ପରିଚୟ ଦେଇ ତା ସଙ୍ଗେ କଥାବାର୍ତ୍ତା କଲା । କଥାବାର୍ତ୍ତା ଯେତେବେଳେ ଗାଢ଼ ହୋଇ ଉଠିଲା ସେତେବେଳେ ରବୀନ୍ଦ୍ର କହିଲା, ‘‘ପାଖରେ କଣ ମଉଜମଜଲିସ୍‍ର କୌଣସି ଆଡ଼୍ଡ଼ା ନାହିଁ, ଟିକିଏ ମଉଜ କରି ନେବାକୁ ?”

 

ହରି ସିଂହ କହିଲା, ‘‘ନାହିଁ କାହିଁକି ? ପଇସା ଖର୍ଚ୍ଚକଲେ ସବୁ ମିଳିବ ।’’

 

ରବୀନ୍ଦ୍ର ପାଞ୍ଚଟଙ୍କିଆ ନୋଟ୍‍ଟିଏ ହରି ସିଂହ ହାତକୁ ବଢ଼ାଇ ଦେଲା । ଦୋକାନ ବନ୍ଦ କଲାବେଳକୁ ହରି ସିଂହ ଦେଖିଲା, ଘଣ୍ଟାରେ ଦଶ ବାଜିଗଲାଣି । ତା ପଛେ ପଛେ ଯିବାକୁ ସେ ରବୀନ୍ଦ୍ରକୁ ଇଙ୍ଗିତ କଲା । ରବୀନ୍ଦ୍ର ଅନ୍ଧାରରେ ହରି ସିଂହକୁ ଅନୁସରଣ କରି ଚାଲିଲା । ଦୋକାନ ପାଖରେ ଥିବା ଗୋଟିଏ ଆଡ଼୍ଡ଼ା ଘରେ ପଶି ହରି ସିଂହ ରବୀନ୍ଦ୍ରକୁ କହିଲା, ‘‘ମନଇଚ୍ଛା ଖାଅ, ପିଅ, ଖେଳ, ମଉଜ୍ କର ।”

 

ଘରର ଗୋଟିଏ କୋଣରେ ଜୁଆଖେଳ ଚାଲିଥିଲା । ଜଣେ ଖେଳାଳି ଡାକିଲେ, ‘‘ଆଇୟେ ଭାଇ ସାହେବ, ଆଇୟେ, ଆଇୟେ ।’’

 

ରବୀନ୍ଦ୍ର ସେ ପାଖକୁ ଚାହିଁ ଟିକିଏ ହସିଦେଲା । ‘ଯାଉଛି’ ବୋଲି ହିନ୍ଦିରେ ଉତ୍ତର ଦେଇ ଖାଇବା ଟେବୁଲ ଆଡ଼କୁ ମୁହାଁଇଲା । ଖାଇବା ଟେବୁଲରେ ସେତେବେଳେ ଚର୍ବ୍ୟ ଚୋଷ୍ୟ ଲେହ୍ୟ ପେୟର ଦିବ୍ୟ ସତ୍କାର ଚାଲିଥିଲା । ରବୀନ୍ଦ୍ର ଯାଇଁ ଗୋଟିଏ ଆସନ ଅଧିକାର କଲା । ମଦର ଚର୍ଚ୍ଚା ଚାଲି ମଧ୍ୟେ ମଧ୍ୟେ ଭୟଙ୍କର ଚିତ୍କାର ଉଠୁଥିଲା । ରବିନ୍ଦ୍ର ଅନୁମାନ କଲା, ବଙ୍ଗାଳୀ, ବିହାରୀ, ଓଡ଼ିଆ, ଆଙ୍ଗ୍ଲୋଇଣ୍ଡିୟାନ, ମୁସଲମାନ, ବଦମାସ୍ ଓ ଜୁଆ ଚୋରମାନଙ୍କର ଏ ଗୋଟିଏ ଭୀଷଣ ଆଡ଼୍ଡ଼ା । ତା'ର ମନ ଘୃଣା, ଲଜ୍ଜା ଓ ବିରକ୍ତିରେ ଭରିଗଲା । ସେଠାରେ ମୁହୂର୍ତ୍ତେ ସୁଦ୍ଧା ରହିବାକୁ ତାର ମନ ହେଲା ନାହିଁ । କ'ଣ କରାଯାଏ? କର୍ତ୍ତବ୍ୟର ଅନୁରୋଧ । କାର୍ଯ୍ୟୋଦ୍ଧାର ପାଇଁ ତାକୁ ରୂପ ବଦଳାଇବାକୁ ପଡ଼ିବ ।

 

ରବୀନ୍ଦ୍ର ନିର୍ବିକାର ଚିତ୍ତରେ ସେମାନଙ୍କ ସହ ଯୋଗ ଦେଲା । ନାନା କଥାଭାଷା ଭିତରେ ହୀନୁଦଳର ପ୍ରକୃତ ଆଡ଼୍ଡ଼ାର କିପରି ସନ୍ଧାନ ପାଇବ, ସେଇୟା ତା’ର ଏକମାତ୍ର ଲକ୍ଷ୍ୟ ରହିଲା । ଏହି ସମୟରେ କେତେ ଜଣ ମଦ ଖାଇ ବେଜିତ୍‍ହୁଜିତ୍ ହେବାର ସେ ଦେଖିଲା । କ୍ରମେ କ୍ରମେ ବୋତଲ ଫିଙ୍ଗାଫିଙ୍ଗି ଚାଲିଲା । କୋଣରେ ଜମିଥିବା ଜୁଆଖେଳାଳିମାନେ ଉତ୍ତ୍ୟକ୍ତ ଭାବରେ ଗାଳି ଦିଆଦେଇ ହୋଇ ଠିଆ ହେଲେ । ସେହି ଖେଳାଳିଙ୍କ ଭିତରୁ ଜଣକ ମୁହଁକୁ ଚାହିଁଦେଇ ରବୀନ୍ଦ୍ର ଚମକି ପଡ଼ିଲା—ଏ ଯେ ପରିଚିତ ମୁହଁ । ହଠାତ୍ ସ୍ମରଣ କରି ପାରିଲା ନାହିଁ । କିଛିକ୍ଷଣ ପରେ ମନେ ପଡ଼ିଲା, ଏ ଯେ ଡାକ୍ତର । ହିରଣବାବୁଙ୍କ ଘରେ ଏ ଚିକିତ୍ସା କରୁଥିଲା । ଏହାରି ଉପସ୍ଥିତିରେ ସେଦିନ ସେ ସୁରେଶ ବାବୁଙ୍କ ସହ ଚା’ ପିଇ ଅଚେତ ହୋଇ ପଡ଼ିଥିଲା । ଏହି ଦଳର ଆଡ଼୍ଡ଼ା ନିଶ୍ଚୟ ଏଇଠି କୋଉଠି ନିକଟରେ ଅଛି । ସେ ମନକଥା ମନରେ ରଖି ସବୁ ଲକ୍ଷ୍ୟ କରିବାରେ ଲାଗିଲା । ଗୋଳମାଳ ଅଧିକରୁ ଅଧିକ ହେଲା । ମଦ ଖାଇ କେତେ ଜଣ ବାହ୍ୟଜ୍ଞାନ ଶୂନ୍ୟ ହୋଇ ପଡ଼ିଥିଲେ । ସେତେବେଳକୁ ରାତି ବାରଟା ସମୟ । ହରିସିଂହ ଓ ଡାକ୍ତର ହାତ ଧରି କହି ବୋଲି ସାନ୍ତ୍ୱନା ଦେଇ ଜୁଆଖେଳାଳି ଓ ଅନ୍ୟାନ୍ୟମାନଙ୍କୁ ବିଦାୟ ଦେବାରେ ଲାଗିଲେ । ଶେଷରେ ହରି ସିଂହ ପ୍ରଣାମ କରି ରବୀନ୍ଦ୍ରକୁ ମଧ୍ୟ ବିଦାୟ ଦେଲା ।

 

ରବୀନ୍ଦ୍ର ବାହାରକୁ ଆସିବା ପରେ ହରି ସିଂହ, ଡାକ୍ତର ଓ ଆଉ ଜଣେ ଅଚିହ୍ନା ଲୋକ କବାଟ କିଳି ଭିତରେ ରହିଲେ । ରବୀନ୍ଦ୍ର ଭାବିଲା ଭିତରକୁ ଯିବାକୁ ନିଶ୍ଚୟ ଗୁପ୍ତ ଦ୍ୱାର ଅଛି । ସେ ରାସ୍ତାକୁ ଆସି ବଡ଼ ସନ୍ଦିଗ୍ଧ ଭାବରେ ବୁଲିବାରେ ଲାଗିଲା । ସେ ଭାବିଲା, ଯେ କୌଣସି ପ୍ରକାରେ ଭିତରେ ପ୍ରବେଶ କରିବାକୁ ହେବ । ଚଉଦ ନମ୍ବର ପୋଲିସ ନିଶ୍ଚୟ ଗୁପ୍ତ ଆଡ଼୍ଡ଼ାରେ ବନ୍ଦୀ ଅଛି । ଗାଢ଼ ଅନ୍ଧକାରରେ ସେ ରାସ୍ତାକୁ ଚାହିଁ ରହିଲା । ଏହି ସମୟରେ ଦୂରରୁ ଟିକିଏ ଘୁଞ୍ଚିଗଲା । ମଟରଟି ଆସି ସେହି ଦ୍ୱାର ମୁହଁରେ ଠିଆ ହେଲା । ମଟରରୁ ଜଣେ ସ୍ତ୍ରୀ ଲୋକ ବାହାରିଲା ତା ସଙ୍ଗେ ଡ୍ରାଇଭର ଓହ୍ଲାଇ ଦ୍ୱାର ନିକଟକୁ ଗଲା । ସେ ଯାଇ ଦ୍ୱାର କବାଟକୁ ପାଞ୍ଚ ଥର ଠୁକୁଠୁକୁ କଲା । କବାଟ ଫିଟିଲା । ସ୍ତ୍ରୀଲୋକ ଓ ଡ୍ରାଇଭର ଭିତରେ ପ୍ରବେଶ କଲେ । ରବୀନ୍ଦ୍ର ଚଞ୍ଚଳ ପଦରେ ଚାଲି ଆସି ସେମାନଙ୍କ ଅନୁସରଣ କଲା । ହୋଟେଲର ଗୁପ୍ତଦ୍ୱାର ଖୋଲିଲା, ସେଥିରେ ସେ ଦୁହେଁ ପଶିଲେ, ରବୀନ୍ଦ୍ର ମଧ୍ୟ ପଶିଲା । ରବୀନ୍ଦ୍ର ଭିତରେ ପଶି ଅନ୍ଧକାରରେ ଯେତେଦୂର ପାରେ ଦେଖିଲା, ସେଠାରେ ଏକ ପ୍ରଶସ୍ତ ଅଗଣା । ଏକ ପାର୍ଶ୍ୱରେ ପୁରୁଣା ଅର୍ଦ୍ଧଭଗ୍ନ ପକ୍କା ଘର । ଘରେ ଆଲୋକ ଜଳୁଥିଲା, ଆଗନ୍ତୁକ ଦି’ଜଣ ପଶିବାରୁ ଘର ଭିତରୁ କିଏ ଜଣେ କହିଲା, ‘‘ଉଆଁସୀ, ଆସ ଆସ ।’’ ରବୀନ୍ଦ୍ର ଚମକି ପଡ଼ିଲା । ଭାବିଲା, ଉଆଁସୀ ସରଯୂଙ୍କ ଦାସୀ; ହସ୍ପିଟାଲ୍ ରେ ଥିଲା । ଗାର୍ଡତ ପହରା ଦେଉଥିଲା । ଖସି ଆସିଲା କିମିତି ? ସେ ଭାବିବାକୁ ବେଶି ଫୁରୁସତ୍ ପାଇଲା ନାହିଁ । ଘର ଭିତରୁ ଡ୍ରାଇଭର ଓ ଆଉ ଜଣେ ଲୋକ ବାହାରିଲେ । ଡ୍ରାଇଭର ପଦାକୁ ଯାଇ ମଟର ଚଳାଇ କେଉଁ ଆଡ଼େ ଯିବାର ସେ ଶବ୍ଦରୁ ଜାଣିପାରିଲା । ଅନ୍ୟ ଜଣକ ଦ୍ୱାରସବୁ କିଳିଦେଇ ଫେରିଆସିଲା । ରବୀନ୍ଦ୍ର ଅନ୍ଧାରରେ ବାଟ ଅଣ୍ଡାଳି ଅଣ୍ଡାଳି ଘରର ବାଡ଼ି ପାଖକୁ ଗଲା । ଦେଖିଲା, ବାଡ଼ି ପାଖେ କଚାଘର କେତେ ବଖରା ଠିଆ ହୋଇଛି, ଲମ୍ବଭାବରେ । ଏହି ସମୟରେ ରବୀନ୍ଦ୍ର ଘର ଭିତରୁ ବିକଟ ହାସ୍ୟରୋଳ ଓ ଚିତ୍କାର ଶୁଣିବାକୁ ପାଇଲା । ସେ ଫେରିଯାଇଁ କ’ଣ ହେଉଛି ଶୁଣିବ କି ନାହିଁ ଭାବୁଛି, ଏହି ସମୟରେ ଗୋଟିଏ ଲୋକ ବାହାରି ଆସି ବାଡ଼ିପାଖ ଘରର ଦ୍ୱାର ଫିଟାଇଲା । ଯେଉଁ ମଟରଟି ଉଆଁସୀ ପ୍ରଭୃତିଙ୍କୁ ଧରି ଆସିଥିଲା, • ସେହି ମଟରଟି ଦ୍ଵାର ଖୋଲା ହେବା ମାତ୍ରେ ଭିତରେ ପ୍ରବେଶ କଲା । ମଟର ଆଲୋକ ପଡ଼ିବାମାତ୍ରେ ରବିନ୍ଦ୍ର ଚମକି ପଡ଼ିଲା । ସେ ବାଡ଼ିପାଖ ଖୋଲା ଘରଗୁଡ଼ିକର ଏକ ପାଖରେ ଗୋଟିଏ କାଠବାକ୍ସ ସନ୍ଧିରେ ଲୁଚି ରହିଲା । ସେ ମଟର ଆଲୋକରେ ସ୍ପଷ୍ଟ ଦେଖିବାକୁ ପାଇଲା । ମଟର ରହିବା ମାତ୍ରେ ହସ୍ତ ପଦ ଚକ୍ଷୁ ବନ୍ଧାଥିବା ଗୋଟିଏ ଲୋକକୁ ତିନିଚାରିଜଣ ଧରି ଆଣି ମଟରରେ ଲଦିଲେ । ଡ୍ରାଇଭର ମଟର ଧରି ଚାଲିଗଲା ।

 

ମଟର ଚାଲିଯିବା ପରେ ସମସ୍ତେ ଘର ଭିତରେ ପଶିଲେ । ମଟର ଆଲୋକରେ ରବୀନ୍ଦ୍ର ହରି ସିଂହ, ଡାକ୍ତର, ଉଆଁସୀ ଓ ଆଉ ଜଣେ ଜୁଆଖେଳାଳିକୁ ଚିହ୍ନି ପାରିଲା ।

 

ରବୀନ୍ଦ୍ର କାଠବାକ୍ସ ସନ୍ଧିରୁ ବାହାରି ସେ ଘର ପାଖକୁ ଗଲା । ଘରଟି ହସ କୋଳାହଳରେ ଉଛୁଳି ପଡ଼ୁଥାଏ । ସେମାନଙ୍କ କଥାବାର୍ତ୍ତା ଶୁଣିବା ଅଭିପ୍ରାୟରେ କାନ୍ଥକୁ ଆଉଜି କାନ ଡେରି ଠିଆ ହେଲା । ଅଳ୍ପ ଟିକିଏ ଠିଆ ହୋଇଛି କି ନାହିଁ, ପଛପାଖେ ଖସ୍ କରି ଗୋଟାଏ ଶବ୍ଦ ହେଲା । ସେ ପଛ ପାଖକୁ ଫେରି ଚାହିଁବା । ପୂର୍ବରୁ ଠେଙ୍ଗାର ଶକ୍ତ ପ୍ରହାର ତା ମୁଣ୍ଡରେ ବସିଲା । ସେ ଅଜ୍ଞାନ ହୋଇ ତଳେ ପଡ଼ିଗଲା । ଘରଭିତରୁ ଟର୍ଚ୍ଚ ଚିପି ଚିପି କେତେଜଣ ଲୋକ ବାହାରି ଆସିଲେ, ଅଟ୍ଟହାସ୍ୟରେ ଅଗଣା ଉଛୁଳାଇ ରବୀନ୍ଦ୍ରର ହାତ ପାଦ ବାନ୍ଧି ପକାଇଲେ ଓ ଟେକାଟେକି କରି ଗୋଟିଏ ଘରକୁ ନେଇଗଲେ ।

 

ବାର

 

ବିସ୍ଫୋରଣ ପରେ ଥାନାଟି ଅକାମୀ ହୋଇ ଯାଇଥିଲା । ଘରର ଛାତ ଠାଏ ଠାଏ ଭାଙ୍ଗି ଘରଭିତରେ ସ୍ତୂପ ଆକାରରେ ଜମା ହୋଇଥିଲା । କେତେଜଣ କନେଷ୍ଟବଲ୍ ମଧ୍ୟ ସାମାନ୍ୟ ଆହତ ହୋଇଥିଲେ । ସେଦିନର ଘଟଣା ମୁହୂର୍ତ୍ତକ ମଧ୍ୟରେ କଟକ ସହର ଭିତରେ ଖେଳିଯାଇ ସମସ୍ତଙ୍କ ମନରେ ଚାଞ୍ଚଲ୍ୟ ଆଣିଥିଲା । ଏସ୍.ପି, ଡି. ଏସ୍. ପି., ରିଜର୍ଭ ପୋଲିସ୍, କେତେଜଣ ସବ୍ଇନ୍ ପେକ୍ଟର ମଧ୍ୟ ଜମା ହୋଇ ଯାଇଥିଲେ । ନାନା ସମାଲୋଚନା, ଲୋକମାନଙ୍କର ଆକ୍ଷେପ ଓ ବିଦ୍ରୂପ ବଚନ ପୋଲିସଷ୍ଟାଫ୍ ଓ ହେମବାବୁଙ୍କୁ ସହିବାକୁ ପଡ଼ିଥିଲା । ପୋଲିସ ଆଇ. ଜି. ଘଟନା ଶୁଣି ଆସି ପହଞ୍ଚି ହେମବାବୁଙ୍କୁ ଡାକି ପଚାରିଲେ, “କି ହେମବାବୁ, ବ୍ୟାପାର କ’ଣ ?’’

 

ହେମବାବୁ କହିବା ପୂର୍ବରୁ ସୁରେଶବାବୁ ଆନୁଷଙ୍ଗିକ ସମସ୍ତ ଘଟଣା ବର୍ଣ୍ଣନା କଲେ ।

 

ଏସ୍ ପି. କହିଲେ “ପରୀକ୍ଷା ନ କରି ଆଜିକାଲି ପାର୍ସଲ ବାକ୍ସ ଗ୍ରହଣ କରିବା ନିହାତି ଭୁଲ୍ ।”

 

ଆଇ. ଜି କହିଲେ ‘‘ଦସ୍ୟୁଦଳ ଦ୍ୱାରା ଯେପରି ପୋଲିସଷ୍ଟାଫ୍ ଲାଞ୍ଚିତ ହେଉଛି, ଏଣିକି ମୁଣ୍ଡ ଟେକି ଚାଲିବା ମୁଷ୍କିଲ୍ । ହେମବାବୁ ଏପରି କଟକ ସହରରେ କାଣ୍ଡ ଘଟିବା ଅଭୂତପୂର୍ବ !”

 

ଲଜ୍ଜାରେ, ଗ୍ଳାନିରେ ହେମବାବୁଙ୍କ ମୁଣ୍ଡ ନଇଁ ପଡ଼ିଲା । ସୁରେଶବାବୁ କହିଲେ, “ଆଜ୍ଞା, ଡକାଏତ କିନ୍ତୁ ଧରା ପଡ଼ିଛି ।”

 

ପୋଲିସ୍ ଜିମା ଥିବା ପୋଲିସ୍ ବେଶଧାରୀ ଡକାଏତକୁ ଅଣାଗଲା । ପୋଲିସ୍ ପୋଷାକ ତାଦେହକୁ ଢିଲା ହେଉଥିଲା। ସେ ଯାହା ବର୍ଣ୍ଣନା କଲା, ସେଥିରେ ସମସ୍ତେ ଅବାକ୍ ହୋଇଗଲେ । ସେ କହିଲା, ‘‘ଅନୁଗୋଳରୁ ଦାରୋଗାବାବୁ ଏ ଥାନାକୁ ଗୋଟିଏ ପାର୍ସଲ୍ ପଠାଇଥିଲେ । ମୁଁ ତାକୁ ଧରି ଅସୁଥିଲି । ଷ୍ଟେସନ୍ ପାର ହେବାପରେ ପୋଲିସ୍ ବେଶଧାରୀ ଆଉ ଜଣେ ଲୋକ ବାହାରି ମୋତେ ଦେଖି ସଲାମ କଲା ଏବଂ ତା ବସାକୁ ନେଲା । ମୁଁ ସେଠାରେ ଜଳଖିଆ ଖାଇ ମୋର କାମ ସାରିନେଲି । ସାଙ୍ଗହୋଇ ଥାନାକୁ ଆସିଲୁ । ଏଠାରେ ପାର୍ସଲ ଦେଲି-। ତା'ପରେ ଏ କାଣ୍ଡ । ଥାନାରେ ଦେବାପାଇଁ ମୁଁ ଗୋଟିଏ ମଞ୍ଜି ପାର୍ସଲ ଆଣିଥିଲି-। ଏ ବୋମା କେଉଁଠୁଁ ଆସିଲା, ମୁଁ ନିଜେ ମଧ୍ୟ ଜାଣି ପାରୁନାହିଁ । ସେ ସାଙ୍ଗ ପୋଲିସଟିକୁ ମଧ୍ୟ ଦେଖୁନାହଁ ।”

 

ଆଇ. ଜି. କହିଲେ, ‘‘ଶେମ୍, ଶେମ୍’’ ବଡ଼ ଲଜ୍ଜାର କଥା ! ସେ ମଟର ଛୁଟାଇ ଚାଲିଗଲେ । କ୍ରମେ ଲୋକଗହଳ ଭାଙ୍ଗିଲା । ଏସ୍ .ପି. ପ୍ରଭୃତି ବିଦାୟ ନେଲେ । ପୋଲିସଟିକୁ ଗାର୍ଡ଼ ଜିମା ଦିଆଗଲା । ହେମବାବୁ ଚିନ୍ତିତ ମନରେ ବସାକୁ ଫେରିଲେ । ସେ ସେହି ପୋଲିସଟିର ଢିଲା ପୋଷାକରୁ ସ୍ପଷ୍ଟ ବୁଝିପାରିଥିଲେ ଯେ ଏହାର ପୋଷାକ ଦସ୍ୟୁଟି ନିଜେ ପିନ୍ଧି ଏହାକୁ ଚଉଦନମ୍ବର ପୋଲିସର ପୋଷାକ କୌଶଳ କ୍ରମେ ପିନ୍ଧାଇ ଦେଇଛି । ନିଜେ ଏହାର ପୋଷାକ ପିନ୍ଧି ଚମ୍ପଟ ଦେଇଛି । ଏଘର ଛାଡ଼ି ପାଇଖାନାକୁ ବା ବଜାରକୁ ଯାଇଥିବା ସମୟରେ ଦସ୍ୟୁ ପୋଷାକ ଏବଂ ପାର୍ସଲ ବଦଳ କରିଦେଇଛି । ଯେଉଁ ଚଉଦନମ୍ବର ପୋଲିସ୍ ଗାର୍ଡ଼ଟି ହରଣଚାଳ ହୋଇଛି, ଏ ଯେ ତା’ରି ପୋଷାକ ଏଥିରେ ସନ୍ଦେହ ନାହିଁ । ନିଶ୍ଚିତରୂପେ ଜଣାଗଲା, ଏ ହୀନୁଦଳର କାର୍ଯ୍ୟ । ଏହି ହୀନୁଦଳହିଁ ଚଉଦନମ୍ବର ପୋଲିସ୍‍କୁ ବନ୍ଦୀ କରିଛନ୍ତି ଓ ୟାଂସୁକୁ ମୁକ୍ତି ନ ଦେଲେ ତା’ର ଛିନ୍ନ ମସ୍ତକ ପହଞ୍ଚିବ ବୋଲି ଧମକ ଦେଇ ଚିଠି ଲେଖିଥିଲେ । ୟାଂସୁ ଯେତେବେଳେ ପଳାଇ ଯାଇଛି, ଚଉଦ ନମ୍ବର ପୋଲିସ୍ ନିଶ୍ଚୟ ମୁକୁଳିବ । ଏଘଟନା ସେତେବେଳେ ଆହୁରି ପରିଷ୍କାରଭାବେ ଜଣାପଡ଼ିବ । ଏହିପରି ନାନା ବିକ୍ଷିପ୍ତ ଭାବନା କରି କରି ହେମବାବୁ ସେଦିନ ଯତ୍‍କିଞ୍ଚିତ୍ ଭୋଜନ ଶେଷକଲେ । ରବୀନ୍ଦ୍ର କଥା ମନେ ପଡ଼ି ତାଙ୍କ ମନ ଆହୁରି ବିଚଳିତ ହୋଇଉଠିଲା । ସେ ଏହାପରେ କ'ଣ କରିବେ ଭାବୁଛନ୍ତି, ଗୋଟିଏ କାର୍ ଆସି ତାଙ୍କ ଦ୍ୱାର ସାମନାରେ ଠିଆହେଲା । ତା' ପଛରେ ଗୋଟାଏ ଟ୍ରକ୍, ମାଲ୍‍ ପତ୍ରରେ ଭରା । ସେ ଝରକାରେ ଚାହିଁ ଦେଖିଲେ, ଜଣେ ଭଦ୍ରଲୋକ ଓ ମହିଳା କାରରୁ ଓହ୍ଲାଇଆସି ତାଙ୍କ ଘର ମଧ୍ୟରେ ପ୍ରବେଶ କଲେ । ସେ ସେମାନଙ୍କୁ ବୈଠକଖାନାକୁ ଡାକି ଆଣିବାକୁ ଚାକରକୁ ପଠାଇଲେ । ନିଜେ ପୋଷାକ ବଦଳାଇ ବୈଠକଖାନାରେ ଉପସ୍ଥିତ ହେଲେ । ସରଯୂ ଓ ହିରଣବାବୁ ଏକାବେଳକେ ଉଠି ପ୍ରଣାମ କଲେ । ହେମବାବୁ ପ୍ରତିନମସ୍କାର ଜଣାଇ କହିଲେ, "କି, ଏତେ ରାତିରେ କୁଆଡ଼େ-? କିଛି ନୂତନ ସମସ୍ୟା ଅଛି ?’’

 

ହିରଣବାବୁ ହସି ହସି କହିଲେ, ‘‘ନା, ନୂତନ କିଛି ନାହିଁ, ଆମେ ଆପଣଙ୍କଠାରୁ ବିଦାୟ ନେବାକୁ ଆସିଛୁଁ ।’’

 

‘‘ଉଦ୍ଦେଶ୍ୟ ?’’

 

ଉଦ୍ଦେଶ୍ୟ ‘‘କଲିକତା ଯାତ୍ରା । ହୀନୁ ଦାଉରେ ଆଉ ଏଠାରେ ରହିବା ନିରାପଦ ମନେ କରୁ ନାହୁଁ ।’’

 

ହେମବାବୁ କହିଲେ, “ତେବେ କଲିକତା କ’ଣ ବେଶୀ ନିରାପଦ ? ହେଉ, ଯେତେବେଳେ ବାହାରିଲେଣି.....

 

ସରଯୂ କହିଲେ, ଟିକିଏ ‘‘ଆସନ୍ତୁ, ଷ୍ଟେସନଠାରେ ଆମକୁ ବିଦାୟ ଦେଇ ଆସିବେ । ‘‘ହେମବାବୁ ଗ୍ୟାରେଜରୁ କାର ଆଣିବାକୁ ଡ୍ରାଇଭରକୁ କହି ନିଜେ ଯାଇ ହିରଣ୍ ବାବୁଙ୍କ କାର୍ ରେ ବସିଲେ । ବାଟରେ ନାନା ପ୍ରସଙ୍ଗ କଥାବାର୍ତ୍ତା ହେଉ ହେଉ ଷ୍ଟେସନରେ ପହଞ୍ଚିଲେ । ଫାଷ୍ଟକ୍ଲାସ୍ ଡବାରେ ଉଠି ହିରଣ୍ ବାବୁ ହେମବାବୁଙ୍କୁ କହିଲେ, ‘‘ଆପଣଙ୍କ ଉପକାର ଜୀବନରେ ଭୁଲି ପାରିବୁଁ ନାହିଁ ।’’ ଏମାନଙ୍କର ସନ୍ଧାନ ନେଇ ହାରଟିର ପୁନରୁଦ୍ଧାର କରିବେ । ଯଦି ଦରକାର ହୁଏ, ମୁଁ ଏଠାରୁ କଲିକତାରେ ଥାଇ ମଧ୍ୟ ଆପଣଙ୍କ ସାହାଯ୍ୟ ପାଇଁ ହାତ ପାତିବି, ନିରାଶ କରିବେ ନାହିଁ ।’’

 

ହେମବାବୁ କହିଲେ, ‘‘ଆମ୍ଭମାନଙ୍କର ବ୍ୟବସାୟ ହେଲା ଏଇୟା । ଆପଣଙ୍କର କି ଉପକାର ଆମେ ବା କଲୁଁ ? ତେବେ କଲିକତାରେ ପହଞ୍ଚି ଆପଣମାନଙ୍କର ଠିକଣା ଦେବେ ।” ସରଯୂ କହିଲେ, “ନିଶ୍ଚୟ । ସେଠି ଏବେ କ'ଣ ବିପତ୍ତି ଘଟୁଛି, କିଏ ଜାଣେ ।’’ ହିରଣ୍ ବାବୁ କହିଲେ, ‘‘ଏ ଘଟଣାଟି ଆମ ଜୀବନର ଧୂମକେତୁ ।” ହେମବାବୁ ଆଉ କ’ଣ କହିବାକୁ ଯାଉଛନ୍ତି, ସରଯୂ ଚମକି ପଡ଼ି ଚିତ୍କାର ଛାଡ଼ିଲେ,“ଏ ଯେ ହୀନୁ, ହେଇ ପଳାଇଗଲା ।’’ ସେ ହାତ ବଢ଼ାଇ ଦେଖାଇଦେଲେ ।

 

ସମସ୍ତଙ୍କର ଦୃଷ୍ଟି ସେ ଆଡ଼କୁ ଟାଣି ହୋଇଗଲା । ମାତ୍ର ସେତେବେଳକୁ ହୀନୁ ଲୋକଗହଳି ଭିତରେ ମିଶି ଯାଇଥିଲା ।

 

ଟ୍ରେନ ଚାଲିବାର ଘଣ୍ଟି ବାଜିଲା । ହେମବାବୁ ବିଦାୟ ନେଇ ବସାକୁ ଫେରିଲେ । ବସାରେ ସେ ଗୋଟିଏ ଚିଠି ଚାକର ହାତରୁ ପାଇଲେ ।

 

ଜଣେ କେହି ଲୋକ ଚିଠିଟି ଆଣି ସେ ଯିବା ପଛେ ପଛେ ଦେଇଗଲା ବୋଲି ସେ କହିଲା । ହେମବାବୁ ଚିଠି ଖୋଲି ପଢ଼ିଲେ । ସେଥିରେ ଲେଖାଥିଲା, ‘‘ସାମାନ୍ୟ ସନ୍ଧାନ ପାଇଛି । ମୋ ପାଇଁ ଉତ୍କଣ୍ଠିତ ହେବେ ନାହିଁ । ରବୀନ୍ଦ୍ର ।''

 

ହେମବାବୁ ରବୀନ୍ଦ୍ରର ଚିଠି ପାଇ ଟିକିଏ ଆଶ୍ୱସ୍ତ ହେଲେ । ସେତେବେଳକୁ ସେ କ୍ଳାନ୍ତ ହୋଇ ପଡ଼ିଥିଲେ । ସଙ୍ଗେ ସଙ୍ଗେ ଶୋଇ ପଡ଼ିଲେ ।

 

ତେର

 

ନିର୍ଜ୍ଜନ ରାତିରେ ସ୍ରୋତର ପ୍ରତିକୂଳରେ ଗୋଟିଏ ନୌକା ମହାନଦୀ ଗର୍ଭରେ ଚାଲିଛି । ନୌକାରେ ସର୍ବମୋଟ ଚାରିଜଣ ପୁରୁଷ ଓ ଜଣେ ସ୍ତ୍ରୀ ଯାତ୍ରୀ । ଚାରିଆଡ଼ ନୀରବ ନିସ୍ତବ୍ଧ, କେବଳ ମଧ୍ୟେ ମଧ୍ୟେ କାତ’ର ଖଳ ଖଳ ଶବ୍ଦ ସେହି ବିଜନତା ଭଙ୍ଗ କରୁଛି । ଏହି ସମୟରେ ଦୁଇ ଜଣ କାତୁଆଳ କାତ ଛାଡ଼ି ଆସି ବିଶ୍ରାମ ନେଲେ; ଆଉ ଦୁଇ ଜଣ ପୁରୁଷ ଆରୋହୀ ଯାଇ କାତ ମାରିଲେ । ସ୍ତ୍ରୀ ଲୋକଟି ଡାକି କହିଲା, ‘‘କି ହୀନୁ, ହାଲିଆ ହୋଇ ଗଲୁ କି ?

 

ପୁରୁଷ ଆରୋହୀଟିଏ ଉତ୍ତର ଦେଲା, ‘‘କ’ଣ, ଏହି କଟକରୁ ଆସୁ ଆସୁ ହୀନୁ ହାଲିଆ ହେବ ?

 

ଗୋଟିଏ ଲୋକକୁ ହସ୍ତପଦବଦ୍ଧ ଅବସ୍ଥାରେ ନୌକାରେ ଶୁଆଇ ଦିଆଯାଇଥିଲା । ତାକୁ ଲକ୍ଷ୍ୟ କରି ହୀନୁ ପଚାରିଲା, ‘‘ଉଆଁସୀ ସେ ଲୋକଟା କିମିତି ଅଛି ?

 

ଉଆଁସୀ କହିଲା, ‘‘ନିଶା ଛାଡ଼ି ନାହିଁ, ପୁଅ ଏକଦମ୍ ଜବତ ।

 

ୟାଂସୁ ଓ ରଫୁ କାତ ମାରୁଥିଲେ । ହରିସିଂହ ନାମଧାରୀ ମଣି ନାୟକ ପାଖରେ ବସିଥିଲା । ସେ କହିଲା, ‘‘ମୁଁ ତ ହରିସିଂହ ହେଲି, ଏ ଗୋୟେନ୍ଦାଟା ହିନ୍ଦୁସ୍ଥାନୀ ପାଲଟିଗଲା । ମୁଁ ତାକୁ ରାସ୍ତାରେ ଛାଡ଼ିଦେଲି, ପୁଣି କେତେବେଳେ ଆସି ଭିତରେ ପଶିଲା ?’’

 

‘‘ଉଆଁସୀକୁ ମୁଁ ଆଣି ଯେତେବେଳେ ହୋଟେଲ ବାଟେ ଛାଡ଼ିଦେଲି, ଗୁପ୍ତ ଦ୍ୱାର ଖୋଲିଥିଲା, ସେତିକିବେଳେ ଏ ପଶି ଯାଇଛି । ମୁଁ ଚଉଦନମ୍ବର ପୋଲିସକୁ ଛାଡ଼ିଦେଇ ପଛପାଖ ବଢ଼େଇଶାଳ ବାଟେ ମଟର ନେଇ ଯେତେବେଳେ ପଶିଛି ସେତିକବେଳେ ଘୁଞ୍ଚିଯାଇ ଏ ଲୁଚି ପଡ଼ିଲା । ଆମେ ସବୁ ଘର ଭିତରେ ରହି କଥାବାର୍ତ୍ତା କରୁଥିବାବେଳେ ଏ କାନ୍ଥକୁ ଆଉଜି କାନେଇ ସବୁ ଶୁଣୁଥିଲା । ପଛ ପାଖୁ ଯାଇଁ ପାହାରେ ପକାଇଲି । ଏକା ପାହାରକେ ତ ଚିତ୍ ପଟାଙ୍ଗ । ହୀନୁ ଏତେକ କହି ଦେଇ ହୋ ହୋ ହସି ଉଠିଲା । ଜନଶୂନ୍ୟ ପାହାନ୍ତି ରାତିରେ ସେ ହସଧ୍ୱନି ବହୁଦୂର ବ୍ୟାପିଗଲା ।

 

ୟାଂସୁ ନୌକାର ଏକ ପାଖରେ କାତ ମାରୁଥିଲା । ସେ ଡାକ ମାରି କହିଲା, ‘‘ହାଁ ଭାଇ, ଆସ୍ତେ, ହସରେ ଫାଟି ପଡ଼ିବ ଯେ । ସେ ବଡ଼ ଗୋଇନ୍ଦା ହେମବାବୁକୁ ଯେଉଁଦିନ ଜବତ କରିବୁ, ସେଦିନ ବାହାଦୁରି ବାହାର କରିବୁ । କିନ୍ତୁ ଜାଣି ରଖିଥା, ହେମବାବୁ ଆଖିରେ ଆମ ଗଫଲତି ସବୁ ଧରାପଡ଼ିଛି । ସେଦିନ ସେ ଥାନା ଇନ୍‍ସପେକ୍ଟରକୁ ପରିଷ୍କାର କହିବାର ମୁଁ ନିଜେ ଶୁଣିଛି-ଯେଉଁ ଡ୍ରାଇଭରଟାକୁ ଛତରାବଜାର ଗଛରେ ଲଟକାଇ ଦିଆଯାଇଛି, ତାକୁ ଏହି ହୀନୁଦଳ ବିଷ ଇଞ୍ଜେକ୍‍ସନ ଦେଇ ମାରି ଗଛରେ ଲଟକାଇ ଦେଇଛନ୍ତି ଇନ୍‍ସପେକ୍ଟର ଉଦ୍ଦେଶ୍ୟ ପଚାରିବାରୁ କହିଲା, ତା’ର ଟ୍ୟାକ୍‍ସି ଖଣ୍ଡି ହସ୍ତଗତ କରିବା ଓ ନିଜର ଗୁପ୍ତ ଆଡ଼୍ଡ଼ା ଗୋପନ ରଖିବା ।”

 

ଉଆଁସୀ କହିଲା, ‘‘ଲୋକଟା ଭାରି ଚାଲଖ୍ । କେବଳ ସେତିକି ନୁହେଁ, ନୀଳୁରାମ ଚୋରିରେ ମୁଁ ସାହାଯ୍ୟ କରିଥିବା କଥା ସେ ସ୍ପଷ୍ଟ ଜାଣି ପାରିଛି । ସେ ଫଟୋ ପ୍ରଭୃତିରୁ ମୋ ପାଦଚିହ୍ନ ବାରି ମୋତେ ସେ କଥା ପଚାରୁଥିଲା, ମୁଁ ଫାଙ୍କି ଦେଇଛି। ଆଚ୍ଛା ୟାଂସୁ, ତୁ ହିରଣ୍ ବାବୁଙ୍କ ଘରଠି ଧରାପଡ଼ିଲୁ କିମିତି ?’’

 

‘‘ଆରେ, ମୁଁ ଜାଣିଛି । ରଫୁ, ହୀନୁ ଘର ଭିତରକୁ ଗଲେ । ମୁଁ ମଟରକୁ ଉଠିଯିବି କି ନାହିଁ ଠିଆ ହୋଇ ଭାବୁଛି, ଗୋଟାଏ ପୋଲିସ କନେଷ୍ଟବଲ୍ ଆସି ମୋ ଅଖି ବୁଜି ଧରିଲା । ଆଉ ଗୋଟାଏ ଆସି ରୁମାଲରେ ପାଟି ବୁଜି ଧରିଲା । ମୋତେ ଜବତ୍ କରି ହାତରେ ହାତକଡ଼ି ପିନ୍ଧାଇ ଥାନାକୁ ଟାଣି ନେଲେ । ସେ ବଦମାସ ହେମବାବୁର ଏ ସବୁ କାଣ୍ଡ ।” ୟାଂସୁ ଅତିଶୟ କ୍ରୋଧରେ କଥାତକ କହିଗଲା ।

 

ରଫୁ କାତ ମାରୁ ମାରୁ କହିଲା, ‘‘ଆରେ ହୀନୁ, ୟାଂସୁ କିମିତି ଖଲାସ ହେଲା, ସେ କଥାଟା ସେଠାରେ ଆରମ୍ଭ କରିଥିଲୁ, କହିପାରିନାହୁଁ । କିପରି ମୁକୁଳିଲା କହିବୁଟି । ଉଆଁସୀ କଥାତ କହୁଥିଲୁ, ପାନରେ ବିଷଗୁଣ୍ଡ ଦେଇ ପୋଲିସକୁ ଖୁଆଇ ଉଆଁସୀ ଚାଲି ଆସିଲା ବୋଲି ।’’

 

ହୀନୁ କହିଲା, ‘‘ଏକଦମ୍ ବମ୍ ଫଏର୍’’ । ସମସ୍ତେ ଏକାବେଳକେ ହେଁ ହେଁ କରି ହସି ଉଠିଲେ ।

 

ହୀନୁ କହିବାକୁ ଆରମ୍ଭ କଲା, “ସେଦିନ କଳେବଳେ କୌଶଳେ ୟାଂସୁ ଓ ଉଆଁସୀକୁ ଖଲାସ କରିବି ବୋଲି ପଣ କରିଥିଲି । ଷ୍ଟେସନ ରାସ୍ତାରେ ବୁଲୁବୁଲୁ ଅନୁଗୋଳର ଗୋଟିଏ ପୋଲିସକୁ ହାଲିଆ ହୋଇ ଗୋଟିଏ ବଡ଼ ପାର୍ସଲ ଧରି ଷ୍ଟେସନଆଡ଼ୁ ଆସୁଥିବାର ଦେଖିଲି । ମୁଁ ଚଉଦନମ୍ବର ପୋଲିସ୍‍ର ପୋଷାକ ପିନ୍ଧିଥିଲି । ଆଗରୁ ଜଣେ ଘରବାଲାର ଗୋଟିଏ ବଖରା ଘର ଠିକଣା କରି ସେଠାରେ ଗୋଟିଏ କାଠ ବାକ୍ସରେ ବମ୍‍ଟିଏ ପ୍ୟାକ୍ କରି ରଖିଥିଲି । ବମ୍‍ଟି ବରାଦ ଦେଇ ଏପରି ତିଆରି କରାଇଥିଲି ଯେ ଯେପରି ପବନ ବାଜିଲେ ସେ ଫୁଟିବ । ଅନୁଗୋଳ ପୋଲିସ୍‍ଟି ମୋତେ ପୋଲିସ୍ ମନେକଲା ଓ ସଲାମ କରି ସେ ଅନୁଗୋଳରୁ ଆସିଥିବା ଓ ବିଶ୍ରାମ ଖୋଜୁଥିବା କଥା ଜଣାଇଲା । ମୁଁ ତାକୁ ସେ ଘରଠିକି ନେଇଗଲି ଓ ସେ ପାଇଖାନା ଯାଇଥିବା ଅବସ୍ଥାରେ ତା ପାର୍ଶଲ୍ ବଦଳାଇ ତା ପୋଷାକଟା ପିନ୍ଧି ପକାଇଲି ।”

 

କଥାରେ ବାଧା ଦେଇ ଉଆଁସୀ କହିଲା, ‘‘ଚଉଦନମ୍ବର ପୋଲିସର ପୋଷାକ ପାଇଲୁ କେଉଁଠୁ ?”

 

Unknown

ହୀନୁ କହିଲା, ‘‘ଯେଉଁଦିନ ମଟର ଆକ୍ସିଡେଣ୍ଟ୍ ହେଲା, ତୁ ଧରା ପଡ଼ିଲୁ, ସେଦିନ ମୁଁ ପଳାଇ ଅସିଲାବେଳକୁ ଏ ଚଉଦନମ୍ବର ପୋଲିସ୍‍ଟା ଆମ ଏପାଖ ତେଲେଙ୍ଗାବଜାରରେ ଟହଲ ମାରୁଥିଲା ତା’ର ପଛ ପାଖୁ ଯାଇ ଧକ୍କାଟାଏ ମାରିଲି ଯେ ସେ ହାମୁଡ଼େଇ ପଡ଼ିଗଲା । ତାକୁ ମାଡ଼ିବସିଲାବେଳକୁ ରଫୁ କୁଆଡ଼ୁ ଆସି ପହଞ୍ଚିଗଲା । ତା ମୁହଁରେ ରୁମାଲ୍ ଗେଞ୍ଜି ଦୁହେଁ ଯାକ ତାକୁ ବସାକୁ ଟେକି ଆଣିଲୁଁ । ତାକୁ ବନ୍ଦୀ କରି ରଖିଥିଲୁଁ; ତୁ ମୁକୁଳିବା ଦିନ ରାତିରେ ଛାଡ଼ିଦେଲୁଁ-।’’

 

ରଫୁ କହିଲା, ‘‘ଆକ୍ସିଡେଣ୍ଟ୍ ହେବାମାତ୍ରେ ମୁଁ ଦେଖିଲି, ଆଉ ରକ୍ଷା ନାହିଁ, ସାଙ୍ଗେ ସାଙ୍ଗେ ମାର୍‍ଡିଆଁ । ଗଳି, ଭିତର ଦେଇ ଆସୁ ଆସୁ ଦେଖିଲି ଜଣେ କିଏ କାହାକୁ ମାଡ଼ି ବସିଛି । ନିରେଖି ଦେଖିଲି, ଏ ଅମର ହୀନେନ୍ଦ୍ର ନାଥ ରାୟଙ୍କର କାଣ୍ଡ । ତା ସାଙ୍ଗରେ ମିଶି ଲୋକଟିକୁ ଜବତ୍ କଲି । ତେବେ ନୀଳୁରାମ ଘରେ ହୀନୁ ଯିମିତି ରେଡ଼ିଓ ବଜାଇ ଟଙ୍କା ବାହାର କରିଚି, ଇମିତି ମଜା କାଣ୍ଡ କେବେ ଅନ୍ୟଠି ଘଟିନି ।”

 

ଉଆଁସୀ ହସି କହିଲା, ‘‘ନୀଳୁରାମର ସ୍ତ୍ରୀ ପରି ବୋକା ମାଇକିନିଆ ମୁଁ ଜଗତରେ ଦେଖିନି । ଯିମିତି ନୀଳୁରାମ ଡାକିଦେଇ ଚାଲିଯାଇଚି, ତା’ ସ୍ତ୍ରୀ ଉଠିବାକୁ ବସିଚି, ମୁଁ ରେଙ୍ଗୁନ କଥାଭାଷା ଗପ ଇମିତି ଲଗାଇଦେଲି ଯେ ତା’ର ଆଉ ବସିଲା ଥାନାରୁ ଉଠିବାକୁ ମନ ହେଲାନି । ତା’ପରେ ହୀନୁ ଯାଇ ଯିମିତି ରେଡ଼ିଓ ବଜାଇଚି, ମୁଁ କହିଲି, ସେ'ତ ଫେରିଆସି ରେଡ଼ିଓ ପୁଣି ବଜାଇଲେଣି; ଆଉ ଯିବ କିଆଁ ? ନୀଳୁରାମର ସ୍ତ୍ରୀ ମାନିଯାଇ ବସି ପୁଣି ସରଯୂଙ୍କଠାରୁ ଗପ ଶୁଣିଲା । ମୁଁ ବାହାରକୁ ଆସି ଦେଖେଁ, ହୀନୁ ଓ ତୁ ହସି ହସି ଟଙ୍କା ନେଇଯାଉଚ ।”

 

ୟାଂସୁ କାତ ମାରୁ ମାରୁ କହିଲା, ‘‘ସେ ଚଉଦନମ୍ବର ପୋଲିସ୍‍ର ପୋଷାକଟା ଅନୁଗୋଳ ପୋଲିସ ପିନ୍ଧିଲା କିମିତି ?’’

 

ହୀନୁକହିଲା, ‘‘କହିଲି ପରା, ସେ ପାଇଖାନା ଯାଇଥିବାବେଳେ ତା ପୋଷାକ ମୁଁ ପନ୍ଧିପକାଇ, ମୁଁ ପାଲଟିଥିବା ଚଉଦନମ୍ବର ପୋଲିସ୍‍ର ପୋଷାକ ରଖି ଦେଇଥିଲି । ସେ ପାଇଖାନାରୁ ଫେରିଲା ପରେ ତାକୁ ଏପରି ତରତର କରିଦେଲି ଯେ ସେ’ଟା ତା ପୋଷାକ କି ଆଉ କାହାର, ସେ ଦେଖିବାକୁ ଫୁରୁସତ୍ ପାଇଲା ନାହଁ । ସନ୍ଧ୍ୟା ଅନ୍ଧାରରେ ମଧ୍ୟ ତା’ର ପୋଷାକ ହଠାତ୍ ଚିହ୍ନିବାର ଉପାୟ ନଥିଲା ।’’

 

ରଫୁ କହିଲା, ‘‘ତେବେ ପାର୍ସଲ ଥାନାରେ ସିମିତି ଫିଟିଛି, ବୋଧହୁଏ ପବନ ବାଜି ବୋମା ଫୁଟିଲା । ଆଚ୍ଛା ୟାଂସୁତ ହାଜତରେ ଥିଲା, ମୁକୁଳିଲା କିମିତି ?’’

 

ୟାଂସୁ ସଙ୍ଗେ ସଙ୍ଗେ କହିଲା, ‘‘ସେତେବେଳେ ପରା - ହେମବାବୁ ଓ ଇନ୍‍ସପେକ୍ଟର ହାଜତ ଫିଟାଇ ମୋତେ ଜେରା କରୁଥିଲେ । କିନ୍ତୁ ମୋ'ଠାରୁ ପଦେ ହେଲେ ଜବାବ୍ ପାଇ ନାହାନ୍ତି-।’’

 

‘‘ଠିକ୍ ସେତିକିବେଳେ ବୋମା କାଣ୍ଡ, ୟାଂସୁ ଚମ୍ପଟ୍, ମୁଁ’ତ ସହଜେ ।’’ ହୀନୁ ତାଚ୍ଛଲ୍ୟର ହସି ହସି କହିଗଲା ।

 

ମଣି ନାୟକ କହିଲା, ‘‘ବନ୍ଧୁ ହେମବାବୁଙ୍କ ସଙ୍ଗେ ଆଉ କେବେ ଭେଟ ହେବ କେଜାଣି-।’’

 

ହୀନୁ କହିଲା, “ସେ ଆଉ ବେଶି ଦିନ ନୁହେଁ । କଲିକତାରେ ଆମର ଆସନ୍ତା ସମର କ୍ଷେତ୍ର ହେବ ।”

 

ଉଆଁସୀ ଆଶ୍ଚର୍ଯ୍ୟ ହୋଇ ପଚାରିଲା, “କଲିକତାରେ ?’’

 

ହୀନୁ ଆଉ ଥରେ କହିଲା, ‘‘ହଁ କଲିକତାରେ । ହିରଣ୍ ବାବୁ ଆଉ ସରଯୂ ସେଇଠି ଆସ୍ଥାନ ଜମାଇଲେଣି । ସରଯୂକୁ ଯେକୌଣସି ପ୍ରକାରେ ହାତ କରିବାକୁ ପଡ଼ିବ । ଦେଖିବି, କୋଉ ହେମବାବୁ ପିଠିରେ ପଡ଼ିବ ।” ଶେଷରେ ସେ ରାଗରେ ଦାନ୍ତ ଚୋବାଇ କହିଲା, “କାଲି ରାତି ଦଶଟାବେଳେ ଗୋପନରେ ଉଭୟେ କଲିକତା ଯାଇଚନ୍ତି । ବନ୍ଧୁ ହେମବାବୁ ବିଦାୟ ଦେବାକୁ ଷ୍ଟେସନକୁ ଯାଇଥିଲେ ମୁଁ ନିଜେ ଦେଖିଛି ।”

 

‘‘ତା' ପୂର୍ବରୁ ଏ ରବୀନ୍ଦ୍ର ବିଚରାର ଅସ୍ଥି ‘କଳୌ ଚିତ୍ରୋତ୍ପଳା ଗଙ୍ଗା’ରେ ନିକ୍ଷେପ କରାଯାଉ ।’’ ମଣି ନାୟକ ହସି ହସି କହିଲା

 

“ଏଡ଼େ ସହଜରେ ନୁହେଁ ।” ଏହା କହି ହୀନୁ ହସି ଉଠିଲା । ତା’ର ସେହି ବିକଟ ହାସ୍ୟରୋଳରେ ସମସ୍ତେ ଚମକି ପଡ଼ିଲେ । ହୀନୁ କହିଲା, “ଏ ସଇତାନଟାକୁ ଟିକି ଟିକି କରି କଟାଯିବ । ତା’ର ଛିନ୍ନ ମସ୍ତକ ବନ୍ଧୁବର ହେମବାବୁଙ୍କୁ ଉପହାର ଦିଆଯିବ । ଦେଖାଯାଉ ଗୋଇନ୍ଦାଟାର ମସ୍ତିଷ୍କରେ କେତେ ବୃଦ୍ଧି-ବୃତ୍ତି, କଳ୍ପନା ଜଳ୍ପନା, ଚାଲାଖି-ଚତୁରତାର ଜୋର୍ ଅଛି । ତେବେ କଲିକତାରେ ନୂତନ ଆସ୍ଥାନ ଜମାଇବା ପୂର୍ବରୁ ଆମକୁ ବାଟରେ ଗୁପ୍ତ ଆଡ୍ଡାରେ ଦିନେ ଦି’ଦିନ ବିଶ୍ରାମ ନେଇଯିବାକୁ ହେବ । ମେଥୁଭିତରେ ଏ ବନ୍ଧୁ ରବୀନ୍ଦ୍ରର ହିସାବ ନିକାଶ କରିବାକୁ ପଡ଼ିବ ।’’

 

ଉଆଁସୀ ହେଁ ହେଁ ହୋଇ ହସି କହିଲା, ‘‘ଏମାନେ ଆମ କଟକ ଆଡ୍ଡାର ସନ୍ଧାନ ପାଇଲେ ସତ, ମାତ୍ର ଏ ବିଚରାକୁ ଫାନ୍ଦରେ ପାଦ ଦେବାକୁ କାହିଁକି ପଠାଇଲେ ?''

 

‘‘ଆଡ଼୍ଡ଼ା ପ୍ରକାଶ ପାଇଯିବାରୁ ତ ଆମର କଟକ ତ୍ୟାଗ । ମୁଁ ସେଇଥିପାଇଁ ରାତିଅଧରେ ଆସିବାକୁ ଏସବୁ ଆୟୋଜନ କଲି । ସୁଜନ ଯେନା ମଟର ଧରି ଫେରି ଯାଇଥିବ । ଯଦି ସାବଧାନରେ ନ ରହେ, ତେବେ ପୋଲିସ୍ ହାତରେ ଧରା ପଡ଼ିଯିବ । ଦସ୍ୟୁ ସର୍ଦ୍ଦାର ହୀନୁ ଚିନ୍ତାତରଭାବରେ ଏତକ କହିଗଲି ।”

 

ମଣି ନାୟକ କହିଲା, ‘‘ସୁଜନ ଆମକୁ ବହୁତ ସାହାଯ୍ୟ କରିଛି । ସେ ମଟର ଧରି ବସାକୁ ନିଶ୍ଚୟ ଫେରିଯିବ, ଚାଲାଖ ଲୋକ । ଦୋକାନ, ହୋଟେଲ, ଜୁଆ ଆଡ୍ଡା ସବୁ ଚଳାଇ ନେବ । କେତେଥର ଏପରି ସେ ଚଳାଇଛି, ଆଜି କ’ଣ ନୂଆ ?”

 

ପୂର୍ବାକାଶରେ ଧୀରେ ଧୀରେ ସିନ୍ଦୁରା ଫାଟିଲା । ଉଜ୍ଜ୍ୱଳ ସୌର ରଶ୍ମି ବନ ପାହାଡ଼, ନଦୀଜ ସ୍ପର୍ଶ କଲା । ପକ୍ଷୀ, ମନୁଷ୍ୟ ଓ ଅନ୍ୟାନ୍ୟ ଜୀବଜନ୍ତୁଙ୍କର କୋଳାହଳ ଧରାବାସୀଙ୍କର କର୍ମଜୀବନର ସୂଚନା ଦେଲା । ହୀନୁଦଳ କ୍ରମେ କ୍ରମେ ଜୋର୍‍ରେ କାଢ଼ି ମାରିବାକୁ ଆରମ୍ଭ କଲେ-। ବେଳ ଓଳିକବେଳକୁ ନୌକା ନିର୍ଦ୍ଦିଷ୍ଟ ସ୍ଥାନରେ ଆଶ୍ରୟ ନେଲା । ଆରୋହୀଦଳ ନୌକାରୁ ଓହ୍ଲାଇଲେ ।

 

ଚଉଦ

 

ହେମବାବୁ ତା’ପର ଦିନ ଭୋରରୁ ଉଠି ପ୍ରାତଃକର୍ମ ସମାପନ କରି ଖବରକାଗଜରେ ଥରେ ଆଖି ବୁଲାଇ ଆଣିଲେ । ରାତି ରାତି ଖବରକାଗଜରେ ଛାପା ହୋଇଯାଇଛି, ‘ପୋଲିସ୍ ଥାନାରେ ଅଭିତ କାଣ୍ଡ’ । ‘ପୋଲିସ୍ କର୍ତ୍ତୃପକ୍ଷଙ୍କ ଚକ୍ଷୁରେ ଧୂଳି ନିକ୍ଷେପ’ । ‘ହାଜତରୁ ଦସ୍ୟୁର ପଳାୟନ’ ଗୋଟିଏ ବାଳକ କାଗଜ ବାଣ୍ଟି ବାଣ୍ଟି ସଙ୍ଗେ ସଙ୍ଗେ ପୋଲିସ୍ ନିନ୍ଦାସୂଚକ ଏ ଧ୍ୱନି କରି କରି ଗଲା । ହେମବାବୁଙ୍କୁ ମଧ୍ୟ ଖଣ୍ଡିଏ କାଗଜ ଦେଇ ଯାଇଥିଲା ।

 

ଏହି ସମୟରେ ଟେଲିଫୋନ୍ ରେ କାହାର ଡାକରା ସେ ଶୁଣିବାକୁ ପାଇଲେ । ସଙ୍ଗେ ସଙ୍ଗେ ଫୋନ୍ ଧରି କହିବାରେ ଲାଗିଲେ—

 

‘‘କିଏ ?

 

ସୁରେଶବାବୁ ? ନମସ୍କାର !

 

କିଏ, ଉଆଁସୀ ?

 

ପଳାଇ ଯାଇଛି ? ହସ୍ପିଟାଲରୁ ?

 

କେତେଟାବେଳେ ?

 

ରାତି ଦି’ ଟାରେ ?

 

ଗାର୍ଡ଼ ?

 

ଅଚେତ ହୋଇ ପଡ଼ିଛି ?

 

ରବୀନ୍ଦ୍ରର କିଛି ସଂବାଦ ପାଇଛନ୍ତି ?

 

ହେଉ, ମୁଁ ଯାଉଛି ।”

 

ହେମବାବୁ ମଟର ନେଇ ଥାନାକୁ ବାହାରିଲେ । ଥାନାରେ ସୁରେଶବାବୁ ପ୍ରଭୃତି ଅପେକ୍ଷା କରିଥାନ୍ତି । ସମସ୍ତଙ୍କ ମନ ଦୁଃଖରେ ଆଚ୍ଛନ୍ନ । ହେମବାବୁଙ୍କୁ ଦେଖି ସୁରେଶବାବୁ ହସ୍ପିଟାଲରୁ ଉଆଁସୀ ପଳାଇଥିବା ସମ୍ବାଦ ଏବଂ ରାତିଅଧରେ ସେମାନଙ୍କ ଦୌଡ଼ା ଦୌଡ଼ି, ଅନୁସନ୍ଧାନ ଓ ପୋଲିସ୍ ଗାର୍ଡ଼ଟିର ଦୁରାବସ୍ଥା ସମସ୍ତ ବର୍ଣ୍ଣନା କଲେ ।

 

ଅନୁଗୋଳରୁ ଠିକ୍ ସମ୍ବାଦ ନେଇ ଲୋକ ଆସି ପହଞ୍ଚି ଯାଇଥିଲା । ଚଉଦ ନମ୍ବର ପୋଲିସ୍, ଯେ କି ହରଣଚାଳ ହୋଇଥିଲା, ସେ ମଧ୍ୟ ଥାନାରେ ହାଜର ଥିଲା ! ହେମବାବୁ ସମସ୍ତ ଘଟନା ପୁଙ୍ଖାନୁପୁଙ୍ଖ ରୂପେ ଜେରା କରି ବୁଝିନେଲେ ଯେ ଅନୁଗୋଳ ପୋଲିସ୍‍ଟି ପ୍ରକୃତରେ ନିର୍ଦ୍ଧୋଷ । ସେ ପୋଲିସଟି ଯେପରି ଆକାର ପ୍ରକାର ବର୍ଣ୍ଣନା କଲା, ସେଥିରୁ ସେ ଜାଣିଲେ ଯେ ନିଜେ ଚଉଦନମ୍ବର ପୋଲିସ୍ ସାଜି ଏହାକୁ ପ୍ରତାରଣା କରିଛି । ଚଉଦନମ୍ବର ପୋଲିସ୍ ମଧ୍ୟ କହିଲା, ପଅରିଦିନ ରାତିରେ ସେ ତେଲେଙ୍ଗାବଜାରରେ ଗାର୍ଡ଼ ଦେଉଥିବା ବେଳେ ଜଣେ କିଏ ପଛଆଡ଼ୁ ତାକୁ ଧକ୍କାଏ ପକାଇ ମାଡ଼ିବସି ତା’ ମୁହଁରେ ରୂମାଲ ବାନ୍ଧି ଦେଲା । ଆଉ ଜଣେ ତା’ ଆଖି, ଗୋଡ଼, ହାତ ବାନ୍ଧି ପକାଇଲା । ସେ ଛାଟି ପିଟି ହେଲେ ମାରି ଦେବୁଁ ବୋଲି ଭୟ ଦେଖାଇଲେ । ତାକୁ ନିକଟବର୍ତ୍ତୀ ଗୋଟିଏ ଘରେ ନେଇ ବନ୍ଦୀ ଅବସ୍ଥାରେ ରଖିଲେ ।

 

ହେମବାବୁ ପଚାରିଲେ, “ସେ ଘର କେଉଁଠି ସେ’ଟା କି ଘର ?” ଚଉଦନମ୍ବର ପୋଲିସ୍‍ଟି ଉତ୍ତର ଦେଲା, ‘‘ଘର କେଉଁଠି, କହିପାରିବି ନାହିଁ । ଯେତେଦୂର ଅନୁମାନ ଏହି ତେଲେଙ୍ଗାବଜାରରେ । ପକ୍କା ଘର, ପାଇଖାନା ଅଛି । ଉପର ନଡ଼ା ଛାଆଣି । କାଲି ରାତିରେ ଆଜ୍ଞା, ସେହିପରି ହାତ, ଗୋଡ଼, ଆଖି ବନ୍ଧା ଅବସ୍ଥାରେ, ଯେଉଁଠାରୁ ମୋତେ ନେଇଥିଲେ, ସେଇଠାରେ ମୋଟରରେ ଆଣି ଛାଡ଼ି ଦେଇ ଗଲେ । ପାଇଖାନା ଗଲାବେଳେ ମଧ୍ୟ ମୋତେ ଗାର୍ଡ଼ ଦେଇଥାନ୍ତି । ମୋତେ ସେ ଘରେ ବନ୍ଦୀ କରି ମୋର ପୋଷାକ ଛଡ଼ାଇ ନେଇଥିଲେ ।’’

 

ସୁରେଶବାବୁ ସେମାନଙ୍କର ଆକାର ପ୍ରକାର ସମ୍ବନ୍ଧରେ କେତେଗୁଡ଼ିଏ ପ୍ରଶ୍ନ କଲେ । ସେ ଯଥାଯଥ ଭାବେ ଉତ୍ତର ଦେଲା ।

 

ହେମବାବୁ କହିଲେ, ‘‘ଚାଲନ୍ତୁ ଏମାନଙ୍କୁ ନେଇ ହସ୍ପିଟାଲକୁ ଯିବା ଓ ସ୍ଥାନଗୁଡ଼ିକର ଅନୁସନ୍ଧାନ ମଧ୍ୟ ନେବା । ରବୀନ୍ଦ୍ର ଏପର୍ଯ୍ୟନ୍ତ ଫେରିଲା ନାହିଁ । ତା’ର ସନ୍ଧାନ ଆମକୁ ଯଥାଶୀଘ୍ର ନେବାକୁ ପଡ଼ିବ ।”

 

ହେମବାବୁ ସୁରେଶବାବୁ, ଅନୁଗୋଳ ପୋଲିସ୍, ଚଉଦନମ୍ବର ପୋଲିସ୍ ଓ ଆଉ ଜଣେ ଦି’ଜଣ କନଷ୍ଟେବଳଙ୍କୁ ମଟରରେ ଧରି ଷ୍ଟେସନ୍ ଅଭିମୁଖରେ ଯାତ୍ରା କଲେ । ଯେଉଁ ଘରଟିରେ ଅନୁଗୋଳ ପୋଲିସ୍‌ର ପୋଷାକ ବଦଳ ହୋଇଥିଲା, ସେ ଘରଟି ପ୍ରଥମେ ଖାନତଲାସ କଲେ । ଘରର ମାଲିକକୁ ଡକାଇ ନାନା ପ୍ରକାର ଜେରା କଲେ । ଫଳରେ ଏଇୟା ହେଲା ଯେ ଫଳ ମଞ୍ଜି ପାର୍ସଲଟି ମିଳିଲା, ପ୍ରକୃତରେ ଯେଉଁ ପାର୍ସଲଟି ଅନୁଗୋଳ ପୋଲିସ୍ ଆଣିଥିଲା ।

 

ସୁରେଶବାବୁ ପାର୍ସଲଟି ଦେଖି କହିଲେ, ‘‘ଯଥା ଲାଭ ।’’ ଘରର ମାଲିକ କହିଲା ଯେ କିଏ ଜଣେ ଭଦ୍ରଲୋକ ଆସି କହିଲେ, ‘‘ମୋର କଟକରେ କାମ ଅଛି, ଏ ଖାଲି ଘରଟା ଆଜି ଦିନକ ପାଇଁ ଭଡ଼ା ଦେବ ? ମୁଁ ରାଜି ହେବାରୁ ସେ ଅଗ୍ରୀମ ଭଡ଼ା ତୁଟାଇଦେଲେ ! ଏହା ବ୍ୟତୀତ ମୁଁ ଆଉ କିଛି ଜାଣେ ନାହିଁ ।’’

 

ହେମବାବୁ ତତ୍ପରେ ଷ୍ଟେସନକୁ ଯାଇ ହୀନୁ ଦଳର ସନ୍ଧାନ ନେଲେ । ସେଠାରେ କିଛି ପ୍ରମାଣ ନ ପାଇବାରୁ ମେଡ଼ିକାଲ୍ କୁ ଆସିଲେ । ଉଆଁସୀ କିପରି ଚାଲାଖି କରି ପଳାଇଯାଇଛି, ସେ ବୁଝି ପାରିଲେ । ପୋଲିସ୍ ଗାର୍ଡ଼ଟିର ପକେଟରୁ ଯେଉଁ ପାନଖଣ୍ଡକ ବାହାରିଲା ଓ ସେ ଯେଉଁ ପାନ ଖିଲକ ଯାକିଥିଲା, ସେଥିରେ ବିଷ ଦିଆ ଯାଇଥିବାର ପରୀକ୍ଷା ଦ୍ୱାରା ପ୍ରମାଣିତ ହୋଇଗଲା । ପୋଲିସ୍‌ଟିର ସାମାନ୍ୟ ଚେତନା ଆସିଥିଲା । ହେମବାବୁ ଆଉ ସେଠାରେ ସମୟ ନଷ୍ଟ କରିବା ବୃଥା ଭାବି ତେଲେଙ୍ଗାବଜାର ଆଡ଼େ ମଟର ଚଳାଇଲେ । ରବୀନ୍ଦ୍ର କଥା ଭାବି ସେ ବିଚଳିତ ହୋଇ ପଡ଼ିଥିଲେ । ସେ ଜାଣିଥିଲେ, ଏ ହୀନ ଦଳର କୌଣସି ଅପକର୍ମ ଅସାଧ୍ୟ ନୁହେଁ । ଯଦି ରବୀନ୍ଦ୍ର ଏହି ସୂଚତୁର ଦସ୍ୟୁ ଦଳହାତରେ ପଡ଼ିଥାଏ, ତେବେ...? ସେ ଆଉ ଭାବି ପାରିଲେ ନାହିଁ । ରବୀନ୍ଦ୍ର ବହୁଦିନରୁ ତାଙ୍କର ଅନୁଗତ, ସମ୍ପଦ ବିପଦର ଏକମାତ୍ର ସାଥୀ । ସେ’ତ ଫେରି ଆସି ସମ୍ବାଦ ଦେଇ ପାରିଥାନ୍ତି !

 

ମୋଟରର ଆରୋହୀମାନେ ନୀରବରେ ବସିଥିଲେ । ଚଉଦ-ନମ୍ବର ପୋଲିସ୍ ଯେଉଁଠି ଗାର୍ଡ଼ ଦେଉଥିଲା, ସେଠାରେ ମଟର ପହଞ୍ଚିଲା । ପୋଲିସ୍‍ଟି କେବଳ ଅନୁମାନ କରି କହିଲା ସେଠାରୁ ତାକୁ ପଶ୍ଚିମକୁ ଟେକି ନେଲେ ବୋଲି । ହେମବାବୁ ମଟର ଘୁରାଇ ଫରାଇ ଅନେକ ଅନୁସନ୍ଧାନ କଲେ କାଠଯୋଡ଼ି ନଦୀ କୂଳେ କୂଳେ ଅନେକ ଦୂର ଗଲେ । ସୁରେଶବାକୁ ମଧ୍ୟ ବଜାରର ଅନେକ ଭଦ୍ରବ୍ୟକ୍ତିଙ୍କୁ ଏ ସମ୍ବନ୍ଧରେ ପ୍ରଶ୍ନ କଲେ । କିନ୍ତୁ କୌଣସି ସମ୍ବାଦ ପାଇଲେ ନାହିଁ-। ଗ୍ଳାନି, ନୈରାଶ୍ୟ ଓ କ୍ଳାନ୍ତିରେ ଅବସନ୍ନ ହୋଇ ବେଳ ବେଶି ହୋଇଯାଇଥିବାରୁ ହେମବାବୁ ଅଗତ୍ୟା ମଟର ଫେରାଇଲେ ।

 

ପନ୍ଦର

 

ହେମବାବୁ ତେଲେଙ୍ଗାବଜାର ଆଡ଼ୁ ମଟର ଧରି ଫେରି ସୁରେଶବାବୁ ପ୍ରଭୃତିଙ୍କୁ ଓହ୍ଲାଇ ଦେବାକୁ ବସିଲେ । ଏହି ସମୟରେ ଗୋଟିଏ ପୋଲିସ୍ କନଷ୍ଟେବଳ ମଟର ପାଖକୁ ଦୌଡ଼ି ଆସି କହିଲା, ‘‘ଆଜ୍ଞା, ଏ ଲୋକଟି ଆପଣଙ୍କ ଯିବା ପଛେ ପଛେ ଥାନାରେ ଆସି ଇତଲା ଦେଇଛି, ତା’ର ଡଙ୍ଗା କାଲି ରାତିରେ କିଏ ଚୋରାଇ ନେଇଛି ବୋଲି ।’’ ସେ ଥାନା ଆଡ଼କୁ ହାତ ଦେଖାଇ ଗୋଟିଏ ଲୋକକୁ ଚିହ୍ନାଇ ଦେଲା ।

 

ହେମବାବୁ ସୁରେଶବାବୁଙ୍କ ସହ ଥାନା ଆଡ଼କୁ ଚାଲିଲେ ସେଠାରେ ବସିଥିବା ଡଙ୍ଗାବାଲାକୁ ପଚରାପଚରି କରି ବୁଝିଲେ ଯେ ସେଇଟି ତା’ର ଏକମାତ୍ର ଡଙ୍ଗା । ତାହା, ଚଳାଇ ସେ ଜୀବିକା ନିର୍ବାହ କରେ । ସେ ଆଜି ସକାଳେ ଯାଇ ଦେଖିଲା ବେଳକୁ ତା’ର ଡଙ୍ଗା ନାହିଁ । ଲୋକଟିର ଜୀବନ ନିର୍ବାହର ଏକମାତ୍ର ସମ୍ବଳ ଡଙ୍ଗାଟି ଚୋରି ଯାଇଥିବାରୁ ସେ ବଡ଼ ବିକଳ ଭାବରେ କାନ୍ଦୁଥିଲା ।

 

ହେମବାବୁ ଉକ୍ତ ଲୋକଟିକୁ ବସାଇ ଦେଇ ନିଜ ବସାଆଡ଼କୁ ମଟର ଚଳାଇଲେ । ସେଠାରେ ରବୀନ୍ଦ୍ର ଫେରି ନଥିବାର ଦେଖିଲେ । ସେ ଖାଇବା ପରେ ପରେ ପ୍ରସ୍ତାବମତେ ପୁଣି ଥାନାରେ ପହଞ୍ଚିଲେ । ସୁରେଶବାବୁ ପ୍ରଭୃତି ତାଙ୍କୁ ସେଠାରେ ଅପେକ୍ଷା କରି ରହିଥିଲେ । ଡଙ୍ଗା ହରାଇ ଥିବା ଲୋକଟିକୁ ସଙ୍ଗରେ ଧରି ସୁରେଶବାବୁ ଓ ଦୁଇଜଣ ସିପାହୀ ଙ୍କ ସହ ହେମବାବୁ ମହାନଦୀ କୂଳକୁ ଗଲେ । ରବୀନ୍ଦ୍ର, ଲାଗି ତାଙ୍କ ମନ ସଂକିୟାକୁଳ ହୋଇ ଉଠିଥିଲା । ଡଙ୍ଗା ହରାଇବା ଲୋକର କଥା ମୁତାବକ ସେ ଡଙ୍ଗାବନ୍ଧା ସ୍ଥାନ ଦେଖିଲେ, ପାଖଆଖ ଲୋକଙ୍କୁ ଏ ସମ୍ବନ୍ଧେ ଅନେକ ପ୍ରଶ୍ନ ପଚାରିଲେ, ମାତ୍ର ଡଙ୍ଗା ଚୋରି ସମ୍ବନ୍ଧେ କୌଣସି ଠିକଣା ସମ୍ବାଦ ପାଇଲେ ନାହିଁ । କେବଳ ଏତିକି ଜାଣିଲେ, କାଲିରାତି ଅଧରେ ଗୋଟିଏ ମଟର ସେହି ନଈକୂଳ ଯାଏଁ ଆସିଥିଲା । ହେମବାବୁ ଭାବିଲେ, ନିଶ୍ଚୟ ହୀନୁଦଳ ଏହି ଡଙ୍ଗାରେ କଟକ ତ୍ୟାଗ କରିଛନ୍ତି । ହିରଣ୍ ବାବୁଙ୍କ କଟକ ତ୍ୟାଗପରେ ହୀନୁଦଳ ଯେ କଟକ ଛାଡ଼ି ଯିବେ, ଏଥିରେ ତାଙ୍କର ସନ୍ଦେହ ନଥିଲା-। ତେବେ ସେମାନେ ଗଲେ କେଉଁଠିକୁ ? ରବୀନ୍ଦ୍ରକୁ କ’ଣ ସଙ୍ଗରେ ନେଇ ଯାଇଛନ୍ତି ?

 

ହେମବାବୁ ଡଙ୍ଗାବାଲାକୁ ଆଶ୍ୱାସନା ଦେଇ କାଠଯୋଡ଼ି କୂଳଆଡ଼େ ଗଲେ । କାଠଯୋଡ଼ି କୂଳେ କୂଳେ ଲେଉଟପାଉଟ ହୋଇ ଅନେକ ଥର ବୁଲିଲେ । ତା’ପରେ ପୁଣି ତେଲେଙ୍ଗାବଜାରକୁ ଆସିଲେ । ଏହି ତେଲେଙ୍ଗାବଜାର ହିଁ ହୀନୁଦଳର ଆଡ଼୍ଡ଼ା ବୋଲି ତାଙ୍କର ମନେ ହେଲା । ସେ ଥରକୁଥର ରାସ୍ତାରେ ମଟର ଦୌଡ଼ାଇ ପ୍ରତ୍ୟେକ ଘରକୁ ସନ୍ଦେହ ଦୃଷ୍ଟିରେ ଦେଖୁଥିଲେ । ବେଳ ଅବସାନ ହୋଇ ଆସୁଥିଲା । ସେ ବସାକୁ ଫେରି ଆସିବାକୁ ଭାବୁଛନ୍ତି, ଏହି ସମୟରେ ଗୋଟିଏ ଘରର ବରଣ୍ତା କାନ୍ଥ ଉପରେ ତାଙ୍କ ଦୃଷ୍ଟି ପଡ଼ିଗଲା । ଧଳା ଚୂନ କାନ୍ଥ ଉପରେ ଇଟାରେ କିଛି ଲେଖା ହେଲାପରି ତାଙ୍କୁ ଦେଖାଗଲା । ସେ ମଟର ବନ୍ଦକରି ତା’ ପାଖକୁ ଗଲେ । ଯାହା ଦେଖିଲେ, ସେଥିରେ ତାଙ୍କ ମୁଖ ପ୍ରସନ୍ନତାରେ ଭରିଗଲା । ଗୋଟିଏ ଶରଚିହ୍ନ, ତା' ତଳେ ଇଂରେଜୀରେ “R’’ ଅକ୍ଷର । ସେ ନିଶ୍ଚୟ କଲେ, ‘‘ଏ ରବୀନ୍ଦ୍ରର ସଙ୍କେତ ।’’ ସେ ସାଇପଡ଼ିଶାଙ୍କୁ ଡାକି ‘‘ଏ ଘର କାହାର’’ ବୋଲି ସନ୍ଧାନ ନେଲେ । ସୁଜନ ଯେନାର ନାମ ସେମାନେ କହିବାରୁ ତାକୁ ଡକାଗଲା । ମାତ୍ର ସୁଜନ କେବଳ ଏତିକି କହିଲା, ହରିସିଂହ ବୋଲି ଜଣେ ଲୋକ ତା’ ଠାରୁ ଏ ଘର ଭଡ଼ାକୁ ନେଇଥିଲା । ତା'ଛଡ଼ା ସେ ଆଉ କିଛି ଜାଣେ ନାହିଁ । ହରିସିଂହ ନାମ ଶୁଣି ତାଙ୍କର ଭ୍ରୂକୁଞ୍ଚିତ ହୋଇଆସିଲା । ସେ ମନେ ମନେ ଭାବିଲେ, ଏ ନୂତନ ନାମଟି ସହ ହୀନୁଦଳରତ କିଛି ସମ୍ବନ୍ଧ ନାହିଁ ! ଇନ୍‍ସପେକ୍ଟର ସୁରେଶବାବୁ ଘରଭିତରେ ସିପାହୀଙ୍କ ସହ ପ୍ରବେଶ କଲେ । ହେମବାବୁ ମଧ୍ୟ ଗଲେ । ଅଗଣାରେ ପଶି ସେ ମଟର ଗ୍ୟାରେଜରେ ଗୋଟିଏ ମଟର ଦେଖିଲେ । ଅଗଣା ଭିତରେ ଅଲଗା ଅଲଗା ଦୁଇ ବଖରା ଘର, ପାଇଖାନା ପ୍ରଭୃତି ଅଛି । ବାହାରେ ହୋଟେଲ, ଦୋକାନ ଓ ଆଡ଼୍ଡ଼ାଘର । ଭିତରେ ଏ ସବୁ ଘର ପଛପାଖେ ବଢ଼େଇଶାଳ ନେଖି ହେମବାବୁଙ୍କ ମନ ସନ୍ଦେହପୂର୍ଣ୍ଣ ହୋଇ ଉଠିଲା । ମଟରଟି ହରିସିଂହର ବୋଲି ସୁଜନଠାରୁ ବୁଝିଲେ । ସେ ଅଗଣାରେ ଥିବା ଗୋଟିଏ ଘରେ ପଶିଲେ । ଦେଖିଲେ, କେତେଖଣ୍ଡ ଭଙ୍ଗା ଚୌକି ଟେବୁଲ ଓ ଖାଦ୍ୟ ଜିନିଷର କିୟଦଂଶ ସେ ଘରେ ରହିଅଛି । ଠିକ୍ ଦିନକ ପୂର୍ବରୁ ଦଳେ ଲୋକ ସେ ଘର ଛାଡ଼ି ଯାଇଥିବାର ସେ ସୂଚନା ପାଇଲେ । ସୁଜନଠାରୁ ମଧ୍ୟ ଜାଣିନେଲେ, କେତେଜଣ ପୁରୁଷ ଓ ଜଣେ ସ୍ତ୍ରୀ ଲୋକ ସେଠାରେ ଚଳାଚଳ ହୁଅନ୍ତି ବୋଲି ।

 

ସେମାନଙ୍କ ଆକାର ପ୍ରକାର ବୁଝି ହେମବାବୁ ଓ ସୁରେଶବାବୁ ନିଶ୍ଚିତ ରୂପେ ଜାଣିନେଲେ, ସେମାନେ ଠିକ୍ ହୀନୁ ଦଳର ଆଡ୍ଡାର ସନ୍ଧାନ ପାଇଛନ୍ତି । ସେ ଜାଣିଲେ, ଏ ମଟରଟି ସେହି ଟାକ୍ସି ଚାଳକର, ଯାହାକୁ ଇଞ୍ଜେକ୍ସନ୍ ଦିଆଯାଇ ଗଛରେ ଲଟ୍‍କା ଯାଇଥିଲା । ଯେଉଁଘରେ ରବୀନ୍ଦ୍ର ବନ୍ଦୀ ଥିଲା ସେ ଘର ମଧ୍ୟ ହେମବାବୁ ପଶି ଦେଖିଲେ । ମାତ୍ର ଏମାନେ କେଉଁଆଡ଼େ ଗଲେ, ସେଥିର ଠିକ ସମ୍ବାଦ କିଛି ପାଇ ନଥିବାରୁ ହେମବାବୁ ବଡ଼ ସନ୍ଦେହରେ ପଡ଼ିଲେ । ପୁଣି ହେମବାବୁ ହୀନୁଦଳର ପରିତ୍ୟକ୍ତ ବୈଠକ ଖାନାରେ ପ୍ରବେଶ କଲେ । ସେ ଆରିଆଡ଼େ ଦୃଷ୍ଟି ପକାଉ ପକାଉ ଗୋଟିଏ କୋଣକୁ ଉଡ଼ିଯାଇଥିବା କାଗଜ ଖଣ୍ଡେ ଗୋଟାଇ ଆଣିଲେ । ସେ ଖଣ୍ତି ପଢ଼ି ତାଙ୍କ ଦେହ ଶିହରି ଉଠିଲା, ଚକ୍ଷୁ ବିସ୍ମୟରେ ବିସ୍ଫାରିତ ହେଲା । ସୁରେଶବାବୁ କ’ଣ କ’ଣ ବୋଲି ପାଖକୁ ଦୌଡ଼ିଆସି ଚିଠି ଖଣ୍ଡି ପଢ଼ିପଳାଇ ସ୍ତବ୍ଧଭାବରେ ବସି ପଡ଼ିଲେ । ଚିଠିରେ ଲେଖାଥିଲା–

 

ହେମବାବୁ,

 

ଆଉ ବୃଥା ଚେଷ୍ଟା କରିନାହିଁ । ପଦେ ପଦେ ପରାସ୍ତ ହୋଇଛ, ଜାଣୁଥିବ । ତିନି ରାତି ଭିତରେ ତୁମ ପାଖରେ ପହଞ୍ଚିବ ରବୀନ୍ଦ୍ରର ଛିନ୍ନ ମସ୍ତକ-ପ୍ରିୟ ରବୀନ୍ଦ୍ରର–ବୁଝିଲ ? ପାର ଯଦି ରକ୍ଷା କର । ମୁଁ ଜାଣେ, ତୁମେ ଆଡ୍ଡା ଆବିଷ୍କାର କରିପାରିବ । ସେଥିପାଇଁ ଆମେ ଚାଲିଲୁଁ । 10 G ଚାଲେଞ୍ଜ୍ ।

 

ତୁମର

 

ଲେଖାଟି ପାଇ ହେମବାବୁଙ୍କ ମୁଣ୍ଡ ଘୁରିଗଲା । ସେ ଜାଣି, ପାରିଲେ ଏ ଦସ୍ୟୁଦଳର ସେନାପତି ହୀନୁର ପତ୍ର । ସେ ଯାହା କହେ, ଲେଖେ, ତାହା ଅକ୍ଷରେ ଅକ୍ଷରେ ପାଳନ କରେ । ସେ ଚିଠିଖଣ୍ଡିକୁ ଚାହିଁ ବାର ବାର ଚିନ୍ତା କଲେ । ସେ ଦେଖିଲେ, ହୀନୁ ଯେଉଁଠକୁ ଗଲା ମୋତେ ସଙ୍କେତ ଦେଇଛି । ତାର ଆଦ୍ୟରେ ଶର, ତା’ପରେ ମୁଣ୍ତଳା, ତା’ପରେ ଦାଆ ଚିହ୍ନି ଅଛି । ହୀନୁଦଳ ସେଇଠିକି ନିଶ୍ଚୟ ଯାଇଛନ୍ତି । ଏମାନଙ୍କ ଆଡ଼୍‍ଡ଼ାରେ ପହଞ୍ଚି ରବୀନ୍ଦ୍ରକୁ ମୁକ୍ତ କରିବାକୁ ହେବ । ନଚେତ୍ ରବୀନ୍ଦ୍ରର ହତ୍ୟା ଅବଶ୍ୟମ୍ଭାବୀ । ଆଉ ସମୟ ନାହିଁ, ଦିନେ ମାତ୍ର ବାକି । ସେ ଆକାଶ ପାତାଳ କେତେ କଥା ଭାବିଗଲେ । ସୁରେଶବାବୁଙ୍କ ସଙ୍ଗେ ଅନେକ ସମୟଯାଏଁ ବିଚାର କଲେ । କିନ୍ତୁ କିଛି କୂଳଥଳ ପାଇଲେ ନାହିଁ । ପୋଲିସ୍ ଘର ଓ ମଟର ଜବତ୍ କରି ସୁଜନକୁ ଥାନାକୁ ନେଲା । ହେମବାବୁ ଚିନ୍ତିତ ଭାବେ ବସାକୁ ଫେରିଆସିଲେ ।

 

ଷୋହଳ

 

ବାଙ୍କିର ଶରଣ୍ଡା ଦୁର୍ଗ ଏକ ସମୟରେ ଐତିହାସିକ ପ୍ରସିଦ୍ଧି ଲାଭ କରିଥିଲା । ଏକପାର୍ଶ୍ୱରେ ଅଂଶୁପା ହ୍ରଦ । ନିକଟରେ ମହାନଦୀ ମଧ୍ୟରେ ପ୍ରକୃତିର କେଳିନିକେତନ ସ୍ୱରୂପ ରହି ଅଂଶୁପା ଶୋଭା ସମୃଦ୍ଧିରେ ଅଦ୍ୱିତୀୟରୂପ ଧାରଣ କରିଛି । ପାର୍ବତ୍ୟ ଦୁର୍ଗଟି ଶତ୍ରୁର ଦୁଷ୍ପ୍ରବେଶ୍ୟ ଥିଲା । ତେଣୁ ପ୍ରାଚୀନ ପ୍ରତାପଶାଳୀ ରାଜନ୍ୟବୃନ୍ଦ ଏଠାରେ ନିରାପଦରେ ରହି ଅଖଣ୍ଡ କ୍ଷମତା ବିସ୍ତାର କରୁଥିଲେ । ଏଠାରେ ଅଂଶୁପା ଓ ମହାନଦୀର ସୁରମ୍ୟ ଦୃଶ୍ୟ ଏକ ସମୟରେ ଅନୁଭୂତ ହୋଇ ଭାବୁକ ମନରେ ଭାବାନ୍ତର ଆଣେ । କାଳକ୍ରମେ ଶରଣ୍ତାର ପତନ ହେଲା । ଦୁର୍ଗର ପ୍ରାଚୀର, ଅଟ୍ଟାଳିକା ଭାଙ୍ଗିପଡ଼ିଲା । ଦୁର୍ଗ ବର୍ତ୍ତମାନ ଘୋରବନରେ ସମାଚ୍ଛନ୍ନ ଓ ଜନକୋଳାହଳ ମୁଖରିତ ଶରଣ୍ଡା ନଗରୀ ଶ୍ୱାପଦକୁଳର ବିଚରଣ ଭୂମିରେ ପରିଣତ ହୋଇଅଛି । ଅଦ୍ୟାପି ଶରଣ୍ଡା ଦୁର୍ଗର ଭଗ୍ନାବଶେଷ ପ୍ରାଚୀନ ଶୋର୍ଯ୍ୟ ସମୃଦ୍ଧର ମୁକ ସାକ୍ଷୀ ସ୍ୱରୂପ ଦଣ୍ଡାୟମାନ । ବର୍ତ୍ତମାନ ତାହା ଏତେ ଘଞ୍ଚ ଚାଳଲତାଚ୍ଛାଦିତ ହିଂସ୍ରଜନ୍ତୁସଙ୍କୁଳ ହୋଇଅଛି ଯେ ମନୁଷ୍ୟ ଏକାକୀ ସେଠାକୁ ଯିବାକୁ ଭୟ କରିବ । ହାୟ, କାଳର କି କୁଟିଳ ଗତି !

 

ପୂର୍ବଦିଗବଳୟରୁ ସୂର୍ଯ୍ୟଦେବ କ୍ରମେ କ୍ରମେ ଉପରକୁ ଉଠି ଆସିଲେଣି, ପୁରକନନ ଚତୁର୍ଦ୍ଦିଗ କନକକିରଣରେ ସ୍ମୃତ । ମହାନଦୀ ଜଳରେ ଖଳ ଖଳ ଶବ୍ଦ କରି ଜଳ ଠେଲି ଗୋଟିଏ ନୌକା ଶରଣ୍ଡା ନିକଟସ୍ଥ ବନଭୂମିରେ ପ୍ରବେଶ କଲା । ଏହି ଶରଣ୍ଡା ହୀନୁଦଳର ଗୋଟିଏ ଆଡ୍ଡା । ବିପଦବେଳେ ଏମାନେ ଏହିଠାରେ ଆତ୍ମଗୋପନ କରିଥାନ୍ତି । ନୌକାଟି କୂଳରେ ଲାଗିବାମାତ୍ରେ ଆରୋହୀଦଳ ଖପ୍ ଖାପ୍ ନୌକାରୁ ଡେଇଁଲେ । ଗୋଟାଏ କୀଳା ମାରି ସେଥିରେ ନୌକାଟି ଦଉଡ଼ିରେ ବାନ୍ଧିଦେଲେ । କେତେ ଜଣ ଜିନିଷ ପତ୍ର ଧରିଲେ । ହାତଗୋଡ଼ ବନ୍ଧା ଅବସ୍ଥାରେ ଥିବା ରବୀନ୍ଦ୍ରକୁ ୟାଂସୁ କାନ୍ଧେଇଲା ।

 

ବନାନୀର ନୀଳ ଆସ୍ତରଣ ଭେଦକରି ସମସ୍ତେ ଚାଲିଲେ ଭଗ୍ନଶେଷ ଶରଣ୍ଡା ଦୁର୍ଗ ଅଭିମୁଖେ । ନଦୀରେ ସ୍ନାନ ଶୌଚାଦ ସାରି ଯତ୍‍କିଞ୍ଚିତ୍ ଖାଇଦେଇ ସମସ୍ତେ ପାଉଁଶ ବୋଳିହୋଇ ଜଟାବାନ୍ଧି ବାବାଜି ପାଲଟିଲେ ଓ ଦୁର୍ଗର ଅଳ୍ପ ଦୂରରେ ଥିବା ଗୋଟିଏ ବିଶାଳ ବରଗଛ ତଳେ ଜମାଇଲେ ସେମାନଙ୍କର ଅସ୍ଥାନ । କାର୍ତ୍ତିକ ମାସର ଶୀତ; ମାତ୍ର ସେଥିପ୍ରତି ଭ୍ରୂକ୍ଷେପ ନ କରି ସେମାନେ ନଗ୍ନ ଦେହରେ ରହି ସବୁ କଷ୍ଟ ବରଣ କରୁଥାନ୍ତି । ଚାହୁଁ ଚାହୁଁ ଲୋକମୁଖରେ ବାବାଜି ମାତାଜିଙ୍କର ଆଗମନ କଥା ଚାରିଆଡ଼େ ରାଷ୍ଟ୍ର ହୋଇଗଲା । ନଈକୂଳରେ, ଗାଁ । ପିଣ୍ଡାରେ, ହାଟ ବଜାରରେ ମାତା ଓ ବାବାଜିମାନଙ୍କ କଥା ସମାଲୋଚନା ହେଲା । କିଏ କହିଲା, ‘‘ସେ ଯେଉଁ ବଡ଼ ବାବାଜି ଜଣକ ଅଛନ୍ତି, ତାଙ୍କୁ ମୁଣ୍ଡିଆ ମାରିଲା ମାତ୍ରକେ ସେ କୁଆଡ଼େ ଆସିଛ ପରିଷ୍କାର ଫିଟାଇ କହି ଦେଉଛନ୍ତି ।’’ କିଏ କହୁଛି, ‘‘ସିମିତି ପ୍ରତିଜ୍ଞା ନଥିଲେ, ଏଡ଼େ ଏଡ଼େ ଭେଣ୍ଡାସବୁ ମେଣ୍ଢା ପରି ତାଙ୍କ ପାଖରେ ଖଟିଥାନ୍ତେ ।’’ କିଏ କହିଲା, “ସେ ଯେଉଁ ମାତା, ସାକ୍ଷାତ୍ ମା ଲକ୍ଷ୍ମୀ, ତାଙ୍କର କି ମଧୁର କଥା, କି ସରଳ ବ୍ୟବହାର !’’ ସ୍ତ୍ରୀଲୋକ ମହଲରେ ବାବାଜି ମାତାଜିଙ୍କର ବେଶୀ ଖ୍ୟାତି ଶୁଣାଯାଉଛି । ହୀନୁ ବଡ଼ ବାବାଜି ସାଜିଛି । ଉଆଁସୀ ମାତା । ହୀନୁ ଲୋକଙ୍କ ଆକାର ଇଙ୍ଗିତ ବୁଝ ଚାଲାଖିରେ କଥା କହି ଲୋକଙ୍କ ମନ ଏପରି ରଞ୍ଜେଇ ନେଉଛି ଯେ ସରଳ ଗାଉଁଲୀ ଲୋକ ଭାବପ୍ରବଣ ହୋଇ ପଡ଼ୁଛନ୍ତି । ଅଗରେ ଥିବା ଯୋଡ଼ାଏ ବଡ଼ ବଡ଼ ଥାଳିରେ ଭେଟି ପଡ଼ୁଛି-ପଇସାପତ୍ର, ଫଳମୂଳ, ଚାଉଳ ପନିପରିବା ଇତ୍ୟାଦି । ସେହିଥାଳିରୁ ଗରିବଙ୍କୁ ପଇସା ମୁଠା ମୁଠା ଦାନ ହେଉଛି, ଚାଉଳପତ୍ର ବଣ୍ଟାଯାଉଛି । କେରାଣ୍ଡି ଗୁନ୍ଥି ଶେଉଳ ଧରିବା ନ୍ୟାୟରେ ଦିନ ରାତି ନିଆଁ ଧୁନି ଲାଗିଛି । ଲୋକଙ୍କ ମନସ୍କାମନା ସିଦ୍ଧି ପାଇଁ ବାବାଜି ପ୍ରସନ୍ନ ହୋଇ ବିଭୂତି-ଭସ୍ମ ବିତରଣ କରୁଛନ୍ତି । ସମ୍ମୁଖ ଭାଗରେ ଶ୍ରୀକୃଷ୍ଣ ରାଧାରାଣୀ ମୂର୍ତ୍ତି ପୂଜା ପାଉଛନ୍ତି । ମାତାଜି ବେଶୀ ଠାକୁର ସେବାରେ ବ୍ୟସ୍ତ । ଯେପରି ସଂସାର ସଙ୍ଗରେ ତାଙ୍କର କିଛି ସମ୍ପର୍କ ନାହିଁ । ଠାକୁରହିଁ ତାଙ୍କର ସର୍ବସ୍ୱ । ଦିନରାତି କେବଳ ଠାକୁର ସେବା । ଶିଷ୍ୟମାନେ କିଏ ପୂଜା ବାସନ ମାଜିବା, କିଏ ଫୁଲ ଚନ୍ଦନ ଯୋଗାଇବା, ଧୁନିକୁ କାଠ ଯୋଗାଣରେ ବ୍ୟସ୍ତ । ମନକୁମନ କେତେ ଭକ୍ତ ବାହାରିପଡ଼ି ବାବାଜି ଗୋଟିଏ କାମ କରିବାକୁ ହୁକୁମ ଦେଲାବେଳେ ପାଞ୍ଚନାମ କରି ଯାଉଛନ୍ତି । ସନ୍ଧ୍ୟାବେଳେ ସନ୍ଧ୍ୟା ଆରତୀ ହେଲା, ରାତ୍ରିରେ ରାତ୍ରିଧୂପ । ଘଣ୍ଟ, ଘଣ୍ଟ ମୃଦଙ୍ଗ ଧ୍ୱନିରେ ନିକାଞ୍ଚନ ବନଭୂମି ପ୍ରକମ୍ପିତ ହୋଇ ଉଠିଲା । ରାତ୍ରିର ଅନ୍ଧକାର ଘନେଇ ଆସିଲା । ଭକ୍ତମାନେ ଗୋଟିଏ ଗୋଟିଏ ଉଠି ବିଦାୟ ନେଲେ । ବାବାଜି ବେଶଧାରୀ ହୀନୁଦଳ ପଇସାପତ୍ର ଗୋଟାଇ ରଖି ଖାଇପିଇ ସେ ରାତିରେ ବିଶ୍ରାମ ନେଲେ । ଶରଣ୍ତାଦୁର୍ଗର ଭଗ୍ନାବଶେଷ ଭୂମିଗୃହ ସେମାନଙ୍କର ପ୍ରଧାନ ଆଶ୍ରୟସ୍ଥଳ ଥିଲା ।

 

ପ୍ରଥମ ଦିନ ପରି ଦ୍ୱିତୀୟ ଦିନ ହୀନୁଦଳ ପାହାନ୍ତିଆରୁ ସ୍ନାନ ପ୍ରକାର ବଢ଼ାଇ ନିରୂପିତ ବରଗଛ ତଳେ ଆସ୍ଥାନ ଜମାଇଲେ । ସେତେବେଳକୁ ବାବାଜିଦଳଙ୍କର ଖ୍ୟାତି ଦୂରରୁ ଦୂରାନ୍ତରକୁ ବ୍ୟାପି ଗଲାଣି ! ନଈକୂଳରେ କେତେଖଣ୍ଡି ନୌକା ଆସି ଲାଗିଛି । ଭକ୍ତବୃନ୍ଦ ନଈ ପାର ହୋଇ ଆସିଛନ୍ତି । ବରଗଛ ଆଖପାଖରେ ଆଉ ଟିକିଏ ସୁଦ୍ଧା ସ୍ଥାନ ନାହିଁ । ସ୍ତ୍ରୀ, ପୁରୁଷ, ବାଳକ, ବାଳିକା, ରୋଗୀ, ଅତୁର, ଭିକ୍ଷୁକଦଳ ଦ୍ୱାରା ଚତୁର୍ଦ୍ଦିଗ ପୂର୍ଣ୍ଣ । ଛୋଟ ଛୋଟ ମନୋହାରୀ, ଗୁଡ଼ିଆଦୋକାନ ମଧ୍ୟ ବସିଗଲାଣି । ନିର୍ଜନ ବନଭୂମି ସଜୀବ, କୋଳାହଳମୟ ହୋଇ ଉଠିଛି । ମୋଟଉପରେ ଏକ ବିରାଟ ମେଳା ବା ଯାତ୍ରା ସାମୟିକଭାବେ ସେଠାରେ ଦେଖା ଦେଇଛି । ନିକଟବର୍ତ୍ତୀ ଗ୍ରାମ ମଧ୍ୟ ସେହି ଜନସମାଗମରେ ସଜାଗ ହୋଇଛି । ଲୋକମାନେ ଠାଏ ଠାଏ ମେଣ୍ଟବାନ୍ଧି ନାନା ଆନ୍ଦୋଳନ, କ୍ଷୁଦ୍ର କ୍ଷୁଦ୍ର ସମାଲୋଚନା, ଅଜସ୍ର ପ୍ରଶଂସା ବର୍ଷଣରେ ବ୍ୟସ୍ତ । ସ୍ତ୍ରୀ ପୁରୁଷଙ୍କର ଗ୍ରାମ୍ୟ ସରଳ ସହଜ ଭାବଧାରା ବାବାଜି ମାତାଜିଙ୍କ ଆଡ଼କୁ ଓହରିଯାଇଛି । ପ୍ରଶଂସା କହିଲେ ନସରେ । କିଏ କହୁଛି ତା’ର କେଉଁ ଦିନର ପେଟମରା ବେମାର ପ୍ରସାଦ ଟିକକରେ ପରା ଠକ୍ କିନା ବନ୍ଦ ହୋଇଗଲା । କିଏ କହୁଛି, ସେ ଯେଉଁ ମାତା, ସାକ୍ଷାତ୍ ମା ଅନ୍ନପୂର୍ଣ୍ଣା । କି ଅମୃତ ହସ୍ତା ଲୋମା, କାଠ ସିଝାଇଦେଲେ ଅମୃତ ପାଲଟୁଛି । ଚତୁରୀ ଉଆଁସୀ ଓ ଚତୁର ହୀନୁର ଜଗତରେ ଦୁଃସାଧ୍ୟ କାର୍ଯ୍ୟ କିଛି ନାହିଁ । ତିନି ଧୂପ, ପାଞ୍ଚ ଅବକାଶ, ବାକ୍‍ଚାତୁରୀ, କାର୍ଯ୍ୟକୁଶଳତାରେ ସେମାନେ ଲୋକଙ୍କ ଭିତରେ ବିଶ୍ୱାସ ଓ ମୈତ୍ରୀ ଜମାଇ ପାରିଛନ୍ତି । ତା ବଦଳରେ ପ୍ରଶଂସା ଓ ନଗଦ ଅର୍ଥଲାଭର ପନ୍ଥା ସୁଗମ କରିଛନ୍ତି । ସକାଳୁ ରାତ୍ରି ଦଶଟାଯାଏଁ ଏହିପରି ଜନସମାଗମ, କୋଳାହଳ, ଠାକୁରସେବା, ବିଭୂତି ବଣ୍ଟନ, ଲୋକକୋଳାହଳ ଚାଲିଲା । ରାତ୍ରିରେ କ୍ରମେ ଲୋକଗହଳ ଆସ୍ତେ ଆସ୍ତେ ଭାଙ୍ଗିଲା । କେହି କେହି ନିଜ ଗ୍ରାମକୁ ଫେରିଗଲେ, କେହି ବା ନିକଟସ୍ଥ ଗ୍ରାମରେ ଆଶ୍ରୟ ନେଲେ । ହୀନୁଦଳ ଶରଣ୍ଡାର ଭୂମିତଳ ଭଗ୍ନ କକ୍ଷରେ ଆଶ୍ରୟ ନେଲେ-। ଠିକ୍ ଯେତେବେଳେ ରାତି ଅଧ, ଚାରିଆଡ଼ ନୀରବ ନିସ୍ତବ୍ଧ, ଘନ ଅନ୍ଧକାରରେ ସାରା ପୃଥିବୀ ଆବୃତ, କେବଳ ମହାନଦୀର କଳକଳ ନାଦ ସୁପ୍ତ ଧରଣୀର ନିଃଶ୍ୱାସ ପରି ନୀରବତା ଭାଙ୍ଗୁଅଛି, ସେହି ସମୟରେ ସରଣ୍ଡାର ଭୂମିତଳ ଭଗ୍ନ କକ୍ଷରେ ଏକ ରୋମହର୍ଷଣକାରୀ ବ୍ୟାପାର ସଂଘଟିତ ହେଲା । ଭୂମିତଳ କକ୍ଷଟି ଦୀପାଲୋକରେ ଆଲୋକିତ, ହୀନୁ ଏକ ପୁରାତନ ଚୌକି ଉପରେ ବିଚାରପତି ଆସନରେ ଉପବିଷ୍ଟ । ହାତରେ ତା’ର ଏକ ତୀକ୍ଷ୍‍ଣ ଛୁରିକା, ସେଥିରେ ମ୍ଳାନ ଦୀପାଲୋକ ପଡ଼ି ତାହା ଚକ୍ ଚକ୍ ଦେଖାଯାଉଛି । ପାଖରେ ଉଆଁସୀ । ସମ୍ମୁଖରେ ହସ୍ତପଦ ବଦ୍ଧ ଅବସ୍ଥାରେ ରବୀନ୍ଦ୍ରକୁ ଶୁଆଇ ଦିଆଯାଇଛି । ଏକ ପାର୍ଶ୍ୱରେ ଗୋଟିଏ ଅର୍ଦ୍ଧଭଗ୍ନ ଖଟ ଉପରେ ୟାଂସୁ, ରଫୁ, ମଣି ନାୟକ ବସିଛନ୍ତି । ଏକ ଅଭିନବ ଘଟନା ଅପେକ୍ଷାରେ ସମସ୍ତେ ଯେପରି ସଚେତ ।

 

ହଠାତ୍ ହୀନୁ ନୀରବତା ଭାଙ୍ଗି କହିଲା, “କି ରବୀନ୍ଦ୍ର, କିମିତି ? ଆଜି ତୋର ବିଚାର ଶେଷ । ମୁଁ ତିନି ରାତି ସମୟ ଦେଇଥିଲି, କାଇଁ ତୋର ଦୋସ୍ତ, ନା, ନା, ପ୍ରଭୁପରା ! ଆସି ତୋତେ ରକ୍ଷା କଲା ନାହିଁ ?”

 

ରଫୁ ହସି କହିଲା, “ରକ୍ଷା-ହାଃ, ହାଃ, ହାଃ । ସେ ଚିଠି ପାଇଥିବ ନା’ ? ଆଗ ?’’

 

ମଣି ନାୟକ କହିଲା, ‘‘ଏ ଦଳର ଠାବ ପାଇବ କ’ଣ ସହଜ ଅଛି ? ଯମ ବାପାର ସାଧ୍ୟ ଅଛି ନା ? ୟା’ ବାପ-ସଇତାନ ହେମବାବୁର’ତ ଦୂରର କଥା ।’’

 

ରବୀନ୍ଦ୍ର ଦୁଃଖ କଷ୍ଟ ମନସ୍ତାପରେ ଘାଣ୍ଟି ହୋଇଯାଉଥିଲେ ମଧ୍ୟ ହେମବାବୁର ଭର୍ତ୍ସନା ଶୁଣି ତା’ର ମୁଖ କ୍ରୋଧରେ ଲାଲ ହୋଇଗଲା । ସେ ନିଜର ବର୍ତ୍ତମାନ ଅବସ୍ଥା ଭୁଲିଯାଇ କହି ପକାଇଲା, ‘‘ମୁହଁ ସମ୍ଭାଳି କଥା କହ—କୁତ୍ତା ଦଳ । ହେମବାବୁ ତମମାନଙ୍କପରି ଚୋର, ଡକାଏତ ନୁହେଁ’’

 

ୟାଂସୁ ଦୌଡ଼ିଆସି ରବୀନ୍ଦ୍ରକୁ ଗୋଇଠାଟାଏ ମାରି ଏକ ପାଖକୁ ଗଡ଼ାଇ ଦେଇ କହିଲା, ‘‘ଆରେ ବଦମାସ୍, ତୋ ବାପ ହେମବାବୁ ତୋତେ ରକ୍ଷା କରୁ ।’’

 

ହୀନୁ, ଉଆଁସୀ, ରଫୁ, ମଣି ନାୟକ ହିଁ ହିଁ ହୋଇ ହସିଉଠିଲେ । ମଣିନାୟକ କହିଲା, ‘‘ଦେ ହୀନୁ, ଦଫା ରଫା କରିଦେ, ଆଉ ଚାହିଁଛୁ କ’ଣ ? ଏଇଟାକୁ ନେଇ ନଈରେ ଫିଙ୍ଗି ଦେବା ।”

 

ଉଆଁସୀ କହିଲା, “ଆସି ତଣ୍ଟିଆଣି ହେଲାଣି, ତୋଡ଼ ଭାଙ୍ଗୁ ନାହିଁ ।’’

 

ରବୀନ୍ଦ୍ର ଗର୍ଜିଉଠି କହିଲା, “ଚୁପ୍ ରହ ରାକ୍ଷସୀ ।”

 

‘‘ଚୁପ୍ ରହ ସଇତାନ୍ ।’’ ହୀନୁ ଛୁରି ଉଞ୍ଚାଇ ଚିତ୍କାର କରି କହିଲା, ‘‘ଆଉ ଏକ ସେକେଣ୍ଡ୍ ।’’

 

‘ଆଉ ଏକ ସେକେଣ୍ଡ୍’ ଦ୍ୱାର ପାଖରୁ ହୀନୁ ଚିତ୍କାରର ପ୍ରତିଧ୍ୱନି ଯେପରି ଲେଉଟି ଆସିଲା । ସଙ୍ଗେ ସଙ୍ଗେ ଯୋତାର ମଚ୍ ମଚ୍ ଶବ୍ଦ । ହୀନୁଦଳ ଭୟରେ, ବିସ୍ମୟରେ ଦ୍ୱାର ଆଡ଼କୁ ଚାହିଁ ରହିଲେ । ମୁହୂର୍ତ୍ତକରେ ହେମବାବୁ ପିସ୍ତଲ ଧରି ‘ହାତ ଉଠାଅ’ କହିବା ମାତ୍ରେ ଦପ୍ କରି ଦୀପ ଲିଭିଗଲା । ସୁରେଶବାବୁ ଟର୍ଚ୍ଚ ଟିପି ଦେଲେ । ଦେଖିଲାବେଳକୁ ହୀନୁଦଳ କେଉଁଆଡ଼େ ଉଭାଇ ଯାଇଅଛନ୍ତି । ଘର ଭିତରେ ରବୀନ୍ଦ୍ର, ଏକାକୀ ହାତଗୋଡ଼ ବନ୍ଧା ଅବସ୍ଥାରେ ତଳେ ଗଡ଼ୁଅଛି ।

 

ସତର

 

ସେଦିନ ହେମବାବୁ ହୀନୁର ସଂଙ୍କେତମୂଳକ ଚିଠି ପାଇ ବସାକୁ ଆସି ଗଭୀର ଚିନ୍ତାରେ ମଗ୍ନ ରହିଲେ । ପୋଲିସ୍ ଜରିଆରେ ସେ ନଦୀକୂଳବର୍ତ୍ତୀ ପୋଲିସ୍ ଥାନାମାନଙ୍କୁ ସମ୍ବାଦ ଦେଇ ସାରିଥିଲେ । ହେମବାବୁଙ୍କୁ ଆଉ କିଛି ଭଲ ଲାଗୁ ନଥିଲା । ସେ ଜାଣୁଥିଲେ, କାଲି ସନ୍ଧ୍ୟା ଭିତରେ ହୀନୁ ଆଡ୍ଡା ଜମାଇଥିବା ସ୍ଥାନରେ ପହଞ୍ଚି ନ ପାରିଲେ ରବୀନ୍ଦ୍ରର ପ୍ରାଣରକ୍ଷା ଅସମ୍ଭବ । ପ୍ରଥମେ ଶର, ତାପରେ ବୃତ୍ତ, ତା’ପରେ ଦା’ । ସେ ଥରକୁ ଥର ଚିନ୍ତା କରିବାରେ ଲାଗିଲେ, ଫୋନରେ ନାନା ସ୍ଥାନକୁ ସମ୍ବାଦ ପ୍ରେରଣ କରି ନାନା ସମ୍ବାଦ ସଂଗ୍ରହ କଲେ; କିନ୍ତୁ କୌଣସି ସ୍ଥିର ସିଦ୍ଧାନ୍ତରେ ଉପନୀତ ହୋଇପାରିଲେ ନାହିଁ । ଖାଇଲାବେଳେ ସେ ଖାଇବା ଛାଡ଼ିଦେଇ ଗଭୀର ମନୋନିବେଶ ସହକାରେ ସେହି କଥାଇ ଚିନ୍ତା କରୁଥିଲେ । ସେ ଏତେ ଅନ୍ୟମନସ୍କ !’’ ରହୁଥିଲେ ଯେ ପୂଝାରିର ତାଗିଦା ସତ୍ୱେ ଖାଇବାରେ ସେ ମନ ଦେଇ ପାରୁ ନଥିଲେ । ଯେକୌଣସି ପ୍ରକାରେ ଖାଇବା କାମ ତୁଟାଇ ଦେଇ ଶୋଇବାକୁ ଗଲେ; ମାତ୍ର ତାଙ୍କୁ ନିଦ ଆଦୌ ହେଲା ନାହିଁ । ସେ ଚିନ୍ତିତ ଅବସ୍ଥାରେ ପଡ଼ି ରହିଲେ । ସାରାରାତି ନାନା ଚିନ୍ତାରେ ବ୍ୟସ୍ତ ରହି ସକାଳକୁ ତାଙ୍କ ମନରେ ଆଶାର କ୍ଷୀଣ ରଶ୍ମି ଦେଖାଦେଲା । ସେ ସୁରେଶବାବୁଙ୍କୁ ଧରି କେତେଜଣ ପୋଲିସ୍‌ଙ୍କ ସହିତ ମୁଣ୍ତମୁହାଣ ଗଲେ-। ସେ ମଟରରେ ବାଙ୍କିରେ ପହଞ୍ଚିଲାମାତ୍ରେ ସୁରେଶବାବୁ କହିଲେ, ‘‘ଏଠାରୁ କୁଆଡ଼େ ଯିବା-? ଆପଣ କ’ଣ ହୀନୁ ଦଳର କିଛି ସନ୍ଧାନ ପାଇଛନ୍ତି ?’’

 

ହେମବାବୁ ସେହିପରି ଚିନ୍ତିତ ଭାବେ ଉତ୍ତର କଲେ, ‘‘ବର୍ତ୍ତମାନ କିଛି କହି ପାରିବ ନାହିଁ, ଚାଲନ୍ତୁ ନଦୀ ପାର ହୋଇ ଯିବା ।”

 

ମଟର ପୋଲିସ୍ ଷ୍ଟେସନରେ ରଖି ଦେଇ ନଦୀ ପାର ହୋଇ ସୁବର୍ଣ୍ଣପୁର ଗ୍ରାମରେ ସମସ୍ତେ ପହଞ୍ଚିଲେ । ବାଙ୍କିରେ ହେମବାବୁ ଥାନାରୁ ସମ୍ବାଦ ପାଇଥିଲେ ଯେ ଦଳେ ବାବାଜି ସୁବର୍ଣ୍ଣପୁରରେ ପହଞ୍ଚି ଆସ୍ଥାନ ଜମାଇଛନ୍ତି । ନେମାନଙ୍କ ସୁଖ୍ୟାତି ଶୁଣି ବହୁ ଅଞ୍ଚଳରୁ ଲୋକ ଯାଇ ସେଠାରେ ପହଞ୍ଚୁଛନ୍ତି । ହେମବାବୁଙ୍କ ସନ୍ଦେହ ଆହୁରି ବଢ଼ିଗଲା । ସେ ନୌକାରେ ନଦୀ ପାର ହେଲାବେଳେ ଦଳେ ଦଳେ ଯାତ୍ରୀ ସୁବର୍ଣ୍ଣପୁର ଅଭିମୁଖରେ ଯାଉଥିବାର ଦେଖିଲେ । ଓଳିକ ବେଳକୁ ଡଙ୍ଗା ସୁବର୍ଣ୍ଣପୁର ଗ୍ରାମ ପାଖରେ ପହଞ୍ଚିଲା । ଗ୍ରାମରେ ପହଞ୍ଚି ହେମବାବୁ ବାବାଜିମାନେ କେଉଁଦିନ ଆସିଲେ, ସେମାନେ କେତେ ଜଣ, ସଙ୍ଗରେ କେତେ ଜଣ ସ୍ତ୍ରୀଲୋକ ଅଛନ୍ତି, ସେମାନଙ୍କ ଆକାର ପ୍ରକାର ଇତ୍ୟାଦି ଲୋକଙ୍କଠାରୁ ବୁଝି ନେଲେ । ତାଙ୍କର ଆଉ ସନ୍ଦେହ ରହିଲା ନାହିଁ, ଏ ହୀନୁର ଦଳ ବୋଲି । ସେମାନେ ସମସ୍ତେ ଖାଇ ପିଇ ସାମାନ୍ୟ ବିଶ୍ରାମ ନେଲେ । ଏଥିଭିତରେ ସମସ୍ତେ ନିଜ ନିଜର ବେଶ ପରିବର୍ତ୍ତନ କରିନେଲେ । ହେମବାବୁ କୃତ୍ରିମ ବେଶ ପରିଧାନରେ ବେଶ୍ ଦକ୍ଷ । ସମସ୍ତେ ବେଶ ବଦଳାଇ ବାବାଜିଙ୍କ ଆଡ଼୍ଡ଼ା ଆଡ଼କୁ ଚାଲିଲେ । ବଣବୁଦା ଉହାଡ଼ରେ ଲୁଚି ରହି ହେମବାବୁ ଓ ସୁରେଶବାବୁ ବାବାଜି ବେଶଧାରୀ ହୀନୁ, ଉଆଁସୀ ଓ ରଫୁକୁ ବେଶ ଚିହ୍ନି ପାରିଲେ । ହେମବାବୁ ତୁନି ତୁନି ସୁରେଶବାବୁଙ୍କୁ କହିଲେ, ‘‘ଏମାନଙ୍କର ଗୁପ୍ତ ଆଡ଼୍ ଡାଏ ଭଗ୍ନାବଶେଷ ସରଣ୍ଡା ଦୁର୍ଗ । ସେଇଠି ବୋଧହୁଏ ଏମାନଙ୍କର ସଙ୍ଗୀ ୟାଂସୁ ଅଛି । ଏଠାରେ ଥିବା ତିନି ଜଣ ବାବାଜିଙ୍କ ମଧ୍ୟରେ ରଫୁ ଓ ହୀନୁକୁତ ଆମ୍ଭେମାନେ ଚିହ୍ନି ପାରୁଥାଇଁ । ଅନ୍ୟ ଜଣକ ବୋଧହୁଏ ଧୂର୍ତ୍ତ ମଣି ନାୟକ । ଆଡ଼୍‍ଡାରେ ବୋଧହୁଏ ରବୀନ୍ଦ୍ର ବନ୍ଦୀ ଥିବ; ତା’ର ସନ୍ଧାନ ନ ନେଲା ପର୍ଯ୍ୟନ୍ତ ଶାନ୍ତି ନାହିଁ ।’’

 

ସୁରେଶବାବୁ ପଚାରିଲେ, ‘‘ଆପଣ ସେ ଚିଠିରୁ ଏ ସ୍ଥାନର ସନ୍ଧାନ ପାଇଲେ କିପରି ?’’

 

ହେମବାବୁ କହିଲେ, ‘‘ଆପଣ ତ ଜାଣିଥିବେ ଏ ଦଳର ସଂଖ୍ୟା ପାଞ୍ଚ । ସେଥିପାଇଁ ଶର କହିଲେ ପଞ୍ଚଶର ଅର୍ଥାତ୍ ପାଞ୍ଚକୁ ବୁଝାଏ । ହୀନୁ ଯେଉଁ ସଙ୍କେତ ଦେଇଁଥିଲା, ସେଥିରେ ଶର, ବୃତ୍ତ ଓଦା ଥିଲା । ଶରରେ କ୍ଷୁଦ୍ର ବୃତ୍ତ ଦେଲେ ହେଲା ଶରଂ, ତା' ପାଖରେ ଦା ଅକ୍ଷର ରଖିଲେ ହେଲା ‘ଶରଂଦା, ଅର୍ଥାତ୍ ସେଥିରୁ ହେଲା ଶରଣ୍ଡା ।’’

 

ସୁରେଶବାବୁ ଉଲ୍ଲାସଭରେ କହିଲେ, ଧନ୍ୟ ହେମବାବୁ, ଧନ୍ୟ ଆପଣଙ୍କର ମସ୍ତିଷ୍କ । ତା’ ନ ହୋଇଥିଲେ ରାଜା, କୋଟିପତି, ବିଭାଗୀୟ ଉଚ୍ଚ କର୍ମକର୍ତ୍ତା ଆପଣଙ୍କ ପାଖରେ ନତଜାନୁ ହେଉଥାନ୍ତେ !’’ ସୁରେଶବାବୁ ଭାବୋଚ୍ଛ୍ୱାସରେ ଟିକିଏ ଉଚ୍ଚ ଶବ୍ଦ କରି କହିବାରୁ ହେମବାବୁ ହାତରେ ସୁରେଶବାବୁଙ୍କ ପାଟିକୁ ବନ୍ଦ କରି କହିଲେ, ‘‘ଏଡ଼େ ପାଟି କରନ୍ତୁ ନାହିଁ । ଶତ୍ରୁପକ୍ଷ ଶୁଣିଲେ ସବୁ ଫସ୍‍କିଯିବ । ରବୀନ୍ଦ୍ରକୁ ଦେଖିଲା ପର୍ଯ୍ୟନ୍ତ ଅନ୍ତତଃ ଧୈର୍ଯ୍ୟ ଧରିବା ଦରକାର । ବନ ପଥ ଦେଇ ହେମବାବୁ, ସୁରେଶବାବୁ, ସିପାହୀ କେତେଜଣ ଦୁର୍ଗ ଆଡ଼କୁ ଚାଲିଲେ । କେତେ ଜଣ ସିପାହୀ ବାବାଜିମାନଙ୍କର କାର୍ଯ୍ୟକଳାପ ଦେଖିବାକୁ ରହିଲେ ହେମବାବୁ ପ୍ରମୁଖ ଭଗ୍ନଦୁର୍ଗ ଭିତରେ ପହଞ୍ଚିଲେ । କାନ୍ଥଗୁଡ଼ିକ ନାନା ପ୍ରକାର ଲତା ଗୁଳ୍ମରେ ସମାଚ୍ଛନ୍ନ । ଦୁର୍ଗ ଭିତର ସ୍ଥାନେ ସ୍ଥାନେ ଏପରି ଲଟିବୁଦା ପୂର୍ଣ୍ଣ ଯେ ବନ୍ୟ ଶ୍ୱାପଦ, ସର୍ପାଦି ସରୀସୃପ ଅନାୟାସରେ ବାସ କରିପାରିବେ । କକ୍ଷ ପରେ କକ୍ଷ ସେମାନେ ବୁଲିବାରେ ଲାଗିଲେ । ମନୁଷ୍ୟ ଗମନାଗମନର କେତେକ ସଂକେତ ଓ ପାଦ ଚିହ୍ନ ଇତ୍ୟାଦି ଦେଖିଲେ । କିନ୍ତୁ ରବୀନ୍ଦ୍ର ଓ ୟାଂସୁର କିଛି ସନ୍ଧାନ ପାଇଲେ ନାହିଁ । ଶରଣ୍ତାଦୁର୍ଗ ଏକ ବିଶାଳ ଦୁର୍ଗ ଥିଲା । ହେମବାବୁ ଯେଉଠି ଅନୁସନ୍ଧାନ କରୁଥିଲେ, ସେଠାରେ ଗଜପ୍ରାସାଦ ଦଣ୍ଡାୟ ଥିଲା । ତାହାର ଆୟତନ ଥିଲା ଅତ୍ୟଧିକ । ଦୁର୍ଗଟି ଗୋଟିଏ ପାହାଡ଼ ଉପରେ ବିଦ୍ୟମାନ ଥାଇ ଗିରିଦୁର୍ଗ ଆଖ୍ୟା ଲାଭ କରିଥିଲା । ସମୁଦାୟ ସ୍ଥାନ ତନ୍ନ ତନ୍ନ କରି ଅନୁସନ୍ଧାନ କରିବା ସେମାନଙ୍କର ସାଧ୍ୟାତୀତ ଥିଲା । ଏଆଡ଼େ ବୁଲୁ ବୁଲୁ କ୍ରମେ ସନ୍ଧ୍ୟା ତା'ର ମ୍ଳାନ ରେଖା ଟାଣି ଆଣୁଥିଲା । ମହାନଦୀ ଓ ଅଂଶୁପାର ନେତ୍ରବିନୋଦନ ଦୃଶ୍ୟ ସଙ୍ଗେ ଅସ୍ତକାଳୀନ ସୂର୍ଯ୍ୟର ଅରୁଣ ରାଗ ପ୍ରାଣରେ ଅପୂର୍ବ ପୁଲକ ଭରି ଦେଉଥିଲା । କିନ୍ତୁ ହେମବାବୁଙ୍କୁ ଏଥିରେ ବେଶି ସମୟ ଭାବବିହ୍ୱଳ ହୋଇ ରହିବାକୁ ଅବସର ନ ଥିଲା । ସେ ସୁରେଶବାବୁଙ୍କୁ କହିଲେ, ‘‘ସୁରେଶବାବୁ, ଚାଲନ୍ତୁ, ବାବାଜିମାନେ ଆସ୍ଥାନ ଭାଙ୍ଗି ଏହି ଦୁର୍ଗରେ ଯେ କୌଣସି ସ୍ଥାନରେ ଆଜି ରାତିରେ ଆସି ଆଶ୍ରୟ ନେବେ । ବୋଧହୁଏ ସେତିକିବେଳେ ରବୀନ୍ଦ୍ରର ଭାଗ୍ୟମୀମାଂସା ହେବ । ଆମକୁ ସେ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଅପେକ୍ଷା କରିବାକୁ ପଡ଼ିବ ।”

 

ସୁରେଶବାବୁ ଦୀର୍ଘ ନିଶ୍ୱାସଟିଏମାରି ମୁଣ୍ଡ ହଲାଇ ହେମବାବୁଙ୍କ କଥାରେ ସମ୍ମତି ଜଣାଇଲେ । ସୁବର୍ଣ୍ଣପୁର ଗ୍ରାମକୁ ସମସ୍ତେ ଫେରି ଯାଇ ରାତ୍ରିଭୋଜନ ଯଥାଶୀଘ୍ର ସାରି ବାବାଜିମାନଙ୍କ ଆସ୍ଥାନ ନିକଟସ୍ଥ ବନରେ ଆତ୍ମଗୋପନ କରି ରହିଲେ ।

 

ପ୍ରାୟ ରାତି ଦଶ ଘଣ୍ଟା ପରେ ବାବାଜିମାନେ ଆଡ୍ଡ଼ାରୁ ବିଦାୟ ନେଇ ଶରଣ୍ତାଦୁର୍ଗ ଅଭିମୁଖରେ ଚାଲିଲେ । ସେମାନେ କୋଠରୀ ପରେ କୋଠରୀ ପାର ହୋଇ ଅନେକ ଦୂର ଚାଲିଲେ । ତା’ପରେ ଖଣ୍ଡେ ବାଟ ବୃକ୍ଷଲତାସମାଚ୍ଛନ୍ନ ପ୍ରାଙ୍ଗଣ ଭିତର ଦେଇ ଗଲେ । ତା'ପରେ ଆଉ ଗୋଟିଏ ଭଗ୍ନ ପ୍ରାସାଦ ପଡ଼ିଲା । ତା’ଭିତରେ ସେମାନେ ପ୍ରବେଶ କଲେ । ହେମବାବୁଙ୍କ ଦଳ ମଧ୍ୟ ଅତି ସନ୍ତର୍ପଣରେ ସେମାନଙ୍କ ଅନୁଗମନ କରୁଥିଲେ । ହୀନୁ ଦଳ ଯାଇ ଗୋଟିଏ ଭଙ୍ଗା କୋଠରୀରେ ପହଞ୍ଚି ଗୋଟିଏ ଚଉଖୁଣ୍ଟିଆ ପଥର ଭୂମି ଉପରୁ ଆଡ଼େଇଲେ । ତା ପରେ ଆସ୍ତେ ଆସ୍ତେ ଭୂମିତଳ କୋଠରୀକୁ ଓହ୍ଲାଇ ଗଲେ । ସେମାନେ ସମସ୍ତେ ଯାଇ ସାରିବା ପରେ ହେମବାବୁ ତାଙ୍କ ଦଳବଳ ସହିତ ଭିତରେ ପ୍ରବେଶ କରିବାକୁ ଆରମ୍ଭ କଲେ । ଦୁଇଜଣ ସିପାହୀ ଉପରେ ପ୍ରହରୀ ସ୍ୱରୂପ ଜଗି ରହିଲେ । ହେମବାବୁ ନିଜ ଦଳ ସହିତ ଖଣ୍ତେ ଦୂର ଆଗକୁ ଯିବା ପରେ ଆଉ ତେଣିକି ବାଟ ପାଇଲେ ନାହିଁ । ଟର୍ଚ୍ଚ ପକାଇ ସନ୍ଧାନ ନେଲେ । ଅନେକ ଅନୁସନ୍ଧାନ ପରେ ଜାଣି ପାରିଲେ, ପଛକୁ ଦୁଇହାତ ଘୁଞ୍ଚିଗଲେ ଆଉ ଗୋଟିଏ ଦ୍ୱାର ଅଛି । ତାହା ଭିତରୁ ବନ୍ଦ ହୋଇଅଛି । ଦ୍ୱାରଟିର କାଠ ପ୍ରଭୃତି ଖତରା ହୋଇଗଲାଣି । ସେଥିରେ ଲାଗିଥିବା ଗୋଟିଏ ଲୁହାର କଡ଼ା ଟାଣି ଦେବାରୁ ଆପେ ଆପେ କବାଟ ଫାଟିଗଲା । ଟର୍ଚ୍ଚ ପକାଇ ପକାଇ ସେମାନେ ଯାଇ ଶେଷରେ ଯେଉଁ କକ୍ଷଟିରେ ପହଞ୍ଚିଲେ, ସେହି କକ୍ଷଟି ପ୍ରକୃତରେ ହୀନୁଦଳର ଆଡ଼୍ଡ଼ା ଥିଲା । ହୀନୁ ଛୁରି ଉଞ୍ଚାଇ ରବୀନ୍ଦ୍ରକୁ ହତ୍ୟା କରିବାକୁ ଯାଇ ସେତିକିବେଳେ, କହୁଥିଲା, ଠିକ୍ ‘ଆଉ ଏକ ସେକେଣ୍ଡ ବାକି ।’ ହେମବାବୁ ତା’ର ପ୍ରତିଧ୍ୱନି କରି କହିଲେ, ହଁ, ଆଉ ଏକ ସେକେଣ୍ଡ ବାକି; ହାତ ଉପରକୁ ଉଠାଅ ।’ ମାତ୍ର ସେମାନେ ହାତ ଉପରକୁ ନ ଉଠାଇ ଦୀପ ଲିଭାଇଦେଇ କେଉଁଆଡ଼େ ଅନ୍ତର୍ଦ୍ଧାନ ହୋଇଗଲେ । ତତ୍ପରେ ସୁରେଶବାବୁ ଟର୍ଚ୍ଚ ପକାଇ ରବୀନ୍ଦ୍ରକୁ ଦେଖିଲେ । ତାର ବନ୍ଧନ ମୁକ୍ତକରି ଦୁଇଜଣ ପୋଲିସ୍‍ଙ୍କ ସାହାଯ୍ୟରେ ଉପରକୁ ପଠାଇ ଦେଲେ । ରବୀନ୍ଦ୍ର ଚଳତ୍‍ଶକ୍ତିହୀନ ହୋଇ ପଡ଼ିଥିଲା । ହେମବାବୁ, ସୁରେଶବାବୁ ଓ ଜଣେ ସିପାହୀ ସହିତ ସେମାନଙ୍କର ଅନ୍ତର୍ଦ୍ଧାନର ପଥ ଆବିଷ୍କାର କରିବାକୁ ବାହାରିଲେ । ଦେଖିଲେ, ପଡ଼ିଥିବା ଖଟ ତଳେ ଏକ ଗହ୍ୱର ଅଛି । ତିନିଜଣଯାକ ସେ ଗହ୍ୱରରେ ପଶି ସୁଡ଼ଙ୍ଗ ଭିତରେ ଭିତରେ ଗଲେ । କେତେଦୂର ଯିବାପରେ ହେମବାବୁ ପ୍ରଭୃତି ସୁଡ଼ଙ୍ଗର ଶେଷଭାଗରେ ପହଞ୍ଚିଲେ । ସେତେବେଳକୁ କାର୍ତ୍ତିକମାସର ହେମାଳ ପବନ ପ୍ରବଳବେଗରେ ବହି ନିକଟରେ ବର୍ଷା ହେବାର ସୂଚନା ଦେଉଥିଲା । ହେମବାବୁ ପ୍ରଭୃତି ସୁଡ଼ଙ୍ଗ ମୁଖ ଦେଇ ବାହାରି ଦେଖିଲେ, ଅଳ୍ପଦୂରରେ ନଦୀ । ପ୍ରବଳ ହାଲପା ପିଟୁଥିଲା । ସେହି ଘୋର ଅନ୍ଧକାର ରାତ୍ରିରେ ସେମାନେ ନଦୀକୂଳକୁ ବାହାରିଲେ । ପ୍ରବଳ ଶୀତରେ ଦେହ ମୁଣ୍ଡ ଥରି ଯାଉଥାଏ | ଟର୍ଚ୍ଚ ଆଲୋକ ପକାଇ ବନଯାକ ଦେଖିଲେ । ନଦୀଆଡ଼କୁ ଆଲୋକ ପକାଇଲେ । ଦେଖିଲେ, ବହୁଦୂରରେ ଉତ୍ତଳତରଙ୍ଗମୟ ନଦୀ ବକ୍ଷରେ ଗୋଟିଏ ନୌକା କେତେଜଣ ଆରୋହୀଙ୍କୁ ଧରି ଚାଲିଅଛି । ଯେପରି ଅବସ୍ଥା, ନୈକାଟି ଯେ କୈାଣସି ମୁହୂର୍ତ୍ତରେ ବୁଡ଼ିଯିବାର ଆଶଙ୍କା, ‘‘ନୈାକା ରଖ, ନୌକା ରଖ’’ ବୋଲି ଚିତ୍କାର ଛାଡ଼ିଲେ । ଭୟ ଦେଖାଇବା ଉଦ୍ଦେଶ୍ୟରେ ଥରେ ଦି’ଥର ପିସ୍ତଲ ଫୁଟାଇଲେ । ମାତ୍ର ନୈାକାର ଗତି କମିଲା ନାହିଁ । ତା’ପରିବର୍ତ୍ତେ ଉଚ୍ଚ ଅଟହାସର ଶବ୍ଦ ବାୟୁ ପ୍ରବାହରେ ଭାସି ଆସିଲା । ହେମବାବୁ ନିଶ୍ଚିତ ଭାବରେ ବୁଝିଲେ ହୀନୁ ଦଳ ଏ ନୌକାରେ ବସି ପଳାଇ ଗଲେ । ରବୀନ୍ଦ୍ରକୁ ସେ ମୁକ୍ତ କରି ପାରିଛନ୍ତି ଏତିକି କେବଳ ତାଙ୍କ ପକ୍ଷରେ ଆଶ୍ୱାସନାର କଥା ।

 

ଦସ୍ୟୁଦଳର ଅନୁସରଣ କରିବାର କୌଣସି ଉପାୟ ନଥିଲା । କେଉଁ ନାଉରୀ ବା ଏ ପ୍ରବଳ ପବନରେ ମହାନଦୀରେ ଡଙ୍ଗା ଛାଡ଼ିବାକୁ ସାହାସ କରିବ ? ରବୀନ୍ଦ୍ରର ଚିକିତ୍ସା କରି ତାକୁ ସୁସ୍ଥସବଳ କରିବା ବର୍ତ୍ତମାନ ହେମବାବୁଙ୍କର ପ୍ରଥମ କର୍ତ୍ତବ୍ୟ । ତତ୍ପରଦିନ ସକାଳୁ ସୁରେଶବାବୁ ପାଶ୍ୱବର୍ତ୍ତୀ ସମସ୍ତ ଥାନାକୁ ସମ୍ବାଦ ଦେଲେ । ସୁଡ଼ଙ୍ଗ ଭିତର ଦେଇ ଗୁପ୍ତ କକ୍ଷରେ ପ୍ରବେଶ କରି ହୀରକହାରର ସନ୍ଧାନ ନେଲେ । ହୀରକହାରର କିମ୍ବା ହୀନୁଦଳର କିଛି ସନ୍ଧାନ ମିଳିଲା ନାହିଁ । ହୀନୁଦଳର ଜିନିଷପତ୍ର ପୋଲିସ ଜବତରେ ରହିଲା ।

 

ଅଠର

 

ହିରଣ୍‍ ବାବୁ ଓ ସରଯୂ ହେମବାବୁଙ୍କଠାରୁ ସେଦିନ ବିଦାୟ ନେଇ କଲିକତାରେ ପହଞ୍ଚିଲେ । ସରଯୂ ଷ୍ଟେସନରେ ହୀନୁକୁ ଦେଖି ଜାଣିଲେ ସେମାନଙ୍କର କଲିକତା ପଳାୟନ ଆଉ ଗୋପନରେ ରହିନାହିଁ । ସେଥିପାଇଁ କଲିକତାକୁ ଆସି ଗୋଟିଏ ହୋଟେଲରେ ହିରଣ୍ ବାବୁ ଓ ସରଯୂ ଅତି ଗୋପନରେ ଆଶ୍ରୟ ନେଇଁଥିଲେ । ହୀନୁ ଯେ ସେମାନଙ୍କ ପିଛା ଧରି କଲିକତା ଆସିବ ଏକଥା ସେମାନେ ନିଶ୍ଚିତରୂପେ ଜାଣିଥିଲେ । ସରଯୂ ଓ ହିରଣ୍ ବାବୁଙ୍କର ବଡ଼ଲୋକିଆ ଚଳାଚଳି ଓ ଭଦ୍ର ବ୍ୟବହାରରେ ହୋଟେଲର ମ୍ୟାନେଜରଙ୍କଠାରୁ ଆରମ୍ଭ କରି ପାଖପଡ଼ିଶା ପରିଚିତ ଭଦ୍ରବ୍ୟକ୍ତିଙ୍କ ପର୍ଯ୍ୟନ୍ତ ସମସ୍ତେ ସନ୍ତୁଷ୍ଟ ଥିଲେ । ମାତ୍ର ପ୍ରଚ୍ଛନ୍ନ ଭାବରେ ସେ ଉଭୟଙ୍କର ମନ ହୀନୁ ଭୟରେ ଆତଙ୍କିତ ଥିଲା । ହିରଣ୍ ବାବୁ ମଧ୍ୟ ସତର୍କ ଦୃଷ୍ଟିରଖି ଚଳୁଥିଲେ । ଏହିପରି ଭାବରେ କଲିକତାରେ ସେମାନେ କେତେ ଦିନ ଚଳିଛନ୍ତି, ହଠାତ୍ ଦିନେ ସରଯୂ କଲିକତା ଛାଡ଼ି ରେଙ୍ଗୁନ୍ ଯିବାର ପ୍ରସ୍ତାବ କରି ବସିଲେ । ହରିଣ୍ ବାବୁ ମଧ୍ୟ ସେଥିରେ ଏକମତ ହେଲେ । ଯଦିଓ ସେମାନେ ହେମବାବୁଙ୍କଠାରୁ ପତ୍ର ପାଇଥିଲେ ଯେ, ହେମବାବୁ ଓ ରବୀନ୍ଦ୍ର ଶୀଘ୍ର ଆସି ସେମାନଙ୍କ ସଙ୍ଗେ ଦେଖା କରିବେ, ମାତ୍ର ପରିସ୍ଥିତି ଆଉ ସମ୍ଭାଳି ପାରିବେ ନାହିଁ ବୋଲି ସେମାନେ ସ୍ଥିର କଲେ-। ସୁତରାଂ କାହାରି ପାଖକୁ ଚିଠିପତ୍ର ନ ଦେଇ ସେମାନଙ୍କୁ ଗୋପନରେ କଲିକତା ଛାଡ଼ିବାକୁ ପଡ଼ିଲା । ସେମାନଙ୍କ କଲିକତା ତ୍ୟାଗ କରିବାର ମୂଳରେ ଦୁଇଟି ଘଟନା ଥିଲା । ପ୍ରଥମ ଘଟନା ଏହି, ହିରଣ୍ ବାବୁ ଦିନେ କଲିକତାର ଗୋଟିଏ ସମ୍ବାଦପତ୍ରରେ ଏକ ଲୋମହର୍ଷଣକାରୀ ଘଟନା ପଢ଼ିବାକୁ ପାଇଲେ । ଶିରୋନାମାରେ ଲେଖାଥିଲା,‘‘ନରହତ୍ୟା ଓ ଡକାଏତି—ଓଡ଼ିଆ ଦସ୍ୟୁ ମଣି ନାୟକର ଶୋଚନୀୟ ମୃତ୍ୟୁ ।’’ ଯେତେବେଳେ ଏ ଘଟନାଟି ପଢ଼ି ହିରଣ୍ ବାବୁ ସରଯୂଙ୍କୁ ଶୁଣାଇଲେ, ସେତେବେଳେ ସରଯୂ ଭୟରେ ଥରି ଉଠିଲେ । ସେମାନେ ନିଶ୍ଚିତ ଭାବରେ ଜାଣିପାରିଲେ, ହୀନୁଦଳ କଲିକତାରେ ଆସ୍ଥାନ ଜମାଇଲେଣି, ସେମାନଙ୍କ ଉପରେ ଦାଉ ସାଧିବା ପାଇଁ; ଆଉ ଏ ଚୋରି, ଡକାୟତି ହୋଇଛି କେବଳ ଧନ ସଞ୍ଚୟ ଉଦ୍ଦେଶ୍ୟରେ । ସମ୍ବାଦପତ୍ରରେ ଘଟନାଟି ଯାହା ବାହାରିଥିଲା, ତା’ର ସାରମର୍ମ ଏହି......

 

‘‘ଗତ ରାତିରେ ବର୍ମାର ବିଖ୍ୟାତ ଦସ୍ୟୁ ହୀନୁ ତା’ର ଦଳବଳ ସହିତ କଲିକତାର ପ୍ରସିଦ୍ଧ ମାରୁଓ୍ୟାଡ଼ି ସାହସମଲ୍ଲର ଦୋକାନ ଦୋ’ମହଲା କୋଠା ଉପରେ ଚଢ଼ି ଚଢ଼ାଉ କରିଥିଲା । ସେମାନେ ସଂଖ୍ୟାରେ ଥିଲେ ଚାରିଜଣ ଓ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ଥିଲେ । ସାହସମଲ୍ଲର ଚାକରକୁ ଛୁରି ଭୁଷିଦେଇ ସେମାନେ ନଗଦ କୋଡ଼ିଏ ହଜାର ଟଙ୍କା ଓ ଦଶହଜାର ଟଙ୍କାର ସୁନା ଗହଣା ଘେନି ପଳାଇଛନ୍ତି । ସାହସମଲ୍ଲଙ୍କର ଗୋଟିଏ ଚାକରାଣୀର ଜମାନବନ୍ଦିରୁ ଜଣାପଡ଼େ, ସେମାନେ ଟଙ୍କା ପଇସା ନେଉଥିବା ସମୟରେ ସେ ସୂଚନା ପାଇ ଚିତ୍କାର କରିବାରୁ ସାହସମଲ୍ଲ, ତାଙ୍କର ସ୍ତ୍ରୀ, । ଅନ୍ୟାନ୍ୟ ଚାକର ଓ ଗୁମାସ୍ତା କେତେଜଣ ପାଟିତୁଣ୍ଡ କରି ସେଠାକୁ ଧାଇଁ ଆସିଲେ-। ଇତିମଧ୍ୟରେ ଡକାଏତ ଦଳ ଦୋ’-ମହଲାର ପଛ ପାଖରେ ଲମ୍ବିଥିବା ଖଣ୍ଡିଏ ଦଉଡ଼ି ସାହାଯ୍ୟରେ ଅବଲୀଳାକ୍ରମେ ତଳକୁ ଖସି ପଳାଇ ଗଲେ । ମାତ୍ର ମଣିନାୟକ ତଳକୁ ଖସିବା ସମୟରେ କେହି ଜଣେ ତା’ର ମୁଣ୍ଡକୁ ପ୍ରଚଣ୍ତ ଭାବରେ ଆଘାତ କରିଥିବାର ଜଣାଯାଉଛି । କାରଣ ମୃତ ମଣି ନାୟକର ଶବ ପରୀକ୍ଷାବେଳେ ଡାକ୍ତର ମତ ଦେଇଛନ୍ତି ଯେ ପୂର୍ବରୁ କେହି ଜଣେ ଗୋଟିଏ ଲୁହା ବା ବାଉଁଶ ବାଡ଼ିରେ ତା ମୁଣ୍ଡକୁ ଆଘାତ କରିଛି । କାରଣ ସେ ତଳେ କଚାଡ଼ି ହୋଇ ପଡ଼ିଛି, ଯା’ଦ୍ୱାରା ତା’ର କଟିର ହାଡ଼ ସବୁ ଚୂର୍ଣ୍ଣବିଚୂର୍ଣ୍ଣ ହୋଇଯାଇଛି । ହୀନୁଦଳ ପଳାଇ ଯିବା ପୂର୍ବରୁ ଚାକରାଣୀଟିକୁ ଅସ୍ତ୍ରାଘାତରେ କ୍ଷତ ବିକ୍ଷତ କରି ପଳାଇଛନ୍ତି । ଶବ୍ଦ ଶୁଣି ବେଶି ଲୋକ ଜମିବାର ଆଶଙ୍କା କରି ବୋଧହୁଏ ଦସ୍ୟୁଦଳ ପିସ୍ତଲ ବ୍ୟବହାର କରି ନାହାନ୍ତି । ଦସ୍ୟୁଦଳଙ୍କ ଆଡ଼୍ଡ଼ାର ସନ୍ଧାନ ମିଳି ନାହିଁ । ପୋଲିସ୍ ତଦନ୍ତ ଚାଲିଛି ।’’

 

ସରଯୂ ଓ ହିରଣ୍ ବାବୁ ହୀନୁଦଳର ଏ ଦୁଃସାହସିକ କାର୍ଯ୍ୟର ସମ୍ବାଦ ପାଇଁ ଅତ୍ୟନ୍ତ ତ୍ରସ୍ତ ହୋଇପଡ଼ିଲେ । ଧୂର୍ତ୍ତ ମଣି ନାୟକର ମୃତ୍ୟୁରେ ପୃଥିବୀରୁ ପାପଭାର କମିଲା ବୋଲି ସେ ଯେତିକି ଆଶ୍ୱାସନା ପାଇଲେ, ସେତିକି ସେମାନଙ୍କର ଭୟ ବଢିଲା । ସେମାନେ ଜାଣିଥିଲେ, ଧୂମକେତୁ ପରି ଏ ହୀନୁ ତା’ ଦଳ ନେଇ ସେମାନଙ୍କ ପିଛା ଲାଗିଥିବ । ଉଭୟେ ଚିନ୍ତିତଭାବେ କାଳକାଟିବାରେ ଲାଗିଲେ । ବର୍ତ୍ତମାନ ସେମାନେ ନିଜକୁ ନିତାନ୍ତ ଅସହାୟ ମନେ କଲେ । ଭାବିଲେ, ‘‘କଟକରେ ହେମବାବୁଙ୍କ ପରି ବିଖ୍ୟାତ ଡିଟେକ୍ଟିଭଙ୍କର ସାହାଯ୍ୟ ନେଇ ମଧ୍ୟ ଏମାନଙ୍କୁ ପାରି ହେଲା ନାହିଁ । ଏଠାରେ ପୋଲିସର ସାହାଯ୍ୟ ନେଇ ବା କ’ଣ କରିପାରିବେ ?’’ ହିରଣବାବୁ କଲିକତାରେ ହୀନୁ ଦଳର କାର୍ଯ୍ୟକଳାପ, ମଣି ନାୟକର ମୃତ୍ୟୁ, ସେମାନଙ୍କ ଆତଙ୍କ କାହାଣୀ ଲେଖି ହେମବାବୁଙ୍କୁ ଜଣାଇଲେ । ପତ୍ରରେ ମଧ୍ୟ ଅନୁରୋଧ କଲେ ଯେ :ଯେପରି ସେ ଶୀଘ୍ର ଆସି ସେମାନଙ୍କୁ ସାହାଯ୍ୟ କରନ୍ତି । ସେହିଦିନଠାରୁ ହିରଣବାବୁ ଓ ସରଯୂ ସେମାନଙ୍କ ସାୟଂ ଭ୍ରମଣ, ସ୍ୱଚ୍ଛନ୍ଦ ଗମନାଗମନ ବନ୍ଦ କରି ଦେଇ ହୋଟେଲରେ ଅତି ସାବଧାନତାର ସହିତ ଚଳିବାରେ ଲାଗିଲେ । ମାତ୍ର ଏ ଘଟଣାର ଦ୍ୱିତୀୟ ଦିନ ଆଉ ଗୋଟିଏ ଘଟନା ଘଟିଲା । ହିରଣ୍ ବାବୁ ଓ ସରଯୂ ସେଦିନ ହୋଟେଲ୍ ଛାଡ଼ି ବାହାରକୁ ଯାଇଥିଲେ । ସେମାନେ ଫେରିଲାବେଳେ ହୋଟେଲ୍ ଫାଟକ ନିକଟରୁ ଦେଖିଲେ, ସେମାନଙ୍କ କୋଠରୀ ସାମନାରେ ଜଣେ ଭଦ୍ରଲୋକ ଠିଆ ହୋଇଛନ୍ତି । କିନ୍ତୁ ଏମାନଙ୍କୁ ଦେଖି ପାରି ସେ ହୋଟେଲର ଅନ୍ୟ ପାଖର ବାଟ ଦେଇ ଚାଲିଗଲା-। ସରଯୂ ‘‘ହୀନୁ ହୀନୁ’’ ବୋଲି ଚିତ୍କାର ଛାଡ଼ିଲେ । ମାତ୍ର ହୀନୁର ସଂକେତ କିଛି ମିଳିଲା ନାହିଁ-। ହିରଣ୍ ବାବୁ ହସି ସରଯୂଙ୍କୁ କହିଲେ, “ତୁମକୁ । ହୀନୁ ଭୂତ ଲାଗିଛି ।'' ଠିକ ସେହିଦିନ ରାତି ଆଠଟା ବେଳେ ହିରଣ୍ ବାବୁ ଓ ସରଯୂ ଦୁଇଟି ଚୌକିରେ ବସି ଗପସପ କରୁଥିବା ବେଳେ ଜଣେ ଭଦ୍ର ପରିଚ୍ଛଦଧାରୀ ବ୍ୟକ୍ତି ବାରଣ୍ଡା ଦେଇ ଚାଲିଗଲା । ସରଯୂଙ୍କର ମୁହଁ ବରଣ୍ଡା ଆଡ଼କୁ ଥିଲା-। ସେ ‘ହୀନୁ ହୀନୁ’ ଚିତ୍କାର କରି ବାରଣ୍ତାଆଡ଼କୁ ଦୌଡ଼ି ଆସିଲେ । ତାଙ୍କ ପଛେ ପଛେ ହିରଣ୍ ବାବୁ ମଧ୍ୟ ଚାଲିଆସିଲେ । ସରଯୂଙ୍କର ଚିତ୍କାର ଏତେ ଅସ୍ଵାଭାବିକ ଓ ଭୟମିଶ୍ରିତ ହେଲା ଯେ କୌଣସି କାର୍ଯ୍ୟରେ ନିକଟସ୍ଥ କକ୍ଷକୁ ଆସିଥିବା ହୋଟେଲ୍ ମାନେଜର ଓ ଅଉ କେତେ ଜଣ ଭଦ୍ରବ୍ୟକ୍ତି ମଧ୍ୟ ‘ଘଟନା କ’ଣ ବୋଲି ଦୌଡ଼ି ଆସି ସେଠାରେ ପହଞ୍ଚିଲେ । ସରଯୂ ହୀନୁ କଥା କହିବାରୁ ମାନେଜରଙ୍କ ମୁହଁ ଫିକା ପଡ଼ିଗଲା । ରେଙ୍ଗୁନର ବିଖ୍ୟାତ ଦସ୍ୟୁର ଆଖି ତାଙ୍କ ହୋଟେଲ୍ ଉପରେ ପଡ଼ିଲାଣି, ଏକଥା ଭାବି ତାଙ୍କ ଛାତି ଆତଙ୍କରେ ଥରି ଉଠିଲା । ସମସ୍ତେ ଉଦ୍‌ବେଗପୂର୍ଣ୍ଣ ଦୃଦୟରେ ଖୁବ ଚଞ୍ଚଳ ଫାଟକ ଆଡ଼କୁ ଦୌଡ଼ିଲେ; ମାତ୍ର ହୀନୁର ଚିହ୍ନବର୍ଣ୍ଣ ଦେଖିଲେ ନାହିଁ । ସେ ଘନ ଅନ୍ଧକାରରେ ମିଶି ଯାଇଥିଲା । ତତ୍ପର ଦିନ ମାନେଜର ପୋଲିସ୍ ରେ ଏତଲା ଦେଇ ସତର୍କ ପ୍ରହରୀର ବନ୍ଦୋବସ୍ତ କଲେ । ମାତ୍ର ସରଯୂ ଜାଣିଲେ, ଏ ‘ନଈବଢ଼ିକୁ ଦିଅଁ ଙ୍କ ରାଣ ପରି’-। ସେ ଆଉ କଲିକତାରେ ରହିବା ନିରାପଦ ମଣିଲେ ନାହିଁ । ହିରଣ୍ ବାବୁ ମଧ୍ୟ ତାଙ୍କ ସହ ଏକମତ ହେଲେ । ଦୁଇଦିନ ଭିତରେ ସେମାନେ, ପାସ୍ ପୋର୍ଟ ସଂଗ୍ରହ କରି ରେଙ୍ଗୁନଗାମୀ ଗୋଟିଏ ଯାତ୍ରୀ ଜାହାଜରେ ବସି ଚାଲିଗଲେ ।

 

ଉଣେଇଶ

 

ହୀନୁଦଳ ପଳାଇବା ପରେ ହେମବାବୁ ଓ ସୁରେଶବାବୁ ସୁବର୍ଣ୍ଣପୁରରେ ଦିନେଖଣ୍ଡେ ରହିଲେ । ସେମାନେ ଦୁର୍ଗଗୁଡ଼ିକର ଗଠନପ୍ରଣାଳୀ ବୁଲି ଦେଖିଲେ । କେତେଗୁଡ଼ିଏ ଗୁପ୍ତ ସୁଡ଼ଙ୍ଗ ମାର୍ଗ ମଧ୍ୟ ଆବିଷ୍କାର କଲେ । ସୁଡ଼ଙ୍ଗଗୁଡ଼ିକ ଶତ୍ରୁ ସୈନ୍ୟଙ୍କଠାରୁ ଆତ୍ମରକ୍ଷା ଉଦ୍ଦେଶ୍ୟରେ ପ୍ରାଚୀନ କାଳର ରାଜାମାନେ ନିର୍ମାଣ କରାଇଥିଲେ । କେତେଗୁଡ଼ିଏ ଗୁପ୍ତ ଗହ୍ୱରର ପରସ୍ପର ଯୋଗାଯୋଗ ଏପରିଭାବରେ ଥିଲା ଯେ ଗୁପ୍ତମାର୍ଗଗୁଡ଼ିକ ସଙ୍ଗରେ ସମ୍ପୂର୍ଣ୍ଣ ପରିଚିତ ନଥିଲେ ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବା ବା ନିର୍ଦ୍ଦିଷ୍ଟ ଲୋକକୁ ସେଥିଭିତରୁ ଧରିପାରିବା ଅତି କଠିନ ବ୍ୟାପାର । ଶରଣ୍ଡାଦୁର୍ଗର ପତନ ପରେ ଭଗ୍ନ କକ୍ଷଗୁଡ଼ିକ ଚୋର ଡକାଏତଦଳର ଗୁପ୍ତ ଆଡ଼୍ଡାରେ ପରିଣତ ହେଲା । ସୁଡ଼ଙ୍ଗଗୁଡ଼ିକ ସେମାନଙ୍କ ଆତ୍ମ-ଗୋପନର ପ୍ରଧାନ ଆଶ୍ରୟସ୍ଥଳ ଥିଲା । ତେବେ ସୁଦୂର ବର୍ମାବାସୀ ହୀନୁ ଏ ତଥ୍ୟର ଅନୁସନ୍ଧାନ କିପରି କଲା ତାହାହିଁ ବିସ୍ମୟକର ବ୍ୟାପାର । ସେ ରବୀନ୍ଦ୍ର ଠାରୁ ବୁଝିଲେ, ମଣିନାୟକ ଏ ଗୁପ୍ତ ମାର୍ଗଗୁଡ଼ିକର ସନ୍ଧାନ ସବୁ ଜାଣେ । ରବୀନ୍ଦ୍ରକୁ ଇଞ୍ଜେକ୍ ସନ୍ ଦିଆଯାଇ ବରାବର ଅଚେତ କରାଯାଉଥିଲା । ସେଦିନ ରାତିରେ ଯଦି ହେମବାବୁ ପହଞ୍ଚି ନ ଥାନ୍ତେ, ତେବେ ଦସ୍ୟୁଦଳ ତା’ର ଜୀବନ-ଲୀଳା ଶେଷ କରିଥାନ୍ତେ । ହେମବାବୁ ରବୀନ୍ଦ୍ରଠାରୁ ମଧ୍ୟ ଶୁଣିବାକୁ ପାଇଲେ ଯେ ଏହି ମଣିନାୟକହିଁ ହରିସିଂହ । ସେ ତେଲେଙ୍ଗାବଜାରରେ ଦୋକାନ ଓ ହୋଟେଲ କରି କିପରି ଲାଭ ଉଠାଏ, ହିନୁ ଦଳଙ୍କୁ ସାହାଯ୍ୟ କରି ଚୋରୀଧନରୁ କିପରି ଭାଗ ନିଏ ରବୀନ୍ଦ୍ର, ତା’ ଦୋକାନକୁ କିପରି ସନ୍ଦେହ ଚକ୍ଷୁରେ ଦେଖିଲା, କିପରି ଚିଠି ଦେଇଥିଲା, ହୋଟେଲ କାନ୍ଥରେ କିପରି ସଙ୍କେତ ଦେଇଥିଲା, କିପରି ବନ୍ଦୀ ହେଲା, ଆନୁଷଙ୍ଗିକ ସମସ୍ତ ଘଟନା ବର୍ଣ୍ଣନା କରିଗଲା । ହେମବାବୁଙ୍କଠାରୁ ମଧ୍ୟ ୟାଂସୁ ଓ ଉଆଁସୀର ପଳାୟନ, ଥାନାରେ ବୋମା ବିସ୍ଫୋରଣ ବ୍ୟାପାର ଶୁଣି ରବୀନ୍ଦ୍ର, ସ୍ତମ୍ଭିତ ହୋଇ ରହିଗଲା । ରବୀନ୍ଦ୍ର କହିଲା, ‘‘ମୁଁ ଯେଉଁଦିନ ହୋଟେଲ ଅଗଣାରେ ଏ ଦଳର କାର୍ଯ୍ୟକଳାପ ଗୁପ୍ତରେ ରହି ଶୁଣୁଥିଲି, ସେହିଦିନ ରାତିରେ ହୀନୁ ଉଆଁସୀକୁ ଉଦ୍ଧାର କରି ଆଣିଲା । ମୁଁ ଉଆଁସୀର ତୁଣ୍ଡ ବାରିପାରିଛି ।’’

 

‘ସେହିଦିନ ସନ୍ଧ୍ୟାବେଳେ ଥାନାରେ ବୋମା ବସ୍ଫୋରଣ କାଣ୍ଡ’ ସୁରେଶବାବୁ ଈଷତ୍ ଗମ୍ଭୀର ଭାବେ କହିଲେ ।

 

ରବୀନ୍ଦ୍ର କହିଲା, “ସାର୍ ହୀନୁ ଯଦି ଡକାଏତି ବ୍ୟବସାୟ ନ ଧରି ବୈଜ୍ଞାନିକ ବା ରାଜନୈତିକ ନେତା ହୋଇଥାନ୍ତା, ତେବେ ତାରିଫ୍ କାମ କରି ପାରିଥାନ୍ତା ।”

 

ହେମବାବୁ ହସି ହସି କହିଲେ, ‘‘ଉଆଁସୀର ବୁଦ୍ଧି ବି କମ୍ ମାତବରୀ ନୁହେଁ । ହିରଣ୍ ବାବୁଙ୍କ ଗୃହର ପୋଷା କୁକୁରଟି, ହୀନୁ ଦଳର ନାଗଣସିଂହୀ ।”

 

ସମସ୍ତେ ଏକାବେଳକେ ହସି ଉଠିଲେ । ରବୀନ୍ଦ୍ରକୁ ମୁକ୍ତ କରି ହେମବାବୁ ଏହି ଅଭିଯାନରେ ସାଫଲ୍ୟ ଲାଭ କରିଛନ୍ତି । ପାଖ ଆଖ ଯେତେ ସ୍ଥାନକୁ ହୀନୁଦଳର ଅନୁସନ୍ଧାନ, ନେବାପାଇଁ ଲୋକ ପଠାଇଥିଲେ, ସମସ୍ତେ ଫେରି ଆସି ସମ୍ବାଦ ଦେଲେ, ହୀନୁ ଦଳର କୌଣସି ସନ୍ଧାନ ମିଳୁନାହିଁ ବୋଲି । ଅଗତ୍ୟା ହେମବାବୁ ବାଙ୍କିବାଟେ କଟକ ଫେରି ଆସିଲେ । ତାଙ୍କର ନିର୍ଦ୍ଦେଶ ଅନୁସାରେ ସୁଜନ ଯେନା ଉପରୁ ପୋଲିସ୍ ମୋକଦ୍ଦମା ଉଠାଇ ନେଲା । କାରଣ ହେମବାବୁ ରବୀନ୍ଦ୍ର ସହ ପରାମର୍ଶ କରି ଜାଣି ପାରିଥିଲେ, ହରିସିଂ ନାମଧାରୀ ମଣିନାୟକ ଯଦି ଓ ସୁଜନ ଯେନାକୁ ତା'ର ଦୋକାନ ଓ ହୋଟେଲ ପରିଚାଳନାର ସମସ୍ତ ଭାର ଦେଇଅଛି, ଡକାଏତି ସଙ୍ଗରେ ସୁଜନର କିଛି ସମ୍ପର୍କ ନାହିଁ ।

 

କଠିନ ପରିଶ୍ରମ ଓ ଦୁଶ୍ଚିନ୍ତା ପରେ ହେମବାବୁ ଟିକିଏ ବିଶ୍ରାମ ନେବାକୁ ବସିଲେ । ମାତ୍ର ତା’ର ସୁଯୋଗ ମିଳିଲା ନାହିଁ । ଅଳ୍ପ କେତେକ ଦିନ ପରେ ସେ କଲିକତାରୁ ହିରଣ୍ ବାବୁଙ୍କଠାରୁ ଚିଠି ପାଇଲେ କଲିକତା ଯିବାକୁ । ସେ କଟକରେ ଆବଶ୍ୟକ ବନ୍ଦୋବସ୍ତ କରିଦେଇ ରବୀନ୍ଦ୍ରକୁ ସଙ୍ଗରେ ଧରି ବାହାରିଲେ କଲିକତା । ସେ ସମ୍ବାଦପତ୍ରରୁ ହନୁଦଳର ଡକାଏତି ଓ ମଣିନାୟକର ମୃତ୍ୟୁ ସମ୍ବାଦ ପଢ଼ିଥିଲେ । ଏଥିରେ ହିରଣ୍ ବାବୁ ଓ ସରଯୂ କିପରି ଭୟତ୍ରସ୍ତ ହୋଇଥିବେ, ତାହା ଅନୁମାନ କରିବ। ତାଙ୍କ ପକ୍ଷରେ କଠିନ ହେଲାନାହିଁ ।

 

ରବୀନ୍ଦ୍ର କହିଲା, “ମଣିନାୟକ ମଲା; ଯାହାହେଉ ଓଡ଼ିଶାରେ ହୀନୁଦଳର ଦୌରାତ୍ମ୍ୟ କମିଲା ।’’

 

ହେମବାବୁ କହିଲେ, ‘‘ଭୁଲ ବୁଝିଛ ରବୀନ୍ଦ୍ର । ହୀନୁପରି ଚତୁର ଦସ୍ୟୁକୁ କମ୍ ସଙ୍ଗୀ ଜୁଟି ନଥିବେ ଓଡ଼ିଶାରେ । ତେବେ ମଣିନାୟକ ପରି ଖୁବ୍ କମ୍ ଧୂର୍ତ୍ତ ଦସ୍ୟୁ ଓଡ଼ିଶାରେ ଥିବେ ।’’

 

ଟ୍ରେନରେ ଗଲାବେଳେ କଲିକତାରେ ହୀନୁଦଳ ସମ୍ୱନ୍ଧେ କି କାର୍ଯ୍ୟପନ୍ଥା ଅନୁସରଣ କରିବେ, ସେ ବିଷୟରେ ଚିନ୍ତା କରୁଥିଲେ । କଲିକତାରେ ପହଞ୍ଚି ପ୍ରଥମେ ହିରଣ୍ ବାବୁଙ୍କ ଥିବା ହୋଟେଲରେ ପହଞ୍ଚିଲେ । ହେଟେଲ ମ୍ୟାନେଜର ହେମବାବୁଙ୍କ ପରିଚୟ ପାଇ ହିରଣ୍ ବାବୁ ଓ ତାଙ୍କ ସ୍ତ୍ରୀଙ୍କର ରେଙ୍ଗୁନ ଯାତ୍ରା କଥା ଜଣାଇଦେଲେ । ହିରଣ୍ ବାବୁଙ୍କ ପ୍ରତି ସହାନୁଭୂତି ପ୍ରକାଶ କରି କହିଲେ, “ଭଦ୍ରଲୋକ ବିଚରା ଦସ୍ୟୁ ହୀନୁ ଦଳର ପ୍ରତାପରେ ଏଠାରେ ଆଉ ରହି ପାରିଲେ ନାହିଁ । ବିଶେଷତଃ ତାଙ୍କ ସ୍ତ୍ରୀ ଦସ୍ୟୁରାଜ ହୀନୁକୁ ଏ ହୋଟେଲରେ ଦେଖି ସ୍ଵାମୀଙ୍କୁ ଆଉ ଉଠାଇ ବସାଇ ଦେଲେନାହିଁ । ସୁତରାଂ ସେ ଆଉ ଅପେକ୍ଷା କରି ନପାରି ଗୋଟିଏ ରେଙ୍ଗୁନଗାମୀ ଜାହାଜରେ ଚଢ଼ି କଲିକତା ତ୍ୟାଗ କରିଅଛନ୍ତି ।”

 

ହେମବାବୁ ମ୍ୟାନେଜରଙ୍କଠାରୁ ବିଦାୟ ନେଇ କଲିକତାର ପ୍ରଧାନ ପୋଲିସ୍ ଅଫିସକୁ ଗଲେ । ସାହସମଲ୍ଲ ଘରର ଡକାଏତି ସମ୍ବନ୍ଧେ ସମସ୍ତ ବିବରଣୀ ଶୁଣିଲେ । ସେ ବୁଝିନେଲେ, ହୀନୁର କର୍ମକ୍ଷେତ୍ର ଆଉ କଲିକତାର ପରିସର ମଧ୍ୟରେ ଆବଦ୍ଧ ନଥିବ । କଲିକତା ପୋଲିସ୍ ବୃଥାରେ କଲିକତାରେ ସେ ଦଳକୁ ଅଣ୍ଡାଳୁଛନ୍ତି । ହେମବାବୁଙ୍କର ଅନେକ ଦିନୁଁ ରେଙ୍ଗୁନ ଯିବାର ଇଚ୍ଛା ଥିଲା । ବିଶେଷତଃ ସେ ହୀରକ ହାରର ଉଦ୍ଧାର ପାଇଁ ସରଯୂଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ସେ ରେଙ୍ଗୁନ ଯାତ୍ରା ସମ୍ବନ୍ଧେ କଟକକୁ ଲେଖାଲେଖି ଚଳାଇଲେ ଓ ସୁବିଧା ଦେଖି ବର୍ମାକୁ ଯାଉଥିବା ଗୋଟିଏ ଜାହାଜରେ ଯାତ୍ରୀ ହେବାକୁ ଅପେକ୍ଷା କଲେ।

 

କୋଡ଼ିଏ

 

ସରଣ୍ତା ଦୁର୍ଗର ଗୁପ୍ତ ଭୂମିତଳ କକ୍ଷରେ ହୀନୁ ଦଳଙ୍କୁ ଯେତେବେଳେ ‘ହାତ ଉଠାଅ’ ବୋଲି ହେମବାବୁ ଡାକରା ଦେଲେ, ସେତେବେଳେ ରଫୁ ହଠାତ୍ ଆଲୁଅ ଲିଭାଇଦେଲା । ଯେଉଁଠି ଖଟଟି ପଡ଼ିଥିଲା, ତା’ରି ତଳେ ଗୋଟିଏ ଗୁପ୍ତ ମାର୍ଗ ଥିଲା । ସେହି ମାର୍ଗ ଦେଇ କ୍ଷଣକ ଭିତରେ ସମସ୍ତେ ଖସିଗଲେ । ସୁରେଶବାବୁ ପକେଟରୁ ଟର୍ଚ୍ଚ ବାହାର କରି ଆଖି ବୁଲାଇବା ପୂର୍ବରୁ ସେମାନେ ଅନ୍ତର୍ଦ୍ଧାନ ହୋଇ ଯାଇଥିଲେ । ହେମବାବୁ ପରେ ସେମାନଙ୍କ ପଳାୟନ ପଥ ଆବିଷ୍କାର କରି ପାରିଥିଲେ ଓ ସେହି ପଥ ଦେଇ ନଦୀ କୂଳରେ ପହଞ୍ଚି ନୌକାରେ ସେମାନଙ୍କର ପଳାୟନର ସୂଚନା ପାଇଥିଲେ । ହୀନୁ ଦଳ ସେହି ଗଭୀର ଅନ୍ଧକାର ରାତ୍ରରେ ନୌକା ଚଳାଇ ବଡ଼ାମ୍ବାର ସିଂହନାଥ ପୀଠରେ ପହଞ୍ଚିଲେ । ପୀଠର ପଶ୍ଚିମ ଭାଗର ଏକ ପାହାଡ଼ରେ ଚାରିପାଖେ ମହାନଦୀ ମେଖଳା ଆକାରରେ ଘେରିରହିଛି । ପ୍ରାଚୀନ ମନ୍ଦିରଟିର କଳାସୌନ୍ଦର୍ଯ୍ୟ ଅତୁଳନୀୟ । ପାହାଡ଼ରେ ଅସଂଖ୍ୟ ଗୁଣ । ତଳପାଖ ଗୁମ୍ଫାରେ ପୂର୍ବେ ଜଣେ ବାବାଜୀ ଓ ମାତା କେତେ କାଳରୁ ରହି ସାଧୁ ଭାବରେ ଜୀବନ ଯାପନ କରୁଥିଲେ । ହୀନୁ ଦଳ ପୀଠ ନିକଟରେ ନୌକା ଖଟଇ କିଛି ସମୟ ବିଶ୍ରାମ ନେଲେ । ମଣିନାୟକ ଜାଣିଥିଲା, ପୀଠଟି ଭକ୍ତ, ସେବକ, ନାବିକଙ୍କ ସମାଗମରେ ସକାଳେ ପୁଣି କୋଳାହଳମୟ ହୋଇ ଉଠିବ । ପୋଲିସ୍ ଦଳ ନିଶ୍ଚୟ ହୁଲିଆ ଜାରି କରିଥିବେ । ସୁତରାଂ ସେଠାରେ ରହିବା ନିରାପଦ ମନେ ନ କରି ସେ ହୀନୁକୁ କହିଲା ନୌକା ଚଳାଇ ସେ ସ୍ଥାନ ତ୍ୟାଗ କରିବାକୁ । ନୌକା ଆରୋହୀ ଦଳଙ୍କୁ ଧରି ପୁଣି ଚାଲିଲା ମହାନଦୀର ଦକ୍ଷିଣ କୂଳକୁ-। ମହାନଦୀର ଦକ୍ଷିଣ କୂଳରେ ରାମନାଥ ମନ୍ଦିର, କାଳି ଗିରି ପର୍ବତ । ପର୍ବତ ତଳେ ଅକାତକାତ ପାଣି । ହୀନୁ ଦଳ ସେହିଠାରେ ନୌକାଟିକୁ ପାଣିରେ ବୁଡ଼ାଇଦେଇ ପର୍ବତର ସାନୁ ଦେଶରେ ଯାଇଥିବା ରାସ୍ତା ଦେଇ ପଶ୍ଚିମ ଦିଗକୁ ଚାଲିଲେ । ବର୍ଷାକାଳରେ ମହାନଦୀ ଯେତେବେଳେ ଭୀମ ବିକ୍ରମରେ ବକ୍ଷ ଫୁଲାଇ ଧାଇଁଥାଏ ସେତେବେଳେ ଏହି ପର୍ବତ ସାନୁରେ ଯାଇଥିବା ରାସ୍ତାରେ ନୌକା ଯାତ୍ରୀମାନେ କଳାପଥର, ଖୋର୍ଦ୍ଧା, ଜଟଣି ଆଡ଼କୁ ଯାଆନ୍ତି ।

 

ହୀନୁଦଳ ନୀଳଗିରି ପାହାଡ଼ ଡେଇଁ ଏକ ନିର୍ଜନ ସ୍ଥାନରେ ପହଞ୍ଚିଲେ । ଏହି ସ୍ଥାନଟିକୁ ଅନ୍ଧାରୁଆ ତୋଟା କୁହାଯାଏ । ନିଘଞ୍ଚ ବନ ଆମ୍ୱତୋଟା ମଧ୍ୟରେ ହୀନୁ ପ୍ରଭୃତି ଆଡ଼ା ଜମାଇ ଖିଆ ପିଆ ଶେଷ କଲେ । ଏହି ସ୍ଥାନଟି ଯେପରି ନିକଞ୍ଚନ ସେପରି ଚୋର ଡକାଏତିଙ୍କର ଆଡ଼ା ଥିଲା । ଅସହାୟ ପଥିକ କିମ୍ବା ପଣ୍ୟବାହୀ ଶଗଡ଼ ଏବଂ ମହାନଦୀ କୂଳରେ ଆଶ୍ରୟ ନେଇଥିବା ବାଣିଜ୍ୟ ନୌକା ଉପରେ ଆକ୍ରମଣ ଚଳାଇ ଦସ୍ୟୁଦଳ ଏହି ବିଜନ ବନରେ ଆଶ୍ରୟ ନେଉଥିଲେ । ହୀନୁଦଳର ପ୍ରଧାନ ଉଦ୍ଦେଶ୍ୟ ରହିଲା କଲିକତା ଯାଇ ସରଯୂଙ୍କୁ ହସ୍ତଗତ କରିବା । ସୁତରାଂ ସେମାନେ ସେଠାରେ ଆଉ ବେଶି ସମୟ ନ କଟାଇ ଜଟଣି ରେଲ୍ ଜଙ୍କସନ୍ ଅଭିମୁଖେ ଯାତ୍ରା କଲେ ଓ ସେହିଦିନ, ଟେନ୍ ରେ ଯାଇ କଲିକତାରେ ପହଞ୍ଚିଲେ । ବେଶ ପରିବର୍ତ୍ତନ କରି ସେମାନେ କଲିକତାରେ ପହଞ୍ଚି ଆର୍ଥିକ ସୁବିଧା ପାଇଁ କାର୍ଯ୍ୟାରମ୍ଭ କରିଦେଲେ । ପ୍ରଥମେ ସେମାନେ ଓର ବୁଝି ରାତ୍ରି ଅନ୍ଧକାରରେ ଅସ୍ତ୍ରଶସ୍ତ୍ର ସଜ୍ଜିତ ହୋଇ ଡକାଏତି ଆରମ୍ଭ କଲେ କଲିକତାର ଧନୀ ମାରଓ୍ୟାଡ଼ି ସାହସମଲ୍ ଘରେ । ଦରବାନର ମୁହଁ ବନ୍ଦ କରି, ଶେଷରେ ତାକୁ ହତ୍ୟା କରି ଉପର ମହଲାକୁ ଉଠି ନଗଦ ଟଙ୍କା ଓ ଗହଣା ଚୋରି କଲେ । ମାତ୍ର ସାହସମଲର ଚାକରାଣୀ ସନ୍ଧାନ ପାଇ ଚିତ୍କାର କଲା । ଏମାନେ ତାକୁ ଅସ୍ତ୍ରଶସ୍ତ୍ରରେ କ୍ଷତବିକ୍ଷତ କରି ତା’ର ମୁହଁ ବନ୍ଦ କରିବାକୁ ଚେଷ୍ଟାକଲେ । ଏତିକିବେଳେ ସାହସମଲ୍, ତାଙ୍କର ଦୁଇପୁଅ, ସ୍ତ୍ରୀ ଓ ତଳମହଲାରୁ ଜଣେ ଚାକର ଆସି ପହଞ୍ଚିଯିବାର ଦେଖି ହୀନୁ, ରଫୁ, ୟାଂସୁ ଆଗରୁ ବାନ୍ଧିରଖିଥିବା ଗୋଟିଏ ଦଉଡ଼ି ସାହାଯ୍ୟରେ ତଳକୁ ଚାଲିଆସିଲେ । ମାତ୍ର ମଣିନାୟକ ଦଉଡ଼ିକୁ ଧରି ଓହ୍ଲାଉଥିବା ସମୟରେ ସାହସମଲ୍ଲର ଜଣେ ଚାକର ଗୋଟିଏ ଲୁହା ଦଣ୍ଡାରେ ତା’ ମୁଣ୍ଡକୁ ପାହାରେ ଦେଲା । ଏକା ପାହାରରେ ମଣିନାୟକର ପ୍ରାଣ ଛାଡ଼ିଗଲା; ସେ ମାଛି ପରି ତଳକୁ ଖସି ପଡ଼ିଲା । ହୀନୁ, ରଫୁ, ୟାଂସୁ ଗହଣାଗାଣ୍ଠି, ଟଙ୍କା ପଇସା ଧରି ପକାଇଲେ । କଲିକତାରେ ଏହି ଦଳ ଗୋଟିଏ ଘରେ ଗୋପନରେ ବାସ କରୁଥିଲେ । ସେଠାରେ ତିନିହେଁ ପହଞ୍ଚିଲେ । ଘରେ ଉଆଁସୀ ଥିଲା । ଉଆଁସୀ ମଣିନାୟକକୁ ନ ଦେଖି ହୀନୁକୁ ପଚାରିଲା, “କିରେ, ମଣିନାୟକ କାହିଁ ?’’

 

ୟାଂସୁ କହିଲା, ‘‘ବୋଧହୁଏ ଭୟରେ କେଉଁଆଡ଼େ ପଳାଇ ଯାଇ ବାଟ ଭୁଲିଯାଇଛି । ବଳେ ଆସି ପହଞ୍ଚିଯିବ ଯେ ।’’

 

ତା’ ପରଦିନ ମଣିନାୟକର ମୃତ୍ୟୁ ସମ୍ବାଦ ଓ ଡକାଏତି କାହାଣୀ ଖବର କାଗଜରୁ ଶୁଣି, ପୋଲିସ୍‌ର ତତ୍ପରତା ଦେଖି ଏ ଦଳ ଆହୁରି ସତର୍କ ହେଲେ । ଏମାନେ ଗୋଟିଏ ଅତି ସଂକୀର୍ଣ୍ଣ ଗଳିରେ କଦର୍ଯ୍ୟ ଘରେ ବାସ କରୁଥିଲେ । ହୀନୁ ବାହାରକୁ ଗଲାବେଳେ ଛଦ୍ମବେଶ ଧାରଣ କରି ଯାଉଥିଲା । ସେଥିପାଇଁ ପୋଲିସ୍ ଆଖିରେ ଧୂଳି ପକାଇବା ସେମାନଙ୍କ ପକ୍ଷରେ ଦୁଃସାଧ୍ୟ ନ ଥିଲା । ଏହା ଭିତରେ ପ୍ରକୃତରେ ହୀନୁ ବେଶ ବଦଳାଇ ଦୁଇ ଥର ହିରଣ୍ ବାବୁ ଓ ସରଯୂ ବାସ କରୁଥିବା ହୋଟେଲକୁ ଯାଇଥିଲା । କିନ୍ତୁ ସେ ଅନ୍ୟମାନଙ୍କ ଆଖିରେ ଧରା ପଡ଼ି ନଥିଲେ ମଧ୍ୟ ସରଯୂଙ୍କ ପାଖରେ ଧରା ପଡ଼ି ଯାଇଥିଲା । ତାକୁ ଦେଖି ସରଯୂ କଲିକତା ତ୍ୟାଗ କରି ରେଙ୍ଗୁନ ଯିବାକୁ ହିରଣବାବୁଙ୍କୁ ପ୍ରବର୍ତ୍ତାଇଲେ ଓ ଉଭୟେ ରେଙ୍ଗୁନ ଯାତ୍ରା କଲେ । ତାଙ୍କର ରେଙ୍ଗୁନ ଯାତ୍ରା କରିବା ସମ୍ବାଦ ହୀନୁକୁ ଅଜଣା ରହିଲା ନାହିଁ ! ହିରଣବାବୁ ଓ ସରଯୂ ଯେଉଁଦିନ ଖଣ୍ଡିଏ ଟ୍ୟାକ୍‍ସିରେ ବସି ଜାହାଜରେ ଚଢ଼ିବାକୁ ଗଲେ ହୀନୁ ମଧ୍ୟ ଆଉ ଖଣ୍ତିଏ ଟ୍ୟାକ୍‍ସି ଭଡ଼ା କରି ଉଭୟଙ୍କୁ ଅନୁସରଣ କରିଥିଲା ଓ ସେମାନଙ୍କ ରେଙ୍ଗୁନ ଯାତ୍ରା ସମ୍ବାଦ ନିଜ ଦଳକୁ ଆସି ଜଣାଇଥିଲା । ଠିକ୍ ଦୁଇଦିନ ପରେ ହୀନୁ ସଦଳବଳେ କଲିକତା ଛାଡ଼ି ଗୋଟିଏ ଜାହାଜରେ ରେଙ୍ଗୁନ ଅଭିମୁଖେ ଯାତ୍ରା କଲା ।

 

ଏକୋଇଶ

 

ହେମବାବୁ ଓ ରବୀନ୍ଦ୍ର ରେଙ୍ଗୁନ ବନ୍ଦରରେ ଓହ୍ଲାଇ ପ୍ରଥମେ ଟାଉନ୍ ଥାନାକୁ ଗଲେ । ଥାନାର ଇନ୍‍ସପେକ୍ଟର ଗୋଟିଏ ଚୌକିରେ ବସି କାଗଜପତ୍ର ଦେଖୁଥିଲେ । ସବ୍ଇନ୍‍ସପେକ୍ଟରବାବୁ କାଗଜ ପତ୍ର ଦେଖାଉଥିଲେ । ଆଉ ଜଣେ ସବ୍‌ଇନ୍‍ସପେକ୍ଟର ହେମବାବୁ ଓ ରବୀନ୍ଦ୍ରକୁ ଥାନାରେ ପ୍ରବେଶ କରିବାର ଦେଖି ପ୍ରଶ୍ନ କଲେ, ‘‘ଆପଣମାନଙ୍କର କ’ଣ ଦରକାର-?’’

 

ହେମବାବୁ ବିନୀତ ଭାବରେ କହିଲେ, “କେତେଗୁଡ଼ିଏ ଘଟନା ଜାଣିବା ପାଇଁ ଇନ୍‍ସପେକ୍ଟରଙ୍କ ସଙ୍ଗେ ଟିକିଏ କଥାବାର୍ତ୍ତା କରିବାକୁ ଚାହୁଛୁଁ ।’’

 

‘‘ଘଟନା’’ ? ତେବେ ବାହାରେ—‘‘ସବ୍‍ଇନ୍‍ସପେକ୍ଟର ଏତକ କହି ନ ସାରୁଣୁ ଇନ୍‍ସପେକ୍ଟର ବାବୁ ହଠାତ୍ କଥାରେ ବାଧା ଦେଇ କହିଲେ, ‘‘ଆପଣଙ୍କର ନାମ ?’’

 

‘‘ମୋର ନାମ ହେମେନ୍ଦ୍ର ନାଥ ଦାସ; ଏ ମୋର ସହକର୍ମୀ ରବୀନ୍ଦ୍ର-‘‘ହେମବାବୁ ଏତିକି କହୁଁ କହୁଁ ଇନ୍‍ସପେକ୍ଟରବାବୁ । ଚୌକିରୁ ଉଠିଆସି ତାଙ୍କୁ କୁଣ୍ଢାଇ ପକାଇଲେ ଓ, ଅପଣ ଓଡ଼ିଶାର ବିଖ୍ୟାତ ଡିଟେକ୍ଟିଭ ହେମବାବୁ ! ପରିଚୟ ନ ଦେଇ ଆମକୁ ତୁଚ୍ଛା ଅପଦସ୍ତ କରୁଛନ୍ତି ?’’ ତାଙ୍କୁ ନେଇ ଗୋଟିଏ ଚୌକିରେ ବସାଇଲେ ରବୀନ୍ଦ୍ର ଅନ୍ୟ ଗୋଟିଏ ଚୌକିରେ ବସିଲା । ଇନ୍‍ସପେକ୍ଟରବାବୁ ହେମବାବୁଙ୍କୁ ପୂର୍ବରୁ ସମ୍ବାଦ ଇତ୍ୟାଦି ନଦେଇ ତାଙ୍କର ଆକସ୍ମିକ ଆଗମନର କାରଣ ପଚାରିଲେ ।

 

ହେମବାବୁ ହୀନୁ ଦଳର ଯାବତୀୟ ଘଟନା ବର୍ଣ୍ଣନା କରି ଗଲେ । ଥାନାରେ ସମସ୍ତେ ହୀନୁ ଦଳର ସେ ରୋମାଞ୍ଚକର ଘଟନା ଶୁଣି ନିର୍ବାକ୍ ଓ ନିଶ୍ଚଳ ଭାବରେ ଠିଆହୋଇ ରହିଲେ ।

 

ଇନ୍‍ସପେକ୍ଟରବାବୁ କହିଲେ, “ସେ ମହାପୁରୁଷମାନଙ୍କର କାହାଣୀ ବର୍ମାରେ କାହାକୁ ଅବିଦିତ ନାହିଁ । ସେମାନଙ୍କ ଶୁଭାଗମନର ସୂଚନା ପାଇସାରିଛୁ । କେତେଟା ବଡ଼ବଡ଼ ଚୋରି ଡକାଏତି କେସ୍‍ର ସନ୍ଧାନ ନିଆଯାଉଛି । ଆପଣମାନେ ଠିକଣା ସମୟରେ ଆସି ପହଞ୍ଚିଛନ୍ତି । ଆପଣଙ୍କ ସାହାଯ୍ୟ ପାଇଲେ ଆମେ ନିଶ୍ଚୟ କାର୍ଯ୍ୟାଦ୍ଧାର କରିବୁଁ । ତା’ ପରେ ସେ ରେଙ୍ଗୁନ ସହରଷ୍ମେ ଓ ଆଖପାଖ ଗ୍ରାମମାନଙ୍କରେ ଘଟିଥିବା କେତୋଟି ଭୟଙ୍କର ଚୋରି ଡକାଏତିର ବିବରଣୀ ଦେଲେ । ରବୀନ୍ଦ୍ର କହିଲା, ‘‘ହୀନୁ ଦଳବ୍ୟତୀତ ଏତେ ସାହସିକ ବ୍ୟାପାରରେ ଲିପ୍ତ ରହିବା ଅନ୍ୟ ସାଧାରଣ ଦସ୍ୟୁଦଳର ଶକ୍ତିର ବହିର୍ଭୂତ ।”

 

ଏଥି ମଧ୍ୟରେ ଇନ୍‍ସପେକ୍ଟରଙ୍କ ଇଙ୍ଗିତ ଅନୁସାରେ ଜଳଖିଆ ଆସି ପହଞ୍ଚିଲା । ସତ୍କାର ପରେ ହେମବାବୁ ଓ ରବୀନ୍ଦ୍ର ବିଦାୟ ନେଇ ଯିବାକୁ ବସିଲେ । ଇନ୍‍ସପେକ୍ଟରବାବୁ କହିଲେ, ‘‘ଚାଲନ୍ତୁ ଆଜ୍ଞା, ବଡ଼ ସାହେବଙ୍କ ସଙ୍ଗେ ଦେଖା କରି ଆସିବେ । ବର୍ତ୍ତମାନ ଆଉ କେଉଁଠିକି ଯିବେ-?’’

 

ହେମବାବୁ କହିଲେ, ‘‘ବଳେ ଦେଖା ହେବ । ଆମେ ଆଜି ଯାଇ ହିରଣବାବୁଙ୍କ ଘରେ ବିଶ୍ରାମ ନେଉଁ । ଆମକୁ ଜଣେ ଲୋକ । ଦିଅନ୍ତୁ, ଯେ ଆମକୁ ତାଙ୍କ ଘର ଦେଖାଇ ଦେବ ।”

 

ଇନ୍‍ସପେକ୍ଟରବାବୁ ଗୋଟିଏ ପୋଲିସକୁ ଆଦେଶ ଦେଲେ । ସାଙ୍ଗରେ ଯାଇ ହିରଣବାବୁଙ୍କ ଘର ଦେଖାଇ ଦେବାକୁ । ଭଦ୍ରତା ଦେଖାଇ କହିଲେ, “ମୁଁ ସାଙ୍ଗରେ ଯାଇଥାନ୍ତି । ଆଉ ଅଳ୍ପ ଟିକିଏ କାମ ବାକି ଅଛି, ସାରି ପଛେ ପଛେ ସେ ଆଡ଼କୁ ମୋର ମଧ୍ୟ ଯିବାର ଅଛି, ଯିବି-।’’

 

ହେମବାବୁ ବିଦାୟ ନେଇ ଟ୍ୟାକ୍‍ସିରେ ବସି ଯାତ୍ରା କଲେ । ବଜାରରେ କିଛି ସମୟ ଗାଡ଼ି ଅଟକାଇ ସେ ନିହାତି ଦରକାରୀ କେତୋଟି ଜିନିଷ ଦୋକାନରୁ କିଣି ଆଣିଲେ । ସେତେବେଳକୁ ରାତି ହୋଇଯାଇଥିଲା । ଟ୍ୟାକ୍‍ସି ଖଣ୍ଡ ଅନ୍ଧକାର ଭିତର ଦେଇ ଅଗ୍ରସର ହେବାକୁ ଲାଗିଲା । ହେମବାବୁ ଅନୁମାନ କଲେ, ଖଣ୍ଡିଏ ଜିପ୍ ଗାଡ଼ି ସେହି ଟ୍ୟାକ୍‍ସି ପିଛା ଧରି ଆସୁଛି । ଟ୍ୟାକ୍‍ସି ଯେତେବେଳେ ଗୋଟିଏ ଗଳିରେ ମୋଡ଼ ବୁଲାଇ ପଶିବାକୁ ଆରମ୍ଭ କରେ, ସେତେବେଳେ ପଛ ପାଖ ଜିପ୍‍ରୁ ବନ୍ଧୁକର ଶବ୍ଦ ଶୁଣାଗଲା । ଗୋଟାଏ ଗୁଳି ହେମବାବୁଙ୍କ କାନ ପାଖ ଦେଇ ସଁ କରି ଚାଲିଗଲା । ଡ୍ରାଇଭର ଗାଡ଼ି ଅଟକାଇବାକୁ କହିଲା। କିନ୍ତୁ ହେମବାବୁ ଗାଡ଼ି ଦ୍ରୁତ ବେଗରେ ଦୌଡ଼ାଇବାକୁ ଆଦେଶ ଦେଲେ । ଗୋଟା କେତେ ଗୁଳି ଆସି ମଟର ଦେହରେ ବାଜିଲା। ମଟର ଟାୟାରରେ ଗୁଳି ଫୁଟାଇ ମଟରକୁ ଅଚଳ କରିଦେବା ଯେପରି ଲକ୍ଷ୍ୟକାରୀର ଉଦ୍ଦେଶ୍ୟ, ଏହା ସ୍ପଷ୍ଟ ଜଣାପଡ଼ିଲା । ଅନୁସରଣକାରୀ ଜିପ୍‍ରୁ କ୍ରମଶଃ ଏତେ ଗୁଳି ଚାଲିଲା ଯେ ଆଉ ଟ୍ୟାକ୍‍ସି ଚଳାଇବାକୁ ଚାଳକ ଆଗପଛ ହେଲା । କିନ୍ତୁ ହେମବାବୁ ଦେଖିଲେ, ଜିପ୍‍କୁ ଲକ୍ଷ୍ୟ କରି ଜିପ୍ ପଛରେ ଆସୁଥିବା ଆଉ ଗୋଟିଏ ମଟର କାରରୁ ଗୁଳି ବର୍ଷଣ ଚାଲିଛି, ଯା' ଫଳରେ ଜିପ୍ ଗାଡ଼ିର ଟାୟାର ଅକାମି ହୋଇଯାଇଛି । ହେମବାବୁ ପଛକୁ ମୁହଁ କରି ଦେଖିଲେ, ଜିପ୍‍ଟାରୁ ଫକ୍ ଫାକ୍ ତିନି ଜଣ ଲୋକ ଡେଇଁପଡ଼ି ଅନ୍ଧାରୁଆ ଗଳି ଭିତରକୁ ପଳାଇଛନ୍ତି । ସେ ଡ୍ରାଇଭରକୁ ମଟର ବନ୍ଦ କରିବାକୁ କହି ତଳକୁ ଓହ୍ଲାଇପଡ଼ିଲେ ଏବଂ ଦେଖିଲେ, ପଳାଇ ଯାଇଥିବା ତିନିଜଣ ଲୋକଙ୍କୁ ଉଦ୍ଦେଶ୍ୟ କରି ପଛ ପାଖ କାର୍‍ରୁ ଗୁଳି ବର୍ଷଣ ଚାଲିଛି । ଜଣକ ପାଦରେ ଗୁଳି ବାଜିବାରୁ ସେ ପଡ଼ି ଉଠି ପଳାଇବାକୁ ପୁଣି ଚେଷ୍ଟା କରୁଛି । ହେମବାବୁ ଖପ୍ କରି ଯାଇ ତାକୁ ମାଡ଼ି ବସିଲେ-। ଲୋକଟା ଭିଡ଼ି ଓଟାରି ହୋଇ ପଳାଇବାକୁ ବସିଥିଲା; ରବୀନ୍ଦ୍ର ଯାଇ ତା'ର ହାତ ଦୁଇଟାକୁ ଧରି ପଛପଟିଆ ବାନ୍ଧି ଦେଲା । ପଛ ମଟର କାରରୁ ପୋଲିସ୍ ପୋଷାକଧାରୀ ଦୁଇତିନିଜଣ ଲୋକ ଦୌଡ଼ି ଆସିଲେ । ତା’ଭିତରୁ ଜଣେ ହସି ହସି କହିଲେ, “କି ହେମବାବୁ ଯେ । ଦିଜ୍ ଆର୍ ଇଓର ଫ୍ରେଣ୍ତସ୍’’ ? ସେ ବନ୍ଧା ଲୋକଟାକୁ ହାତରେ ଦେଖାଇ କହିଲେ ।

 

ହେମବାବୁ କହିଲେ, ‘‘ସୌଭାଗ୍ୟକୁ ଆପଣ ପହଞ୍ଚିଥିଲେ । ନଚେତ୍ ବଡ଼ ହଇରାଣ କରିଥାନ୍ତେ । ଏମାନଙ୍କୁ ଚିହ୍ନି ପାରୁଛନ୍ତି ?’’

 

ପୋଲିସ୍ ଭଦ୍ରବ୍ୟକ୍ତି ବନ୍ଦୀ ମୁହଁରେ ଟର୍ଚ୍ଚ ଲାଇଟ ‘ପକାଇ କହିଲେ, ‘‘ୟା’ର ଫଟୋ ଦେଖିଲା ପରି ମନେ ପଡ଼ୁଛି ।''

 

ହେମବାବୁ କହିଲେ, ‘‘ଆପଣ ଏତେ ବର୍ଷ ପୋଲିସ୍ ବିଭାଗରେ ଇନ୍‍ସପେକ୍ଟର ଚାକିରି କଲେଣି, ଏ ପରମବନ୍ଧୁଙ୍କୁ ଚିହ୍ନି ନାହାନ୍ତି ? ଏ ହୀନୁର ଦୋସ୍ତ ୟାଂସୁ ମହାଶୟ ।''

 

‘‘ଓଃ, ଏ ଗୁଡ଼ା ଏତେ ଭୀଷଣ ! ଆପଣ ରେଙ୍ଗୁନରେ ପଶୁ ନ ପଶୁଣୁ ଆପଣଙ୍କ ହତ୍ୟା ଉଦ୍ୟମରେ ଲାଗି ପଡ଼ିଛନ୍ତି ! ଅଳ୍ପ କାମ ବାକି ଥିଲା । ମୁଁ କାର୍ଯ୍ୟ ଶେଷ କରି ଏ ବାଟ ଦେଇ ଆସୁଥିଲି । ଦେଖିଲି, ଏ ଜିପ୍‍ଟି ଗୋଟିଏ ଟ୍ୟାକ୍‍ସି ପଛରେ ଲାଗି ଗୁଳି ବର୍ଷଣ କରୁଛି । ଭାବିଲି, କୌଣସି ହତ୍ୟାକାରୀଦଳ ଏ ଜିପ୍ ରେ ନିଶ୍ଚୟ ଅଛନ୍ତି । ମୁଁ ଜିପ୍‍ଟିକୁ ଅଚଳ କରି ଦେବାକୁ ଗୁଳି ଫଏର୍ କଲି ।’’ ଇନ୍‍ସପେକ୍ଟର ବିରକ୍ତିସୂଚକ କଣ୍ଠରେ ଏତେକ କହିଗଲେ ।

 

ରବୀନ୍ଦ୍ର, କହିଲା, ‘‘ଏ ୟାଂସୁ କଟକ ପୋଲିସ ଷ୍ଟେସନ୍‍ରୁ ଚମ୍ପଟ ଦେଇଥିଲା । ୟା’ର କରାମତି କମ୍ ନୁହେଁ ।”

 

ଇନ୍‍ସପେକ୍ଟରବାବୁ ଜିପ୍‍କୁ ପୋଲିସ ଜିମା କରି ୟାଂସୁକୁ ଥାନାକୁ ପଠାଇଦେଲେ । ମଟରରେ ଇନ୍‍ସପେକ୍ଟର ବିଦାୟ ନେଲେ । ହେମବାବୁ ଓ ରବୀନ୍ଦ୍ର ହିରଣବାବୁଙ୍କ ଘର ଆଡ଼କୁ ଚାଲିଲେ ।

 

ବାଇଶି

 

ହୀନୁଦଳ ହିରଣବାବୁ ଓ ସରଯୂ ରେଙ୍ଗୁନ ଆସିବା ସଙ୍ଗେ ସଙ୍ଗେ ରେଙ୍ଗୁନରେ ପହଞ୍ଚିଲେ । ସେମାନଙ୍କର ଅନେକ ପୂର୍ବ ପରିଚିତ ଗୁପ୍ତଆଡ଼୍ଡ଼ା ଥିଲା । ସେହି ଗୁପ୍ତଆଡ଼୍‍ଡ଼ାରେ ସ୍ୱଚ୍ଛନ୍ଦରେ ଚଳିବାକୁ କିଛି ଅସୁବିଧା ହେଲାନି । ହୀନୁର ରେଙ୍ଗୁନ ସହରରେ କିଛି ଅପରିଚିତ ନ ଥିଲା । ହେମବାବୁ ଓ ରବୀନ୍ଦ୍ର ଯେଉଁଦିନ ରେଙ୍ଗୁନ ବନ୍ଦରରେ ଓହ୍ଲାଇ ଗୋଟିଏ ଭଡ଼ା ମଟରରେ ଥାନା ଅଭିମୁଖରେ ଯାତ୍ରା' କରୁଥିଲେ, ହୀନୁ ରଫୁ ଓ ୟାଂସୁ ସହିତ କୌଣସି କାର୍ଯ୍ୟୋପଲକ୍ଷରେ ଯାଉଁ ଯାଉଁ ରାସ୍ତାରେ ହେମବାବୁଙ୍କୁ ଦେଖି ଚମକି ପଡ଼ିଥିଲା । ସେମାନେ ଖଣ୍ଡିଏ ଜିପ୍‍ରେ ଯାଉଥିଲେ । ସଙ୍ଗେ ସଙ୍ଗେ ହୀନୁ ରଫୁ ଓ ୟାଂସୁକୁ ସେକଥା କହିଦେଲା ଓ ଜିପ୍‍ର ଦିଗ ବଦଳାଇ ହେମବାବୁଙ୍କ ମଟରକୁ ଅନୁସରଣ କଲା । ହେମବାବୁ କିମ୍ୱା ରବୀନ୍ଦ୍ର ହୀନୁଦଳ କିମ୍ବା ସେମାନଙ୍କୁ ଅନୁସରଣ କରୁଥିବା ଜିପ୍‍ର କିଛି ଟେର୍ ପାଇ ନ ଥିଲେ । ଓହ୍ଲାଇବା ସଙ୍ଗେ ସଙ୍ଗେ ଯେ ଶତ୍ରୁର କବଳରେ ପଡ଼ିବେ, ଏ ସନ୍ଦେହ ମଧ୍ୟ ତାଙ୍କ ମନକୁ ଛୁଇଁ ନ ଥିଲା । କିନ୍ତୁ ହୀନୁ ସଙ୍ଗେ ସଙ୍ଗେ ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହୋଇଗଲା । ସେ ରେଙ୍ଗୁନକୁ ଆସି ହିରଣବାବୁ ଓ ସରଯୂଙ୍କ ଉପରେ କିପରି ଦାଉ ସାଧିବ ସେଥିପାଇଁ ସୁଯୋଗ ଉଣ୍ତୁଥିଲା । ବର୍ତ୍ତମାନ ହେମବାବୁଙ୍କର ଉପସ୍ଥିତ ତାକୁ ମହା ଅଡ଼ୁଆ ଲାଗିଲା । ସେ ଜାଣିଥିଲା, ହେମବାବୁ ହାବୁଡ଼ରୁ ବର୍ତ୍ତିଯିବା ଆଉ ସହଜ ନୁହେଁ । ହୀନୁ ଜିପ୍‍ରେ ବସି ପାଖଆଖରେ ଅପେକ୍ଷା କରୁଥିଲା । ହେମବାବୁ ଥାନାରୁ କାମ ସାରି ଯେତେବେଳେ ମଟରରେ ବସି ଚାଲିଲେ ହୀନୁ ମଟର ପଛେ ପଛେ ଜିପ୍ ଛୁଟାଇଦେଲା । ହେମବାବୁଙ୍କ ମଟରକୁ ଅକାମି କରିଦେଇ ରଫୁ ଓ ୟାଂସୁ ସହିତ ଜିପ୍‍ରୁ ଓହ୍ଲାଇ ସେହି ବିଜନ ଗଳିରେ ହେମବାବୁ ଓ ରବୀନ୍ଦ୍ରକୁ ହତ୍ୟା କରିବାକୁ ସେ ମନରେ ପାଞ୍ଚିଥିଲା । ସେହି ଉଦ୍ଦେଶ୍ୟରେ ସେ ହେମବାବୁଙ୍କ ମଟର ଚକକୁ ଲକ୍ଷ୍ୟ କରି ମଧ୍ୟ ଗୁଳି ମାରୁଥିଲା । ମାତ୍ର ଦୁର୍ଯ୍ୟୋଗକୁ ଯେତେବେଳେ ତା’ପଛରୁ ଆଉ ଗୋଟିଏ ମଟର ଆସି ପହଞ୍ଚିଲା ଓ ଉକ୍ତ ମଟରରୁ ଗୁଳି ଆସି ତା ଜିପ୍ ଗାଡ଼ିର ଚକରେ ବାଜି ଗାଡ଼ିଟିକୁ ଅଚଳ କରିଦେଲା, ସେତେବେଳେ ତା ଅକଲ ଗୁଡ଼ୁମ ହେଲା । ସେ ରଫୁ ଓ ୟାଂସୁ ସହିତ ଜିପ୍‍ରୁ ଓହ୍ଲାଇ ଦୌଡ଼ି ପଳାଇବାକୁ ବସିଲା । ଫଳରେ ୟାଂସୁ ଧରା ପଡ଼ିଗଲା ।

 

ହୀନୁ ପଳାଇ ଯାଇ ବସାରେ ପହଞ୍ଚିଲା । ରଫୁ ମଧ୍ୟ ଅନ୍ୟ ବାଟେ ଯାଇ କିଛି ସମୟ ପରେ ବସାକୁ ଆସିଲା । ଉଆଁସୀ ବସାରେ ଥିଲା । ଆଡ଼୍ଡ଼ାରେ ଆଉ କେତେ ଜଣ ଜୁଟିଥାଆନ୍ତି । ହୀନୁ ରାଗିଯାଇ ସେମାନଙ୍କ ଆଗରେ ପ୍ରତିଜ୍ଞା କଲା—କାଲି ସେ ହେମବାବୁ, ରବୀନ୍ଦ୍ର, ହିରଣବାବୁ ସମସ୍ତଙ୍କୁ ନିଶ୍ଚୟ ଖତମ୍ କରିବ ।

 

ତହିଁ ଆରଦିନ ହୀନୁକୁ ଆଉ ମୁହୂର୍ତ୍ତେ ସମୟ ନାହିଁ । ଦିନତମାମ୍ ସେ ନାନା କାର୍ଯ୍ୟରେ ବ୍ୟସ୍ତ ରହିଲା । ଠିକ୍ ରାତି ଅଧ ବେଳକୁ ସେ ବଳ ଦଳ ସହିତ ଖଣ୍ଡିଏ ମଟରରେ ହିରଣବାବୁଙ୍କ ଫାଟକ ଆଗରେ ପହଞ୍ଚିଲା । ଶୀତଦିନିଆ ରାତି । କନକନିଆ ଶୀତ । ଚାରିଆଡ଼ ନୀରବ ନିସ୍ତବ୍ଧ । ସମସ୍ତେ ମଟରରୁ ବାହାରି ହତାଭିତରକୁ ପଶିଲେ । ହୀନୁ ଅନ୍ୟମାନଙ୍କୁ ଅପେକ୍ଷା କରିବାକୁ କହି କୌଶଳକ୍ରମେ କୋଠାଉପରେ ଚଢ଼ିଲା । କିଛି ସମୟପରେ ଓହ୍ଲାଇଆସି ସେ ମଟରରୁ ପେଟ୍ରୋଲ ଓ ପିଚକାରୀ ଆଣିଲା । ରଫୁ ଓ ଉଆଁସୀ ତାକୁ ସାହାଯ୍ୟ କଲେ । ତଳୁ ଉପରଯାଏ ସମସ୍ତ ଘରଟିକୁ ପେଟ୍ରୋଲରେ ପିଚକାରୀ କରାଗଲା । ତା’ ପରେ ହୀନୁ ଘରେ ନିଆଁ ଲଗାଇଦେଲା । ସେତେବେଳକୁ ହିରଣବାବୁ, ହେମବାବୁ, ରବିନ୍ଦ୍ର, ସରଯୂ, ଚାକରବାକର ସମସ୍ତେ ନିଘୋଡ଼ ନିଦରେ ଶୋଇଥିଲେ । ଭୟଙ୍କର ଶୀତ ଯୋଗୁଁ ରାସ୍ତାରେ ଲୋକ ଚଳାଚଳ ଆଦୌ ନ ଥିଲା । ନିଆଁ ଯେତେବେଳେ ଲେଲିହାନ ଶିଖା ଟେକି ଉର୍ଦ୍ଧ୍ୱକୁ ଉଠିଲା, ସେତେବେଳେ ହୀନୁ ପୈଶାଚିକ ଆନନ୍ଦରେ ନୃତ୍ୟ କରିବାକୁ ଲାଗିଲା । କହିଲା, ‘‘ଆଜି ସବୁ ଶତ୍ରୁ ନିପାତ-ମୋର ଜୀବନର ସମସ୍ତ ଆକାଙ୍‍କ୍ଷା ପୂର୍ଣ୍ଣ । ଆଜି ଏ ଅଗ୍ନି ଶିଖାରେ ସମସ୍ତଙ୍କୁ ଭସ୍ମୀଭୂତ କରିଦେଲି ।''

 

ଉଆଁସୀ ଓ ରଫୁ ତା'ରି ସ୍ଵରରେ ସ୍ୱର ମିଳାଇ ଆନନ୍ଦଧ୍ୱନି କରିବାକୁ ଲାଗିଲେ । ଉଆଁସୀ କହିଲା, ‘‘ଯେତେ ଯେ ବଡ଼ ହୁଅନ୍ତୁ, ହୀନୁକୁ ବୁଦ୍ଧିରେ ଜିତିଯିବା ଲୋକ ମୁଁ ଦେଖିନାହିଁ ।

 

ରଫୁ ହୀନୁକୁ କୁଣ୍ଢାଇ ପକାଇ କହିଲା, ‘‘ତା’ନୋହିଲେ ହୀନୁ ଗୋଟାଏ ଗୋଟାଏ ମୁଲକ ଜିତାପଟ କରି ଯାଉଥାଆନ୍ତା; ଆଉ ଏତେ ସି:ଆଇ:ଡ଼ି, ପୋଲିସ, ମାଜିଷ୍ଟ୍ରେଟ୍ ବୋକା ବନୁଥାଆନ୍ତେ !’’

 

ଅଗ୍ନିର ଅଲୋକରେ କ୍ରମେ ଚାରିଆଡ଼ ଆଲୋକିତ ହୋଇ ଉଠୁଥିଲା । ହୀନୁ ଦେଖିଲା, ଦୂରରୁ ଦୂରକୁ ଆଲୋକ ଶିଖା ଦେଖାଦେଲାଣି । ସେ ଆଉ ସେଠାରେ ରହିବା ନିରାପଦ ମନେ ନ କରି ସଦଳବଳେ ମଟରରେ ବସି.ବସାକୁ ଫେରିଆସିଲା ।

 

ତେଇଶ

 

ଲାଂସି ହିରଣ ବାବୁଙ୍କର ବିଶ୍ୱସ୍ତ କର୍ମଚାରୀ । ସେ ବିଦେଶରେ ଥିଲାବେଳେ ଏହି ଲାଂସି ଉପରେ ତାଙ୍କର ସମସ୍ତ ଘରବାଡ଼ି, କଳକାରଖାନା, ପରିଚାଳନା ଜମିଜମାର ଭାର ଦେଇ ଯାଇଥିଲେ । ହୀନୁ ସରଯୂଙ୍କ ଘର ଛାଡ଼ିଲାପରେ ଏହି ଲାଂସି ତାଙ୍କର ସମସ୍ତ କାର୍ଯ୍ୟ ବୁଝାଶୁଝା କଲା । ଲାଂସି ବଳିଷ୍ଠ କର୍ମଠ ଯୁବକ ବିଶେଷତଃ ତା’ର ସଚ୍ଚୋଟପଣିଆରେ ପ୍ରଭୁ ଓ ପ୍ରଭୁପତ୍ନୀ ବଶୀଭୂତ ହୋଇ ପଡ଼ିଥିଲେ । ହୀନୁ ହିରଣବାବୁଙ୍କ କୋଠାରେ ନିଆଁ ଲଗାଇ ଦେଇ ଚାଲିଯିବାବେଳକୁ ଲାଂସି ଆସି ଫାଟକ ପାଖରେ ପହଞ୍ଚିଲା । ସେ ହିରଣବାବୁଙ୍କର ୬ ମାଇଲ ଦୂରରେ ଥିବା ଗୋଟିଏ ଖମାରଘରର ହିସାବ ପତ୍ର ବୁଝିବାକୁ ଯାଇଥିଲା । ଫେରୁ ଫେରୁ ସେତେ ରାତି ହୋଇଗଲା । ତା’ବସା ମଧ୍ୟ ଠିକ୍ ହିରଣବାବୁଙ୍କ ଘର ପଛପାଖେ । ତାକୁ ଛାଡ଼ି ଦେବାକୁ ତା' ସଙ୍ଗରେ ଆଉ ଦୁଇଜଣ ଲୋକ ମଧ୍ୟ ମଫସଲରୁ ଆସିଥିଲେ । ସେମାନେ ଫାଟକ ନିକଟରେ ପହଞ୍ଚି ହିରଣବାବୁଙ୍କ କୋଠା ଜଳୁଥିବାର ଯେତେବେଳେ ଦେଖିଲେ, ସେମାନଙ୍କର ଆଉ ବାକ୍‍ସ୍ଫୂର୍ତ୍ତି ହେଲାନାହିଁ । ଲାଂସି ଭାବିଲା ପେଟ୍ରୋଲ ଢାଳି ଏପରି ବଡ଼ ବଡ଼ କୋଠାସବୁ ଜଳାଇ ଦିଆଯାଏ । ଏ ନିଶ୍ଚୟ ଶତ୍ରୁର କାଣ୍ତ ।

 

ହିରଣବାବୁ ପ୍ରଭୃତି ବୋଧହୁଏ ନିଦରେ ଶୋଇ ପଡ଼ିଛନ୍ତି । ବିଳମ୍ବ କଲେ ସେମାନେ ସମସ୍ତେ ପୋଡ଼ି ପାଉଁଶ ହୋଇଯିବେ ।’ ସେ ଚାକରମାନଙ୍କ ନାଁ ଧରି ଡାକିଲା । ‘ନିଆଁ, ନିଆଁ’ ବୋଲି ଚିତ୍କାର କରି ଚାରିଆଡ଼ କମ୍ପାଇ ଦେଲା । କେତେଜଣ ଚାକର ତଳକୋଠରୀରୁ ବାହାରିପଡ଼ିଲେ ଅତିଶୟ ଭୟବିହ୍ୱଳ ହୋଇ । ଚିତ୍କାର ଶୁଣି ପଡ଼ୋଶୀ କେତେ ଜଣ ଉଠିପଡ଼ି ପାଟିତୁଣ୍ଡ କରିବାକୁ ଲାଗିଲେ । ଲାଂସି ଦେଖିଲା ସିଡ଼ିରେ ନିଆଁ ଧରିଛି । ରେଙ୍ଗୁନର ଅଧିକାଂଶ କୋଠାର ସିଡ଼ି ଓ ଉପର ଚଟାଣ କାଠ ପଟାରେ ତିଆରି; ସୁତରାଂ ନିଆଁ ସହଜରେ ଧରେ । ସେ ମନେ ମନେ ଗୋଟିଏ ଉପାୟ ସ୍ଥିର କଲା । ହିରଣବାବୁଙ୍କ ଦୋତାଲାର ଚଟାଣ ଓ ପଡ଼ୋଶୀ ଘରର ଏକତାଲାର ଛାତ ପ୍ରାୟ ମିଶି ଯାଇଅଛି । ସେ ପଡ଼ୋଶୀଙ୍କ ଛାତି ଉପରେ ଚଢ଼ି ଦୋ’ ମହଲାରେ ଉଠି ଯେ କୌଣସି ପ୍ରକାରେ ପ୍ରଭୁ ଦମ୍ପତିଙ୍କର ପ୍ରାଣରକ୍ଷା କରିବ, ନିଜର ଜୀବନ ଉତ୍ସର୍ଗ କରିବ। ତା'ର ଦେହ, ପ୍ରାଣ ଯଦି ପ୍ରଭୁ କାର୍ଯ୍ୟରେ ନ ଲାଗିଲା ତେବେ ସେଥିରେ କି ପ୍ରୟୋଜନ ?

 

ଲାଂସି ଚାକରବାକରଙ୍କୁ ଧରି ପଡ଼ୋଶୀଙ୍କ ଛାତି ବାଟେ ଦୋ ମହଲା ଉପରକୁ ଉଠିଲା-। ହିରଣବାବୁଙ୍କ ଶୋଇବା ଘରପାଖରେ ପହଞ୍ଚି ଦେଖିଲା ବାହାର ପାଖରୁ ଜଞ୍ଜିର ବନ୍ଦ ଅଛି । ସେ ଶତ୍ରୁର ପୈଶାଚିକ ଫନ୍ଦି ଜାଣି ପାରିଲା । ସେ ଜଞ୍ଜିର ଫିଟାଇ ଅଣ୍ଡାଳି ଅଣ୍ଡାଳି ହିରଣବାବୁ ଓ ସରଯୂଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ସେମାନଙ୍କୁ ପଡ଼ୋଶୀଙ୍କ ଛାତ ଉପରକୁ ପଠାଇଦେଲା-। ପ୍ରବଳ ଧୁଆଁରେ ସମସ୍ତଙ୍କର ଶ୍ୱାସରୁଦ୍ଧ ହୋଇ ଉଠୁଥିଲା । ହିରଣବାବୁ ଓ ସରଯୂ ଅର୍ଦ୍ଧମୂର୍ଚ୍ଛାଗତ ଅବସ୍ଥାରେ ଥିଲେ । ଅନ୍ୟ ଚାକରମାନେ । ସେ ଦୁହିଁଙ୍କୁ କୋଠାରୁ ତଳକୁ ଓହ୍ଲାଇ ସେମାନଙ୍କୁ ଚେତା କରାଇଲେ । ତା ପରେ ଲାଂସି ହେମବାବୁ ଓ ରବୀନ୍ଦ୍ରଙ୍କ ଶୋଇବା ଘର ଆଡ଼କୁ ଦୌଡ଼ିଲା-

 

ସେତେବେଳକୁ ଏ ଅଗ୍ନିକାଣ୍ତ ସଂବାଦ ରେଙ୍ଗୁନ ସହରର ଆଖପାଖ ଅଞ୍ଚଳରେ ବ୍ୟାପିଯିବାରୁ ବହୁ ଲୋକ ଯାଇ ଜମl ହୋଇଥିଲେ । ଲୋକମାନେ ନିଆଁ ଲିଭାଇବାକୁ ପ୍ରାଣପଣେ ଚେଷ୍ଟା କଲେ ମଧ୍ୟ ତାହା କମୁ ନଥିଲା । ଲାଂସି ଆଁରେ ଦରାଣ୍ତି ଦରାଣ୍ଡି ହେମବାବୁଙ୍କ ଦ୍ୱାର ମୁହଁରେ ପହଞ୍ଚିଲା । ସେ ଘରର ଶିକୁଳି ମଧ୍ୟ ବାହାରୁ ବନ୍ଦ ଥିଲା । ଲାଂସି ଜଞ୍ଜିର ଫିଟାଇ ଘରଭିତରେ ପଶିଲାବେଳେ ଦ୍ଵାର ପାଖରେ କାହାର ଦେହ ତା' ଗୋଡ଼ରେ ବାଜିଲା । ସେ ତାକୁ କାନ୍ଧେଇ ବାହାରକୁ ଆଣି ଚାକରଙ୍କ ଦ୍ୱାରା ତଳକୁ ପଠାଇଦେଲା । ଦେଖାଗଲା-ସେ ହେମବାବୁ, ଧୂଆଁ ଜ୍ୱାଳାରେ ମୂର୍ଚ୍ଛାଗତ ହୋଇ ପଡ଼ିଛନ୍ତି । ତା’ ପରେ ଖଟପାଖରୁ ରବୀନ୍ଦ୍ରର ଦେହ ଆବିଷ୍କାର କରି ବାହାରକୁ ପଠାଇଦେଲା । ରବୀନ୍ଦ୍ର ମଧ୍ୟ ମୂର୍ଚ୍ଛିତ ହୋଇ ପଡ଼ିଥିଲା । ତା’ପରେ ଲାଂସି ଚାକରବାକରଙ୍କ ସାହାଯ୍ୟରେ ସରଯୂଙ୍କ ଶୋଇବାଘରୁ ମୂଲ୍ୟବାନ୍ ଜିନିଷସବୁ କାଢ଼ି ଆଣିବାକୁ ଚେଷ୍ଟା କଲା । କିନ୍ତୁ ସମସ୍ତ ଜିନିଷ ଆଣି ପାରିଲା ନାହଁ । ପ୍ରବଳ ନିଆଁ ଓ ଧୂଆଁ ଭିତରେ ସେ ବେଶୀକାଳ ତିଷ୍ଠି ପାରି ତା’ର ମୁଣ୍ଡ ଭ୍ରମିଗଲା ।

 

ହେମବାବୁ ଓ ରବୀନ୍ଦ୍ରଙ୍କର ଚେତା ଆଣିବାକୁ ବହୁତ ଚେଷ୍ଟା କରାଗଲା, ମାତ୍ର ସେମାନଙ୍କ ମୂର୍ଚ୍ଛା ଭାଙ୍ଗିଲା ନାହିଁ । ଚିକିତ୍ସା ପାଇଁ ସେମାନଙ୍କୁ ସଦର ହସପିଟାଲକୁ ପଠାଗଲା ।

 

ଚବିଶ

 

ରେଙ୍ଗୂନରେ ହିରଣବାବୁଙ୍କ ପାଖରେ ନିହାତି ଅପ୍ରତ୍ୟାଶିତ ଭାବରେ ହେମବାବୁ ଓ ରବୀନ୍ଦ୍ର ପହଞ୍ଚିଥିଲେ । ସେଦିନ ହିରଣବାବୁ ହେମବାବୁଙ୍କୁ ଦେଖି ସ୍ୱର୍ଗର ଚାନ୍ଦ ହାତରେ ପାଇଲେ ବୋଲି ମନେ କଲେ । ତାଙ୍କ ନିଜ ରହିବା କୋଠରୀ ପାଖରେ ଉପର ମହଲାରେ ଉଭୟଙ୍କ ପାଇଁ ସେମାନଙ୍କର ବାସସ୍ଥାନ ନିର୍ଦ୍ଦିଷ୍ଟ ହେଲା । ସରଯୂ କହିଲେ, ‘‘ଯାହାହେଉ ଆପଣମାନେ ଆସିବାଦ୍ୱାରା ଆମେ ଧୈର୍ଯ୍ୟ ପାଇଲୁଁ ।”

 

ରବୀନ୍ଦ୍ର କହିଲା, ‘‘ଘରେ ନ ପଶୁଣୁ ଚାଳ ବାଜିଲାଣି ଯେ ରେଙ୍ଗୁନରେ ପହଞ୍ଚୁ ପହଞ୍ଚୁ ହୀନୁ ଆମର ସତ୍କାର କରି ସାରିଲାଣି ।''

 

ହିରଣବାବୁ ‘କ'ଣ ‘କ’ଣ ବୋଲି ଉତ୍କଣ୍ଠିତ ଭାବରେ ପଚାରି ବସିଲେ ।

 

ହେମବାବୁ କହିଲେ, ‘‘ଆଉ ଦି ଆଙ୍ଗୁଳ ବାକି ରହିଗଲା: ନୋହିଲେ ପୈତୃକ ପ୍ରାଣଟା ରେଙ୍ଗୁନରେ ରହିଥାଆନ୍ତା ।’’

 

ରବୀନ୍ଦ୍ର ସେମାନଙ୍କର କଲିକତା ଆଗମନ, ସେଠାରେ ହିରଣ୍ ବାବୁ ଓ ସରଯୂଙ୍କର ରେଙ୍ଗୁନ ଯାତ୍ରା ସମ୍ବାଦ ପ୍ରାପ୍ତି, ସେମାନଙ୍କର ରେଙ୍ଗୁନ ଆସିବା, ଥାନାରୁ ସମ୍ୱାଦ ସଂଗ୍ରହ, ଆସୁ ଆସୁ ବାଟରେ ହୀନୁଦଳର ଆକ୍ରମଣ, ୟାଂସୁର ବନ୍ଧନ ପ୍ରଭୃତି ସମସ୍ତ ଘଟନା ବର୍ଣ୍ଣନା କରିଗଲା । ସରଯୂ ଓ ହିରଣ୍ ବାବୁ ନିର୍ବୋଧ ପରି ଚାହିଁ ରହିଲେ ।

 

ହେମବାବୁ କହିଲେ, ‘‘ଏ'ତ ସମର ଆରମ୍ଭ । ଏହା ପରେ କ'ଣ ଘଟିବ, କିଏ କହିବ-?’’

 

ସେଦିନ ଖାଇପିଇ ରବୀନ୍ଦ୍ର ଓ ହେମବାବୁ ବିଶ୍ରାମ ନେଲେ । ଉଭୟେ ବିଶେଷ କ୍ଲାନ୍ତ ହୋଇ ପଡ଼ିଥିଲେ । ପରଦିନ ହେମବାବୁ ଓ ରବୀନ୍ଦ୍ର, ହିରଣବାବୁ ଓ ସରଯୂଙ୍କ ସଙ୍ଗରେ ଚା’ ଓ ପ୍ରାତଃଭୋଜନ ଶେଷ କରି ରେଙ୍ଗୁନ୍ ସହରର ଗଳି କନ୍ଦି ବୁଲି ଦେଖିଲେ । ଥାନାରୁ କେତେଗୁଡ଼ିଏ ଆବଶ୍ୟକ ସମ୍ବାଦ ସଂଗ୍ରହ କଲେ । ରାତିରେ ମଧ୍ୟ ସେଠାର ପୋଲିସ୍‌ ଇନସ୍‌ପେକ୍ଟରଙ୍କ ସହିତ ବୁଲି କେତେଗୁଡ଼ିଏ ଆଡ଼୍‍ଡ଼ାର ସନ୍ଧାନ ନେଲେ । ରାତ୍ରି ଭୋଜନ ପରେ ହିରଣ୍ ବାବୁ ଓ ସରଯୂଙ୍କ ସହ ଅଳ୍ପକ୍ଷଣ ଆଳାପ କରି ସେମାନେ ଶୋଇବାବୁ ଗଲେ । ସେହିଦିନ ରାତି ଅଧରେ ଅଭୁତ ଅଗ୍ନି କାଣ୍ଡ ଘଟିଲା । ହେମବାବୁ ଅଗ୍ନି ଦାହର ସନ୍ଧାନ ବାରି ପାରିଲେ । ସେ ରବୀନ୍ଦ୍ରକୁ ଉଠାଇ ଦ୍ୱାର ଆଡ଼କୁ ଅଗ୍ରସର ହେଲେ । ମାତ୍ର ଦେଖିଲେ, କବାଟର ଶିକୁଳି ବାହାରପାଖୁ ବନ୍ଦ । ଉଭୟେ ଚିତ୍କାର କଲେ, କବାଟ ଭାଙ୍ଗିବାର ଚେଷ୍ଟା କଲେ, ମାତ୍ର ଧୂଆଁ ସେମାନଙ୍କୁ ଅସ୍ଥିର କରି ଶ୍ୱାସରୁଦ୍ଧ କଲା । ହୀନୁହିଁ ଦୋମହଲା ଉପରକୁ ଉଠି ସବୁ ଘରର ଶିକୁଳି ବାହାରପାଖରୁ ଲଗାଇ ଦେଇଥିଲା-। ଯନ୍ତ୍ରଣାରେ ଅସ୍ଥିର ହୋଇ ଶେଷକୁ ଉଭୟେ ସଂଜ୍ଞାହୀନ ହୋଇ ପଡ଼ିଲେ ।

 

ହସ୍‍ପିଟାଲ୍‍ର ବହୁ ଚିକିତ୍ସା ପରେ ଉଭୟଙ୍କର ଚେତା ଆସିଲା । ମାତ୍ର ଉଭୟେ ଏତେ ଦୁର୍ବଳ ହୋଇ ପଡ଼ିଥିଲେ ଯେ ସେମାନଙ୍କର କଥା କହିବାର ଶକ୍ତି ନ ଥିଲା । ସେମାନଙ୍କୁ ଆଉ କେତେ ଦିନ ହସ୍‌ପିଟାଲରେ ରହିବାକୁ ଡାକ୍ତର ଉପଦେଶ ଦେଇଥିଲେ । ଗୋଟିଏ କୋଠରୀର ପାଖ ପାଖ ଦୁଇଟି ଶଯ୍ୟାରେ ରବୀନ୍ଦ୍ର ଓ ହେମବାବୁ ଆଶ୍ରୟ ନେଇଥିଲେ । ହେମବାବୁଙ୍କ ଶଯ୍ୟା ପାଖରେ ଜଣେ ମୁସଲମାନ ରୋଗୀର ଶଯ୍ୟା ନିର୍ଦ୍ଦିଷ୍ଟ ଥିଲା । ସରଯୂ ଓ ହିରଣ୍ ବାବୁ ମଧ୍ୟ ଅସୁସ୍ଥ ହୋଇ ପଡ଼ିଥିଲେ । ଚିକିତ୍ସା ପରେ ସୁସ୍ଥ ହେବାକୁ ସେମାନଙ୍କୁ ଦୁଇ ଦିନ ଖଣ୍ଡେ ଲାଗିଲା । ଲାଂସି ବଳିଷ୍ଠ ଯୁବକ । ସେ କେବଳ ଦିନଟାଏ ବିଶ୍ରାମ ନେଲା ।

 

ହେମବାବୁ ଓ ରବୀନ୍ଦ୍ର ଆସ୍ତେ ଆସ୍ତେ ସୁସ୍ଥ ହୋଇ ଆସୁଥାନ୍ତି । ଡାକ୍ତରଖାନାକୁ ଆସିବାର ଦୁଇଦିନ ହୋଇଗଲାଣି । ସେଦିନ ରାତି ପ୍ରାୟ ୧୧ଟା ସମୟ ହେବ-ଅଷ୍ଟମୀ ଚନ୍ଦ୍ରର ଝାପସା କିରଣ ସ୍ଥାନେ ସ୍ଥାନେ ପଡ଼ିଛି –ଆଲୋକ ଲିଭି ନାହିଁ–ଡାକ୍ତରଖାନାର ଚହଳ ଆଉ ନାହିଁ-କେବଳ ମଧ୍ୟେ ମଧ୍ୟେ ରୋଗୀମାନଙ୍କର କୁନ୍ଥନ, ଆର୍ତ୍ତ ଚିତ୍କାର ଶୁଣା ଯାଉଛି–ହେମବାବୁ ଗାଢ଼ ନିଦରେ ମଗ୍ନ–ସେତିକିବେଳେ ତାଙ୍କ ଶଯ୍ୟା ନିକଟବର୍ତ୍ତୀ ମୁସଲମାନ ରୋଗୀଟି ଉଠି ବସିଲା । ତା'ପରେ ଥରେ ସେ କୋଠରୀ ଚାରିଆଡ଼େ ଆଖି ବୁଲାଇ ଆଣିଲା । ଦେଖିଲା ସମସ୍ତେ ନିଘୋଡ଼ ନିଦରେ ଶୋଇଛନ୍ତି । ସେ ଧୀରେ ଧୀରେ ପାଦ ଉଠାଇ ହେମବାବୁଙ୍କ ଶଯ୍ୟା ପାଖକୁଗଲା । ପୁଣି ଥରେ ଚାରିଆଡ଼େ ଆଖି ବୁଲାଇ ଆଣି ଅଣ୍ଟାରୁ ଛୁରାଟାଏ ବାହାର କଲା । ହେମବାବୁଙ୍କ ମୁହଁକୁ ଟିକିଏ ଚାହିଁଲା । ତା' ପରେ ଖୁବ୍ ଟାଣରେ ସେ ଛୁରାକୁ ଧରି ଯେତେବେଳେ ଉଞ୍ଚାଇବାକୁ ଯାଏ, ସେତେବେଳେ ଖୁଟ କରି ଟିକିଏ ଶବ୍ଦ ହେଲା । ସେ ପଛକୁ ଫେରି ନ ଚାହୁଁଣୁ କାହାର ହାତମୁଠା ତାର କଚଟିରେ ଲାଗି ରହିଲା। ମୁସଲମାନ୍‍ଟି ଚମକି ପଡ଼ିଲା । କଚଟିକୁ ଧରିଥିବା ଲୋକଟି ‘‘ଆଜ୍ଞା’’ କହି ଯେତେବେଳେ ଚିତ୍କାର ଛାଡ଼ିଲା, ସେତେବେଳେ ହେମବାବୁଙ୍କ ନିଦ ଭାଙ୍ଗିଗଲା । ସେ ନିଦ ମଳ ମଳ ଆଖିରେ ଚାହିଁ ରହିଲେ । ଭାବିଲେ ସେ ଏକ ଐନ୍ଦ୍ରଜାଲିକ ବ୍ୟାପାର ଦେଖୁଛନ୍ତି । ସେ ଚଟ୍‍କିନା ଉଠି ବସିଲେ । ମାତ୍ର ମୁସଲମାନ୍‍ଟା ବାଁ ହାତ ପକେଟରେ ପୁରାଇ ଗୋଟିଏ ପୁଡ଼ାଆଣି ସେଥିରେ ଥିବା ଗୁଣ୍ଡ ଟିକକ ପାଟିରେ ପକାଇ ଦେଲା । ହେମବାବୁ ତା’ ତୋଟି ଚିପି ଧରିଲେ; ମାତ୍ର ସେ ଗୁଣ୍ତଟା ଢୋକି ଦେଇଥିଲା । ରବୀନ୍ଦ୍ର ତାକୁ ଧରୁ ଧରୁ ସେ ଭୂଇଁରେ ଟଳି ପଡ଼ିଲା ।

 

ଗୋଳମାଳ ଶୁଣି ଡାକ୍ତର, କମ୍ପାଉଣ୍ଡର, ନର୍ସ ପ୍ରଭୃତି କେତେଜଣ ଦୌଡ଼ି ଆସିଲେ । ଘଟଣା କ'ଣ ବୋଲି ସମସ୍ତେ ପଚରାପଚରି ହେଲେ । ହେମବାବୁ ରବୀନ୍ଦ୍ରକୁ ପଚାରିଲେ, ‘‘ଏ ଲୋକଟାର ତ ମୁଁ କିଛି ଅନିଷ୍ଟ କରିନାହିଁ, ମୋତେ ଏ ଛୁରା ମାରିବାକୁ ଯାଉଥିଲା କାହିଁକି ?’’

 

ରବୀନ୍ଦ୍ର କହିଲା, ‘‘ସେ ଉଠି ଠିଆହେଲା ବେଳକୁ ମୋର ନିଦ ଭାଙ୍ଗି ଯାଇଥିଲା । ସେ ଯେତେବେଳେ ଆସ୍ତେ ଆସ୍ତେ ଆପଣଙ୍କ ବିଛଣାପାଖକୁ ଆଗେଇଲା, ମୋର ସନ୍ଦେହ ହେଲା । ସେ ଛୁରା ବାହାର କରିବା ମାତ୍ରକେ ମୁଁ ଖପ୍‍କରି ଯାଇଁ ତା ହାତ ଧରି ପକାଇଲି ।’’

 

‘‘ଭଗବାନ୍ ଏ ମହାଯାତ୍ରାରୁ ରକ୍ଷାକଲେ ।’’ ଏହା କହି ହେମବାବୁ ମୁସଲମାନ୍‍ର ଦାଢ଼ିଟା ଟାଣି ଦେଲେ । କୃତ୍ରିମ ଦାଢ଼ିଟା ଓଲରିଗଲା । ରବୀନ୍ଦ୍ର ଚିତ୍କାର କରି ଉଠିଲା, ‘‘ଆଜ୍ଞା, ଏ ଯେ ରଫୁ-ହୀନୁର ପ୍ରଧାନ ଅନ୍ତରଙ୍ଗ ।’’

 

ହେମବାବୁ ଜାଣିଲେ ଏ ହୀନୁର କାରସାଦି । ତାଙ୍କର ହତ୍ୟା ଉଦ୍ଦେଶ୍ୟରେ ସେ ରଫୁକୁ କୃତ୍ରିମ ମୁସଲମାନ ରୋଗୀ ସଜାଇ ଏଠାକୁ ପଠାଇଥିଲା । ସେ ପେଟମରା ରୋଗୀ ବୋଲି କହି ଡାକ୍ତରଙ୍କ ଆଦେଶରେ ସେ ଘରେ ଗୋଟିଏ ଶଯ୍ୟାର ବନ୍ଦୋବସ୍ତ କରି ଆଶ୍ରୟ ନେଇଥିଲା । ଡାକ୍ତର ଆସି ରଫୁର ଦେହ ପରୀକ୍ଷା କଲେ । ସେତେବେଳକୁ ତା’ର ପ୍ରାଣବାୟୁ ଉଡ଼ି ଯାଇଥିଲା ।

 

ହେମବାବୁ କହିଲେ ‘‘ଯାହାହେଉ, ହୀନୁ ଦିନୁ ଦିନ ସଙ୍ଗୀହୀନ ହୋଇ ପଡ଼ୁଛି । ତା’ର ଚାଲାଖି ଆଉ ବେଶିଦିନ ଖାଟିବ ନାହିଁ ।’’

 

ପଚିଶ

 

ହୀନୁର ବେଶି ରାଗ ବର୍ତ୍ତମାନ ଲାଂସି ଉପରେ । ପଦେ ପଦେ ସେ ତା'ର କାର୍ଯ୍ୟରେ ବାଧା ଦେଇ ଆସିଛି । ଯେତେବେଳେ ସରଯୂଙ୍କ ପିତା ହୀନୁ ସହ ସରଯୂଙ୍କର ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କଲେ, ସେତେବେଳେ ହୀନୁ ସରଯୂଙ୍କ ଘର ତତ୍ତ୍ୱାବଧାନ ଦାୟିତ୍ୱ ଛାଡ଼ି ସେମାନଙ୍କ ସମ୍ପତ୍ତିକୁ ଖିନ୍ ଭିନ୍ କରିଦେଇ ସେମାନଙ୍କୁ ଦାଣ୍ଡର ଭିକାରୀ କରିଦେବାକୁ ବସିଥିଲା; ଶେଷରେ ସରଯୂଙ୍କ ପିତାଙ୍କୁ ହତ୍ୟା କରି ସରଯୂଙ୍କୁ ନିଜ ପାଦତଳେ ଆଶ୍ରୟ ନେବାକୁ ବାଧ୍ୟ କରିଥିଲା, ସେତିକିବେଳେ ଲାଂସି ସମସ୍ତ ବାଧାବିପଦକୁ ଛାତି ଦେଖାଇ ଘରର ପୁଅପରି ସବୁ ସମ୍ଭାଳି ନେଇଛି । ହୀନୁ ସରଯୂଙ୍କୁ ରେଙ୍ଗୁନରେ ଯେତେ ଥର ବିପଦରେ ପକାଇବାର ଚେଷ୍ଟା କରିଛି, ସବୁଥିରେ ଲାଂସିହିଁ ପ୍ରତିବନ୍ଧକ ହୋଇଛି ।

 

ଏଥର ମଧ୍ୟ ସେ ଶତ୍ରୁ ସହିତ ତା’ର ପ୍ରେମର ସ୍ମୃତି-କଳିକାକୁ ଜାଳିପୋଡ଼ି ଦେବାକୁ ବସିଥିଲା । ତା’ର ଭଗାରି ହେଲା ଲାଂସି । ଲାଂସି ବାସ୍ତବରେ ଥିଲା ଆଦର୍ଶ ଯୁବକ । ତା'ର ମୁନିବ ପ୍ରତି ଅଟଳ ଭକ୍ତି, ଶ୍ରଦ୍ଧା, ବିଶ୍ୱାସ ଜଗତରେ ଅତୁଳନୀୟ । ତା’ର ଏହି ଗୁଣ ଦେଖି ଅନ୍ୟାନ୍ୟ ଜମିଦାର ପୁଞ୍ଜିପତି ତାକୁ ବହୁତ ବେତନ ଦେଇ ରଖିବାକୁ ପ୍ରଲୋଭନ ଦେଖାଇଥିଲେ; ମାତ୍ର ଅସମୟରେ ନିଜର ପ୍ରଭୁକୁ ଛାଡ଼ିଯିବା ମନୋବୃତ୍ତି ତା’ର ଆଦୌ ନ ଥିଲା । ଯେତେବେଳେ ସରଯୂ ନିଜର ସମସ୍ତ ସମ୍ପତ୍ତିବାଡ଼ିର ଦାୟିତ୍ୱ ଲାଂସି ଉପରେ ପକାଇ ଦେଇ ବିଦେଶରେ ବାସ କରୁଥିଲେ, ଇଚ୍ଛା କରିଥିଲେ ସେ ଲକ୍ଷପତି ହେଇ ଆଜି ବସି ପାରିଥାନ୍ତା । ତା'ର ସ୍ତ୍ରୀ ପୁତ୍ର ଥିଲେ, ସେ ମଧ୍ୟ ଥିଲା ଖାଣ୍ଟି ଗୃହସ୍ଥ । କିନ୍ତୁ ସେ ସବୁବେଳେ ସରଯୂଙ୍କର ସମ୍ପତ୍ତିର ରକ୍ଷକ ବୋଲି ନିଜକୁ ମନେ କରୁଥିଲା । ସେଥିପାଇଁ ହୀନୁ କମ୍ ଅତ୍ୟାଚାର ତା' ଉପରେ କରିନାହିଁ । ସରଯୂଙ୍କ ପାଖରେ ଚାକିରି କରିବା ଯୋଗୁ ସେ ହୀନୁ ଦଳ ଦ୍ୱାରା ବହୁବାର ଲାଞ୍ଚିତ ହୋଇଥିଲା । ଗୁଣ୍ଡାଙ୍କଠାରୁ ମାଡ଼ ମଧ୍ୟ ଖାଇଥିଲା । ହୀନୁ ତାକୁ ହତ୍ୟା କରିବାର ଧମକ ଦେବାକୁ ଛାଡ଼ି ନ ଥିଲା । ବର୍ତ୍ତମାନ ଯେତେବେଳେ ତା'ର ପ୍ରଧାନ ଶତ୍ରୁ ହେମବାବୁ ପ୍ରମୁଖ ଲାଂସିଦ୍ୱାରା ରକ୍ଷା ପାଇଯିବାର ଦେଖିଲ, ତାର ମାର୍ଗର ପ୍ରଧାନ କଣ୍ଟକ ରୂପେ ସେ ତାକୁ ମନେକଲା । ସେ ସ୍ଥିର କଲା, ତା’ ବାଟରୁ ଏହି କଣ୍ଟାକୁ ଆଗ ଓଳାଇବାକୁ ପଡ଼ିବ ।

 

ସରଯୂ ଓ ହିରଣବାବୁ ପୋଡ଼ିଯାଇଥିବା କୋଠା ଛାଡ଼ି ନିକଟରେ ଥିବା ଅନ୍ୟ ଗୋଟିଏ ପୁରୁଣା କୋଠାକୁ ଚାଲିଗଲେ। ସେଦିନ ଲାଂସି ଅଫିସରେ ବସି କାମ କରୁଛି, ଏହି ସମୟରେ ଫୋନରେ ଟିନ୍ ଟିନ୍ ଶବ୍ଦହେଲା । ଲାଂସି ରିସିଭରକୁ ଧରି ପ୍ରଶ୍ନକଲା ।

 

‘‘କିଏ, ଲିଆସିନ୍ ? ଆପଣ କେତେବେଳେ ଆସିଲେ ?’’ ଉତ୍ତର ଆସିଲା, ‘‘ମୁଁ ବର୍ତ୍ତମାନ ଆସି ପହଞ୍ଚିଲି ଆପଣଙ୍କ ଘରର ଦୁରବସ୍ଥା ଦେଖି ବଡ଼ ବ୍ୟଥିତ ହେଲି । କେଉଁଘରେ ବର୍ତ୍ତମାନ ରହୁଛନ୍ତି, ଜାଣିନପାରି ଫେରିଆସିଲି । ହିସାବପତ୍ର ଧରି ଆସିଛି । ମୋ ବସାକୁ ଟିକେ ଆସିପାରିବେ କି ?’’

 

ଲାଂସି କହିଲା, ‘‘ମୁଁ ତ ଆପଣଙ୍କ ବସା ଦେଖିନାହିଁ ।’’ ଉତ୍ତର ଆସିଲା, ‘‘ବଡ଼ବଜାରଠାରୁ କିଛିଦୂର ଗଲେ, ଗୋଟିଏ ଗଳିରେ ମୋ ବସା ।’’ ଆପଣ ଛକରେ ପହଞ୍ଚିଲେ, ମୋ ଲୋକ ଥିବ, ସେ ଆପଣଙ୍କୁ ଚିହ୍ନେ, ଡାକି ଆଣିବ ।’’

 

ଲିଆସିନ୍ ଜଣେ କାଠ ବ୍ୟବସାୟୀ । ହିରଣବାବୁଙ୍କ କାଠ ବ୍ୟବସାୟରେ ସେ ଅଂଶୀଦାର ହୋଇ ଚଳେ । ଲିଆସିନ୍ ମଫସଲର ଅତି ପ୍ରତିପତ୍ତିଶାଳୀ ଲୋକ । ସେ ଏବେ ନୂଆ ଅଂଶୀଦାର ହୋଇଛି । ପାଉଣା ଦେଣ ନେଣ ନେଇ ହିସାବ କରିବାକୁ ସେ ଲାଂସିକୁ ଫୋନରେ ବସାକୁ ଡକାଇଥିଲା । ଲାଂସି ଯଥା ସମୟରେ ସେଠାକୁ ବାହାରିଲା ଗୋଟିଏ ବସ୍ ଧରି । ସେ ବଡ଼ବଜାର ଛକକୁ ଗଲା । ଛକରେ ସେ ବସ୍‍ରୁ ଓହ୍ଲାଇବା ମାତ୍ରେ ତାକୁ ଜଣେ ଲୋକ ଆସି ଲିଆସିନ୍‍ର ଲୋକ ବୋଲି କହି ତାକୁ ଗଳି ଭିତରକୁ ବାଟ କଢ଼ାଇନେଲା ! ସେତେବେଳକୁ ସନ୍ଧ୍ୟା ହୋଇ ଯାଇଥିଲା । ଚନ୍ଦ୍ରକିରଣ ଗଳି ଭିତରେ ସେତେ ସୁସ୍ପଷ୍ଟ ନ ଥିଲା । ସେ ଗଳି ଭିତରେ କିଛିଦୂର ଗଲା ପରେ ବାଟକଢାଳି ଆଉ ଗୋଟିଏ ଗଳି ଭିତରକୁ ଚାଲିଲା । ଉକ୍ତ ଗଳିଟି ଅତି ସଂକୀର୍ଣ୍ଣ ଓ ନର୍ଦ୍ଦମା ପଙ୍କରେ ପୂର୍ଣ୍ଣ । କିଛିଦୂର ଗଲା ପରେ ଲୋକଟି ଲାଂସିକୁ ଗୋଟିଏ ଘର ଦେଖାଇଦେଲା । କହିଲା, ‘‘ଆପଣ ଏହି ଘରକୁ ଯାଆନ୍ତୁ, ସେଠାରେ ଲିଆସିନ୍ ଅଛନ୍ତି । ମୁଁ ବଜାରରୁ କେତେଟା ସଉଦା ନେଇ ଆସୁଛି । ଏହା କହି ସେ ଲୋକଟି ଚାଲିଗଲା ।

 

ଛବିଶ

 

ଯେଉଁଦିନ ରଫୁ ହସ୍‍ପିଟାଲରେ ହେମବାବୁଙ୍କୁ ହତ୍ୟା କରିବାକୁ ଯାଇ ନିଜେ ଆତ୍ମହତ୍ୟା କଲା, ସେହିଦିନ ଲାସିଂ ନିହାତି ନିର୍ମମ ଭାବରେ ହିନୁଦ୍ୱାରା ନିହତ ହେଲା । ମାତ୍ର ହିରଣ୍ ବାବୁ ବା ସରଯୂ ଏ ହତ୍ୟାକାଣ୍ଡ ସେଦିନ ଜାଣି ପାରିଲେ ନାହିଁ । ସବୁଦିନ ଲାଂସି ଅନେକ ରାତିଯାଏ, ଅଫିସରେ ବସି କାମ କରେ । କେବେ କେବେ କାର୍ଯ୍ୟ ଉପଲକ୍ଷରେ ସହର ଭିତରକୁ ବା ନିକଟବର୍ତ୍ତୀ ମଫସଲକୁ ଯାଇଥିଲେ ଫେରୁ ଫେରୁ ଅନେକ ରାତି ହୋଇଯାଏ । ସେ ଦିନ ସନ୍ଧ୍ୟାବେଳଠାରୁ ଲାଂସି ସେପରି କୁଆଡ଼େ ଚାଲି ଯାଇଥିବ ବୋଲି ଭାବି ହିରଣ୍ ବାବୁ ଲାଂସିର କିଛି ସନ୍ଧାନ ନେଲେ ନାହିଁ । ବହୁତ ରାତ୍ରିରେ ମଧ୍ୟ ଲାଂସି ନ ଫେରିବାରୁ ତା’ର ସ୍ତ୍ରୀ ଆସି ସନ୍ଧାନ ନେଲା । କିନ୍ତୁ ଲାଂସିର କିଛି ଖୋଜଖବର ମିଳିଲା ନାହିଁ । ତହିଁ ଆରଦିନ ସକାଳୁ, ହିରଣ୍ ବାବୁ ବା ସରଯୂ କେହି ଶଯ୍ୟା ତ୍ୟାଗ କରିନାହାନ୍ତି, ଜଣେ ଚାଳର ନିକରୁ ଉଠି ବାହାରକୁ ଯାଇ ଦେଖିଲା, କୋଠା ସାମନା ଗଛ ଡାଳରେ ଗୋଟାଏ କଟାମୁଣ୍ଡ ଟଙ୍ଗା ଯାଇଛି । ଚମକି ପଡ଼ି ଭୟରେ ହାଉଳି ଛାଡ଼ିଲା । ତା’ର ଚିତ୍କାରରେ ଆଉ କେତେଜଣ ଚାକର ଆସି ଜମା ହୋଇଗଲେ । ହିରଣ୍ ବାବୁ ଓ ସରଯୂଙ୍କର ମଧ୍ୟ ନିଦଭାଙ୍ଗି ଗଲା । ସେମାନେ ଅତର୍ଚ୍ଛରେ ଘର ଭିତରୁ ବାହାରକୁ ଚାଲି ଆସିଲେ। ଯାହା ଦେଖିଲେ, ସେଥିରେ ସେମାନଙ୍କର ବାକସ୍ଫୂର୍ତ୍ତି ହେଲାନାହିଁ । ଏ ଯେ ଲାଂସିର ମୁଣ୍ତ ! ‘କେଉଁ ନୃଶଂସ ଏଡ଼େ ନିର୍ମମ ଭାବେ ନିର୍ଦ୍ଦୋଷ ବିଚରାକୁ ହତ୍ୟା କରିଛି ?’ ଏତିକି କହି ହିରଣ୍ ବାବୁ କାନ୍ଦି ପକାଇଲେ । ସରଯୂଙ୍କର କୋହ ଅସମ୍ଭାଳ ହୋଇ ଉଠିଲା । ଲାସିଂର ପରିବାର ଆସି ସେଠାରେ ପହଞ୍ଚିଲେ । ଲାଂସିର କଟା ମୁଣ୍ଡ ଦେଖି ତା'ର ସ୍ତ୍ରୀ ଓ ପିଲାଙ୍କର ଗଗନଭେଦୀ ଚିତ୍କାରରେ ଗଛଲତା ଥରି ଉଠିଲା । ଏହି ସମୟରେ ହେମବାବୁ ଓ ରବୀନ୍ଦ୍ର ଡାକ୍ତରଖାନାରୁ ବିଦାୟ ନେଇ ଆସି ସେଠାରେ ପହଞ୍ଚିଲେ । ଘଟନା ଦେଖି ସେମାନେ ସହଜରେ ବୁଝିନେଲେ, ଲାଂସିକୁ କେହି ଗତ ରାତିରେ ହତ୍ୟାକରି ତା’ର କଟାମୁଣ୍ଡ ଗଛ ଡାଳରେ ଝୁଲାଇ ଦେଇଛି । ଉଭୟେ ବିସ୍ମୟରେ ଅଭିଭୂତ ହୋଇ ପଡ଼ିଲେ ।

 

ହେମବାବୁ ଓ ରବୀନ୍ଦ୍ର ପହଞ୍ଚିବାର ଦେଖି ହିରଣବାବୁ ପ୍ରଣାମ କଲେ । ସରଯୂ ହେମବାବୁଙ୍କୁ କାନ୍ଦି କାନ୍ଦି କହିଲେ, ‘‘ଆମର ସର୍ବନାଶ ହୋଇଛି । ମୋର ସମ୍ପତ୍ତିବାଡ଼ିର ଭାର ପିତାଙ୍କ ମୃତ୍ୟୁଦିନରୁ ଲାଂସି ଉପରେ ପକାଇ ମୁଁ ନିଶ୍ଚିନ୍ତ ଥିଲି । ତା’ ଯୋଗୁଁ ଆମେ କେତେବେଳେ କୌଣସି ଅଭାବ, ଅସୁବିଧା ଅନୁଭବ କରି ନଥିଲୁ । ସବୁ ସମୟରେ ଲାଂସି ଘୋର ବିପଦକୁ ପାଦରେ ଠେଲି ଦେଇ ଆମକୁ ସାହାଯ୍ୟ କରି ଆସିଛି । ଆହା, ବିଚରା ନିହାତି ଅସହାୟ ଭାବେ ପିଶାଚଦ୍ୱାରା ହତ ହୋଇଛି'', ଏହା କହି ସରଯୂ ଅବିଶ୍ରାନ୍ତ କାନ୍ଦିବାକୁ ଲାଗିଲେ । ଦେଖଣାହାରୀଙ୍କ ଆଖିରୁ ମଧ୍ୟ ଠକ୍ ଠକ୍ ଲୁହ ଗଡ଼ିବାକୁ ଲାଗିଲା । ସେ ସ୍ଥାନର ବାୟୁମଣ୍ଡଳ ବଡ଼ କରୁଣ, ଦୁଃସହ ଓ ଅଶାନ୍ତିକର ହୋଇଉଠିଲା ।

 

ଖବର ପାଇ ପୋଲିସ ଇନ୍‍ସପେକ୍ଟର ସଦଳବଳରେ ଆସି ସେଠାରେ ପହଞ୍ଚିଲେ । ସେ ହେମବାବୁଙ୍କୁ ପ୍ରଣାମ କରି ପଚାରିଲେ, ‘‘ଆଜ୍ଞା, ବ୍ୟାପାର କ’ଣ ?’’

 

ହିରଣବାବୁ ଆଗେଇ ଆସିଲେ । ସରଯୂ ଘରଭିତରକୁ ଗଲେ । ହିରଣବାବୁ ନମସ୍କାର କରି କହିଲେ, “ଆଜ୍ଞା, ମୋର ବିଶ୍ୱସ୍ତ କର୍ମଚାରୀ ଏ ଲାଂସିକୁ କେହି ଦୁର୍ବୃତ୍ତ ଗତ ରାତିରେ ହତ୍ୟା କରି ତା’ର ମୁଣ୍ଡ ଏ ଗଛ ଡାଳରେ ଝୁଲାଇ ଦେଇଛି ।” ଏକଥା କହିଲାବେଳେ ତାଙ୍କର କଣ୍ଠ ବାଷ୍ପରୁଦ୍ଧ ହୋଇ ଉଠୁଥିଲା ।

 

ହେମବାବୁ କହିଲେ; ‘‘ଏଇ ଦେଖୁଛନ୍ତି, ତ । ଶତ୍ରୁ ଆମକୁ ମାରିବା ଉଦ୍ଦେଶ୍ୟରେ ଅଗ୍ନିକାଣ୍ଡ ଭିଆଇ ଥିଲା । ଆମେ ଏଇ ଲାଂସି ଯୋଗେ ରକ୍ଷା ପାଇଥିଲୁ । ବର୍ତ୍ତମାନ ଲାଂସିକୁ ହତ୍ୟାକରି ତା’ର ପ୍ରତିହିଂସା ପ୍ରବୃତ୍ତି ଚରିତାର୍ଥ କରିଛି ।”

 

ପୋଲିସ ଇନ୍‍ସପେକ୍ଟର କହିଲେ, ‘‘ରେଙ୍ଗୁନ୍ ସହରରେ ଲାଗ୍‍ଲାଗ୍ ଏପରି ପୈଶାଚିକ କାଣ୍ଡମାନ ଘଟିବା ମୋ ଜୀବନରେ ମୁଁ ଦେଖି ନାହିଁ । କାଲି ରାତିରେ ଦେଖିଲେ, ଆପଣଙ୍କ ଜୀବନ ନେବାକୁ ଦସ୍ୟୁସହଚର କିପରି ଉଦ୍ୟମ କରିଥିଲା । କିନ୍ତୁ ବିଚରା ନିଜେ ସାବାଡ଼୍ ହୋଇଛି ।

 

ହିରଣବାବୁ ବ୍ୟଗ୍ର ଭାବରେ ପଚାରିଲେ, ‘‘କ’ଣ ଆଜ୍ଞା ?’’

 

ରବୀନ୍ଦ୍ର ସଂକ୍ଷେପରେ ଗତ ରାତ୍ରିରେ ହେମବାବୁଙ୍କ ଉପରେ ଘଟିଥିବା ଶତ୍ରୁର ଆକ୍ରମଣ ଓ ଆତ୍ମହତ୍ୟା ବିଷୟ ବର୍ଣ୍ଣନା କଲେ । ହିରଣବାବୁ ଓ ସରଯୂ ଏ ରୋମାଞ୍ଚକର କାହାଣୀ ଶୁଣି ଅତିଶୟ ତ୍ରସ୍ତ ହୋଇପଡ଼ିଲେ ।

 

ଇନ୍‍ସପେକ୍ଟର ବାବୁ କହିଲେ, ‘‘ଆଜି ରଫୁର ଶବ ପୋଷ୍ଟମଟମ୍ ହେଉଛି ।’’

 

ତା'ପରେ ତଦନ୍ତ ଚାଲିଲା । ପୋଲିସ୍ ବିଭାଗ ତଦନ୍ତରୁ ଏତିକି ଜାଣିଲେ ଯେ ଲାଂସି ସନ୍ଧ୍ୟାବେଳେ ଅଫିସ୍ ଘରୁ ସହର ଭିତରକୁ ଯାଇଥିଲା, ତେଣୁ ଆଉ ଫେରି ନାହିଁ ।

 

ପୋଲିସ ଦଳ ଯିବାପରେ ହେମବାବୁ ଓ ରବୀନ୍ଦ୍ର ଦୁହେଁ ଭୋଜନ ସାରି ବିଶ୍ରାମ ନେଲେ-। ବର୍ତ୍ତମାନ କଥାବାର୍ତ୍ତା ଛଳରେ ସରଯୂଙ୍କୁ ଆଶ୍ୱାସନା ଦେବା ସେମାନଙ୍କର ପ୍ରଧାନ ଲକ୍ଷ୍ୟ ଥିଲା-। ଦିନ ୧୧ ଘଣ୍ଟା ସମୟରେ ଗୋଟିଏ ମଲା ମଣିଷର ଗଣ୍ଡି କେଉଟମାନେ ନଦୀରେ ମାଛ ମାରୁଥିବା ବେଳେ ଜାଲରେ ଧଇଲେ । ତାକୁ ଆଣି ଥାନାରେ ପହଞ୍ଚାଇଲେ । ଜଣାପଡ଼ିଲା, ଏହା ଲାଂସିର ଶରୀର । କାରଣ ସେ ଯେଉଁ ଯୋତା ଓ ପୋଷାକ ପିନ୍ଧି ସନ୍ଧ୍ୟାବେଳେ ଅଫିସରୁ ଯାଇଥିଲା, ହିରଣବାବୁଙ୍କର କେତେ ଜଣ ଚାକର ତାହା ଦେଖି ଚିହ୍ନୋଟ କଲେ । ଲାସ୍ ଡାକ୍ତର ମାଇନା ପରେ ଲାଂସିର ପରିବାର ଜିମା ଦିଆଗଲା ଓ ହିରଣବାବୁଙ୍କ ଉଦ୍ୟମରେ ତାହାର ଯଥାବିଧି ସଂସ୍କାର କରାଗଲା ।

 

ମଫସଲରୁ ପ୍ରକୃତରେ ଲିଆସିନ୍ ଆସି ନଥିଲେ । ସେ ଘଟନା ପରଦିନ ରେଙ୍ଗୁନରେ ପହଞ୍ଚି ଲାଂସିର ହତ୍ୟା ସଂବାଦ ଶୁଣିଲେ । ସେ ଆସି ହିରଣବାବୁଙ୍କ ସଙ୍ଗେ ଦେଖା କରି କହିଲେ, ଗତ କାଲି ତାଙ୍କର ରେଙ୍ଗୁନ୍ ଆସି ହିସାବପତ୍ର ବୁଝାଇବାର ଥିଲା । ମାତ୍ର ସେ ଦିନକ ପୂର୍ବରୁ ଲାଂସିର ସ୍ଵାକ୍ଷରରେ ଚିଠି ପାଇଲେ, ଆଜି ଆସିବାକୁ । ସେଥିପାଇଁ ସେ ଆଜି ଆସିଛନ୍ତି ।

 

ହେମବାବୁ ନିଃସନ୍ଦେହ ଜାଣି ନେଲେ, ଏ ହୀନୁର ଚାଲାଖି । ତା’ର ସମସ୍ତ ଚେଷ୍ଟା ଲାଂସି ଯୋଗେ ବ୍ୟର୍ଥ ହେଉଛି; ସେଥିପାଇଁ ସେ ପ୍ରତିହିଂସା ସାଧନର ସୁଯୋଗ ଖୋଜୁଥିଲା । ଏ ହୀନୁ ଲିଆସିନ୍ ଆସୁଥିବାର ସୁରାକ ପାଇଁ ଜାଲ ଚିଠି ଦେଇ ସେଦିନ ତାଙ୍କ ଆସିବା ବନ୍ଦ କଲା । ଏ ଆଡ଼େ ଲିଆସନ୍‍ଙ୍କ ନାଁରେ ଲାଂସିକୁ ଡକାଇ ନେଇ ହତ୍ୟା କରିଛି ।

 

ଲିଆସିନ୍ ଓ ରବୀନ୍ଦ୍ରଙ୍କୁ ମଟରରେ ଧରି ହେମବାବୁ ସଦର ଥାନାକୁ ଗଲେ ! ସେଠାରେ ଶୁଣିଲେ, ରଫ୍ ଉତ୍କଟ ବିଷ ଖାଇ ଅତ୍ମହତ୍ୟା କରିବାର ଡାକ୍ତର ରିପୋର୍ଟ କରିଛନ୍ତି । ସେ ଲିଆସିନ୍‍ଙ୍କୁ ଚିହ୍ନାଇ ଚିଠି ଦାଖଲ କଲେ । ହତ୍ୟା ସକ୍ରାଂନ୍ତରେ ଅନେକ ଆଲୋଚନା ଦେଲା । ମାତ୍ର ସେ ପର୍ଯ୍ୟନ୍ତ ଆଉ କିଛି ତଥ୍ୟ ମିଳିନଥିଲା ।

 

ସତେଇଶ

 

ପୋଲିସର ବହୁ ଅନୁସନ୍ଧାନରେ ମଧ୍ୟ ଲାଂସି-ହତ୍ୟାକାରୀର କୌଣସି ସନ୍ଧାନ ମିଳିଲା ନାହିଁ । ଥାନାରେ ଅନୁସନ୍ଧାନ ଓ ଆଲୋଚନା କରି ସାରି ଯେତେବେଳେ ଦୁଃଖ, ନୈରାଶ୍ୟରେ ହେମବାବୁ ଓ ରବୀନ୍ଦ୍ର ହିରଣବାବୁଙ୍କ ଘରକୁ ଫେରିଲେ, ସେତେବେଳେ ହିରଣବାବୁ ପଚାରିଲେ, ‘‘ଆଜ୍ଞା, ଦସୁର କିଛି ସନ୍ଧାନ ମିଳିଲା କି ?’’

 

ହେମବାବୁଙ୍କୁ ନିତାନ୍ତ ବିମର୍ଷ ଭାବରେ ଜବାବ୍ ଦେଲେ ‘‘ନା, ଏ ପର୍ଯ୍ୟନ୍ତ’ତ ସେପରି କିଛି ମିଳି ନାହଁ । ତଥାପି ମୁଁ ସେ ସମ୍ପର୍କରେ ହତାଶ ହୋଇ ନାହିଁ ।

 

ହିରଣବାବୁ ଗୋଟିଏ ଦୀର୍ଘ ନିଶ୍ଵାସ ଛାଡ଼ିଲେ । ସେ ନିଶ୍ଚିତ ଭାବରେ ଜାଣିଥିଲେ, ଲାଂସିର ହତ୍ୟାକାରୀ ହୀନୁ ବ୍ୟତୀତ ଆଉ କେହି ନୁହେଁ । ହତ୍ୟାକାରୀ ଉପଯୁକ୍ତ ଦଣ୍ଡ ପାଇଥିଲେ ତାଙ୍କ ମନରେ କିଞ୍ଚିତ ଶାନ୍ତି ଆସିଥାନ୍ତା । କିନ୍ତୁ ହତ୍ୟାକାରୀର କୌଣସି ପତ୍ତା ଏ ପର୍ଯ୍ୟନ୍ତ ମିଳିଲା ନାହିଁ ।

 

ସରଯୂ ମନ ଦୁଃଖରେ କହିଲେ, ‘‘ଇମିତି ହୀନୁ ହାତରେ ଆମ ପ୍ରାଣଟା କେଉଁ ଦିନ ଚାଲିଯିବ, ତା’ର କେଉଁ ଠିକଣା ଅଛି ?’’

 

ସରଯୂଙ୍କର ଏ ଅଭିମାନଭରା କଥାଭିତରେ ଯେପରି ଅଲକ୍ଷ୍ୟରେ ହେମବାବୁଙ୍କ ଶକ୍ତି ଓ ସାହାସ ପ୍ରତି ଆକ୍ଷେପ, ଅବିଶ୍ୱାସ ଫୁଟି ଉଠୁଥିଲା । ହେମବାବୁ ମନେ ମନେ ଗ୍ଳାନି ଅନୁଭବ କଲେ-

 

କ୍ରମେ ସନ୍ଧ୍ୟା ହେଲା । ହେମବାବୁ ଓ ରବୀନ୍ଦ୍ର ଉଭୟେ ଛଦ୍ମବେଶ ଧାରଣ କରି ବିଭିନ୍ନ ପଥରେ ରେଙ୍ଗୁନ ସହର ଭିତରେ ପଶିଲେ । ହେମବାବୁଙ୍କର ଛଦ୍ମବେଶ ଏତେ ନିଖୁଣ ଥିଲା ଯେ ତାଙ୍କୁ କେହି ଦେଖିଲେ ଗୋଟିଏ ସତୁରିବର୍ଷ ବୟସ୍କ ଦୁର୍ବଳ ବୃଦ୍ଧ ବ୍ୟକ୍ତି ବୋଲି ନିଶ୍ଚୟ ବିଶ୍ୱାସ କରିବ ।

 

ହେମବାବୁ ସହରର ବିଭିନ୍ନ ଜୁଆ ଆଡ଼୍‍ଡ଼ା, ଖଟି ସ୍ଥାନମାନ ବୁଲି ଆସିଲେ । ସେ ସହରର ଗୋଟିଏ ଅଞ୍ଚଳରେ ବୁଲୁ ବୁଲୁ ପ୍ରକାଣ୍ଡ ଜେଲ୍ ପାଚେରୀ ତାଙ୍କ ଆଖିରେ ପଡ଼ିଲା । ଝାପ୍‍ସା ଚନ୍ଦ୍ରକିରଣରେ ସେ ଦେଖି ପାରିଲେ, ଜେଲ୍ ପାଚେରୀ ମଝିରେ ଗୋଟିଏ ସାପ ଉପରକୁ ଉଠୁଛି । ସେ ଭଲକରି ନିରିଖି ଚାହିଁଲେ । ଦୂରକୁ ତାଙ୍କୁ ଦିଶିଲା, ସାପଟି ପାଚେରୀ ତଳକୁ ଲମ୍ବିଛି ଓ କ୍ରମଶଃ ଉପରକୁ ଉଠୁଛି ? ଏତେ ଲମ୍ବ ସରୁ ସାପ କ’ଣ ଥାଇପାରେ ? କିନ୍ତୁ ଜୀବନ୍ତ ପ୍ରାଣୀ ନ ହୋଇଥିଲେ ଏହା ମନକୁ ଉପରକୁ ଉଠନ୍ତା ବା କିପରି ? ସେ ଟର୍ଚ୍ଚ ଟିପି ଦେବାକୁ ବସିଥିଲେ; ପୁଣି ମନରେ ଭାବିଲେ, କୌଣସି ଲୋକ କିଛି କୌଶଳ କରି ଯଦି ଏପରି କରିଥାଏ ତେବେ ସବୁ ବୃଥା ହୋଇଯିବ । ସେ ଲୋକତ ପଳାଇଯିବ, କୌଶଳ ମଧ୍ୟ ଧରାପଡ଼ିବ ନାହିଁ । ଏଇୟା ଭାବି ସେ କେବଳ ବିସ୍ମୟରେ ଅଭିଭୂତ ହୋଇ ଚାହିଁ ରହିଲେ । ତାଙ୍କର ଏତିକି ଅନୁମାନ ହେଲା ଯେ କୌଣସି ସରୀସୃପଜାତୀୟ ପ୍ରାଣୀଠାରେ ଦଉଡ଼ି ଲଗାଇ ଦିଆଯାଇଛି; ସେ ଉପରକୁ ଉଠିବା ସଙ୍ଗେ ସଙ୍ଗେ ଦଉଡ଼ି ଚାଲିଛି ।

 

ତେବେ କ'ଣ ସେ ଏପରି ଉପରକୁ ଉଠିବାର ଶିକ୍ଷା ପାଇଛି ? ହେମବାବୁ ଦୂରରେ ଥାଇ ଘଟନାକୁ ପ୍ରତୀକ୍ଷା କରି ରହିଲେ । ଦଉଡ଼ିଟା ପାଚେରୀ ଆର ପାଖକୁ ଗଲା । କିଛି ସମୟ ପରେ କଳା ପୋଷାକ ପିନ୍ଧିଥିବା ଗୋଟାଏ ଲୋକ ପାଚେରୀ ତଳକୁ ଆସିଲା । ଦଉଡ଼ିଟାକୁ ସାମାନ୍ୟ ଟାଣି ପରୀକ୍ଷା କଲା । ତା' ପରେ ଦଉଡ଼ିଟାକୁ ଛାଡ଼ି ଠିଆ ହେଲା । ପୁଣି ଦଉଡ଼ିକୁ ଟାଣିଲା । ଏହିପରି କେତେଥର ପରୀକ୍ଷାକରି ସାରିବା ପରେ ଭୂଇଁରେ ଗୋଟିଏ ଲୁହାକୀଳା ପିଟିଲା । ସେଥିରେ ଦଉଡ଼ିଟାକୁ ବାନ୍ଧିଦେଲା । ତା’ ପରେ ସେ ଦଉଡ଼ି ସାହାଯ୍ୟରେ କ୍ରମେ ଉପରକୁ ଉଠିଲା । ପାଚେରୀ ଡେଇଁ ଆର ପାଖକୁ ଗଲା ।

 

ହେମବାବୁ ଏ ବ୍ୟାପାର ଦେଖି ସ୍ତମ୍ଭିତ ହୋଇଗଲେ । ସେ ଭାବିଲେ, ଆରପାଖେ କେହି ଦଉଡ଼ିକୁ ଟାଣି ଧରିବାରୁ ଏ ପାଖରୁ ଏ ଲୋକଟା ଦଉଡ଼ି ସାହାଯ୍ୟରେ ପାଚେରୀ ପାର ହୋଇଗଲା । ତାଙ୍କର ମନେ ପଡ଼ିଲା, କିଛିଦିନ ତଳେ ୟାଂସୁ ଗିରଫ ହୋଇ ଏ ଜେଲ୍ ଭିତରେ ଅଛି । ତାକୁ ମୁକୁଳାଇବା ପାଇଁ ଏ ହୀନୁର କାରସାଦି ନୁହେଁ’ତ ? ସେ ଜାଣିଥିଲେ, କୌଶଳରେ ହୀନୁ କମ୍ ଧୁରନ୍ଧର ନୁହେଁ । ପୁଣି ସେ ଭାବିଲେ, ସେ ନିଜେ ହୀନୁ ପିଛା ଲାଗି ଥିବାରୁ ସବୁଥିରେ ହୀନୁର ହାତ ଅଛି ବୋଲି ତାଙ୍କର ମନରେ ସନ୍ଦେହ ଆସି ଯାଇଛି । ଆଉ କେଉଁ ଅଜ୍ଞାତନାମା ଲୋକ ଅନ୍ୟ କୌଣସି ବନ୍ଦୀକୁ ମୁକ୍ତ କରିବାକୁ ଫନ୍ଦିଫିକର କରି ଥାଇପାରେ ? ବର୍ତ୍ତମାନ ତାଙ୍କର କର୍ତ୍ତବ୍ୟ କଣ ?

 

କ୍ଷଣକାଳ ସ୍ଥିର ରହି ହେମବାବୁ କର୍ତ୍ତବ୍ୟ ଠିକ୍ କରିନେଲେ । ସେ କୀଳା ପାଖକୁ ଯାଇ ଚଟ୍ କିନା ଦଉଡ଼ିଟାକୁ କାଟିଦେଲେ । ତାଙ୍କର ଉଦ୍ଦେଶ୍ୟ ହେଲା, ଦଉଡ଼ିକୁ କାଟିଦେବା ଦ୍ୱାରା ଜେଲ୍ ଭିତରେ ପାଚେରୀ ଡେଇଁ ପଶିଥିବା ଲୋକଟା ଆଉ ଦଉଡ଼ି ସାହାଯ୍ୟରେ ବାହାରକୁ ଆସି ପାରିବ ନାହିଁ । ତତ୍ପରେ ହେମବାବୁ ଦଉଡ଼ିଟାକୁ ଟାଣିଲେ, କିନ୍ତୁ ଭିତର ପାଖରୁ ଇଞ୍ଚିଏ ସୁଦ୍ଧା ଘୁଞ୍ଚାଇ ପାରିଲେ ନାହିଁ । ସେ ଜେଲର ସଦର ଦରଜା ନିକଟକୁ ଗଲେ । ଗାର୍ଡ଼କୁ ନିଜର ପରିଚୟ ଦେଇ ସମସ୍ତ ଘଟନା କହିଲେ । ଆଉ କେତେଜଣ ଗାର୍ଡ଼ ଆସିଲେ, ଜେଲ ସୁପରିଟେଣ୍ତେଣ୍ଟ୍, ସହକାରୀ କର୍ମଚାରୀ କେତେଜଣ ଆସି ପହଞ୍ଚିଲେ । ସମସ୍ତେ ଘଟନା ଶୁଣି ଜେଲ୍ ଅଗଣାକୁ ଦୌଡ଼ିଲେ । ସବୁ ଘରଗୁଡ଼ିକ ତନ୍ନ ତନ୍ନ କରି ଦେଖିଲେ; ମାତ୍ର ବାହାରର କୌଣସି ଲୋକକୁ ଦେଖିଲେ ନାହିଁ ବା କୌଣସି ବନ୍ଦୀ ପଳାଇଯିବାର ସନ୍ଧାନ ମିଳିଲା ନାହିଁ । କେବଳ ଅଗଣାର ଗୋଟିଏ ପାଖ ପାଚେରୀ କାନ୍ଥରେ ଦେଖାଗଲା, ଗୋଟିଏ ଗଭୀର ଅଥଚ ଛୋଟ ଗାତ; ତା' ପାଖରେ ଜଣେ ମନୁଷ୍ୟର ପାଦଚିହ୍ନ । ବହୁ ଅନୁସନ୍ଧାନ ପରେ ପାଚେରୀର ଅନ୍ୟ କୋଣରେ ସେହିପରି ମନୁଷ୍ୟର ପାଦ ସଙ୍କେତ ଦେଖାଗଲା । ସମସ୍ତେ ଜାଣିଲେ, ଦସ୍ୟୁ ଏହି ବାଟ ଦେଇ ପଳାଇ ଯାଇଛି । କିନ୍ତୁ କିପରି ଆସିଲା, କିପରି ଗଲା, ତା'ର ସଙ୍କେତ ମିଳିଲା ନାହିଁ । ଦଉଡ଼ିଟା ମଧ୍ୟ ନଥିଲା । ପାଚେରୀ ବାହାରକୁ ଯାଇ ଦେଖିଲେ, ଲୁହାକୀଳା, ତା' ଦେହରେ ଦଉଡ଼ିରୁ ଖଣ୍ତେ ଲାଗିଥିଲା । ସମସ୍ତେ ପରସ୍ପରର ମୁହଁକୁ ଚାହିଁ ରହିଲେ ମାତ୍ର ।

 

ଅଠେଇଶ

 

ହୀନୁ ସେଦିନ ରାତିରେ ଲାଂସିକୁ ହତ୍ୟା କରି ସାରି ଆଶ୍ୱସ୍ତିର ନିଶ୍ୱାସଟାଏ ଛାଡ଼ିଲା । ଲାଂସିର ଗଣ୍ଡିଟାରୁ ପିଚ୍ ପିଚ୍ ରକ୍ତ ବାହାରି ଘରଟାଯାକ ରକ୍ତ ସରବୁଡ଼ ହୋଇ ଯାଇଥିଲା । ଉଆଁସୀ ସେଗୁଡ଼ା ପରିଷ୍କାର କରିଦେଲା । ଖିଆ ପିଆ ସାରି ନିର୍ଜନ ରାତିରେ ହୀନୁ ଗୋଟାଏ ବସ୍ତାରେ ପୂରାଇଥିବା ଲାଂସିର ଗଣ୍ଡି ଓ ମୁଣ୍ଡଟାକୁ ଜିପ୍ ରେ ଲଦି ବାହାରିଲା । ଗଣ୍ତି ପୂରାଇଥିବା ବସ୍ତାଟାକୁ ଈରାବତୀ ନଦୀରେ ଫିଙ୍ଗି ଦେଲା । ମୁଣ୍ଡଟାକୁ ଗୁପ୍ତରେ ନେଇ ହିରଣ୍ ବାବୁଙ୍କ କୋଠା ସାମନା ଗଛ ଡାଳରେ ବାନ୍ଧିଦେଲା । ଜିପ୍ ବସାରେ ରଖିଦେଇ ରଫୁର ସଂବାଦ ନେବାକୁ ସଦର ହସପିଟାଲ ଆଡ଼କୁ ଚାଲିଲା । ସେ ଗୋଟିଏ ଗଳି ଭିତର ଦେଇ ଯାଉ ଯାଉ ତା’ର ଜଣେ ପୁରୁଣା ବନ୍ଧୁକୁ ଭେଟିଲା । ତା’ଠାରୁ ସଂବାଦ ପାଇଲା, ରଫୁ ସଦର ହସପିଟାଲରେ ଆତ୍ମହତ୍ୟା କରିଛି । ହୀନୁର ମନଟା ଫିକା ପଡ଼ିଗଲା । ତା’ର ଏତେ ବଡ଼ କୌଶଳ ନିଷ୍ଫଳ ହେଲା ବୋଲି ସେ ଯେତେ ଦୁଃଖିତ ହେଲାନାହିଁ, ତା' ଅପେକ୍ଷା ବେଶୀ ଦୁଃଖିତ ହେଲା ତା’ର ପ୍ରଧାନ ସଙ୍ଗୀ ରଫୁର ମୃତ୍ୟୁରେ । ସବୁ କାର୍ଯ୍ୟରେ ରଫୁ ତାକୁ ସହାୟ ଦେଉଥିଲା । ହୀନୁ ବଡ଼ କ୍ଲାନ୍ତି ଓ ଅବସାଦ ଅନୁଭବ କଲା । ବନ୍ଧୁ ତାକୁ ଆଡ଼୍ଡ଼ାକୁ ଯିବାକୁ ଅନୁରୋଧ କଲା । ମାତ୍ର ହୀନୁ ଆଉ କୁଆଡ଼େ ନ ଯାଇ ବସାକୁ ଫେରିଲା । ଶଯ୍ୟା ଧରିବା ମାତ୍ରକେ ଗାଢ଼ ନିଦ୍ରାରେ ଶୋଇପଡ଼ିଲା ।

 

ତହିଁ ଆରଦିନ ସକାଳୁ ହୀନୁ ଉଠିଲାବେଳକୁ ଅନେକ ବେଳ ହୋଇଯାଇଥିଲା । ଉଆଁସୀ ପାଟିକରି କହିଲା, ‘‘ଏ କେଉଁ ଅକାଳ ନିଦ ତୋତେ ଘୋଟିଛି ହୀନୁ ?"

 

ହୀନୁ ଅଳସ ଭାଙ୍ଗି କହିଲା, ‘‘ଆରେ, ମୁଁ ଏତେବେଳଯାଏ ଶୋଇପଡ଼ିଲି; ତୁ ଟିକିଏ ଉଠାଇଦେଲୁ ନାହିଁ ଉଆଁସୀ ?’’

 

ହୀନୁ ଚଟ୍ ପଟ୍ ଖିଆ ପିଆ ଶେଷ କରି ଛଦ୍ମବେଶ ପିନ୍ଧି ଜିପ୍ ଖଣ୍ଡେ ଧରି ବାହାରି ପଡ଼ିଲା ସହର ଭିତରକୁ । ସେ ନିଖୁଣଭାବରେ ନିଜର ଛଦ୍ମବେଶ ସଜାଇ ନେଇଥିଲା । ସେ ସନ୍ଧାନ ନେଇ ଜାଣି ପାରିଲା, ସେ ଦିନ ସକାଳୁ ହେମବାବୁ ଓ ରବୀନ୍ଦ୍ର ହସପିଟାଲରୁ ହିରଣବାବୁଙ୍କ ଘରକୁ ଫେରି ଆସିଛନ୍ତି, ଲାଂସର ହତ୍ୟାକାରୀର ସଂବାଦ ପାଇବାକୁ ପୋଲିସ ତନାଘନାରେ ତଦନ୍ତ ଚଳାଇଛି । ରାସ୍ତାଘାଟ, ଦୋକାନ ବଜାର ସବୁଠାରେ ପଞ୍ଚା ପଞ୍ଚା ଲୋକ ବସି ଲାଂସିହତ୍ୟାର ଆଲୋଚନା ଚଳାଇଛନ୍ତି । ସମୁଦାୟ ରେଙ୍ଗୁନ ସହରରେ ଏହି ହତ୍ୟାକାଣ୍ଡ ଗୋଟାଏ ଅତ୍ୟଭୂତ ଚମକ୍ ସୃଷ୍ଟି କରିଛି । ହୀନୁ ଅନେକବେଳ ଯାଏ ବୁଲି ବୁଲି ବସାକୁ ଫେରିଲା । ସେ ଭାବିଲା ୟାଂସୁ ବର୍ତ୍ତମାନ ରେଙ୍ଗୁନ ଜେଲ୍ ରେ । ତାକୁ ଯେ କୌଣସି ପ୍ରକାରେ ମୁକ୍ତ କରି ସାଙ୍ଗକୁ ନ ଆଣିଲେ ସେ ଲକ୍ଷ୍ୟ ସାଧନ କରି ପାରିବ ନାହିଁ । ଲାଂସି ଯାଇଛି, ହେମବାବୁ ଓ ରବୀନ୍ଦ୍ର ଏ ଦୁଇଟା ସଇତାନଙ୍କୁ ଖତମ ନ କଲେ ସରଯୂକୁ ତା’ ଆୟତ୍ତକୁ ଆଣିବା ସହଜ ହେବ ନାହଁ । ନାନା ବିଷୟ ଭାବୁ ଭାବୁ କ୍ରମେ ରାତି ହେଲା । ସେ କଳାପୋଷାକ ପିନ୍ଧି ରେଙ୍ଗୁନ ଜେଲ୍ ଆଡ଼େ ବାହାରିଲା । ହାତରେ ଛୋଟ ହ୍ୟାଣ୍ଡ୍ ବ୍ୟାଗ୍‍ଟିରେ ନାନାରକମ ଜିନିଷ ସେ ନେଇଥିଲା । ଜେଲ୍ ପାଚେରୀ ତଳେ ବସି ହ୍ୟାଣ୍ଡ୍ ବାଗ୍‍ରୁ ବାହାର କଲା ଗୋଟାଏ ଗୋଧି ସାପ । ତା ମୁହଁରେ ଗୋଟାଏ ଦଉଡ଼ି କାମୁଡ଼ାଇ ଦେଇ ସେ ଜେଲ୍ ପାଚେରୀ କାନ୍ଥରେ ଛାଡ଼ି ଦେଲା । ତାଲିମ୍ ପାଇଥିବା ଗୋଧିଟା ମୁହଁରେ ଦଉଡ଼ି ଧରି ଅବଲୀଳାକ୍ରମେ ପାଚେରୀ ଉପରକୁ ଉଠିବାକୁ ଲାଗିଲା-। କ୍ରମେ ପାଚେରୀ ଡେଇଁ ଆରପାଖକୁ ଗଲା । ତା' ପରେ କାନ୍ଥରୁ ଖସି ଅଗଣାରେ ଓହ୍ଲାଇଲା-। ମାଟି ଅଗଣାରେ ଗୋଟିଏ ଛୋଟ ଅଥଚ ଗହୀରିଆ ଗାତ କରି ତା’ ଭିତରେ ପଶି ଦଉଡ଼ିଟାକୁ କାମୁଡ଼ି ଧରିଲା । ସେ ପାଖେ ହୀନୁ କିଛି ସମୟପରେ ଦଉଡ଼ିକୁ ଟାଣିଲା । ଦେଖିଲା, ଦଉଡ଼ି ସେ ପାଖରେ କିଏ ଭିଡ଼ି ଧରିଛି । ସେଥିରେ ଓହଳିଲା, ତିଳେ ସୁଦ୍ଧା ଟାଣି ପାରିଲା ନାହିଁ । ତା'ପରେ ଗୋଟିଏ ଲୁହା କୀଳା ବାଡ଼େଇ ସେଥିରେ ଦଉଡ଼ିଟାକୁ ଶକ୍ତ କରି ବାନ୍ଧି ଦେଲା । ତା’ର ଉଦ୍ଦେଶ୍ୟ, ଏହି ଦଉଡ଼ି ସାହାଯ୍ୟରେ ୟାଂସୁକୁ ଧରି ସେ ଯେପରି ଜେଲ୍‍ରୁ ଶୀଘ୍ର ଚାଲି ଆସିବ । ସେ ଦଉଡ଼ିରେ ଚଢ଼ି ଜେଲ ଅଗଣା ଭିତରକୁ ଗଲା ।

 

ଅଗଣାରେ ହୀନୁ ନିରାପଦରେ ଓହ୍ଲାଇ ପଡ଼ିବାମାତ୍ରେ ଗୋଧିକୁ ଦେଖିବା ପାଇଁ ତା’ ମନରେ କୌତୁହଳ ଜାତ ହେଲା । ସେ ଗାତରୁ ଗୋଧିକୁ ବାହାର କରି ତାକୁ ଆଉଁଷି ପକାଇଲା । ଗୋଧିପ୍ରତି କୃତଜ୍ଞତାରେ ତା ଅନ୍ତର ଭରିଗଲା । ସେପର୍ଯ୍ୟନ୍ତ ଗୋଧିଟି ଦଉଡ଼ିଟାକୁ କାମୁଡ଼ି ଧରିଥାଏ । ହୀନୁ ପରୀକ୍ଷା କରିବାପାଇଁ ଦଉଡ଼ିଟାକୁ ଟାଣିଲା । ଟାଣିବାମାତ୍ରେ ଦଉଡ଼ିଟା ବାହାର ପାଖରୁ କୋହଳିଆ ହୋଇ ଚାଲିଆସିଲା । ହୀନୁ ମନରେ ଛନକା ପଶିଗଲା । ସେ ଭାବିଲା, ମୁଁ ତ ଦଉଡ଼ିଟାକୁ କୀଳା ସଙ୍ଗରେ ଶକ୍ତ କରି ବାନ୍ଧିଥିଲି; କୀଳାରୁ ଏହା ଫିଟିଲା କିପରି ? ଶତ୍ରୁ ନିଶ୍ଚୟ ତା’ର ସନ୍ଧ ନ ପାଇ ତାକୁ ଫାନ୍ଦରେ ପକାଇଲାଣି । ସେ ୟାଂସୁ ପାଖକୁ ଆଉ ଯିବ କ’ଣ, ସେ ଅଗଣାର ଆର ପାଖକୁ ଗଲା । ତାକୁ ଜେଲର ବାହାର ଓ ଭିତର ପାଖର କୌଣସି ଅଂଶ ଅଜଣା ନଥିଲା । ସେ ଗୋଟିଏ କୋଣକୁ ଯାଇ ପୂର୍ବପରି ଗୋଧି ମୁହଁରେ ଦଉଡ଼ି କାମୁଡ଼ାଇ ଦେଇ ପାଚେରୀ କାନ୍ଥରେ ଚଢ଼ାଇଦେଲା । ହୀନୁ ପୂର୍ବପରି ସେହି ଦଉଡ଼ି ସାହାଯ୍ୟରେ ଜେଲ୍ ପାଚେରୀ ଡେଇଁ ଆସିଲା । ହେମବାବୁ ଜେଲ୍ ସୁପରିଂଟେଣ୍ତଣ୍ଟ୍ ଓ ଗାର୍ଡ଼ମାନେ ଜେଲ୍ ଭିତରେ ଦସ୍ୟୁର ଅନୁସନ୍ଧାନ ନେଲାବେଳକୁ ହୀନୁ ପାଚେରୀ ବାହାରକୁ ଡେଇଁପଡ଼ି ଗଳିର ଅନ୍ଧକାର ଭିତରେ ନିଜକୁ ଲୁଚାଇ ଦେଇ ସାରିଥିଲା । ହେମବାବୁ ପଛରେ ବୃଥା ପରିଶ୍ରମ କରି ଖୋଜିଲେ । ହୀନୁ ମଧ୍ୟ ବିଫଳ ମନୋରଥ ହୋଇ ବଡ଼ ମନ ଗ୍ଲାନିରେ ପଳାଇ ଆସିଲା ।

 

ଅଣତିରିଶ

 

ହେମବାବୁଙ୍କ ଆଖିରେ ଧୂଳି ଦେଇ ଯେଉଁଦିନ ରାତିରେ ଜେଲ୍ ଅଗଣାରୁ ହୀନୁ ଚମ୍ପଟ୍ ଦେଲା, ସେଦିନ ରବୀନ୍ଦ୍ର ମଧ୍ୟ ଛଦ୍ମ ବେଶରେ ଅନ୍ୟ ରାସ୍ତା ଧରି ରେଙ୍ଗୁନ୍ ସହରରେ ବୁଲୁଥିଲା । ସେ ରାତିରେ ନାନା ଜୁଆଆଡ଼୍ଡ଼ା, ମଦଖଟିର ସନ୍ଧାନ ନେଇ ହୀନୁକୁ ନ ପାଇ ଶ୍ରାନ୍ତ କ୍ଳାନ୍ତ ଭାବରେ ଫେରୁଥାଏ । ରାତି ଅଧକୁ ବେଶି ଗଡ଼ିଗଲାଣି । ସେ ବଡ଼ ରାସ୍ତା ଦେଇ ହିରଣ୍ ବାବୁଙ୍କ ଘରଆଡ଼କୁ ଫେରିଯିବାକୁ ବସିଛି, ଅନ୍ଧାରମିଶା ଚନ୍ଦ୍ରାଲୋକରେ ଦେଖିବାକୁ ପାଇଲା ଗୋଟିଏ ଛାୟା ମୂର୍ତ୍ତି । ବଡ଼ ତରବରରେ ସଦର ରାସ୍ତା ପାର ହୋଇ ଗୋଟିଏ ଗଳି ଭିତରେ ପଶୁଛି । ରବୀନ୍ଦ୍ରର ଘୁମନ୍ତ ଅବସ୍ଥା-ଭାଙ୍ଗିଗଲା । ସେ ନିଦରୁ ଉଠିଲା ପରି ବେଗ ବେଗ ପାଦ ପକାଇ ସେହି ଛାୟାମୂର୍ତ୍ତିକୁ ଅନୁସରଣ କଲା । ମୂର୍ତ୍ତିଟି ଚଞ୍ଚଳ ପଦକ୍ଷେପରେ ଗୋଟିଏ ଗଳିଭିତରକୁ ଗଲା। ସେ ଗଳିରେ କିଛିବାଟ ଗଲାପରେ ରାସ୍ତା ଭାଙ୍ଗି ଅନ୍ୟ ଗୋଟିଏ ଗଳିଭିତରେ ପଶିଲା । ରବୀନ୍ଦ୍ର ମଧ୍ୟ ତା’ ପଛେ ପଛେ ଗଲା । ଅନେକ ବାଟ ଯିବାପରେ ସେ ଲୋକଟା ଗୋଟାଏ ଜାଗାରେ ବନ୍ଦ ହେଲା । ଟିକିଏ ଚାରିଆଡ଼କୁ ଚାହିଁଲା । ତା’ ପରେ ଗୋଟିଏ ଘରର ଦ୍ୱାର ପାଖକୁ ଗଲା । ଆସ୍ତେ ଆସ୍ତେ କବାଟରେ ହାତ ମାରିଲା । କବାଟ ଫିଟିବା ପୂର୍ବରୁ ଘର ଭିତରୁ ସ୍ତ୍ରୀ କଣ୍ଠରୁ ଶୁଭିଲା, ‘‘କିଏ ହୀନୁ-?’’

 

ଉକ୍ତ ଲୋକଟା ଛୋଟ ହୁଁ’ ଟିଏ କଲା । ରବୀନ୍ଦ୍ର ହୀନୁର ନାଁ ଶୁଣି ଚମକି ପଡ଼ିଲା । ସେ ଅତର୍ଚ୍ଛରେ ବିପରୀତ ପାର୍ଶ୍ୱରେ ଥିବା ଗୋଟିଏ ଘରର କାନ୍ଥପାଖକୁ ଘୁଞ୍ଚିଗଲା । ବୁଲା କୁକୁରଟାଏ ସେଠାରେ ଶୋଇଥିଲା । ଅକସ୍ମାତ୍ ରବୀନ୍ଦ୍ରର ପାଦ ପଡ଼ିଗଲା ତା ଉପରେ । ସେ ଭାଉଁ ଭାଉଁ କରି ଉଠିଲା । କଳା ପୋଷାକଧାରୀ ଲୋକଟାର ଦୃଷ୍ଟି ସେଆଡ଼େ ପଡ଼ିଲା । ସେ ରାସ୍ତାଆଡ଼େ କଟମଟ କରି ଚାହିଁ ରହିଲା ! ରବୀନ୍ଦ୍ର ଧରାପଡ଼ିଯିବା ଭୟରେ ସେଠାରୁ ଫେରି ଆସ୍ତେ ଆସ୍ତେ ସଦର ରାସ୍ତାଆଡ଼େ ଚାଲିଲା ।

 

କଳା ପୋଷାକ ପିନ୍ଧା ଲୋକଟା ଘର ଭିତରେ ପଶୁ ପଶୁ ସଶଙ୍କଭାବରେ କହିଲା, ‘‘ଉଆଁସୀ, ଆଜିର ଅଭିଯାନଟା ବିଗିଡ଼ିଗଲା । ଏଠାରେ ମଧ୍ୟ ତ୍ରାହି ନାହିଁ । ଗୁପ୍ତଚର ଆମ ପିଛା ଧରିଲାଣି । ଆଜି ରାତିରେ ଏ ଘର ପୋଲିସ୍ ଘେରାଉ ହେବ।’’

 

‘‘ପୋଲିସ୍ ଘେରାଉ ?’’ ଉଆଁସୀ ବିସ୍ମିତ ଭାବରେ ପଚାରିଲା ।

 

ହୀନୁ କହିଲା ‘‘ହଁ ପୋଲିସ୍ । ବର୍ତ୍ତମାନ ଆମକୁ ଏ ବସା ଛାଡ଼ିବାକୁ ପଡ଼ିବ ।’’

 

ହୀନୁ ଏକଥା କହିଦେଇ ତରବରରେ ଘରଭିତରେ ପଶି ଜିନିଷପାତି ସଜାଡ଼ିଲା । ଉଆଁସୀକୁ କହିଲା, ‘‘ଶୀଘ୍ର ଶୀଘ୍ର ଜିନିଷ ବୋହିନେଇ ଜିପ୍‍ରେ ଲଦ ।''

 

ସେ ଓ ଉଆଁସୀ ଉଭୟେ ଲାଗି ଦରକାରୀ ଓ ମୂଲ୍ୟବାନ୍ ଜିନିଷସବୁ ଦଶ ପନ୍ଦର ମିନିଟ ଭିତରେ ଜିପ୍ ରେ ଲଦି ଦେଲେ । ହୀନୁ ଉଆଁସୀକୁ ଜିପ୍ ରେ ବସାଇ ଚାଲିଲା ସହରର ବିପରୀତ ଦିଗକୁ ।

 

ଏଣେ ରବୀନ୍ଦ୍ର ହୀନୁର ସନ୍ଧାନ ପାଇ ଦ୍ରୁତ ପଦକ୍ଷେପରେ ଚାଲିଲା ସଦର ଥାନାକୁ । ଥାନାରେ ଇନ୍‍ସପେକ୍ଟରଙ୍କ ସହ ସାକ୍ଷାତ୍ କରି ସମସ୍ତ ଖବର ଜଣାଇଲା । ଇନ୍‍ସପେକ୍ଟର ଆନନ୍ଦରେ ନାଚିଉଠି ରବୀନ୍ଦ୍ରର କରମର୍ଦ୍ଦନ କଲେ । ପୋଲିସ ଭ୍ୟାନ ସଙ୍ଗେ ସଙ୍ଗେ ଆସିଲା । ଦଶଜଣ ସଙ୍ଗୀନ୍ ଧାରୀ ପୋଲିସ କନେଷ୍ଟବଳ ସଜ୍ଜିତ ହୋଇ ଭ୍ୟାନରେ ବସିଲେ । ଜଣେ ସବ୍‌ଇନ୍‍ସପେକ୍ଟର, ରବୀନ୍ଦ୍ର ଓ ସ୍ଵୟଂ ଇନ୍‍ସପେକ୍ଟର ଭ୍ୟାନରେ ବସିଲେ । ଭ୍ୟାନ ସଦର ରାସ୍ତା ଉପର ଦେଇ କିଛିଦୂର ଗଲା ପରେ ରବୀନ୍ଦ୍ରର ଇଙ୍ଗିତମତେ ଦୁଇ ତିନୋଟି ଗଳି ପାର ହୋଇ ନିର୍ଦ୍ଦିଷ୍ଟ ଗୃହ ସମ୍ମୁଖରେ ରହିଲା । ସିପାହୀ କେତେଜଣ ଘର ଘେରାଉ କଲେ । ଆଉ କେତେଜଣଙ୍କ ସହ ଇନ୍‍ସପେକ୍ଟର ଦ୍ୱାର ମୁହଁରେ ପହଞ୍ଚି କବାଟରେ ହାତ ମାରିଲେ । ମାତ୍ର କେହି ଜବାବ ଦେଲେ ନାହିଁ କି କବାଟ ଖୋଲିଲା ନାହିଁ । ଶେଷରେ ଇନ୍‍ସପେକ୍ଟର କବାଟ ଭାଙ୍ଗି ରବୀନ୍ଦ୍ର ସହ ଘର ଭିତରେ ପଶିଲେ । ଦେଖିଲେ ଶୂନ୍ୟ—କେବଳ ପରିତ୍ୟକ୍ତ ବିଛଣା, ଭଙ୍ଗ ବାକ୍ସ, ଅନ୍ୟାନ୍ୟ ଛୋଟ ଛୋଟ ଉପକରଣ ଘର ଭିତରେ ସ୍ଥାନେ ସ୍ଥାନେ ପଡ଼ି ରହିଥିଲା । ବୋଧହେଲା, କିଏ ଯେପରି ଅଳ୍ପକ୍ଷଣ ପୂର୍ବେ ଘର ଛାଡ଼ି ପଳାଇ ଯାଇଛି । ଇନ୍‍ସପେକ୍ଟର ପାଖଆଖ ପଡ଼ୋଶୀଙ୍କୁ ଡାକି ପଚାରିଲେ । ସେମାନଙ୍କ ଭିତରୁ ଜଣେ ଦି’ଜଣ କହିଲେ, ସେମାନେ ଅଳ୍ପକ୍ଷଣ ପୂର୍ବେ ଏଠାରେ ମଟର ଶବ୍ଦ ଶୁଣିଛନ୍ତି । ସେମାନଙ୍କଠାରୁ ବୁଝିବାରୁ ଜଣାପଡ଼ିଲା, ସ୍ତ୍ରୀ ପୁରୁଷ ଦୁଇ ଜଣ ଏଠାରେ କେତେଦିନ ହେଲା ରହିଥିଲେ । ପୁରୁଷ ଜଣକ କେଉଁଠି ଚାକିରି କରନ୍ତି ବୋଲି ସେମାନେ ଶୁଣୁଥିଲେ । ସେମାନଙ୍କଠାରୁ ସେମାନଙ୍କର ଆକାର ପ୍ରକାରର ସନ୍ଧାନ ନିଆଗଲା । ବର୍ଣ୍ଣନାରୁ ଜଣାପଡ଼ିଲା, ସେ ଦୁହେଁ ହୀନୁ ଓ ଉଆଁସୀ । ଅଳ୍ପକ୍ଷଣ ପୂର୍ବେ ସେମାନେ ମଟରରେ ବସି ପଳାଇ ଯାଇଛନ୍ତି ।

 

ପୋଲିସ୍‌ଭ୍ୟାନରେ ରବୀନ୍ଦ୍ର ହିରଣ୍ ବାବୁଙ୍କ ଘରଠାକୁ ଗଲା । ହେମବାବୁ ଅଳ୍ପକ୍ଷଣ ପୂର୍ବେ ଫେରିଥିଲେ । ସେ ସମୁଦାୟ ଘଟଣା ଶୁଣି ଆହୁରି ମ୍ରିୟମାଣ ହୋଇ ପଡ଼ିଲେ । ଉଭୟେ କ୍ଲାନ୍ତ ହୋଇ ପଡ଼ିଥିଲେ । ରାତି ଆଉ ବେଶି ନ ଥିଲା । ଇନ୍‍ସପେକ୍ଟରଙ୍କୁ ବିଦାୟ ଦେଇ ଅଗତ୍ୟା ଶଯ୍ୟାର ଆଶ୍ରୟ ନେଲେ ।

 

ତିରିଶ

 

ତହିଁଆରଦିନ ସକାଳୁ ରବୀନ୍ଦ୍ର ଓ ହେମବାବୁ ବହୁତ ବେଳଯାଏଁ ଶୋଇପଡ଼ି ଥିଲେ । ହିରଣ୍ ବାବୁ ଯାଇଁ ଡାକିବାରୁ ସେମାନଙ୍କର ନିଦ ଭାଙ୍ଗିଲା । ସାଧାରଣ ଜଳଯୋଗ ସମୟରେ ହେମବାବୁ ଓ ରବୀନ୍ଦ୍ର ଗତ ରାତିରେ ଘଟିଥିବା ଅଦ୍ଭୁତ ଘଟଣାମାନ ହିରଣ୍ ବାବୁ ଓ ସରଯୂଙ୍କ ଆଗରେ ବର୍ଣ୍ଣନା କଲେ । ଉଭୟେ ସେ ବିଚିତ୍ର କାହାଣୀ ଶୁଣି ଚକିତ ଭାବରେ ଚାହିଁ ରହିଲେ ।

 

ଏହା ପରେ ହେମବାବୁ ମଟରରେ ବସି ରବୀନ୍ଦ୍ରକୁ ସଙ୍ଗରେ ନେଇ ସଦର ଥାନାକୁ ବାହାରିଲେ । ସଙ୍ଗରେ ହିରଣ୍ ବାବୁ ଯିବାକୁ ବସିଲେ । ତାଙ୍କର ଇଚ୍ଛା, ହୀନୁର ଘର ଦେଖିବା । ସେ ମଧ୍ୟ ମଟରରେ ବସିଲେ । ସଦର ଥାନାରେ ପହଞ୍ଚି ଇନ୍‍ସପେକ୍ଟର ଓ ଜଣେ ଦି’ଜଣ ସିପାହୀଙ୍କ ସହ ହୀନୁ ରହିଥିବା ଘରଠିକୁ ଗଲେ । ସମସ୍ତେ ଘରଭିତରେ ପଶିଲେ । ହେମବାବୁ ବାଡ଼ିପାଖେ ଗୋଟିଏ କାନ୍ଥମୂଳକୁ ଯାଇ ଚିତ୍କାର କରି ଉଠିଲେ । ତାଙ୍କର ଚିତ୍କାର ଶୁଣି ସମସ୍ତଙ୍କ ଦୃଷ୍ଟି ସେଆଡ଼କୁ ଗଲା । ସମସ୍ତେ ସେଆଡ଼କୁ ମଧ୍ୟ ଧାଇଁଲେ । ହେମବାବୁ ପାଟି କରି କହିଲେ, ‘‘ଦେଖନ୍ତୁ, ଇନ୍‍ସପେକ୍ଟର ବାବୁ, ରକ୍ତଲଗା କନାଗୁଡ଼ାଏ ଏଠାରେ ପଡ଼ିଛି । ମୋର ଯେତେଦୂର ଅନୁମାନଲାଂସିକୁ ହତ୍ୟା କରାଯାଇ ଏ କନାରେ ହତ୍ୟା ସ୍ଥାନରୁ ରକ୍ତ ପୋଛାଯାଇଛି ।”

 

ଇନ୍‍ସପେକ୍ଟର ସେଥିରେ ଏକମତ ହେଲେ । ସାମ୍ନା ପାଖ ଘର ଭିତରେ ବୁଲୁ ବୁଲୁ ପକ୍‍କାଘର କାନ୍ଥରେ ସେମାନେ କ୍ଷୁଦ୍ର ରକ୍ତ ଛିଟିକା ଶୁଖି ରହିଥିବାର ମଧ୍ୟ ଦେଖିଲେ । ଇନ୍‍ସପେକ୍ଟର କନାଗୁଡ଼ିକ ସଙ୍ଗରେ ନେଇ ମଟରରେ ଅନ୍ୟ ସମସ୍ତଙ୍କ ସହ ବସି ଥାନାକୁ ଆସିଲେ-। ହେମବାବୁ, ରବୀନ୍ଦ୍ର ଓ ହିରଣ୍ ବାବୁ ଘରକୁ ଫେରିଲେ । ହେମବାବୁ ଭୋଜନ ପରେ କିଛି ସମୟ ବିଶ୍ରାମ ନେଲେ । ହେମବାବୁଙ୍କର ଦୁଃଶ୍ଚିନ୍ତାର ଅନ୍ତ ନ ଥିଲା । ସେ ଓଡ଼ିଶାରୁ ଏତେ ଦୂର ଆସି ଏଠାରେ ବସି ତାଙ୍କ ସୁନାମରେ କଳଙ୍କ-କାଳି ବୋଳୁଛନ୍ତି ମାତ୍ର । ଏତେ ପୋଲିସ୍ ଅଫିସର ଥାଉଁ ଥାଉଁ ତାଙ୍କ ନିଜର ସତର୍କ ଦୃଷ୍ଟି ସତ୍ୱେ ଲୁଣ୍ଠନ, ହତ୍ୟା, ଗୃହଦାହ ଗୋଟିକ ପରେ ଗୋଟିଏ ଘଟି ଯାଉଛି । ହାର ଫେରାଇ ଆଣିବା ପାଇଁ ସେ ସରଯୂଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ହାର ଫେରିବା ତ ଦୂରର କଥା, ହୀନୁର ବର୍ତ୍ତମାନ ଅବସ୍ଥିତିର ସନ୍ଧାନ ପାଇବା ତାଙ୍କ ପକ୍ଷରେ ମୁସ୍କିଲ୍‍ ବ୍ୟାପାର-। ତାଙ୍କର ଆତ୍ମଧିକ୍କାର ଆସିଲା । ଏହିପରି ନାନା ଦୁର୍ଭାବନା ଓ ରବୀନ୍ଦ୍ର ସହ କଥାବାର୍ତ୍ତାରେ ସେଦିନ ସନ୍ଧ୍ୟା ହେଲା । ସେ ସନ୍ଧ୍ୟା ପରେ ଯତ୍‍କିଞ୍ଚିତ୍ ଭୋଜନ କରି ରବୀନ୍ଦ୍ର ସହ ମଟରରେ ବସି ସହର ଭିତରକୁ ଗଲେ । ତାଙ୍କ ନିଜ ଉପରେ ଘୃଣା ଓ ବିରକ୍ତି ଆସିବା ସଙ୍ଗେ ସଙ୍ଗେ ହୀନୁକୁ ବର୍ତ୍ତମାନ ଆବିଷ୍କାର କରିବାପାଇଁ ତାଙ୍କ ମନରେ ଗୋଟାଏ କଠୋର ସଂକଳ୍ପ ବସା ବାନ୍ଧିଥିଲା । ସେଥିପାଇଁ ସେ କ୍ଷିପ୍ତପ୍ରାୟ ସହର ଭିତରେ ଏଆଡ଼େ ସେଆଡ଼େ ମଟର ଦୌଡ଼ାଇବାକୁ ଲାଗିଲେ-। ସେ ସମୁଦାୟ ରେଙ୍ଗୁନ୍ ସହରଟା ପ୍ରାୟ ବୁଲିଗଲେ, ସଦରଥାନାକୁ ଯାଇ ଅନୁସନ୍ଧାନ କଲେ, ମାତ୍ର ହୀନୁର ନୂତନ ବାସସ୍ଥାନ କେଉଁଠି ପାଇଲେ ନାହିଁ । କ୍ଳାନ୍ତ ମନ, ଅବସନ୍ନ ଶରୀର ଧରି ସେ ହିରଣ୍ ବାବୁଙ୍କ ଘରର ଫାଟକ ପାଖରେ ପହଞ୍ଚିଲାବେଳକୁ ଘଣ୍ଟା ଢଂ ଢଂ ବାରଟା ବାଜିଲା-। ସେ ମଟର ରଖି ସେଥିରୁ ଓହ୍ଲାଇବାକୁ ଗଲାବେଳକୁ ତାଙ୍କର ଦୃଷ୍ଟି ପଡ଼ିଗଲା ହିରଣବାବୁଙ୍କ କୋଠାର ପୂର୍ବ ଦିଗରେ ଥିବା ବୁଦା କୋତୋଟି ଉପରେ । ସମ୍ମୁଖରେ ପ୍ରସାରିତ ମଟର ଆଲୋକରେ ସେ ସ୍ପଷ୍ଟ ଦେଖି ପାରିଲେ, ଗୋଟାଏ ଲୋକ କୋଠା କାନ୍ଥରୁ ଖସିଯାଇ ଫୁଲବୁଦା ଆଢ଼ୁଆଳରେ ଲୁଚି ଯାଉଛି । ହେମବାବୁ ତାହା ଦେଖି ନ ଦେଖିଲା ପରି ହୋଇ ମଟର ଆଲୋକ ଦବାଇ ଦେଲେ ଓ ରବୀନ୍ଦ୍ରକୁ ମଟର ଜଗାଇ ଦେଇ ହିରଣ୍ ବାବୁଙ୍କ କୋଠା ଉପରକୁ ଚଢ଼ିଲେ-। ହିରଣ୍ ବାବୁଙ୍କର କୋତୋଟି ଚାକର ଯୋତା ଶବ୍ଦ ଶୁଣି ଉଠି ହେମବାବୁଙ୍କୁ ପ୍ରଣାମ କଲେ-। ହେମବାବୁ କୋଠାର ଉପର ମହଲାକୁ ଉଠିଲେ । ଉପର ମହଲାରେ ସେ ପର୍ଯ୍ୟନ୍ତ ହିରଣବାବୁ ଓ ସରଯୂ ଶୋଇ ନଥିଲେ । ହେମବାବୁଙ୍କୁ ଅପେକ୍ଷା କରି ରହିଥିଲେ ବର୍ତ୍ତମାନ ହେମବାବୁଙ୍କୁ ଦେଖି ହିରଣ୍ ବାବୁ କହିଲେ, ‘‘ଏଡ଼େ ତରତରରେ କୁଆଡ଼େ ?’’

 

ହେମବାବୁ ତାଙ୍କୁ କଥା ଶେଷ କରିବାକୁ ନ ଦେଇ ‘‘ରହନ୍ତୁ, ଆସୁଛି’’ ବୋଲି କହି କୋଠାର ଉତ୍ତର ପାଖ ଦେଇ ସିଡ଼ିରୁ ଓହ୍ଲାଇଲେ । ତାଙ୍କୁ ଅତି ସନ୍ତର୍ପଣରେ ଆସ୍ତେ ଓହ୍ଲାଇବାକୁ ପଡ଼ୁଥିଲା । ସେ ପଛପାଖ କାନ୍ଥପାଖରେ ରହି ପୂର୍ବପାଖକୁ ଚାହିଁଲେ ହେମବାବୁଙ୍କ ଦୃଷ୍ଟିଶକ୍ତି ଥିଲା ଅତ ତୀକ୍ଷ୍ଣ । ଫୁଲ ଗଛଗୁଡ଼ିକ ଯୋଗୁ ସେ ପାଖଟା ଅନ୍ଧକାରାବୃତ୍ତ ଥିଲା । ସେ ନିରେଖି ଦେଖିଲେ, ଗୋଟିଏ ମନୁଷ୍ୟର ଛାୟା ଆସ୍ତେ ଆସ୍ତେ କୋଠା କାନ୍ଥପାଖକୁ ଆସୁଛି ହେମବାବୁ ଜାଣିପାରିଲେ । ଲୋକଟା ତା'ପରେ ଆସି କାନ୍ଥ ନିକଟରେ ରହି ଦକ୍ଷିଣ ପାଖକୁ ଉଁକି ମାରୁଛି । ହେମବାବୁ ଆସ୍ତେ ପାଦଚାପି ଯାଇ ହଠାତ୍ ସେ ମୂତ୍ତିଟାକୁ ମାଡ଼ି ବସିଲେ । ସେ ଲୋକଟା ଉତ୍ତରକୁ ମୁହଁ ଫେରାଇ ଦେଖିବାକୁ ଚେଷ୍ଟା କରିବା ପୂର୍ବରୁ ହେମବାବୁଙ୍କ ଦେହଭାର ସମ୍ଭାଳି ନ ପାରି କଚାଡ଼ି ହୋଇ ତଳେ ପଡ଼ିଗଲା । ହେମବାବୁ ତାକୁ ମାଡ଼ି ବସିଲେ; କିନ୍ତୁ ଲୋକଟା ତଳେ ପଡ଼ି ବଜ୍ର ମୁଷ୍ଟିରେ ହେମବାବୁଙ୍କ ମୁଣ୍ଡକୁ ଭୀକ୍ଷଣ ଆଘାତ କଲା । ହେମବାବୁ ହତଜ୍ଞାନ ହୋଇ ଲେଉଟି ପଡ଼ିଲେ । ତାଙ୍କର ହଲଚଲ ହେବାର ଶକ୍ତି ରହିଲା ନାହଁ । ମାତ୍ର ସେ ଯେତେବେଳେ ଲୋକଟାକୁ ମାଡ଼ି ବସିଥିଲେ, ତା’ର ପ୍ୟାଣ୍ଟ୍ ପକେଟରୁ ବାହାରକୁ ଦିଶୁଥିବା ଗୋଟିଏ ଚମଡ଼ାର ବ୍ୟାଗ୍ ଭିଡ଼ିଆଣି ନିଜ ପକେଟରେ ପୂରାଇ ଦେଇଥିଲେ । ସେ ଅଜ୍ଞାନ ହୋଇ ତଳେ ଯେତେବେଳେ ପଡ଼ିଗଲେ, ହିରଣ୍ ବାବୁ, ସରଯୂ ଓ ସେମାନଙ୍କର କେତେ ଜଣ ଚାକର ବାକର ଦୁଲ୍‌ଦାଲ୍ ଶବ୍ଦ ଶୁଣି ସେ ପାଖକୁ ଆଲୁଅ ଧରି ଦୌଡ଼ି ଆସିଲେ । ସେମାନଙ୍କର ଆସିବାର ସୂଚନା ପାଇ ହେମବାବୁଙ୍କୁ ମାଡ଼ି ବସିଥିବା ଲୋକଟା ଦୁମ୍‍ଦାମ୍ ହୋଇ ପଳାଇଗଲା । ହେମବାବୁ ମଧ୍ୟ ସେତେବେଳକୁ ସଚେତ ହୋଇ ଉଠୁଥିଲେ । ସେ କାହାକୁ କିଛି ନ କହି ନିଜ ମଟର ପାଖକୁ ଦୌଡ଼ିଲେ ।

 

ଏହି ଅବସରରେ ତାଙ୍କ ମଟର ସମ୍ମୁଖରେ ଅନ୍ୟ ଗୋଟିଏ ମଟର ଚାଲିଯିବାର ଶବ୍ଦ ସେ ଶୁଣି ପାରିଲେ । ରବୀନ୍ଦ୍ର ମଟରରୁ ବାହାରି ତଳେ ଠିଆ ହୋଇଥିଲା । ହେମବାବୁ ତାକୁ ବସିବାକୁ କହି ରଜନି ଜିପ୍‍କାରଟି ପୂର୍ବବର୍ତ୍ତୀ ଚଳନ୍ତା ମଟରକୁ ଅନୁସରଣ କରି ଚଳାଇଲେ । ସେ ଅନ୍ଧକାରରେ ଆତତାୟୀକୁ ଦେଖି ନ ଥିଲେ ମଧ୍ୟ ଅନୁମାନ କରିଥିଲେ, ଏ ଆତତାୟୀ ହୀନୁ ଛଡ଼ା ଆଉ କେହି ନୁହେଁ । ନଚେତ୍ ଆଉ କାହାର ଏତେ ବଳ ହେବ, ଯେ’କି ତାଙ୍କ ଶକ୍ତିକୁ ପ୍ରତିହତ କରିପାରେ ! କିଛି ଗୋଟାଏ କାଣ୍ଡ ଘଟାଇବା ବୋଲି ସେ ନିଶ୍ଚୟ ହିରଣ୍ ବାବୁଙ୍କ କୋଠା ନିକଟରେ ଲୁଚି ରହିଥିଲା । ନାନା ବିକ୍ଷିପ୍ତ ଭାବନା ମନରେ ଖେଳିବା ସଙ୍ଗେ ସଙ୍ଗେ ସେ ଆତତାୟୀର ମଟର ପ୍ରତି, ବରାବର ଦୃଷ୍ଟି ରଖି ନିଜର ମଟର ଚଳାଉଥିଲେ । କ୍ରମଶଃ ସଦର ରାସ୍ତାରୁ ଦସ୍ୟୁର ମଟର ଯାଇ ଗୋଟିଏ ଗ୍ରାମ୍ୟ ଦଣ୍ଡାରାସ୍ତା ଧରିଲା । ଆତତାୟୀର ମଟର ସେହି ରାସ୍ତା ଧରିଲା ମାତ୍ରେ ହେମବାବୁ ସେହି ପଥରେ ନିଜ ମଟର ଚଳାଇବାକୁ ବାଧ୍ୟ ହେଲେ । ଅନ୍ଧାର ରାତି, ଖାଲ ଢିପ ରାସ୍ତା । ଆତତାୟୀ ଅଭ୍ୟସ୍ତ ଥିଲା; କିନ୍ତୁ ହେମବାବୁଙ୍କୁ ଅପରିଚିତ ରାସ୍ତାରେ ମଟର ଚଳାଇବାରେ ବଡ଼ ଅସୁବିଧା ଭୋଗ କରିବାକୁ ପଡ଼ୁଥିଲା । ଆତତାୟୀର ମଟର କେତେବେଳେ ଦେଖା ପଡ଼ୁଥିଲା, କେତେବେଳେ ବା ବଣ ଆଢ଼ୁଆଳରେ ଲୁଚି ଯାଉଥିଲା । ବିଲ ଭିତର ରାସ୍ତା ଛାଡ଼ି ଅରଣ୍ୟ ରାସ୍ତାରେ କ୍ରମଶଃ ଦସ୍ୟୁର ମଟର ଗତି କଲା । ସେତେବେଳକୁ ସକାଳ ହୋଇ ଯାଇଥିଲା । ଗୋଟିଏ ବାଙ୍କ ମୋଡ଼ରେ ଦସ୍ୟୁର ମଟର ବୁଲିଲାବେଳକୁ ଦିବାଲୋକରେ ହେମବାବୁ ଓ ରବୀନ୍ଦ୍ର ସ୍ପଷ୍ଟ ହୀନୁ ଓ ଉଆଁସୀକୁ ଦେଖିପାରିଲେ । କିଛି ଦୂର ଗଲା ପରେ ବୃକ୍ଷଲତା ଅନ୍ତରାଳରେ ହେମବାବୁଙ୍କୁ ଆଉ ହୀନୁର ମଟର ଦେଖାଗଲା ନାହିଁ । ସେ ମଟର ଚକର ଦାଗ ଦେଖି ପୂର୍ବ ମଟରକୁ ଅନୁସରଣ କରିବାକୁ ଲାଗିଲେ । ରାସ୍ତାକ୍ରମେ ଶେଷ ପାଇଲା । ହୀନୁ କଣ୍ଟାଖୁଞ୍ଚ ନ ମାନି ସେହି ଭୀଷଣ ବନ ମଧ୍ୟରେ ଯେଉଁଠି ଟିକିଏ ରାସ୍ତା ପାଉଥିଲା ଗୁଳ୍ମଲତା ଉପରେ ମଡ଼ାଇ ତାର ଜିପ୍‍ଟିକୁ ଚଳାଉଥିଲା । ହେମବାବୁ ତା’ ପଛରେ ଏଣିକି ନିଜର ଜିପ୍ ଚଳାଇବାକୁ ଭୟ କଲେ । ହୀନୁର ମଟରର ଗତି କ୍ରମେ ଶିଥିଳ ହୋଇଆସିଲା । ସମ୍ମୁଖରେ ଏକ ପର୍ବତ ମହାମହିମାରେ ଦଣ୍ଡାୟମାନ । ହେମବାବୁ ଓ ରବୀନ୍ଦ୍ର ଭାବିଲେ, ଏହିଠାରେ ସେ ହୀନୁକୁ ଜବତ୍ କରିବେ । ବୋଧହୁଏ ଜିପ୍ ଛାଡ଼ି ଉଆଁସୀ ସହ ଘୋର ବନଭିତରେ ସେ ଆତ୍ମଗୋପନର ଚେଷ୍ଟା କରିବ । ମାତ୍ର ହୀନୁ ମାନିବା ଜନ୍ତୁ ନୁହେଁ । ସେ ପର୍ବତ ପ୍ରାନ୍ତଦେଇ ଗୁଳ୍ମଲତା ଉପରେ ଚଢ଼ାଇ ଜିପ୍‍କୁ ବୁଲାଇ ନେବାକୁ ଚେଷ୍ଟା କଲୋ । ପର୍ବତର ପ୍ରାନ୍ତଦେଶରେ ବୃକ୍ଷଲତା ପୂର୍ଣ୍ଣ ଅତଳସ୍ପର୍ଶୀ ଗହ୍ୱର । ହୀନୁ ମୋଡ଼ରେ ମଟର ବୁଲାଇବାକୁ ଗଲାବେଳକୁ ଜିପ୍ ର ସାମନା ଚକ ଏକ ପ୍ରକାଣ୍ଡ ଶୀଳା ଦେହରେ ବାଧା ପାଇଲା । ଜିପ୍‍ଟି ଅତଟ ପ୍ରଦେଶରୁ ପାର୍ଶ୍ୱବର୍ତ୍ତୀ ଭୀମ ଗହ୍ୱରରେ ଖସି ପଡ଼ିଲା । ରବୀନ୍ଦ୍ର ଓ ହେମବାବୁ ନେତ୍ର ବସ୍ଫାରିତ କରି ଆତଙ୍କିତ ଦୃଷ୍ଟିରେ ଚାହିଁ ରହିଲେ ମାତ୍ର ।

 

ଏକତିରିଶ

 

ସେଦିନ ହେମବାବୁ ଓ ରବୀନ୍ଦ୍ର ମଟର ଧରି ହୀନୁକୁ ଅନୁସରଣ କରିବା ପରେ ହିରଣ୍ ବାବୁ ଓ ସରଯୂ ଚିନ୍ତିତ ହୋଇ ପଡ଼ିଲେ । ଭୋର ହେବା ମାତ୍ରେ ପୋଲିସ ଇନ୍‍ସପେକ୍ଟରଙ୍କ ପାଖକୁ ଯାଇ ସବୁ କଥା ଜଣାଇଲେ । ସେ ସଙ୍ଗେ ସଙ୍ଗେ ଗୋଟିଏ ପୋଲିସ ଭ୍ୟାନ୍ ରେ ଦଳବଳ ଧରି ହେମବାବୁଙ୍କୁ ଖୋଜିବାକୁ ବାହାରି ପଡ଼ିଲେ । ଅନ୍ୟ ଗୋଟିଏ କାରରେ ହିରଣ୍ ବାବୁ ଓ ସରଯୂ ସେମାନଙ୍କୁ ଅନୁସରଣ କଲେ । ମଟର ଚକର ଚିହ୍ନ ଦେଖି ଦେଖି ସେମାନଙ୍କୁ ଗାଡ଼ି ଚଳାଇବାକୁ ପଡ଼ୁଥିଲା । ଗାଡ଼ି ଦୁଇଖଣ୍ଡ ନାନା ଅଙ୍କାବଙ୍କା ରାସ୍ତା ବୁଲି ଯେତେବେଳେ ଅରଣ୍ୟ ଭିତରେ ପଶିବାକୁ ଯାଉଥିଲା, ସେତେବେଳେ ଇନ୍‍ସପେକ୍ଟର ଦୂରରୁ ଗୋଟିଏ ଜିପ୍ ଆସୁଥିବାର ଶବ୍ଦ ଶୁଣିପାରିଲେ । ସେ ଆଉ ଦୁର୍ଗମ ବନ ଭିତରେ ଅଗ୍ରସର ହେବାକୁ ଇଚ୍ଛା ନ କରି ଗାଡ଼ି ଅଟକାଇଲେ । ହିରଣ୍ ବାବୁ ଓ ସରଯୂଙ୍କର କାର୍‍ଟି ମଧ୍ୟ ଅପେକ୍ଷା କରି ରହିଲା । ଅଳ୍ପ କିଛି ସମୟ ପରେ ଜିପ୍‍ଟିଏ ସେମାନଙ୍କର ଦୃଷ୍ଟି ଗୋଚର ହେଲା । ଜିପ୍ ପାଖରେ ପହଞ୍ଚିଲାକ୍ଷଣି ଆରୋହୀମାନ ଓହ୍ଲାଇ ପଡ଼ିଲେ । ରାତିସାରା ଅନାହାର, ଅନିଦ୍ରା ଓ ପରିଶ୍ରମରେ ହେମବାବୁ ଓ ରବୀନ୍ଦ୍ରର ଦେହ ଭାଙ୍ଗି ପଡ଼ିଥିଲା । ସେମାନେ ଅବସନ୍ନ ହୋଇ ପଡ଼ିଥିଲେ ମଧ୍ୟ ଶୁଖିଲା ମୁହଁରେ ହାସ୍ୟରେଖା ଫୁଟାଇ କେତେହଳରେ ଇନ୍‍ସପେକ୍ଟର, ହିରଣ୍ ବାବୁ ଓ ସରଯୂଙ୍କର ପୁନଃ ପୁନଃ ପ୍ରଶ୍ନଗୁଡ଼ିକର ଯଥାଯଥ ଉତ୍ତର ଦେବାକୁ କୁଣ୍ଠିତ ହୋଇ ନଥିଲେ । ହେମବାବୁ ଇନ୍‍ସପେକ୍ଟରଙ୍କୁ କହିଲେ, ‘‘ଦସ୍ୟୁରାଜ ଓ ଦସ୍ୟୁପତ୍ନୀ ଉଆଁସୀକୁ ଧରି ପାରିଲି ନାହିଁ ସତ, ମାତ୍ର ମୁଁ ନିଜ ପ୍ରତିଜ୍ଞା ପାଳନ କରିପାରିଚି, ଏହା ମୋ ମନରେ ଗଭୀର ଆଶ୍ୱାସନା ଆଣି ଦେଇଛି ।’’ ଏହା କହି ହେମବାବୁ ପକେଟରୁ ଗୋଟିଏ ବ୍ୟାଗ୍ ବାହାର କଲେ । ବ୍ୟାଗ୍ ଫଟାଇ ତା ମଧ୍ୟରୁ ଯତ୍ନରକ୍ଷିତ ହାରଟିଏ ବାହାର କରି ହସି ହସି ସରଯୂଙ୍କ ହାତରେ ଦେଲେ । ହାରଟିରେ ସୂର୍ଯ୍ୟକିରଣ ପଡ଼ି ତାହା ଚକ୍ ଚକ୍ ଦିଶୁଥିଲା । ସମସ୍ତଙ୍କର ଦୃଷ୍ଟି ତା’ର ଉଜ୍ଜ୍ୱଳତାରେ ଝଲସି ଉଠିଲା । ହିରଣ୍ ବାବୁ ଓ ସରଯୂ କୃତଜ୍ଞତାପୂର୍ଣ୍ଣ ନୟନରେ ହେମବାବୁଙ୍କୁ ଚାହିଁ ରହିଲେ । ସରଯୂ କହିଲେ, ‘‘ଆପଣ କେବଳ ଏ ବହୁମଲ୍ୟ ହାର ଦେଇନାହାନ୍ତି, ଆପଣ ଆମ ଦୁହିଙ୍କୁ ଜୀବଦାନ କରିବା ସଙ୍ଗେ ସଙ୍ଗେ ହତ୍ୟା, ଲୁଣ୍ଠନ ଓ ଅତ୍ୟାଚାର ମୁଖରୁ ବହୁ ନିରୀହ ନରନାରୀଙ୍କୁ ମୁକ୍ତି ଦେଇ ବିଶ୍ୱର କଲ୍ୟାଣଭାଜନ ହୋଇଅଛନ୍ତି । ତେବେ ଏହାକୁ କେତେବେଳେ ଉଦ୍ଧାର କଲେ ସେ କଥା’ ତ କହିଲେ ନାହିଁ ?’’

 

ହେମବାବୁ, ଗତ ରାତିରେ ତାଙ୍କର ହିରଣ୍ ବାବୁଙ୍କ ଘରକୁ ଆଗମନ, ବଗିଚାରେ କୌଣସି ଉଁକି ମାରୁଥିବାର ସନ୍ଧାନ ପାଇବା, ଲୁଚି ଲୁଚି ନାଇ ତାକୁ ଆକ୍ରମଣ କରିବା ଓ ତାକୁ ହୀନୁ ବୋଲି ସନ୍ଦେହ କରିବା, ଧସ୍ତାଧସ୍ତିରେ ଏ ହୀରକହାର ଥିବା ବ୍ୟାଗ୍ ଖସିପଡ଼ିବା, ତାକୁ ସେ ନିଜେ ଗୋଟାଇ ରଖିବା, ତା'ପରେ ହୀନୁର ପଳାୟନ, ତାକୁ ଅନୁସରଣ କରିବା ପ୍ରଭୃତି ଘଟନା ମୂଳରୁ ଶେଷ ଯାଏ ବର୍ଣ୍ଣନା କରିଗଲେ । ଇନ୍‍ସପେକ୍ଟର, ହିରଣ୍ ବାବୁ ଓ ଅନ୍ୟମାନେ ଏହି ଗେମାଞ୍ଚକର କାହାଣୀ ଶୁଣି ଆତଙ୍କ ଓ ବିସ୍ମୟରେ ସ୍ତମ୍ଭୀଭୂତ ହୋଇଯାଇଥିଲେ ।

 

ବେଳ ବେଶି ହୋଇଯାଇଥିଲା । ସୂର୍ଯ୍ୟକିରଣ ତେଜ ପ୍ରଖର ହୋଇ ଉଠୁଥିଲା । ସମସ୍ତେ ମଟରରେ ଚଢ଼ି ନିକଟବତ୍ତୀ ଗ୍ରାମ ଅଭିମୁଖରେ ଚାଲିଲେ । ଉଦ୍ଦେଶ୍ୟ ରହିଲା ଖାଇପିଇ ବିଶ୍ରାମ କରି ଉପରବେଳା ସମସ୍ତେ ରେଙ୍ଗୁନ ଯାତ୍ରା କରିବେ ।

Image